Latest Odisha News

ଭାଷା ଭାଗବତ : ସାହିତ୍ୟ ପାଠକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୯ 

 

ଥିଲା ଯେତିକି ଗଛ ଲତା
ମିଳୁନି ଆଉ ସବୁ ପତ୍ତା
ଥିଲେ ଯେତିକି ଜୀବ ଜଂତୁ
କୁଆଡ଼େ ହଜିଲେ ଖୋଜଂତୁ

ଏ ସବୁ ପ୍ରକୃତି ସର୍ଜିତ
କିପରି ହେଲେ ଅଂତର୍ହିତ
ତାହା ତ ବେଶି ନାହିଁ ଜଣା
ଚାଲିଛି ବହୁ ଗବେଷଣା

ଥିଲା ଯେତିକି ଯୁକ୍ତାକ୍ଷର
ଯଦି ନ ହୁଏ ବ୍ୟବହାର
ବେଶି ଚିଂତିତ ହେବାନାହିଁ
ଚଳିବା କାଳ ଅନୁଯାୟୀ

ଖାଦ୍ଯ ପାନୀୟ ବସ୍ତ୍ର ବାସ
ସମୟ କଲା ଯଦି ଗ୍ରାସ
କାହିଁକି ହୋଇବା ଉଦାସ
ଘଟିନାହିଁ ତ ସର୍ବନାଶ

ଭାଷା ବି ଅନ୍ୟ ସବୁ ଭଳି
ଯାଉଛି ନିଶ୍ଚିତ ବଦଳି
ଯେତେ ରହିଛି ତାହା ଧରି
ପାରିବା ଭାବ ବ୍ୟକ୍ତ କରି

କାଳର ଗତି ସହ ତାଳ
ଦେଇ ନ ପାରି ଯେ କେବଳ
ମଲା ସ୍ମୃତିକୁ ହୁଏ ଝୁରି
ସେ କିଛି ପାରେନାହିଁ କରି

ପାଠ୍ୟ ସାମଗ୍ରୀ କେତେ ଭଳି
ଭାଷାରେ ରହିଥାଂତି ଚଳି
ତହିଁର ଗୁଣ ମାପକାରୀ
ପଦ୍ଧତି ପାରିନି ବାହାରି

ବେପାରୀ ଲୋଡ଼ୁଥାଏ କ୍ରେତା
ବୁଝେନି ଅନ୍ୟ କେଉଁ କଥା
ବେଶି ବିକ୍ରି ହେଲେ ବି ବହି
ଅପଢ଼ା ହୋଇ ଥାଏ ରହି

ପୁସ୍ତକ ହୋଇଲେ ଗଚ୍ଛିତ
ବଢ଼େନି ଭାଷାର ମହତ୍ତ୍ବ
ବହି ତ କାଗଜ ନିର୍ମିତ
ତହିଁରେ ଭାବ ଲୁକ୍କାୟିତ

ପାଠକେ ବୁଲାଇଲେ ଆଖି
ପାରଂତେ ସେହି ଭାବ ଦେଖି
ପୂରଂତା ସବୁ ତକ ଆଶା
ଭାଷାରେ ବଢ଼ଂତା ଭରସା

ଆମର ଭାଷା ଭାଗବତ
ସତରେ ଆମ ଭାବଗତ
ସଂପର୍କ କରଂତା ଆତ୍ମୀୟ
ରହଂତାନାହିଁ କ୍ଷୟ ଭୟ

ଅକ୍ଷରଜ୍ଞାନଧାରୀ ଲୋକ
ସ୍ବେଚ୍ଛାରେ ସାହିତ୍ୟ ପାଠକ
ହୋଇ କରଂତୁ ଭାଷା ସେବା
ସଭିଏଁ ମର୍ଯାଦା ପାଇବା

Comments are closed.