Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୬୦)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୦

 

ବୈଭବ ଭାବିଥିଲା ସିଆଡୁ ବୁଲାବୁଲି କରି ଫେରିବା ପରେ, ତାକୁ ଟିକେ ରିଲାକ୍ସ ଲାଗିବ । ଥକା ମେଣ୍ଟିଯିବ । କିନ୍ତୁ ହେଲାନି । ତା’କୁ ମାନ୍ଦା ଲାଗୁଛି । ଆହୁରି କ୍ଲାନ୍ତ ଅନୁଭବ ହେଉଛି । କିଛି ବି କରିବାକୁ ମନ ହେଉନାହିଁ । ବରଂ ସେ ଜଲ୍‌ଦି ଘରକୁ ଫେରିଯିବ ।

ସେ ବାଟ ସାରା ଯାହା ଭାବିଭାବି ଆସିଥିଲା, ଫେରିବା ପରେ ଲାଗୁଛି, ଅନେକ କିଛି ବଦଳି ଯାଇଛି । ଅଫିସ କଥା ଛାଡ଼, କିନ୍ତୁ ଆରାଧ୍ୟା! ତା’ ପାଖରେ ଯେମିତି କିଛି ପରିବର୍ତ୍ତନ ଘଟିଛି । ଏତେଦିନ ହେଲା ଫେରିଲାଣି, ଅଥଚ ଆରାଧ୍ୟା କେତେ ବଦଳି ଯିବା ପରି ମନେ ହେଉଛି । ସେ ତ’ ଭାବିଥିଲା, ଆସୁ ଆସୁ ସେ ଅଭିମାନ କରିବ । ମୁହଁ ଶୁଖେଇ ଅଭିଯୋଗ କରିବ । ସବୁଥର ପରି । ତା’ ଫେରିବା ବାଟକୁ ଚାତକ ପରି ଚାହିଁ ବସିଥିବ । କିନ୍ତୁ ସେମିତି କିଛି ଘଟିନାହିଁ ।

ସେ ବେଶ୍ ପ୍ରଫୁଲ୍ଲ ଅଛି । ତା’ ଫେରିବା ଦିନ, ତା’ ମନ ପସନ୍ଦର ଡିସ୍‌ ବି ବନେଇଥିଲା । ସେଇଟା ଅଲଗା କଥା ଫ୍ଲାଇଟ୍ ଲେଟ୍ ଖବର ପାଇ, ସେ ଆଗକରି ଖାଇସାରି ଶୋଇଯାଇଥିଲା । ଭଲ କଥା । ସେ ପ୍ରତି ଥର ଏଇୟା ହିଁ ଚାହିଁଛି । ତେବେ ଅସୁବିଧା କୋଉଠି? ଯାହା ବି ହେଉ, ସେ ଆଜି ଆରାଧ୍ୟାକୁ କିଛି ସମୟ ଦେବ । ତାକୁ କୁଆଡେ ଲଙ୍ଗ ଡ଼୍ରାଇଭ୍‌ରେ ନେଲେ ବି ଭଲ । ଫେରିବା ପରଠାରୁ ବେଶୀ କିଛି କଥା ହେବାପାଇଁ ସମୟ କି, ମୁଡ଼ ନଥିଲା । ଆଉ ଆରାଧ୍ୟା ବି ତାଆଡୁ କିଛି ପଚାରିଲା ନାହିଁ ।

ବୈଭବର ଗାଡ଼ି ଲାଗୁଲାଗୁ ଜୋଜ, ରକି ଧାଇଁ ଆସି ଗେଲ ହେଲେ । ସେ ସିଧା ଚାଲିଲା ଉପର ଫ୍ଲୋରକୁ । ଅରୁ ତ’ ଦେଖା ଯାଉନି କାଇଁ? ବେଡ଼ ରୁମ୍ , ବାଲକୋନୀ, ପୁଜା ଘର କୋଉଠି ବି ନାହିଁ!

ମା’ ଉପରେ ଅଛନ୍ତି ବାବୁ ।

ନୂଆ କାମ କରୁଥିବା ଝିଅଟି କିଚେନ୍‌ରୁ ବାହାରି ଆସି କହିଦେଇ ଚାଲିଗଲା ।

କ୍ରମଶଃ

Comments are closed.