Latest Odisha News

ସ୍ମୁତିରେ କମଳ ଦେଶ ରାଜକୁମାର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 

ଓଡ଼ିଆ ସଂସ୍କୃତି ପରମ୍ପରାର ଓଡ଼ିଆର କୋଟି ଜନତାଙ୍କ ହୃଦୟର ସମ୍ରାଟ କମଳ ଦେଶର ରାଜକୁମାର , ଜଗନ୍ନାଥ ପ୍ରେମୀ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ତେୟାଅଶୀ ବର୍ଷରେ ପରଲୋକ ଘଟିଛି । ଯାହାଙ୍କ ଅବର୍ତ୍ତମାନରେ ସାରା ସଂଗୀତ ଓ ଚଳଚ୍ଚିତ୍ର ଜଗତ କେବଳ ମର୍ମାହତ ଅଶ୍ରୁସିକ୍ତ ନୁହେଁ ସମଗ୍ର ଉତ୍କଳ ବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି । ଉତ୍କଳର ଆରାଧ୍ୟ ଜଗନ୍ନାଥଙ୍କ ପ୍ରତି ଗଭୀର ଆତ୍ମନିବେଦନ କଣ୍ଠଶିଳ୍ପୀ ଭାବ ଭକ୍ତିର ସଂଗୀତଜ୍ଞ ସୁର ସାମ୍ରାଜ୍ୟର ଏକଲା ସମ୍ରାଟ ପ୍ରଫୁଲ୍ଲ କର ବାସ୍ତବରେ ଥିଲେ ଏକାଧାରରେ ଜଣେ ଗାୟକ, ଗୀତିକାର, କଥାକାର, ସ୍ତମ୍ଭକାର ଓ ସାହିତ୍ୟକାର । ଏକଦା ଧରିତ୍ରୀ କାଗଜରେ ପ୍ରକାଶିତ ତାଙ୍କର “ସାଉଁଟା କାହାଣୀ” ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲା । ସ୍ରଷ୍ଟାର ମାନସ ପଟରେ ଯେଉଁ ଲକ୍ଷେହୀରାର ଗୋପନ ଫୁଲ ଫୁଟେ ତାହା ଦିନେନା ଚତୁର୍ଦ୍ଦିଗକୁ ମହକି ଉଠି କୋଟି କୋଟି ଜନତାଙ୍କୁ ବିମୋହିତ କରିଥାଏ । ସେହି ଯୁଗଜନ୍ମା ସଂଗୀତ ସମ୍ରାଟ ପ୍ରଫୁଲ୍ଲ କରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷ କୃତ୍ୟ ସଂପନ୍ନ ହୋଇସାରିଛି । ଏକବିଂଶ ଶତାବ୍ଦୀର ଓଡ଼ିଆ ସଂଗୀତ ଜଗତରୁ ବିଦାୟ ନେଇଥିବା ଏହି କିମ୍ବଦନ୍ତୀ ଯୁଗ ପୁରୁଷଙ୍କ ଅବର୍ତ୍ତମାନରେ ଏବେ ସମସ୍ତେ ଝୁରୁଥିବା ବେଳେ ସ୍ୱର୍ଣ୍ଣାକ୍ଷର ଭଳି ସେ ଅମ୍ଳାନ, ଅଲିଭା ହୋଇ ରହିବେ ଅସ୍ୱୀକାର କରାଯାଇପାରେନା ।

