Latest Odisha News

BREAKING NEWS

ଅଧ୍ୟାଦେଶ ରୋକ୍ ପରେ ତେଜିଲା ରାଜନୀତି, ବିଜେଡି କହିଲା କେନ୍ଦ୍ର କରୁଛି ପକ୍ଷପାତିତା

ଭୁବନେଶ୍ୱର: କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଲିଙ୍ଗରାଜ ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ପରେ ଏହାକୁ ନେଇ ରାଜନୀତି ତେଜିଛି । ଶାସକ ଦଳ ବିଜେଡି କହିଛି ଏ ପ୍ରସଙ୍ଗରେ ଆଇନ ମନ୍ତ୍ରାଳୟ ଦୁଇ ଥର ସ୍ପଷ୍ଚିକରଣ ରଖିସାରିଛି । କିନ୍ତୁ ଏବେ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ଆଲୋଚନା ନକରି ରାଜ୍ୟପାଳଙ୍କ ଅବଗତ କରାଇ ଅଧ୍ୟାଦେଶ ଉପରେ ରୋକ୍ ଲଗାଯାଇଛି । ସେହିପରି ବିଜେପି କହିଛି, ବିକାଶ ହେଉ କିନ୍ତୁ ଦେଶର ସମ୍ବିଧାନ ଅନୁଯାୟୀ ସମସ୍ତ କାମ ହେଉ ।

ଅଧ୍ୟାଦେଶର କେଉଁ ଧାରାକୁ କେନ୍ଦ୍ର ବିରୋଧ କରିଛି ?

ରାଜ୍ୟ ସରକାର ୨୦୨୦ରେ ଲିଙ୍ଗରାଜ ଅଧ୍ୟାଦେଶ ଆଇନ୍ ଆଣିଥିଲୋ ଏହି ଆଇନର ଏହି ସବୁ ଧାରାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆପତି ଉଠାଇଛି । ଅଧ୍ୟାଦେଶର ଧାରା ୧୫(୨ଆଇ) ଅନୁଯାୟୀ ମନ୍ଦିର ଭିତରେ ଓ ବାହାରେ ଦୋକାନ ଗୃହ ନିର୍ମାଣ ହୋଇପାରିବ । ଏହାକୁ ନେଇ କେନ୍ଦ୍ର ଆପତି ଉଠାଇଛି । ଧାରା ୧୭(୩) ଅନୁଯାୟୀ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜ୍ରେ ଦିଆଯାଇପାରିବ । ଅଧ୍ୟାଦେଶର ଧାରା ୨୨(୨ଡି) ଅନୁଯାୟୀ ମନ୍ଦିର କମିଟିକୁ ମରାମତି ପାଇଁ କ୍ଷମତା ଦିଆଯିବ । ଅଧ୍ୟାଦେଶର ଧାରା ୨୨(୩) ଅନୁଯାୟୀ ସ୍ୱତନ୍ତ୍ର ଦର୍ଶନ ପାଇଁ ଦେୟ ଦେବାକୁ ପଡିବ । ଧାରା ୨୫ ଅନୁଯାୟୀ ପ୍ରଶାସନକୁ ଅସାଧାରଣ କ୍ଷମତା ପ୍ରଦାନ କରାଯିବ । ଅଧ୍ୟାଦେଶର ଧାରା ୩୩(୧ବି)ରେ କୋଠାବାଡିର ନିର୍ମାଣ, ପୁନଃନିର୍ମାଣ ଓ ମରାମତି କରାଯାଇପାରିବ, ଧାରା ୩୩(୧ସି)ରେ ନୂଆ କୋଠାବାଡି ନିର୍ମାଣ, ଧାରା ୩୩(୧ଇ)ରେ ବିଭିନ୍ନ ସୁବିଧା କେନ୍ଦ୍ର ନିର୍ମାଣ ହୋଇପାରିବ । ଏହା କେନ୍ଦ୍ର ସରକାରଙ୍କ ଆମସାର ଆକ୍ଟର ବିରୁଦ୍ଧାଚରଣ ବୋଲି କହି କେନ୍ଦ୍ର ଅଧ୍ୟାଦେଶ ଉପରେ ରୋକ୍ ଲଗାଇବାକୁ କହିଛି ।

ବିଜେଡିର ଜବାବ

କାଶୀ ବିଶ୍ୱନାଥ, କେଦାରନାଥ ଓ ସୋମନାଥ ମନ୍ଦିର ଚାରିପାଖରେ ସମସ୍ତ ପ୍ରକାରର ଖନନ କାମ ହୋଇପାରୁଛି । କିନ୍ତୁ ଭୁବନେଶ୍ୱର, ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ଧାର୍ଯ୍ୟ ମାପକାଠି ଠାରୁ ଭିନ୍ନ। ଏପରି କାହିଁକି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ନେଇ ରାଜ୍ୟ ସରକାର ପୂର୍ବରୁ ଦୁଇ ଥର କେନ୍ଦ୍ରକୁ ସ୍ପଷ୍ଟ କରିଥିଲେ। ଯଦି ତୃତୀୟ ଥର ପାଇଁ ସ୍ପଷ୍ଟୀକରଣର ଆବଶ୍ୟକତା ଥିଲା, ତେବେ କେନ୍ଦ୍ର ସରକାର ରାଜଭବନକୁ ପଠାଇବା ପରିବର୍ତ୍ତେ ପୂର୍ବ ଭଳି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ଉଚିତ୍ ଥିଲା ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।

