ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୭
ଶବ୍ଦର ଗମନାଗମନ
ଭାଷାରେ ଚାଲେ ପ୍ରତିଦିନ
ବିସ୍ମୃତ ଶବ୍ଦ ଆଣି ଖୋଜି
ବାକ୍ୟରେ ଦେଲେ ସୁଦ୍ଧା ଖଂଜି
ପାଠକ ନ ବୁଝିଲେ ଅର୍ଥ
ଲେଖକ ଶ୍ରମ ହୁଏ ବ୍ୟର୍ଥ
ଚଳିତ ସମୟର ଭାଷା
ଲେଖିଲେ ଲାଗଇ ସରସା
ତତ୍କାଳ ଭାବ ସଂଚାରଣ
କରଂତି ଜଣା ଶବ୍ଦମାନ
ଅଜଣା ଶବ୍ଦ ନେଲେ ସ୍ଥାନ
ହୁଅଇ ଜ୍ଞାନ ପ୍ରଦର୍ଶନ
ସାହିତ୍ୟ ହୁଏ ଯେବେ ପଢ଼ା
ଅଧିକ ବ୍ୟାଖ୍ୟା ହେଲେ ଲୋଡ଼ା
ଏକାକୀ ଆଗ୍ରହୀ ପାଠକ
ବୁଝିପାରେନି ଭାବ ଯାକ
ଲେଖକ ସହିତ ପାଠକ
ରହିଲେ ଏକାଂତ ସଂପର୍କ
ସାହିତ୍ୟ ହୁଏ ଲୋକଗ୍ରାହ୍ୟ
ନଚେତ୍ ତୁରଂତ ଅଗ୍ରାହ୍ୟ
ସାହିତ୍ୟ ଚର୍ଚା ପାଇଁ ବେଳ
ପାଆଂତି ଗବେଷକ କୁଳ
ଅନ୍ୟ ସଭିଏଁ ଅନାସକ୍ତ
ନୁହଂତି ସ୍ବଭାଷାର ଭକ୍ତ
ଲୋକଂକ ରୁଚି ପ୍ରତି ଧ୍ୟାନ
ନ ଦେଇ କରେ ଯେ ଲିଖନ
ସେ ହୋଇଥାଏ ଆତ୍ମଲୀନ
ନିଜର ଭାବରେ ତଲ୍ଲୀନ
ଲୋକାଗ୍ରହକୁ ଭୁଲିଯାଇ
ବିଶ୍ବାସ କରିହେବନାହିଁ
ଲେଖା ହୋଇବ କାଳୋତ୍ତୀର୍ଣ
ସାହିତ୍ଯ କୃତି ରୂପେ ଗଣ୍ୟ
ଶବ୍ଦଂକୁ ସ୍ବାଗତ ବିଦାୟ
ସର୍ବଦା ମିଳଇ ଉଭୟ
କରଂତି ଜନ ସମୁଦାୟ
ଭାବ ଭାଷାର ହୁଏ ଜୟ
ବହୁସ୍ତରୀୟ ବ୍ୟବହାର
କରିଲେ କୌଣସି ଭାଷାର
ନିଶ୍ଚୟ ଘଟେ କ୍ରମୋନ୍ନତି
ଏପରି ଭାଷାର ପ୍ରକୃତି
Comments are closed.