Latest Odisha News

BREAKING NEWS

କବିତା : ବନ୍ଦେ ଉତ୍କଳ ଜନନୀ

ପ୍ରସେନଜିତ ସେଠୀ

ପ୍ରାଚୀନ ଉତ୍କଳ, ଐତିହ୍ୟ ମହାନ,
ରାମାୟଣେ ନାମ ହୋଇଛି ବଖାଣ।
ମହାଭାରତର ମହା ସମରରେ,
ଉତ୍କଳର ଯୋଦ୍ଧା ବିଜେ କୁରୁକ୍ଷେତ୍ରେ।

କରିଲେ ରାଜୁତି, ଚେଦୀ ଶିରୋମଣି,
ଖାରବେଳ ନାମେ, ଉତ୍କଳର ମଣି।
ଜୟ କଲେ ଗଙ୍ଗାଠାରୁ ଗୋଦାବରୀ,
ଚୌଦିଗେ ବ୍ୟାପିଲା, ଉତ୍କଳର ଶିରୀ।

ନୃଶଂସ ଅଶୋକ, କଲା ଆକ୍ରମଣ,
ଅଦମ୍ୟ ସାହସେ, ହେଲା ସମ୍ମୁଖୀନ।
ଦେଖି ଦୟା ତୀରେ, ରୁଧିରର ସ୍ରୋତ,
ଧର୍ମ ପଥେ ଚଳେ, ବିନ୍ଦୁସାର ସୂତ।

କେଶରୀ ବଂଶର ମହାନ ନୃପତି,
ହେଲେ ଉତ୍କଳର ମହା ଅଧିପତି।
ମୁକସାକ୍ଷୀ ତାଙ୍କ କଳା କଳେବର,
ମନ୍ଦିର ମାଳିନୀ, ଭୁବନଈଶ୍ୱର।

ଜୟଗାଥା ଯାର ଅମାପ ଅଶେଷ
ଗଙ୍ଗକୁଳର ସେ ମହାନ ନରେଶ।
ସ୍ଥାପିଲେ ମନ୍ଦିର ପୁରୀ କୋଣାର୍କରେ,
ଶୋଭାରାଜି କୋଟି ଦୃଷ୍ଟି ଆକର୍ଷଣେ।

ଗଜପତିର ସେ ଦେବବଂଶୀ ରାଜା,
ଏକ ଶତ ବର୍ଷ ପାଳିଲେ ପରଜା।
ଆକ୍ରମଣ କଲେ, ବଙ୍ଗର ଜବନ,
ଜାତି, କୁଳ, କୀର୍ତ୍ତି ହୋଇଲା ଶ୍ରୀହୀନ।

ଜନ୍ମ ନେଲେ ପୁଣି ତାର ଔରସରୁ,
ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ।
ଉନବିଂଶର ସେ ପାଇକ ସଂଗ୍ରାମ,
ଇଂରେଜ ଥରିଲେ ଦେଖି ପରାକ୍ରମ।

ମଧୁ ବାରିଷ୍ଟର, ଫକୀରମୋହନ,
ରଖିଥିଲେ ରାଜ୍ୟ ଯଶ ସମ୍ମାନ।
ଉତ୍କଳରେ ଦେଲେ ପରିଚୟ ନବ,
କାଳଜୟୀ ହେଲା, ଜାତିର ଗୌରବ।

କେତେ ଯେ ଓଡ଼ିଆ ସ୍ୱତନ୍ତ୍ରତା ବୀର,
ଦେଶ ପାଇଁ ଲଢି ଟେକିଦେଲେ ଶିର
ଭାରତ ବର୍ଷର ସ୍ଵାଧୀନତା ପର୍ବେ,
ଆପଣାର ବଳି ଚଢ଼ାଇଲେ ଗର୍ବେ।

ଏ ଜାତି ମହାନ, ତାର ଗୁଣଗାନ,
ଯେତେ କରୁଥିଲେ, ନହୁଏ ସମ୍ପନ୍ନ।
ଜଗନ୍ନାଥ ଯହିଁ, ବାସ କରୁଛନ୍ତି,
ସେ ପୁର ମହିମା, କେ କଳି ପାରନ୍ତି!!

Leave A Reply

Your email address will not be published.