ବିଜେପିର ଜବାବ

ବିକାଶକୁ କେବେ ବିରୋଧ କରିନାହୁଁ । ଦେଶର ଆଇନ କାନୁନ ଅନୁଯାୟୀ କାମ ହେବା ଆବଶ୍ୟକ। ଦେଶର ସମ୍ବିଧାନ ଅଛି, ଆଇନ ଅଛି । ଯେଉଁ ମାନେ ସେ ଦାୟିତ୍ୱ ବହନ କରିଛନ୍ତି ସେମାନେ ଏନେଇ ଚିନ୍ତା କରିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ସେହିପରି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, ପୁରୁଣା ସଂସ୍କୃତି ପରମ୍ପରା ଭାଙ୍ଗିବାରେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ନୀତି ନିୟମ ଭିତରେ କାମ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି, ସେଥିପାଇଁ ଏହି ଅଧ୍ୟାଦେଶକୁ ଫେରାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଆମେ ଚେତାଇ ଦେଉଛୁ, ଆପଣଙ୍କ ପାଖରେ ଭୋଟ, ବିଧାୟକ ଅଧିକ ଥାଇପାରନ୍ତି କିନ୍ତୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏଭଳି କିଛି କାମ କରନ୍ତୁ ନାହିଁ ଯାହାକୁ ଆଗାମୀ ପିଢ଼ି ଆପଣଙ୍କୁ କେବେ କ୍ଷମା ଦେବ ନାହିଁ।

କଂଗ୍ରେସର ଜବାବ

ଜଟଣି ବିଧାୟକ ସୁର ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ ଟି ସଚିବ ଚାହିଁଲେ ବିବାଦର ସମାଧାନ ହୋଇପାରିବ । ତୁରନ୍ତୁ ଏ ଦିଗରେ ସମାଧାନ ହେବା ଦରକାର ।

ଲିଙ୍ଗରାଜ ମନ୍ଦିର ସହିତ ଜଡିତ ସଂଗଠନ କଣ କହିଲେ

ଅନ୍ୟପକ୍ଷରେ ଏହି ଅଧ୍ୟାଦେଶ ସେମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ସେବାୟତମାନେ ମତ ଦେଇଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ଅଧ୍ୟାଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବାଟ ବାହାର କରନ୍ତୁ ବୋଲି ବଡୁ ନିଜୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି।

“ଏହି ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ଯଦି କୌଣସି ନିର୍ଦ୍ଦିଷ୍ଟ ଧାରାକୁ ନେଇ ଆପତ୍ତି ଅଛି, ତେବେ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଏଥିରେ ସଂଶୋଧନ କରାଯାଉ ବୋଲି ବ୍ରାହ୍ମଣ ନିଜୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି।

ଆମସାର ନିୟମ କଣ କହୁଛି?

ଆମସାର ଅଧିନିୟମ, ୧୯୫୮ ଅନୁଯାୟୀ ୧୦୦ ମିଟର ଅଞ୍ଚଳ ନିଷିଦ୍ଧାଞ୍ଚଳ । ସେହିପରି ୨୦୦ମିଟର ଯାଏ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ କିଛି ବି ମରାମତି ଆଦି କାର୍ଯ୍ୟକଳାପ ହେଲେ ଜାତୀୟ ସ୍ମାରକୀ ପ୍ରାଧିକରଣର ସୁପାରିସ ଅନୁଯାୟୀ କର୍ତ୍ତୃପକ୍ଷଙ୍କର ଅନୁମତି ନେବାକୁ ହେବ । ରାଜ୍ୟର ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀର ସଂରକ୍ଷଣ ପାଇଁ ଏଏସ୍‌ଆଇ ଉତ୍ତରଦାୟୀ ରହିବେ । ତେଣୁ ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିୟମ ଲାଗୁ ହୋଇପାରିବ ନାହିଁ । ସେହିପରି ମନ୍ତ୍ରଣାଳୟ କହିଛି ଯେ ମନ୍ଦିର ଭିତରେ ଏବଂ ବାହାରେ ଦୋକାନ ପାଇଁ ଓଡିଶା ଅଧ୍ୟାଦେଶର ଧାରା ୧୫ (୨) ରେ ବ୍ୟବସ୍ଥା ରହିଛି। ଏହା ଆମ୍‌ସାର ଅଧିନିୟମ ଅନୁସାରେ ଗ୍ରହଣୀୟ ନୁହେଁ।

ସଂସ୍କୃତି ବିଭାଗ ଏହି ଅଧ୍ୟାଦେଶ ଉପରେ ଆପତ୍ତି ଉଠାଇବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କହିଛି ଯେ ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶ ଅନୁମୋଦନ ଦେଇଛନ୍ତି, ଏହା ଅନ୍ତର୍ଗତ ଶ୍ରୀ ଲିଙ୍ଗରାଜ ମନ୍ଦିର, ୩ଟି ବିଶାଳ ପୁଷ୍କରିଣୀ ସହିତ ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ରହିଛି।

Leave A Reply

Your email address will not be published.