Latest Odisha News

BREAKING NEWS

ଭାଷା ଭାଗବତ : ପୁସ୍ତକର ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୨

ସରଳରୈଖିକ ଚିଂତନ
ଯୋଗୁଁ ସୁସ୍ଥିର ରହେ ମନ
ଚକ୍ରବତ୍‌ ଘୂରି ବାରଂବାର
ହୁଏନି କିଛି ଉପକାର

ଜନ୍ମରୁ ମରଣ ପର୍ଯଂତ
ଏଠୁ ଆରଂଭ ସେଠି ଅଂତ
ଏହି ଗତିରେ ବ୍ୟତିକ୍ରମ
ଜଗାଇଥାଏ ମନେ ଭ୍ରମ

ଯାହାର ଯେପରି ସଂସ୍କୃତି
ଚଳାଏ ସେହିପରି ମତି
ନ ଥାଂତି କେହି ସାଂଗସାଥୀ
ତାହା ହିଁ ଜିଜ୍ଞାସୁ ପ୍ରବୃତ୍ତି

ପରଚର୍ଚାରେ ଦେଇ ମନ
ଯେ ଆଶା କରେ ସଂଶୋଧନ
ନ ହୁଏ ତାର ଜ୍ଞାନୋଦୟ
କେବଳ ଘଟେ କାଳକ୍ଷୟ

ଯିଏ କହଂତି ଯାହା କଥା
ତାହା ତାଂକର ସ୍ବାୟତ୍ତତା
କରିଲେ ଖଂଡନ ମଂଡନ
ବିଲୁପ୍ତ ହୁଏ ଶୁଦ୍ଧ ଜ୍ଞାନ

ସଂକଳ୍ପ ସଦା ଏକମୁଖୀ
ବିକଳ୍ପ ବହୁ ରୂପ ଦେଖି
ହୁଅଇ ଏପଟ ସେପଟ
ବୃଥା ସର୍ବଦା ଛଟପଟ

ସ୍ବାନୁଭୂତିକୁ ଆଶ୍ରା କରି
ତଥ୍ୟ ସୂଚନା ମନେ ଭରି
କଲେ ତହିଁରେ ବିଶ୍ଳେଷଣ
ଉତ୍ପନ୍ନ ହୋଇଥାଏ ଜ୍ଞାନ

ଜ୍ଞାନର ଅସଂଖ୍ୟ ସୋପାନ
କରିବା ପାଇଁ ଆରୋହଣ
ସଂକ୍ଷିପ୍ତ ମନୁଷ୍ଯ ଜୀବନ
ଏହା ତ ସର୍ବମୂଳ ଜ୍ଞାନ

ଅହଂପୋଷିତ ଜ୍ଞାନାନ୍ବେଷୀ
କେବେ ବି ପାଏନାହିଁ ଖୁସି
ନିଜଠାରୁ ବି ନିଜେ ଶିକ୍ଷା
ନ କରି, ଭୋଗଇ ଉପେକ୍ଷା

ଚିତ୍ତ ନ ହେଲେ ପରିଚ୍ଛନ୍ନ
ଜ୍ଞାନ ନ ନିଏ ସେଠି ସ୍ଥାନ
ଯାହାର ମନ ମତାଚ୍ଛନ୍ନ
ସେଠାକୁ ପଶେନାହିଁ ଜ୍ଞାନ

ଯେତେକ ଜ୍ଞାନଭରା ବହି
ଚିରାୟୁ ହୋଇ ସଦା ରହି
ପାରଂତିନାହିଁ କେବେହେଲେ
ଜ୍ଞାନ ତ ସର୍ବଦା ବଦଳେ

ପୁରୁଣା ବହି ବାସି ଜ୍ଞାନ
କରଂତି ସ୍ବଅଂଗେ ଧାରଣ
ତହିଁରୁ ସେ କାଳର ଜ୍ଞାନ
ପାଆଂତି ଆଗ୍ରହୀ ସୁଜନ

ପୁସ୍ତକ ଅଂତର୍ଭୁକ୍ତ ଜ୍ଞାନ
ଅଟେ ଯେହେତୁ କାଳାଧୀନ
ଜ୍ଞାନଗ୍ରଂଥରେ ଯା ଗଚ୍ଛିତ
ନ ଥାଏ ତାହାର ସ୍ଥାୟିତ୍ବ

ଭାବ ଓ ଜ୍ଞାନର ପାର୍ଥକ୍ଯ
ବୁଝିଲେ ଭାଷାଭାଷୀ ଲୋକ
ସାହିତ୍ୟ, ବିଜ୍ଞାନ ବିଭେଦ
ନ ହୁଏ ଭାଷାକୁ ବିପଦ

 

Comments are closed.