ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜକୁ କରିଦେଲେ ଯଂତ୍ର
ପାସୋରିହୁଏ ମୂଳମଂତ୍ର
ମଣିଷ ମୂଳତଃ ସ୍ବତଂତ୍ର
ଅତ୍ର, ତତ୍ର, ଯତ୍ର, ସର୍ବତ୍ର
ଆପଣା ନିଜସ୍ବ ବରଜି
ଅଧିକ ଲୋକ ହେଲେ ରାଜି
ହୁଅଂତି ଯଂତ୍ରାବଳି ଭଳି
କେବଳ ଶରୀର ସଂଭାଳି
ନିଜ ଭାବନା, ଅନନ୍ୟତା
ହରାଇଦେଲେ ନିଜ ସତ୍ତା
ହୋଇପାରେନି ନବାୟନ
ଘଟେନି କିଛି ବି ନୂତନ
ବ୍ୟକ୍ତିର ଏପରି ଜୀବନ
ତୃପ୍ତି ନ କଲେ ହେଁ ପ୍ରଦାନ
ନିଜ କାୟାକୁ ପୋଷି, ପୋଷି
ଲୋକେ ତ ପାଇଥାଂତି ଖୁସି
ଅ-ବସ୍ତୁ ସହିତ ସଂବଂଧ
କ୍ରମଶଃ ହୋଇଗଲେ ବଂଦ
କିଛି ବି ଯାଏଆସେନାହିଁ
ସଭିଏଁ ଥାଂତି ବଂଚିରହି
ସମୟ ନିର୍ଘଂଟାନୁସାରେ
ଯେମିତି, ଯେତେ କାମ ସାରେ
ତଦନୁଯାୟୀ ଦାନାପାଣି
ନିଯୁକ୍ତିଦାତା ଦିଏ ଜାଣି
ଋତୁମାନଂକୁ ଯାଇ ଭୁଲି
ଯେ ହୁଏ ସ୍ବ-ଇଚ୍ଛାରେ କୁଲି
ଜନସଂପର୍କ ରଖେନାହିଁ
ତେବେ ବି ଥାଏ ବଂଚିରହି
ଭାଷା, ସଂସ୍କୃତି, ପରଂପରା
ହେଲେ ହେଁ ମନୁ ଅପାସୋରା
କରିପାରେନି କିଛି ରକ୍ଷା
ଏପରି ତା’ର ଶିକ୍ଷା, ଦୀକ୍ଷା
ତା’ର କାମର ଫଳାଫଳ
ଜାଣଂତି ମାଲିକ କେବଳ
ଜାଣି, ବୁଝି ସେ ହୁଏ ଭୃତ୍ୟ
ବାଦ୍ୟ ଶୁଣିଲେ କରେ ନୃତ୍ଯ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.