ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୫
କୋଷର କର୍ତନ ବର୍ଧନ
ପ୍ରକ୍ରିୟା ଅଟେ ଅଂତହୀନ
ଏହା ତ ଜୀବନ ଲକ୍ଷଣ
ସୃଷ୍ଟିର ଅକାଟ୍ଯ ବିଧାନ
ଶବ୍ଦର ଜନମ ମରଣ
ଜୀବଂତ ଭାଷାର ଲକ୍ଷଣ
ନୁହେ କାହାର ଇଚ୍ଛାଧୀନ
ଏ ବିଧି ହୋଇନାହିଁ ଆନ
ପ୍ରତି ମୁହୂର୍ତେ ଯୋଗ, ଲୋପ
ଚଳୁଛି, ହୋଇନାହିଁ ମାପ
ଏପରି ବୃଦ୍ଧି ଆଉ କ୍ଷୟ
ଭାଷାରେ ଘଟଇ ଉଭୟ
ଏହାକୁ କ୍ରମ ବିବର୍ତନ
ନାମ ଦିଅଂତି ଜ୍ଞାନୀଗଣ
ତହିଁର କୁଫଳ ସୁଫଳ
ପାଆଂତି ସ୍ବଭାଷୀ ସକଳ
ଭାଷାର ବ୍ୟବହାରକାରୀ
ସ୍ବଭାବେ ଆହରଣକାରୀ
ନାନା ସୂତ୍ରରୁ ଶବ୍ଦ ଆଣି
ଭାଷାଂଚଳେ ଦିଅଂତି ବୁଣି
ଏ ସବୁ ଭାଷାର ପ୍ରକୃତି
କରେ ଅସ୍ଥିର ଯା’ର ମତି
ତାହାର ଭାଷାବୋଧ ନାହିଁ
ଗୁରୁତ୍ବ ମିଳିବ କିପାଇଁ
ବଂଚି ରହିବା ପାଇଁ କେହି
ଶରୀର ଶାସ୍ତ୍ର ପଢ଼େନାହିଁ
ନ ପଢ଼ି ସୁଦ୍ଧା ରହେ ବଂଚି
ପ୍ରାଣ ପବନ ଧରି ସଂଚି
ନ ଜାଣି ସୁଦ୍ଧା ଭାଷାତତ୍ତ୍ୱ
ଭାଷାଟେ ସଭିଏଁ କହୁଁ ତ
ଏହି ସାମର୍ଥ୍ୟ ସ୍ବାଭାବିକ
ବୁଝଂତି ଭାଷୀଏ ପ୍ରତ୍ୟେକ
ଜୀବଂତ ଭାଷାର ସ୍ବରୂପ
ନୁହଇ ତଥ୍ୟମୟ ସ୍ତୂପ
ଶବ୍ଦକୋଷ କି ବ୍ୟାକରଣ
କେବେ ନ ହୁଏ ପରିପୂର୍ଣ
ଶବ୍ଦ କେତେ ଆସିଲା ଗଲା
କିଏ ତା ଗଣନା କରିଲା ?
ଗଛର ପତ୍ର ସଂଖ୍ୟା ଗଣି
ତା ମୂଲ୍ୟ କେ ପାରିବ ଜାଣି ?
ଜୀବଂତ ଭାଷା ଅନୁଧ୍ୟାନ
କଲେ ମିଳେ ଯେତିକି ଜ୍ଞାନ
ତାହା ତତ୍କାଳ ପରିଚୟ
କିଛି ବି ନୁହଇ ବିଧେୟ
ଭାଷାରେ ମିଶାଣ ଫେଡ଼ାଣ
ଯେହେତୁ ଚଳେ ପ୍ରତି କ୍ଷଣ
ତାହାକୁ କଲେ ନିୟଂତ୍ରଣ
ପ୍ରଚେଷ୍ଟା ବ୍ୟର୍ଥ ହୁଏ, ଜାଣ
ଯାହାକୁ ଯେତେ ଦରକାର
ଭାଷାକୁ କରେ ବ୍ୟବହାର
ପ୍ରୟୋଗ ଯୋଗୁଁ ଭାଷା ସିଦ୍ଧ
ହୁଏ ବଳିଷ୍ଠ ଅନବଦ୍ୟ
Comments are closed.