Latest Odisha News

BREAKING NEWS

ଭାଷା ଭାଗବତ : ଗଠିତ ହେଲେ ସଂଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୧

 

ବଳିତାଟିଏ ଆପେ ପୋଡ଼ି
ଅଂଧକାରକୁ ଦିଏ ତଡ଼ି
ବ୍ୟକ୍ତିନିର୍ଭର ଏହି ଜାତି
ଗୋଷ୍ଠୀ ଗଢିଲେ କରେ କ୍ଷତି

ନୂତନ ଅନୁପମ ସଂଘ
ବଳରେ ନୂଆ କାର୍ଯ ଢଂଗ
ଚଳିଲେ ବଢ଼ିପାରେ ଆସ୍ଥା
କିଂତୁ ଏ କାଳ୍ପନିକ କଥା

କରି ଉଦ୍ଦେଶ୍ଯ ନିଷ୍ଠା ନାଶ
ନ କଲେ ବ୍ୟକ୍ତିର ବିକାଶ
କେବଳ ଥିଲେ ଅନୁଷ୍ଠାନ
ହୁଏନି ଭାଷା ଉନ୍ନୟନ

ବ୍ୟକ୍ତି ହୋଇଲେ ସଂସ୍ଥାଧୀନ
ପଦବି ଆସନ ମଂଡନ
କରିଲେ ହୁଅଇ ସଂତୁଷ୍ଟ
ନ କରେ ତିଳେ ସୁଦ୍ଧା କଷ୍ଟ

ପାଇଲେ କ୍ଷମତା ଓ ଧନ
ବିଭ୍ରାଂତ ହୁଏ ବ୍ୟକ୍ତି ମନ
ଚଳେ ସେ ସମସ୍ତଂକୁ ଡରି
ପାରେନି ନିଜେ କିଛି କରି

ଭାଷା ଆଳରେ ବ୍ୟବସାୟ
କରଂତି ଜ୍ଞାନୀ ସମୁଦାୟ
ଚଳୁଛି ଏପରି ବ୍ୟବସ୍ଥା
ଏହା ତ ସର୍ବଜଣା କଥା

ଚାକିରି ଅଂତେ ଯେଉଁ ବ୍ୟକ୍ତି
ପାଇଛି ଅନ୍ୟତ୍ର ନିଯୁକ୍ତି
ନିଯୁକ୍ତିଦାତାଂକର ତୃପ୍ତି
ସକାଶେ ସାରେ ସବୁ ଶକ୍ତି

ଜ୍ଞାନଠୁଁ ଧନ ଶ୍ରେୟସ୍କର
ବୋଲି ସେ କରଇ ବିଚାର
ତାହାର ଯେତେ କାର୍ଯକ୍ରମ
ହୁଏନି କେବେ ବି ଉତ୍ତମ

ମୁଖରୁ ମୁକୁଳି ପବନ
ଭାବ ଓ ଭାଷା ଉଚ୍ଚାରଣ
ହୁଏ କର୍କଶ ବା ମଧୁର
ଦୁର୍ଜନ ଅଥବା ସାଧୁର

ଯାହାର ଯେପରି ସ୍ବଭାବ
ତାହାର ସଂପୂର୍ଣ ପ୍ରଭାବ
ଭାଷାରେ ସ୍ବତଃ ଥାଏ ପଡ଼ି
କୋମଳ ଧ୍ବନି କିଂବା ରଡ଼ି

ସଂଗଠନ କି ପ୍ରତିଷ୍ଠାନ
ଗଢିଲେ ସୁଦ୍ଧା ଜନଗଣ
ସେ ସବୁ ନିୟଂତ୍ରଣହୀନ
ଶୁଣାଂତି ଅଶ୍ରାବ୍ୟ ଗର୍ଜନ

ଆତ୍ମରକ୍ଷାରେ ସୁନିପୁଣ
ଦେଶର ସବୁ ଅନୁଷ୍ଠାନ
ପ୍ରକୃତ ବିକାଶ ବର୍ଧନ
କରଂତି ଜନସାଧାରଣ

ବ୍ୟକ୍ତିର ସ୍ଥିର ଦୃଢ଼ ନିଷ୍ଠା
ସହିତ ମିଶିଲେ ପ୍ରଚେଷ୍ଟା
ଭାଷାକୁ ମିଳଇ ପ୍ରତିଷ୍ଠା
ଭାଷୀଏ ଚାଖଂତି ସେ ମିଠା

Comments are closed.