ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଯାହା ଯେତିକି ଅଛି, ବାଂଟ
ଧାଡ଼ି ବାଂଧି ଆସିବେ ଖଂଟ
ଦଂଡକେ ସବୁ ନେବେ ବୋହି
ଆଉ କିଛି ବଳିବନାହିଁ
ଭାଂଗି ଗଲାଣି ମେରୁଦଂଡ
ସମାଜ ହେଲା ଖଂଡ ଖଂଡ
ନଇଁଲେ ଲୋକଂକର ମୁଂଡ
ଫିଟେନି କାହାର ବି ତୁଂଡ
ଲୋକଂକୁ କରିଲେ ଭିକାରି
ଯଶ କି ବଢ଼ୁଛି କାହାରି ?
କହ, ଯାହାକୁ ଅଛି ଜଣା
ଲୋକେ ହେଲେଣି ବାଟବଣା
ବଚନ ଓ ବାକ୍ୟକୁ ଡରି
ଯଦି କେ ପାରୁନି ଉଚ୍ଚାରି
ତାହାକୁ ଥରଟେ ପଚାରି
ବୁଝ, କେଉଁଟି ଦରକାରୀ
ସେ ଯଦି ଦିଏ ଟିକେ ଠାରି
ବୁଝିବା ଦକ୍ଷତା କାହାରି
ଅଛି କି ନାହିଁ, ଆଗ ଜାଣ
ତା’ପରେ ଚଳାଅ ଶାସନ
ଅନେକ ଓଜସ୍ବିନୀ ବକ୍ତା
ହୋଇଥିଲେ ରାଜ୍ୟର ନେତା
ବୁଲି ବୁଲି ଦେଲେ ବକ୍ତୃତା
କିଛି ତ ହେଲାନି ଅନ୍ୟଥା!
ବହୁ ନେତାଂକ ମୁଖଚିତ୍ର
ଯଦିଚ ଦିଶିଲା ସର୍ବତ୍ର
ରାଜ୍ୟ ଲୋକଂକ ଦୁଃଖଚିତ୍ର
ଏଯାଏଁ ଦେଖନାହିଁ ନେତ୍ର
ମହାନେତାଂକ ମୁଖବାଣୀ
ଅଳ୍ପ କେତେକ କର୍ମୀ ଶୁଣି
ନ ଶୁଣି ବି ଅନେକେ ବୁଝି
ଆପେ ହୋଇଯାଆଂତି ରାଜି
ଏପରି ଜନସମର୍ଥନ
ଯାହାଂକୁ ମିଳେ ଘନଘନ
କି ହେବ ଭାଷଣ, ବଚନ ?
ସ୍ବଚ୍ଛଂଦେ ଚଳେ ପ୍ରଶାସନ
ନିରବ ରହି ଜଣେ ନେତା
ଚଳାଇ ପାରଂତି ବ୍ୟବସ୍ଥା
ଏହାର ଶ୍ରେଷ୍ଠ ନିଦର୍ଶନ
ଅଟେ ଏ ଉତ୍କଳ ଭୁବନ
Comments are closed.