Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟଭି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ତଥା ଶ୍ରୀବିଗ୍ରହମାନଙ୍କରେ ଥିବା ସ୍ୱତନ୍ତ୍ରତା ଆମେ ବିଚାରକୁ ନେଇ ଗତକାଲି ବାଇଶି ପାହାଚ ଉପରେ କିଛି ପ୍ରଶ୍ନ କରିଥିଲେ । ସେଥିପାଇଁ ଯେଉଁ ବାଇଶି ଯୋଗିନୀଙ୍କ ନାମ ସହ ଏହା ଜଡିତ ତାହା ପ୍ରଦାନ କରୁଛି। ତୀବ୍ରା, ମନ୍ଦା, କ୍ରୋଧl, ରକ୍ତା, ରୌଦ୍ରୀ, କ୍ଷାତି, ପ୍ରୀତି, ଉଗ୍ରା, ଗମ୍ୟା, ମଦନ୍ତି, ରତିକା, ବଜ୍ରିକl, ମାର୍ଜନୀ, ରଜନୀ, ରୋହିଣୀ, କ୍ଷୋଭିଣୀ, ପ୍ରସାରିଣୀ, ଆଳାପନୀ, ସନ୍ଦୀପନି, କୁମୁଦବତୀ, ଚନ୍ଦୋବତୀ, ଦୟାବତୀ। ଏହି ଯୋଗିନୀମାନେ ପ୍ରଭୁ ବିଶ୍ୱନାଥଙ୍କ ନିର୍ଦ୍ଦେଶରେ ଭକ୍ତଙ୍କ ଦୈବୀ ମାୟାରେ ବାନ୍ଧି ଅହଂକାର ଶୂନ୍ୟ, ସାଂସାରିକ ବନ୍ଧନ ମୁକ୍ତ କରନ୍ତି । ସବୁ ମତକୁ ସମ୍ମାନ ଦେଇ ବର୍ତ୍ତମାନ ପ୍ରବେଶ କରିବା ଶ୍ରୀମନ୍ଦିରର ଗର୍ଭଗୃହରେ ଏହିଠାରେ ପରଂବ୍ରହ୍ମଙ୍କ ଦର୍ଶନ ଠିକ ଚୈତନ୍ୟ ମହାପ୍ରଭୁ ଯେଉଁଠାରୁ ଆରମ୍ଭ କରିଥିଲେ । ଅର୍ଥାତ ଗରୁଡ଼ ଖୁମ୍ବର ପୃଷ୍ଠଭଗସ୍ଥ ଭୋଗମଣ୍ଡପ କାନ୍ଥରେ ଥିବା ଶ୍ରୀଚୈତନ୍ୟଙ୍କ ଆଙ୍ଗୁଳି ଚି଼ହ୍ନ ସ୍ପର୍ଶ ପୂର୍ବକ ପ୍ରଭୁଙ୍କ ଧ୍ୟ୍ୟନ କରି ଗରୁଡ଼ ଖୁମ୍ବ ପର୍ଯ୍ୟନ୍ତ ନିଜର (ଶରୀରର) ଅନ୍ନମୟ କୋଶ ଜାଗ୍ରତ କରିବ। ତାପରେ ଗରୁଡ଼ ଖୁମ୍ବକୁ କୁଣ୍ଢାଇ ଗର୍ଭ ଗୃହର ମଧ୍ୟସ୍ଥଳ ଯେଉଁଠାରେ ବିଭିନ୍ନ ଭକ୍ତମାନେ ପ୍ରଭୁଙ୍କର ସ୍ତୁତି ଗାନ କରୁଥାନ୍ତି ; ସେଠି ନିଜର ପ୍ରାଣମୟ କୋଶକୁ ଜାଗ୍ରତ କରିବ, ସେଠାରୁ ଗର୍ଭଗୃହର ବାହାର କାଠ ପର୍ଯ୍ୟନ୍ତ ପ୍ରଭୁଙ୍କର ସ୍ତୁତିରେ ନିମଗ୍ନ ରହି ଭକ୍ତ ଜ୍ଞାନମୟ କୋଷକୁ ଜାଗ୍ରତ କରିବ। କେହି କେହି ଭକ୍ତ ଏହିଠାରୁ ପ୍ରଭୁଙ୍କର ଦର୍ଶନ କରି ଫେରି ଆସନ୍ତି। ନଚେତ ବାହାର କାଠ ପାଖରୁ ଭିତର କାଠ ପର୍ଯ୍ୟନ୍ତ ଗଲେ ଭକ୍ତ ବିଜ୍ଞାନମୟ କୋଶ ଜାଗ୍ରତ କରେ ଏହିଠାରେ ମହାଶୂନ୍ୟତା ଓ ପ୍ରଭୁଙ୍କର ବିଶାଳତାର ଅନୁଭୂତି ହୁଏ। ସମସ୍ତ ଜାଗତିକ ଆକର୍ଷଣର