Latest Odisha News

BREAKING NEWS

ଭାଷା ଭାଗବତ : ପ୍ରାୟୋଜିତ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୧ 

 

ଅନେକ କଥା କାନେ ଶୁଣି
ସେ ସବୁ ସତ୍ୟ ବୋଲି ମାନି
କରିଲେ ଜୀବନ ଯାପନ
ଶୁଣାଳି ଭୋଗଇ କଷଣ

ଅନେକ କିଛି ଆଖି ପଢ଼େ
ତଦନୁସାରେ ମତ ଗଢ଼େ
ମରୀଚିକାକୁ ଭାବି ଜଳ
ଶୋଷରେ ହୁଏ ସେ ବିକଳ

ସୁଖ ଆନଂଦ ପ୍ରେମ ଶାଂତି
ଅଳପ ଲୋକ ହିଁ ପାଆଂତି
ତାହା ଏକାଂତ ବ୍ୟକ୍ତିଗତ
ସଂସାର ସହ ଅସଂପୃକ୍ତ

ବ୍ୟାବହାରିକ ସାମାଜିକ
ହୁଏନି ଏକୁଟିଆ ଲୋକ
ତା ମନ ଶାଂତିର ନିବାସ
ସର୍ବଦା ମୁହେଁ ଫୁଟେ ହସ

ପ୍ରକୃତି ପ୍ରବୃତ୍ତି ସହିତ
ବ୍ୟକ୍ତି ହୋଇଲେ ଯୁଦ୍ଧରତ
ଅଶାଂତ ହୁଏ ସଦା ମନ
ସ୍ବାସ୍ଥ୍ୟ ଓ ଶରୀର ବିପନ୍ନ

ଚଳୁଛି ଜୀବନ ପ୍ରବାହ
ତହିଁରେ ଘଟନା ସମୂହ
ପକାଇ ପାରିଲେ ପ୍ରଭାବ
ବଦଳେ ବ୍ୟକ୍ତିତ୍ୱ, ସ୍ବଭାବ

ପୃଥିବୀ ସାରା ଯାହା ଘଟେ
ଆମର ଏପଟେ ସେପଟେ
ତା ଦ୍ବାରା ହୋଇଲେ ଆକ୍ରାଂତ
ବିଭ୍ରାଂତ ହୁଏ ବ୍ୟକ୍ତି ଚିତ୍ତ

ବିତ୍ତଶାଳୀ କ୍ଷମତାଧର
ଭାଷାର ଅପବ୍ୟବହାର
କରଂତି ଅଭ୍ଯାସବଶତଃ
ଏ ସବୁ ସତ୍ୟ ବିବର୍ଜିତ

ସମୂହ ଚିଂତା ନିୟଂତ୍ରଣ
କରି ପାରଇ ବିଜ୍ଞାପନ
ତେଣୁ ବିଶ୍ବର ଜନଗଣ
ପାଆଂତି ପ୍ରାୟୋଜିତ ଜ୍ଞାନ

ଏ ସବୁ କବଳରୁ ମୁକ୍ତି
ପାଇବା ପାଇଁ ଯେଉଁ ବ୍ୟକ୍ତି
କରଇ ନିଷ୍ଠାପର ଚେଷ୍ଟା
ସତ୍ୟକୁ ଦିଏ ସେ ପ୍ରତିଷ୍ଠା

ସତ୍ୟାସୀନ ବ୍ୟକ୍ତିର ଭାଷା
ଜଗାଇପାରେ ନୂଆ ଆଶା
କରିଲେ ତାହାକୁ ଭରସା
ନିଶ୍ଚୟ ଘୁଂଚଇ ଦୁର୍ଦଶା

ଭାବ ଭାଷା ଓ କାମ ଏକ
ହେଲେ ହିଁ ବ୍ୟକ୍ତିର ବିବେକ
କଦାପି ହୁଏନି ମଳିନ
ସେ ହୁଏ ପ୍ରକୃତ ସ୍ବାଧୀନ

Comments are closed.