ସଂଗୀତ ବିଶାରଦ ପଦ୍ମଶ୍ରୀ ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ, ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତାଙ୍କ ନାମ ସୁଶିଳା କର ଥିଲା । ସଂଗୀତ ପ୍ରତି ପ୍ରଫୁଲ୍ଲ କରଙ୍କ ଆଗ୍ରହ ଓ ମୋହ ବାଲ୍ୟକାଳରୁ ଜାଗ୍ରତ ହୋଇଥିଲା । ବିଶେଷ କରି ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ତାଙ୍କ ବଡ଼ ବାପା କ୍ଷେତ୍ରମୋହନ କର ଜଣେ ତବଲାବାଦକ ଥିବା ଯୋଗୁ ସେତେବେଳେ ହୀରାବାଈ ବରୋଡେକର, ପଣ୍ଡିତ ଓଁକାରନାଥ ଠାକୁର, ପନ୍ନାଲାଲ ବୋଷ, ପ୍ରସୂନ ବାନାର୍ଜୀ, ରାଧିକାମୋହନ ମୈତ୍ର, ଏ.କାନନ୍, ମାଳବୀକା କାନନ ଆଦି କଳାକାରମାନଙ୍କର ତାଙ୍କ ଘରକୁ ଯିବା ଆସିବା ଥିଲା । ଫଳସ୍ୱରୂପ ସୈାଭାଗ୍ୟ କ୍ରମରେ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ । କିନ୍ତୁ ବଡବାପାଙ୍କ ଅତୁଳନୀୟ ସ୍ନେହ ଶ୍ରଦ୍ଧାରୁ କେବେ ବଞ୍ଚିତ ନଥିଲେ । ବରଂ ତାଙ୍କର ପ୍ରେରଣା ଓ ଆଶୀର୍ବାଦ ସଂଗୀତ ଜଗତରେ ତାଙ୍କୁ ଶୀର୍ଷରେ ପହଞ୍ଚାଇ ଦେଇଥିଲା । ମାମୁଁ ଘରେ ଲାଳନ ପାଳନ ହୋଇଥିଲା ବେଳେ ଅଜା ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ ବୌଦ୍ଧିକ ଓ ଧାର୍ମିକ ପରିବେଶରେ ସେ ବଢି ଈଶ୍ୱରାନୁରାଗୀ ହୋଇ ପଡ଼ିଥିଲେ ।

ତାଙ୍କର ବାଲ୍ୟଜୀବନ ଓ ଅଧ୍ୟୟନ ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ । ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ.ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ । ପାରିବାରିକ ଜୀବନ ଚକ୍ରରେ ମନୋରମା କରଙ୍କ ସହିତ ବାନ୍ଧି ହୋଇ ପଡିଥିବା ପ୍ରଫୁଲ୍ଲ କର ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ସୁଖୀ ପରିବାର ଭିତରେ ଜୀବନ ବିତାଇଥିଲେ । ଗୋଟିଏ କ୍ଷୁଦ୍ର ଓ ସୁଖି ପରିବାର । ସଂଗୀତମୟ ପରିବାର ଭିତରେ ତାଙ୍କ ପ୍ରେରଣାରେ ବଡ଼ ପୁଅ ମହାଦୀପ ଗିଟାର ଓ ହାରମୋନିୟମ ବଜାନ୍ତି । ଝିଅ ସନ୍ଧ୍ୟାଦୀପା ଜଣେ ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ସାନପୁଅ ମହାପ୍ରସାଦ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀ ସଙ୍ଗୀତ ପ୍ରଶିକ୍ଷିତ କଣ୍ଠଶିଳ୍ପୀ । ତେଣୁ କୁହାଯାଇପାରେ ସେ କେବଳ ଜଣେ ସଫଳ ସଂଗୀତକାର , ରୂପକାର , କଥାକାର ନଥିଲେ ସେ ଥିଲେ ଜଣେ ଉପଯୁକ୍ତ ସଫଳ ପିତା । ନିଜ ପିଲାମାନଙ୍କର ଅନ୍ୟାନ୍ୟ ବିଷୟ ସହିତ ସଙ୍ଗୀତ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ତାଙ୍କର ଅବଦାନ କହିଲେ ଅତ୍ୟୁକ୍ତି ହେବନାହିଁ ।

୧୯୬୦ ମସିହାଠାରୁ ପ୍ରଫୁଲ୍ଲ କର ନିଜର ପେଷାଦାର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ନିଜର ଅକ୍ରାନ୍ତ ପରିଶ୍ରମ ଦ୍ଵାରା ସେ ଖୁବ ଶିଘ୍ର ନିଜକୁ ଆକାଶବାଣୀ (ଗ୍ରେଡ-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ପ୍ରଫୁଲ୍ଲ କର ଅନ୍ୟୂନ ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଓ ୪ଟି ବଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି ।ତାଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଳ, ଊଷା ମଙ୍ଗେସକର, କବିତା କୃଷ୍ନାମୁର୍ତୀ, ସୁରେସ ୱାଡେକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣି ଜୟରାମ, ଏସ.ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ୱର୍ଣଲତା, ୟେଶୁ ଦାସ, ଏସ.ପି. ବାଳସୁବ୍ରମଣୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ ଓଡ଼ିଆ ଚଳଚ୍ଚିତ୍ରରେ ସିନ୍ଦୂର ବିନ୍ଦୁ, ବଳିଦାନ, ସତୀ ଅନସୂୟା , ରାମାୟଣ, ମାନସୀ, ପୂଜା , ଗୈାରୀ, ସମୟ ବଡ଼ ବଳବାନ, ହିସାବ ନିକାଶ , ଭୂଲି ହୁଏନା ଆଦିରେ କଣ୍ଠଦାନ କରିଥିଲେ ।

ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଗାୟକ/ଗାୟିକା ମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିପାରି ବହୁ ସମ୍ମାନ ଲାଭ କରିଛନ୍ତି ଓ ତାଙ୍କୁ ତାଙ୍କର ଶ୍ରେଷ୍ଠ ସଂଗୀତକାର ଗୁରୁ ଭାବରେ ସମ୍ମାନିତ କରିଆସୁଛନ୍ତି । କେବଳ ସେ ଚଳଚ୍ଚିତ୍ର ସଙ୍ଗୀତ କ୍ଷେତ୍ରରେ ନୁହଁନ୍ତି , ଅନ୍ୟ ସଙ୍ଗୀତ ମାଧ୍ୟମରେ ମଧ୍ୟ ସେ ବହୁ ଉର୍ଦ୍ଧ୍ବରେ ରହି ସଂଗୀତ ପାଇଁ ତାଙ୍କର ବହୁଳ ଅବଦାନ ଦେଇଆସିଛନ୍ତି । ଓଡ଼ିଆ ଭାଗବତ କୁ ନେଇ ଏଚ୍.ଏମ୍.ଭି କମ୍ପାନୀଦ୍ୱାରା ନିର୍ମିତ, ୭ଟି ଅଡ଼ିଓ କ୍ୟାସେଟ ନେଇ ପ୍ରସ୍ତୁତ କରି ଥିବା ବେଳେ ଓଡ଼ିଆ ଛନ୍ଦକୁ ନେଇ ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ରଦ୍ୱାରା ନିର୍ମିତ, ପାରମ୍ପାରିକ ଓଡ଼ିଆ ସଙ୍ଗୀତର ୩ଟି ଅଡିଓ କ୍ୟାସେଟ ପ୍ରସ୍ତୁତ କରିଥିଲେ । ଅନେକ କୃତାଞ୍ଜଳି ଭଳି ଦେଶମାତୃକା ନିମନ୍ତେ ପ୍ରସ୍ତୁତ ଦେଶାତ୍ମବୋଧକ ସଙ୍ଗୀତ ସୃଷ୍ଟି କରିଯାଇଛନ୍ତି । ଭଭୟ ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏପରିକି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଓଡ଼ିଆ ସଙ୍ଗୀତ ଜଗତର ସେ କେବଳ ବ୍ୟତିକ୍ରମ ନୁହନ୍ତି, ବରଂ ସାହିତ୍ୟ କ୍ଷେତ୍ରରେ ନିଜର ସ୍ଥାନ ଏକ ସ୍ବତନ୍ତ୍ର ସ୍ଥାନ ଅକ୍ତିଆର କରିଯାଇଛନ୍ତି । ସାହିତ୍ୟ ଭଣ୍ତାରକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ବହୁ ଅବଦାନ ରହିଆସିଛି । ଦୈନିକ ଖବର କାଗଜ ଧରିତ୍ରୀରେ ସେ ନିୟମିତ ସ୍ତମ୍ଭକାର ଭାବରେ ଲେଖିଆସୁଥିଲେ। ସେଥିରେ ପ୍ରକାଶିତ ଲେଖାଗୁଡିକ ‘ସାଁଉଟା କାହାଣୀ’ ନାମକ ପୁସ୍ତକରେ ପ୍ରକାଶ ପାଇ ଜନାଦୃତ ଲାଭ କରିଛି । ଓଡ଼ିଆ କଥାକାର ଭାବରେ ବେଶ୍ ସୁନାମ ଅର୍ଜନ କରିଯାଇଛନ୍ତି । ସେ ଥିଲେ ପରମ ଜଗନ୍ନାଥ ଭକ୍ତ । ଜଗନ୍ନାଥ ଭଜନ ଓ ଜଣାଣ ଗାୟକ ଭାବରେ ନୁହେଁ , ଆରାଧ୍ୟ ଜଗନ୍ନାଥଙ୍କ ଉପାସନାରେ ‘ଆଜ୍ଞାମାଳ’ ଓ ‘କୃପାଜଳ’ ନାମରେ ତାଙ୍କର ରଚିତ ଦୁଇଟି ଭଜନ ପୁସ୍ତକ ତାଙ୍କର ପ୍ରକାଶ ପାଇଛି । ଜଣେ ସଫଳ ସଂଗୀତକାର ପ୍ରଫୁଲ୍ଲ କର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମର୍ଯ୍ୟଦା ଦେବାପାଇଁ ଚେଷ୍ଟିତ ଥିଲେ । ସଙ୍ଗୀତ ପରିବେଷଣ କିମ୍ବା ସାହିତ୍ୟ ଚର୍ଚ୍ଚା କରିବା କେବଳ ତାଙ୍କର ରୁଚି ନଥିଲା , ରୁଚି ଥିଲା ସ୍ୱାଦିଷ୍ଟ ରୋଷେଇ କରିବା । ଏତଦବ୍ୟତୀତ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ରୁଚି ରଖିଥିଲେ । ଜଣେ ସ୍ଵୀକୃତିପ୍ରାପ୍ତ ସଫଳ ସଂଗୀତକାର କେବଳ ସଂଗୀତରେ ନବଧା ରସର ସୁଅ ଛୁଟାଇ ନଥାଏ, ରସିକ କି ପ୍ରେମିକ ପାଲଟି ନଥାଏ, ବାହ୍ୟ ଜଗତର ଓ ଅର୍ନ୍ତଃ ଜଗତର ସୌନ୍ଦର୍ଯ୍ୟକୁ ତା’ର ତୃତୀୟ ନୟନରେ ଅବଲୋକନ କରିପାରନ୍ତି । ତେଣୁ ସଂଗୀତକାର ପ୍ରଫୁଲ୍ଲ କର ସେଭଳି ଥିଲେ ସୌନ୍ଦର୍ଯ୍ୟର ପୂଜାରୀ , ସୌନ୍ଦର୍ଯ୍ୟ ପିପାସୁ କଳାକାର, କଥାକାର ଓ ଚିତ୍ରକାର । ପ୍ରକୃତିର ଚିତ୍ର ଆଙ୍କିବା ରେ ଥିଲେ ସିଦ୍ଧହସ୍ତ , କଳାର ବିନ୍ଧାଣୀ । ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ପାଇଁ ତାଙ୍କର ମନଛୁଆଁ , ହୃଦୟସ୍ପର୍ଶୀ ଗୀତ ଗୁଡ଼ିକ ମଧ୍ୟରୁ ,କମଳ ଦେଶ ରାଜକୁମାର, ମାଣିକ ଆଲୋ ଆଲୋ ମାଣିକ,ଏ ରାତି, ଏ ଜହ୍ନ, ଏ ଫୁଲ, ଏ ଫଗୁଣ , ହଇରେ ଫୁଲ ଗଛ, ନଈ ପାଣି ଦୁକୁ ଦୁକୁ , ଲାଲା ବେଳୁନ ଵାଲା , ବହି ଯାଏରେ ଗଙ୍ଗା, ଆରେ ମିତ ଆ ସଙ୍ଗାତ ,ଏ ବନ ଝରଣା , କାଳୀ କପାଳି ନରମୁଣ୍ଡ ମାଳି , ଏମିତି ଅନେକ ସଙ୍ଗୀତ, କାଳିଆ ମୋ ଦେହେ ବୋଳି ଦେ ତୋ ଦେହ କଳା, ମଣିମା ପାଦେ ମୋ ଘୁଙ୍ଗୁର ଦିଅ ବାନ୍ଧି, ଗୋଡ ଯୋଡିକ ଥାଇ ବୋଇଲେ.. ଭଜନ ଅପାଶୋରା ହୋଇ ରହିଛି ଓ ରହିବ ମଧ୍ୟ ।