ପରିସମାପ୍ତି ଘଟେ। କାରଣ ଏହା ପରେ ଭକ୍ତର ଆନନ୍ଦମୟ କୋଷ ଜାଗ୍ରତ ହୁଏ ସେ । ରତ୍ନବେଦୀ ପର୍ଯ୍ୟନ୍ତ ଧୀରେ ଧୀରେ ଅଗ୍ରସର ହେଲା ସମୟରେ ଦେହlତୀତ ଭାବର ଅନୁଭବ ନେଇ ଚିଦଘନମୟୀ ମହାମାୟାଙ୍କ ଆବେଶରେ ରହେ। କିନ୍ତୁ ଅଧିକାଂଶ ଭକ୍ତ ଜ୍ଞାନମୟ ବା ବିଜ୍ଞାନମୟ ସ୍ତରରୁ ଫେରି ଆସନ୍ତି। ସେ ଯାହା ବି ହେଉ ପ୍ରଭୁଙ୍କର ଦର୍ଶନର ଏ ନିରୋଳା ଅନୁଭୂତି ନିଶ୍ଚିତ ଭାବେ ଅନେକ ଭକ୍ତ ପାଇଥିବେ। ଏଠାରେ ରୀତିଯୁଗର କବି ଦୀନକୃଷ୍ଣ ଦାସଙ୍କ ଜଣାଣ ମନେ ପଡୁଛି ।

“ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ,
ଚଉଦ ଭୁବନ ବାରତାଜାଣନ୍ତି,
ଚକ୍ରରେ ଛେଦନ୍ତି ଆରତ ।”

ତେବେ ଏ ମର୍ତ୍ତ୍ୟ ଭୁବନରେ ଥିବା ମଣିଷ ଚଉଦ ଭୁବନ କଥା ଜାଣିଲେ କେମିତି ? ଏ ପ୍ରଶ୍ନ ମୋ ମନରେ, ଆପଣଙ୍କ ମନରେ ! ଭକ୍ତ ତାର ବିଜ୍ଞନ ମୟ କୋଷ ସମ୍ପୂର୍ଣ୍ଣ ଜାଗ୍ରତ କରିବା ପରେ ପ୍ରଭୁଙ୍କ ଶ୍ରୀବିଗ୍ରହରେ ହିଁ ଚଉଦ ଭୁବନର ପରିକଳ୍ପନା କରିପାରିବ। ଶାସ୍ତ୍ର କହେ ଶ୍ରୀଜଗନ୍ନାଥଙ୍କ ନାଭି ଚକ୍ରରୁ ଉପରକୁ ସପ୍ତଭୁବନ ଓ ନିମ୍ନକୁ ସପ୍ତ ପାତାଳର କଳ୍ପନା କରାଯାଇଛି । ଯଥା : ଉପରେ ଭୁଲୋକ, ଭୁବଲୋକ, ସ୍ୱଲୋର୍କ, ମହାଲୋକ, ଜନଲୋକ, ତପଲୋକ, ଓ ସତ୍ୟଲୋକ. ତଥାତଳେ, ସୁତଳ, ଭୁତଳ, ଅତଳ, ପାତାଳ, ବିତଳ, ରସାତଳ, ଓ ତଳାତଳ ବୋଲି ବିବେଚନା କରାଯାଏ। ଏସବୁ କଳ୍ପନା କରିବା ପୂର୍ବରୁ ମହାପ୍ରଭୁଙ୍କୁ ପରଂବ୍ରହ୍ମ ଓ ବିରାଟ ପୁରୁଷ ଭାବରେ ଜାଣିବାକୁ ବା ଅନୁଭବ କରିବାକୁ ପଡିବ। ନଚେତ ଏହା ଅବିଶ୍ୱାସନୀୟ ଓ କପୋଳକଳ୍ପିତ ଭଳି ଅନୁଭୂତ ହେବ। ଆସନ୍ତୁ ପ୍ରଭୁଙ୍କର ଅନ୍ୟlନ୍ୟ ବିଚିତ୍ରତା ବା ବିଶେଷତ୍ୱ ଜାଣିବା ପୂର୍ବରୁ ଆରାଧନା କରିବା : “ତ୍ରାହି ବିଷ୍ଣୁ ଜଗନ୍ନାଥ ତ୍ରାହି ନଃ ପରମେଶ୍ୱର, ତ୍ୱାମୃତେ କମଳାକାନ୍ତ କଃ ଶକ୍ତ ପରିଭକ୍ଷଣେ
ଅନ୍ତର୍ଯ୍ୟାମୀନ୍ନ ମସ୍ତେଅସ୍ତୁ ସର୍ବତେଜୋନିଧେ ନମଃ ” (ସ୍କନ୍ଦ ପୁରାଣ ) ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.