Latest Odisha News

BREAKING NEWS

କବିତା : ଚୈତ୍ର ନାୟକ

ପିନାକୀ ମିଶ୍ର 

ବିବେକ ତ ବାଟ ଭାଙ୍ଗେନା
ଛାତି ସବୁ ଦରଜ ଟାଣିପାରେ ,
ସୂର୍ଯ୍ୟଠୁ ଆଲୋକ ନେଇ
ମାଟିରେ କେହି ବି ସୂର୍ଯ୍ୟ ବନିପାରେ ।

ଦେହର ଛାଇ, ପାଦର ଧୂଳି
ସେମିତି ବିଚାରରେ ବି ତ୍ରୁଟି,
ବିବେକର ନିଷ୍ପତ୍ତି
ସମୟକୁ ସମର୍ପିତ ଯେ’
ଅର୍ଦ୍ଧାଙ୍ଗିନୀର ହୃଦୟ ବି ଅଛି
ପ୍ରଜାସ୍ବାର୍ଥର ଦାୟରେ
ଗଭୀର ଗମ୍ଭୀର ନିଠୁର ବଚନ
ସମୟ ହତଭମ୍ବ ।

ପତିବ୍ରତା କି ଦୋଷ କଲା ?
ହାତ ଧରିବା ତ କୋଟିଭାଗ୍ୟ
ତା’ବୋଲି ପ୍ରିୟତମ ଥାଇ ବି
ଛାତିରେ ଏତେ ଶୂନ୍ୟତା !
ଆକାଶ ଯେ’ ଖସି ପଡିଥାନ୍ତା ।

କୁଳଚନ୍ଦ୍ରମା ନଗରପ୍ରଦୀପ
ପରିବାରଠୁ ପରଜା ବେଶୀ ଆପଣାର,
ସିଂହାସନ ଦେଶକୁ ଧରିରଖେ
ତୁମେ ଶିରିପା ବାନ୍ଧିଥାନ୍ତ !
ନଗରେ ନାଗରା ବାଜିଥାନ୍ତା
ଅଥଚ
ମେଘଢଙ୍କା ଆକାଶତଳେ –
ଆରମ୍ଭ ହେଲା ବନସ୍ତ କବିତା ,
କଅଁଳପାଦ ଅରମାରେ ପଶିଲା
ପିତୁଳାଦେହ ପତରଶେଜରେ ଶୋଇଲା
ଘାଟ, ମଠ, ତୁଠ, ତୀର୍ଥ
ସବୁ ଅବୁଝା ଗଣିତ ।

ହୃଦୟବତୀର ଅଦିନ ଆସିଲା ,
ଘନଘୋର ବେଦନା ସ୍ୟାହିରେ
ବନସ୍ତ ରଚିଲା କରୁଣକାବ୍ୟ ।

ହାଏ ! ତପସ୍ବିନୀ ଏକାକିନୀ
ଅଶୋକବନରେ ଆକୁଳ ପକ୍ଷୀର ନିଶାର୍ଦ୍ଧ ବିଳାପ
ମ୍ରିୟମାଣ ସ୍ବର୍ଣ୍ଣପୁରୀ
କୁହ ପ୍ରାଣବନ୍ତ
ଏ କାହାର ଲୁଚକାଳି !

ସୁନାହରିଣୀ ସମ୍ଭବେନି
ତୁମେ କି ଜାଣନି ରାମଚନ୍ଦ୍ର ?
ପିତାଙ୍କ ପରାଭବରୁ
ତୁମେ ବି ତ ମୁକୁଳି ପାରିଲନି ।

କୈବର୍ତ୍ତ କାନ୍ଦିଲା
ନଉକା ନାୟିକା ବନିବା ଶଙ୍କାରେ
କି ବୋଧ ଦେଲ ଯେ’
କାଳ ଅଣ୍ଡାଳୁଛି ତୁମ ପାଦଚିହ୍ନ,ଡଙ୍ଗାଘାଟ ।

ହୃଦୟ ହାରିଛି , ଜିତିଛି
ପୁଣି ହାରିଛି
ତଥାପି ବିଚାର ବଦଳିନି
ଇତିହାସର ଅବଶୋଷ ଶୁଏଇ ଦଉନି,
ରାଜଦୁର୍ଗ ପାଚେରୀଫଟା ଜଡିଗଛ ବି
ତୁମକୁ କାନଡେରି ଶୁଣେ ,
ଏମାଟିକି ଏମିତି ବି ଆସିଥାନ୍ତି ରାଜପଣେ !

ଘରେ ଘରେ ଜଳିଲା ପ୍ରଦୀପ
ଛେଉଣ୍ଡପରଜାକୁଳଙ୍କୁ ମିଳିଗଲା ବାପ ।

ଅଥଚ
ଯୋଡେ ରକ୍ତାଂଶିଧନ
ଆଶ୍ରମରେ କାଟିଲେ ଦିନ,
ଦିନେ ପାଇଲେନି ଦୁଃଖିନୀ ଅଭିମାନ ,
ପତରସନ୍ଧିରୁ ଖସିଲା କିରଣ
ଉଜ୍ବଳିଉଠିଲା ଯୋଡେ ଅରୁଣତପନ ।

ହେ ଚୈତ୍ରନାୟକ ବିଶ୍ବବିଧାନ
ଟାଇଁସିଆ ଖରାରେ
ନିଜକୁ ବି ଦେଇନ ଟିକେ ଛାଇଚନ୍ଦନ ।।

” ଶୂନ୍ୟନୀଳ “
ଚର୍ଚ୍ଚ ପାଖ,ଜେଲ୍ ରୋଡ, କେନ୍ଦୁଝର-୧
ମୋ ୯୪୩୮୧୧୮୩୯୭

Leave A Reply

Your email address will not be published.