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଫୁଲ୍ଲ କର ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଜୀବନ ବ୍ୟାପି ଅବଦାନ ନିମନ୍ତେରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଜୟଦେବ ପୁରସ୍କାର , ଓଡ଼ିଶା ରାଜ୍ୟ ସରକାର ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ , ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଡି.ଲିଟ୍ ଉପାଧି , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଭଳି ଆହୁରି ଅନେକ ସମ୍ମାନ ମଧ୍ୟରେ ସାରଳା ସମ୍ମାନ , ଚଳଚ୍ଚିତ୍ର ଜଗତ ସମ୍ମାନ, ନିତାଇ ପାଲିତ ସମ୍ମାନ, ବାଣୀଚିତ୍ର ସମ୍ମାନ ,ଫିଟଫାଟ ବାଇସ୍କୋପ ସମ୍ମାନ , ଅନମୋଲ ସଙ୍ଗୀତ ସଙ୍ଗୀତ ନିର୍ଦ୍ଦେଷକ ସମ୍ମାନ , କଳିଙ୍ଗ ପ୍ରତିଭା ସମ୍ମାନ, ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ- ୨୦୧୨ , ସ୍ୱର୍ଣ୍ଣ ସଂଜୀବନି ସମ୍ମାନ, ପରମ୍ପରା ସମ୍ମାନ, କାଦମ୍ବିନି ସମ୍ମାନ ଭଳି ବହୁ ଉପାଧିରେ ପଦ୍ମ କେଶରୀ ,ସଙ୍ଗୀତ ଭୂଷଣ , ଉତ୍କଳ ଜ୍ୟୋତି , ପଣ୍ଡିତ, ସଙ୍ଗୀତ ସରସ୍ୱତୀ , କଣ୍ଠ ରତ୍ନ, ବସନ୍ତ ସମ୍ମାନ , ସଙ୍ଗୀତ ସମ୍ରାଟ, ସଙ୍ଗୀତ ସନ୍ଧିପଣୀ, ସ୍ୱରବ୍ରହ୍ମ, ସୁରକାଞ୍ଚନ, ଉତ୍କଳ ଜ୍ୟୋତିରେ ମଣ୍ତିତ ଥିଲେ । ସେହିଭଳି ପ୍ରଫୁଲ୍ଲ କରଙ୍କ ସମ୍ମାନରେ ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ ଗଠନ କରାଯାଇଛି ଓ ୨୦୦୮ ମସିହାରୁ ଏହି ଫାଉଣ୍ଡେସନ ତରଫରୁ “ପ୍ରଫୁଲ୍ଲ କର ସମ୍ମାନ” ପ୍ରଦାନ କରାଯାଉଛି ।

