Latest Odisha News

BREAKING NEWS

ଭାଷା ଭାଗବତ : ସାହିତ୍ୟ ପୃଷ୍ଠା

[ ଗୋଟିଏ ଦୈନିକ ଖବର କାଗଜର ପୃଷ୍ଠା ସଂଖ୍ୟା ହାରାହାରି ୧୬ ହେଲେ ମାସକୁ ୧୬ × ୩୦ = ୪୮୦ ପୃଷ୍ଠା। ଏ ମଧ୍ୟରୁ ସପ୍ତାହକୁ ଗୋଟିଏ ହିସାବରେ ମାସକୁ ଚାରି ପୃଷ୍ଠାରେ ସାହିତ୍ୟ ଚର୍ଚା ହୁଏ। ସାହିତ୍ୟିକ ବାସ୍ତବତା ଯାହା ବି ହେଉ, ଏହା ହିଁ ନିଦା ଗାଣିତିକ ଓ ପ୍ରାମାଣିକ ବାସ୍ତବତା।]

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ସାହିତ୍ୟକୁ କେତେ ଗୁରୁତ୍ବ
ଦିଅଂତି ଏଠି ବାର୍ତା-ଦୂତ
ସ୍ପଷ୍ଟ ପଡ଼ୁଛି ସତ୍ୟ ଜଣା
କରିଲେ ପୃଷ୍ଠାର ଗଣନା

ସାତ ଦିନରେ ଏକ ପୃଷ୍ଠା
ଦେବାକୁ ନିର୍ଲିପ୍ତ ପ୍ରଚେଷ୍ଟା
କରି, ଦେଖାଂତି ଭାଷା-ନିଷ୍ଠା
ସାହିତ୍ୟ ହୁଏ ହଟହଟା

ଅଥଚ ଅନ୍ୟ ସବୁ ଦିନ
ବିକ୍ଷିପ୍ତ ବାର୍ତା ପରିପୂର୍ଣ
ହେଉଛି ଖବର କାଗଜ
ବିଭ୍ରାଂତ କରୁଛି ମଗଜ

ପଠନ-ବିମୁଖ ଜନତା
ଶୁଣି ବୁଝୁଛି ବିଶ୍ୱ କଥା
ତାହାଂକ ଶୁଦ୍ଧ ସ୍ବାନୁଭୂତି
ସୂଚାଏ ସ୍ବଭାଷା ପୀରତି

ଓଡ଼ିଆ ଛଡ଼ା ଅନ୍ୟ ଭାଷା
ଜଣା ନ ଥିଲେ ବି ଭରସା
କରଂତି ନିଜର ଭାଷାକୁ
ବଂଚାଇ ରଖଂତି ଆଶାକୁ

ଚାଷକାମ, ବୟନ ଶିଳ୍ପ
ନ ସହି ଅନ୍ୟର ପ୍ରକୋପ
ଦେଖୁଁ, ଚଳୁଛି ନିରଂତର
ତେବେ ବି ମିଳୁନି ଆଦର

ଏତେ ସୁବିଧା ପାଇ ସୁଦ୍ଧା
ଯେ ନିଜେ ଉପୁଜାଏ ବାଧା
ତାହାର ସାହିତ୍ୟ ସଂପୃକ୍ତି
ସକାଶେ ହୁଏ ବେଶି କ୍ଷତି

ପ୍ରଚାରମୁଖୀ ବିଜ୍ଞାପନ
ଛାପିଲେ ମିଳେ ଯେଉଁ ଧନ
ତାହା ପରୋକ୍ଷ ଉପାର୍ଜନ
ତେବେ ବି ବଦଳେନି ମନ

କେତେକ ସଂଗତି-ସଂପନ୍ନ
ଭାଷା ସକାଶେ ଦେଲେ ଧ୍ୟାନ
ଏ ଭାଷା ପାଆଂତା ଆଦର
ହୁଅଂତା ବଡ଼ ଉପକାର

ଆତ୍ମବିଶ୍ୱାସୀ କବିଗଣ
କରଂତି ବଡ଼ ଆୟୋଜନ
ଏଯାଏଁ ନ ଥିଲା ତ ଦେଖା
ଅଥଚ ଦିଶୁଛି ଅବିକା

ସ୍ତାବକ ଗହଣରେ ଥାଇ
ନିଜକୁ ପୂରା ଭୁଲିଯାଇ
ମଜ୍ଜିଲେ କବିପ୍ରାଣ ବ୍ୟକ୍ତି
ହରାଏ ନିଜ ଅଂତର୍ଶକ୍ତି

ଧ୍ୟାନସ୍ଥ ହୋଇ ଯେଉଁ ଲୋକ
ଦେଖଇ ଭୂଲୋକ, ଗୋଲୋକ
କାୟାକୁ ନେଇ ବହୁ ଦୂର
ମାୟାରେ କରଇ ବିହାର

ସାହିତ୍ୟ ଏକାଂତ ସାଧନା
କରିହୁଏ କି କେବେ ମନା ?
ହୋଇ କେଉଁ ଗୋଷ୍ଠୀର ଅଂଶ
ବ୍ୟକ୍ତି-ପ୍ରତିଭା କରୁଁ ନାଶ

Comments are closed.