ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୬
ଯେ ଯାହା ଶିଖେ ପିଲାଦିନୁ
ପାସୋରି ନ ପାରିଲେ ମନୁ
ମୁଖସ୍ଥକରା ଜ୍ଞାନ ଧରି
କାମରେ ନ ଲାଗେ କାହାରି
କାଳ ସଂଗେ ମିଳାଇ ତାଳ
ଜାଣିବା ନିମଂତେ ବ୍ୟାକୁଳ
ହୋଇ ଯେ କରଇ ସଂଧାନ
ପାଏ ସେ ସଦ୍ୟତମ ଜ୍ଞାନ
ପରିବର୍ତନ ପ୍ରତି ଡର
ମନରେ କରିଥିଲେ ଘର
ବ୍ୟକ୍ତି ହିଁ ହୁଏ ଦ୍ବିଧାଗ୍ରସ୍ତ
ଅକାଳେ ସ୍ପୃହା ହୁଏ ଧ୍ବସ୍ତ
ନିଷ୍ଠା ଓ ଚେଷ୍ଟା ବିବର୍ଜିତ
ବ୍ୟକ୍ତିର ନିଜସ୍ବ ବ୍ୟକ୍ତିତ୍ବ
କେବେ ବି ହୁଏନି ଗଠିତ
ଏହା ତ ସମୀକ୍ଷିତ ସତ
ସ୍ଥିର ଅଚଳ ହୋଇ ପଡ଼ି
ନିଜକୁ ନ ପାରିଲେ ଗଢ଼ି
କେବଳ ଜୈବିକ ଜୀବନ
ଯାପନ କରି ବିତେ ଦିନ
ମିଳିଛି ଯାହା ଯେତେ ଦାନ
ତହିଁର କିଛି ପ୍ରତିଦାନ
ନ କଲେ କେବେ ବି ପ୍ରଦାନ
ମରିବା ବୋହି ବିଶ୍ବ ଋଣ
କାମରେ ନ ଲଗାଇ ବୁଦ୍ଧି
ନିଜ ଇଚ୍ଛାରେ ହୋଇ ବଂଦୀ
ଧାରାରେ ଯାଏ ଯିଏ ବୋହି
ତାକୁ କେ ସୁମରିବ ନାହିଁ
ଯାହାକୁ ଜୁଟେନାହିଁ କାମ
କଥା ଉଦ୍ଗାରେ ଅବିରାମ
ଭାବେ ତା ମତ ବାଣୀ ଶୁଣି
ଶୁଣାଳିଗଣ ନେବେ ମାନି
ନୂତନ ପଦ୍ଧତିକୁ ନିଂଦି
ଯେ ମିଛେ ହେଉଥାଏ ଧଂଦି
ମିତ୍ରକୁ ମଣେ ପ୍ରତିଦ୍ବଂଦ୍ବୀ
ଈର୍ଷା ଜାଲରେ ହୋଇ ଛଂଦି
ସେ କ୍ରମେ ହୁଏ ମୌଳବାଦୀ
ସ୍ବଭାବେ ପ୍ରଗତି ବିରୋଧୀ
ଗୋଟିଏ ଧାରଣାରେ ଲାଖି
ବୈଚିତ୍ର୍ୟ ପାରେନାହିଁ ଦେଖି
ଏ ବିଶ୍ବ ଅଟେ ବହୁବର୍ଣୀ
କେବଳ ଧଳା କଳା ଚିହ୍ନି
ସତ୍ୟ ଉପରେ ଅତ୍ୟାଚାର
କରିଚାଲେ ସେ ବାରଂବାର
ସଂସାର ଗଲେ ବି ବଦଳି
ଭାଷା ରହଂତା ପୂର୍ବ ଭଳି
କରେ ଯେ ଏପରି ବିଚାର
ସଂସାରେ ନ ହୁଏ କାହାର
Comments are closed.