Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୩ 

BjdElectrycity
ତାକୁ ଯେମିତି କେହି ଜଣେ ବିଟାର ଅନ୍ଧକାର ସୁଡ଼ଙ୍ଗ ଭିତରେ ଏକଲା ଛାଡ଼ି ଦେଇଛି । ସେ ଭୟରେ ଦିଶାହୀନ ଭାବେ ଧାଇଁଛି ଯେ ଧାଇଁଛି । ଏ ରାତିଟା ତା’ ପାଇଁ କାଳ ରାତି । ବେଳୁବେଳ ରହସ୍ୟମୟ ହେଇ ତା’ ଆଗରେ ଆସି ଛିଡ଼ା ହେଉଛି । ଅଟ୍ଟହାସ୍ୟ କରୁଛି । ଏ ଭୟାନକ ରାତି ଆଉ କେତେ ଗୁମର ଲୁଚେଇ ରଖିଛି ତା’ କରାଳ ଗର୍ଭରେ! କେବେ ଠାରୁ ଭୟଙ୍କର କାଳଝଡ଼ଟେ ତା’ ପଛରେ ଘୁରି ବୁଲୁଥିଲା! ସେ ବା ଜାଣିବ କେମିତି ? ସେ ତ’ ଥିଲା ତା’ ଦୁନିଆରେ ମଗ୍ନ ।
ସାରା ସଂସାରରେ ସେ ସମ୍ପୁର୍ଣ୍ଣ ଏକୁଟିଆ ହେଇଗଲା । ବୈଭବ ଆଉ କଦାପି ଫେରିବେ ନାହିଁ । ଦୀର୍ଘବର୍ଷ ପୂର୍ବରୁ ଯେମିତି ଅନାଥ ହେଇଯାଇଥିଲା, ଆଜି ବି ଠିକ୍ ସେମିତି । ତା’ ଆଖିରେ ଧାରଧାର ଲୁହ । ସେ କିଛି ଭାବିପାରିଲା ନାହିଁ । ତାକୁ ଚତୁର୍ଦ୍ଦିଗ  ଝାପ୍‌ସା, କୁହୁଡ଼ିଆ ଦିଶିଲା । ଅନେକ ସମୟ ଧରି ସେଇଠି ବସି କଇଁକଇଁ ହେଇ କାନ୍ଦିଲା । ତା’  ଆଖି ଆଗରେ ସବୁ ବିଗତ ସ୍ମୃତି ଗୋଟିଗୋଟି ହେଇ ନାଚିଗଲା । ତା’ ବିବାହ କଥା । ବୈଭବ କେମିତି ତା’ ମାମୁଁ ମାଇଁଙ୍କ ପାଖକୁ ବିବାହ ପ୍ରସ୍ତାବ ପଠେଇ ଥିଲେ । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତା’ ମାମୁଁଙ୍କ ବିଶ୍ୱାସ ଭାଜନ ହେଇଥିଲେ । ଆସନ୍ତା ବର୍ଷ ନୁହେଁ, ଏବେ ହିଁ  ବିବାହ ହେବ । ପଢା ଉପରେ ମ୍ୟାରେଜର କୌଣସି ପ୍ରଭାବ ପଡିବ ନାହିଁ । ବିବାହ ପରେ ବି ତା’ ପଢ଼ା ଜାରି ରହିବ ବୋଲି କଥା ଦେଇ ସେଇ ବର୍ଷ ହିଁ ଅଚାନକ ବାହା ହେଲେ ।
ବାହାଘର ପରେ ବିଭିନ୍ନ କାରଣ ଦର୍ଶାଇ ତା’ ମାମୁଁ ଘର ଯିବା ପ୍ରାୟ ବନ୍ଦ କରେଇ ଦେଇଥିଲେ । ତା’ଙ୍କ ଷ୍ଟାଟସ୍‌କୁ ଆଞ୍ଚ ଆସିବାର ହୀନ ମାନସିକତା ତାଙ୍କର ଥିଲା । ଯଦିଓ ସେଦିନ କୁମାର ଆଗରେ କଥାଟିକୁ ଖୋଲିବା ଉଚିତ୍ ଭାବିଲା ନାହିଁ, ହେଲେ ସେ ନିଜେ ତ’ ଜାଣେ ।
Leave A Reply

Your email address will not be published.