” କମଳ ଦେଶ ରାଜ କୁମାର ମୋ ହାତେ ପୁଷ୍ପ ଧନୁ / ଲକ୍ଷେ ରାଜାଙ୍କ ମଉଡମଣି ମୋ ନାମ ଚନ୍ଦ୍ରଭାନୁ । ”

ସତରେ ଶତ ସୁରର ସଂଗୀତକାର ପ୍ରଫୁଲ୍ଲ କରଙ୍କୁ ରାଜକୁମାର କହିବାରେ କେହି କୁଣ୍ଠାବୋଧ କରିବେ ନାହିଁ, ଯଥାର୍ଥରେ ତାଙ୍କର ବ୍ୟକ୍ତିତ୍ଵ ରାଜକୀୟ ପରିପାଟୀ ଭଳି ନମ୍ରତା , ଉଦାର ହୃଦୟତା, ସୁଲଭ ସୁନ୍ଦର ଅନିନ୍ଦ୍ୟ ରୂପ ଠାଣି , ମଧୁର କଣ୍ଠ କେଉଁ କମଳଦେଶର ରାଜକୁମାରଙ୍କ ଠାରୁ କୈାଣସି ଗୁଣରେ ଉଣା ନଥିଲା । ଆକର୍ଷିତ କଲାଭଳି ମନଲୋଭା ଢଳଢଳ ପଦ୍ମ ପରି ଆଖି ସାଙ୍ଗକୁ, ଖଣ୍ଡାପରି ନାକ , ଆଉ ଗୋଲାପ ପାଖୁଡା ପରି ଇଷତ୍ ଲାଲ୍ ଲାଲ୍ ଓଠ । ସତ କହିବାକୁ ଗଲେ ତାଙ୍କର ନିତ୍ୟ ପରିଧାନ ଧୋତି ଓ ପଞ୍ଜାବୀରେ ସେ ରାଜକୁମାର ପରି ଦିଶୁଥିଲେ । ଏବେ କମଳ ଦେଶ ରାଜ କୁମାର ସ୍ମୁତି ଚାରଣରେ ଚିରନ୍ତନ ସ୍ମୁତି ହୋଇ ରହିଗଲେ  !

 

ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ,କଟକ -୪
ଦୂରଭାଷ : ୯୦୪୦  ୧୫୧୪ ୭୫
Email: Laxmansahoo9040@gmail.com

Leave A Reply

Your email address will not be published.