Latest Odisha News

BREAKING NEWS

ଭାଷା ଭାଗବତ : ଶାଂତି ସଂସ୍ଥାପନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଶାଂତି ପାଇଁ କଲେ ସଂଗ୍ରାମ
ହୋଇଯିବ ବିଶାଳ ଭ୍ରମ
ତହିଁରୁ ପାଇବାକୁ ତ୍ରାହି
କେବେ ବି ଯୁଦ୍ଧ କରନାହିଁ

ଯାହା କରିଲେ ରହେ ଶାଂତି
ତାହା କରିବା ପାଇଁ କ୍ଳାଂତି
ନ ରଖ ଦେହ ଓ ମନରେ
ନ ବୁଲ ଅଜଣା ବନରେ

ଜଣକୁ କରିଲେ ଆହତ
ଶାଂତି ତ ହୁଏନି ସ୍ଥାପିତ
ଆଘାତ ପାଇଥିବା ଲୋକ
ରହେନି ନିଷ୍କ୍ରିୟ ଓ ମୂଳ

ପ୍ରତିଶୋଧର ତୀବ୍ର ଜ୍ବାଳା
କରିଲେ ତାହାକୁ ବାଉଳା
ସେ ହୁଏ ହିଂସାପରାୟଣ
ହୃଦ୍‌ବୋଧ ହେଉ ଏହି ଜ୍ଞାନ

ଡରିବା ଅବା ଡରାଇବା
କାମରେ ଜଡ଼ିତ ନ ହେବା
ହୋଇଲେ ସ୍ବଭାବ ଆମର
ପୃଥିବୀ ହେବ ଶାଂତି-ଘର

ବିବୃତି-ବୀର ବହୁ ଲୋକ
ନ ଦେଖି ବାସ୍ତବ ଆଲୋକ
ଦେଲେ ବି ଅଜସ୍ର ଭାଷଣ
ହୁଏନି ଶାଂତି ସଂସ୍ଥାପନ

କେବଳ କହୁଥିଲେ କଥା
ବଦଳେନାହିଁ ଅବ୍ୟବସ୍ଥା
ଏହା ବୁଝିଲେ ଜନଗଣ
ଅଶାଂତି ହୋଇଯାଏ ଲୀନ

ଶାଂତିରୁ ସୁଖ ହୁଏ ଜାତ
ସୁଖୀ ମଣିଷ ବ୍ୟବସ୍ଥିତ
ହେବାର ଅନେକ ଦୃଷ୍ଟାଂତ
କାହାକୁ ନୁହଇ ଅଜ୍ଞାତ

ଜ୍ଞାନକୁ ନ କଲେ ପ୍ରୟୋଗ
ମିଳେନି ସାମାନ୍ୟ ସୁଯୋଗ
ସଂସାରେ ଶାଂତିରକ୍ଷା ପାଇଁ
ଏ ସତ୍ୟ ବୁଝୁଁନୁ କିପାଇଁ ?

Leave A Reply

Your email address will not be published.