Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୮ 

 

ସ୍ମୃତି ସୂଚନା ତଥ୍ଯ କଥା
ଇତ୍ୟାଦି ମନରେ ସାଇତା
ଅନୁଭୂତି ଓ ଅନୁମାନ
କଳ୍ପନା ନୁହେ ଶୁଦ୍ଧ ଜ୍ଞାନ

ଏହି ସବୁର ସମାହାର
ଯେପରି କରୁଁ ବ୍ୟବହାର
ତାହା ହିଁ ଅଟେ ନିଜ ଜ୍ଞାନ
କରୁଛୁଁ ତହିଁର ସଂଧାନ

ଥରେ ହୋଇଲେ ତାହା ପ୍ରାପ୍ତ
ନୂଆ ନ ମିଳିବା ପର୍ଯଂତ
ଧାରଣା ହୁଏନି ବିଭ୍ରାଂତ
ଶରୀର ହୁଏନାହିଁ କ୍ଳାଂତ

ଘଟିଲେ ଜ୍ଞାନର ଉନ୍ମେଷ
ବ୍ୟକ୍ତିକୁ ମିଳଇ ସଂତୋଷ
ଜାଗ୍ରତ ହୁଏ ଆତ୍ମବୋଧ
ଆପେ ଉଭେଇଯାଏ କ୍ରୋଧ

ମନର କୁପରିଚାଳନା
ଯୋଗୁଁ ଯାହାର ବୁଦ୍ଧି ବଣା
ସେ କଲେ ଆତ୍ମ ସଂଶୋଧନ
ତା ମନେ ଜ୍ଞାନ ପାଏ ସ୍ଥାନ

ଜ୍ଞାନର ବିହିତ ପ୍ରୟୋଗ
ଯୋଗାଏ ଅନେକ ସୁଯୋଗ
କରି ଯଥାର୍ଥ ଉପଯୋଗ
ବିଶ୍ବକୁ କରୁଁ ସର୍ବେ ଭୋଗ

ଚିଂତାର ଚକ ସଦା ଘୂରେ
ଏକାକୀ ମନୁଷ୍ୟ ମନରେ
ତହିଁରୁ ଜ୍ଞାନର ସ୍ଫୁଲିଂଗ
ଦିଶେ ଓ କରେ ମନ ତ୍ୟାଗ

ଦିଶିଲେ ଜ୍ୟୋତିର୍ମୟ ଜ୍ଞାନ
ତୃପ୍ତ ହୁଅଇ ସାଧୁ ମନ
ତାହାକୁ କରି ବିତରଣ
ଜଣାଏ ଜ୍ଞାନକୁ ସମ୍ମାନ

ଜ୍ଞାନର ଧାରା ବହମାନ
ନାହିଁ ଏହାର ସମାପନ
ସର୍ବଦା ଯେଣୁ ବର୍ଧମାନ
ନ ହୁଏ କେବେ ବି ନିଶ୍ଚିହ୍ନ

ସକଳ ଜ୍ଞାନକୁ ଆୟତ୍ତ
ଅଟେ ଯେଣୁ ସାଧନାତୀତ
ଜ୍ଞାନାଂଶ କରିବା ଅର୍ଜନ
ବ୍ୟାଖ୍ୟା ଓ ଚର୍ଚା ବିଶ୍ଳେଷଣ

ଜ୍ଞାନସଂଭୂତ ଲେଖା କଥା
ଉନ୍ନତ କରେ ଜୀବସତ୍ତା
ଲୋକେ ହୋଇଲେ ଜ୍ଞାନମୁଖୀ
ଦିଶିବେନାହିଁ କେହି ଦୁଃଖୀ

ଗ୍ରଂଥକୁ ଖଟୁଲିରେ ଥୋଇ
ଫୁଲ ଓ ଚଂଦନ ମଖାଇ
କେବଳ କଲେ ଗ୍ରଂଥପୂଜା
ଉଡ଼ିପାରେନି କର୍ମଧ୍ବଜା

ଜ୍ଞାନଗର୍ଭିତ ଶବ୍ଦମାନ
କରିଲେ ଧୀର ଉଚ୍ଚାରଣ
ହୁଅଂତି ମଂତ୍ରର ସମାନ
ଘଟଇ ଭାବର ଉତ୍‌ଥାନ

Leave A Reply

Your email address will not be published.