ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୦
ପୁନର୍ଲିଖନକାରୀ କବି
ନିଜର ମନରେ ନ ଭାବି
ପଠିତ ପାଠର ଲିଖନ
କରଂତି ପ୍ରାୟ ଘନଘନ
ଲେଖା ନ ହେଲେ ସ୍ବରଚିତ
ନ ରହି ସମୟ ସହିତ
ପୁନରାବୃତ୍ତି ହୋଇଥାଏ
କିଛି ବି ନୂତନ ନ ହୁଏ
ସ୍ବାନୁଭୂତିରୁ ପାଇ ତଥ୍ୟ
ଯାହା ବି କଥିତ ଲିଖିତ
ତହିଁରେ ଲୁଚିଥାଏ ସତ୍ୟ
ଏହା ତ ଗ୍ରହଣୀୟ ମତ
ସ୍ମୃତି ସହିତ ଅନୁଭୂତି
ସତ୍ତାରେ ମିଶି ରହିଥାଂତି
ଏପରି ଭାବନା ଓ ଶୈଳୀ
ସାହିତ୍ୟ ହୋଇ ଯାଏ ଚଳି
କବି ହୋଇଲେ ପଦ୍ୟକାର
କିଏ ବା କରିବ ସ୍ବୀକାର
ତାଂକର ଶୁଦ୍ଧ ଦ୍ରଷ୍ଟାପଣ
ପଦ ସବୁ ତ ସାଧାରଣ
ଛଂଦ ତ କେବଳ ଆଧାର
ପୂରିତ ହେଲେ ଅଭ୍ୟଂତର
ହୁଏ କବିର ମାନବୃଦ୍ଧି
ଘଟଇ ଭାଷାର ସମୃଦ୍ଧି
କବିର ନିଜସ୍ବ ପ୍ରତିଭା
ବଢ଼ାଏ କବିତାର ଶୋଭା
ପାଠକ ରସ ଆସ୍ବାଦନ
କଲେ, ଆହୁରି ବଢ଼େ ମାନ
ପଦଟେ ସର୍ବାଂଗ ସୁଂଦର
ଅର୍ଥତଃ ଅତି ମନୋହର
ହେଲେ ବି ତାହାର ପ୍ରଚାର
କବି କରେନି ବାରଂବାର
ସଂଭାଳି ଆପଣା ସ୍ବଭାବ
ପ୍ରକାଶ କଲେ ମନୋଭାବ
ଅଂକିତ ହୁଏ ଶବ୍ଦଛବି
ଏହା ହିଁ କରିଥାଂତି କବି
ଚିହ୍ନି ନିଜର ଅନନ୍ୟତା
ଦେଖାଇ ପାରଂତି ଭିନ୍ନତା
ତାଂକ ରଚିତ ପଦାବଳି
ଦିଶେ ଉଜ୍ଜ୍ବଳ ଜ୍ୟୋତି ଭଳି
ନ ହୁଏ ଯଦି ଅନବଦ୍ୟ
କେବଳ କାମଚଳା ପଦ୍ୟ
ତା ହୁଏ ବିସ୍ମରଣ ଯୋଗ୍ୟ
ମିଳେନି ସାହିତ୍ୟ ସୌଭାଗ୍ୟ
ଏ ସବୁ ପ୍ରସଂଗ ବିଚାରି
ସାହିତ୍ୟ କ୍ଷେତ୍ରରେ ସଂଚରି
ଆନଂଦେ କବିତ୍ବ ବିସ୍ତାରି
ହୁଅଂତି ଯଶ ଅଧିକାରୀ
ଯେ ଅଟେ ଭାଷାପ୍ରୀତିହୀନ
ଅଥବା ଭୂମିରୁ ବିଚ୍ଛିନ୍ନ
ସେ କରେ ବେଶି ଆହରଣ
ଅନ୍ୟ ଭାଷାରୁ ଶବ୍ଦମାନ
ନିଜର ଏତେ ଥାଇ ସୁଦ୍ଧା
ଯାହାର ହୁଏ ଅସୁବିଧା
ସେ ଅଳସୁଆ ଚେଷ୍ଟହୀନ
କରେ କପଟ ଆଚରଣ
ଏପରି ଜନସାଧାରଣ
ସଂଭାଳି ପିଂଡ ସହ ପ୍ରାଣ
କରଂତି ଜୀବନଯାପନ
ଅନ୍ୟ ବିଷୟେ ନାହିଁ ମନ
କବି ଓ ଲେଖକ ଏପରି
ପୁନାରୁବୃତ୍ତି କରି କରି
ମନୁଷ୍ଯରୂପୀ ଯଂତ୍ର ହୋଇ
ଭାଷାକୁ ନିଅଂତି ଚଳାଇ
Comments are closed.