Latest Odisha News

BREAKING NEWS

ପୁସ୍ତକ ପରିଚୟ : ଝିଅଟେ ପଥୁରିଆ ସାହିରୁ

ଝିଅଟେ ପଥୁରିଆ ସାହିରୁ
ଲେଖିକା : ଚନ୍ଦ୍ରା ମିଶ୍ର
ପ୍ରକାଶକ : କାହାଣୀ , କଲ୍ୟାଣୀ ନଗର,କଟକ
ବିତରକ : କିରଣ କିଶୋର ଏଜେନ୍ସି
ଶଗଡ଼ିଆ ସାହି,( ହନୁମାନ ମନ୍ଦିର ନିକଟ)
କଟକ ୭୫୩୦୦୧
ଫୋନ୍ ନମ୍ବର : ୯୭୭୬୩୩୭୬୦୯
ପୃଷ୍ଠା : ୩୦୮
ମୂଲ୍ୟ : ୩୦୦

ଜଗନ୍ନାଥ ଧାମ ପୁରୀରେ ଜନ୍ମ ହୋଇ ବିଦେଶ ମାଟିରେ ନିଜ ସଂସାର ସଜାଡ଼ିଥିବା ଚନ୍ଦ୍ରା ମିଶ୍ରଙ୍କର ଜୀବନର ଅନୁଭବ ଓ ଅନୂଭୁତିକୁ ନେଇ ରଚିତ ପୁସ୍ତକ ଝିଅଟେ ପଥୁରିଆ ସାହିରୁ ଏକ ସ୍ୱତନ୍ତ୍ର ସୃଷ୍ଟି । ଆମ ଜୀବନ ଗଳ୍ପମୟ ଏକ ସ୍ମୃତିଘର । ପ୍ରତିଟି ଫର୍ଦ୍ଦରେ ସ୍ମାରକପତ୍ର ଜୀବନର । କିଛି ମିଠା, କିଛି କଣ୍ଟା, କିଛି ଲୁହ, କିଛି ଅନୁଭୂତି, କିଛି ସ୍ବୀକାରୋକ୍ତିକୁ ନେଇ ସ୍ବାଗତ କରୁଥାଏ ଜୀବନ ନିଜକୁ । ଶିଖଉଥାଏ, ହାତ ଧରି ଚଲଉଥାଏ । ସବୁ କାନ୍ଥରେ ସ୍ମୃତିର ଅନେକ ରଙ୍ଗର ପୁଟ୍ଟି ଚଢୁଥାଏ ପ୍ରତି ମୂହୁର୍ତ୍ତରେ । ପୁସ୍ତକଟିରେ ରହିଛି ତିନୋଟି ବିଭାଗ ଯଥା ଶିଳା ସୋପାନ ( କୋଡ଼ିଏଟି ସ୍ମୃତି), ଶଙ୍ଖ ସୋପାନ ( ଦଶଟି ସ୍ମୃତି) ,ସ୍ପଟିକ ସୋପାନ ( ଏକୋଇଶଟି ସ୍ମୃତି ) ।

ନିଜକୁ ନିଜେ ଭଲପାଇବା, ନିଜକୁ ନିଜେ ସଜାଡିବା, ଆକଟିବା,ସଚ୍ଚୋଟତାକୁ ଧରିରଖିବା, ସାଇତିବା, ସ୍ନେହ ଢାଳିବା, ଛଳଛଳ ସ୍ବଚ୍ଛ ମନଟେ ନେଇ ଅନ୍ଯ ପାଇଁ ହସକୁରୀ ହେଇ ହସ ଇଡିଦେବା ରେ ତାଙ୍କୁ ପଢୁଥିବା ସମସ୍ତଙ୍କୁ ସେ ଅନୁପ୍ରାଣିତ କରିପାରନ୍ତି । ନିଜକୁ ଗପୁଡ଼ି କୁହନ୍ତି ମାତ୍ର ତାଙ୍କର ସେଇ ଗପ ପେଡ଼ିଟି ଆଜି ଏକ ସୁନ୍ଦର ବହିର ରୂପେ ଉଭାଶ୍ରୀ ବାଗ୍ଦେବୀଙ୍କ କରଣାରୁ ।

ଲେଖିକାଙ୍କର ଶୈଳୀ , ଲୋକଗୀତ, ଢଗ ଆଦିର ବ୍ଯବହାର ଓ ସରଳ ଭାଷାର ପ୍ରୟୋଗରେ ପୁସ୍ତକଟି ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ଅନେକ ସଚଳ ଚରିତ୍ରଙ୍କୁ ନେଇ ପୁରୀ ଭାଷା, ସଂସ୍କୃତି,ଭାଇଚାରା, ସ୍ନେହଆଦର ଚଳନୀ, ସେତେବେଳେର ଲୋକଚରିତ୍ର ଯାହା ଅଦ୍ଯାବଧି ଅନେକ ସମାନ ତଥାପି ବଦଳିଛି ପୃଥିବୀ । ଫିଲାଡେଲଫିଆରେ ,ଆମେରିକାର ଜନତାଙ୍କ ସୌଖ୍ଯତା ,ସୌଜନ୍ୟତା, ପସନ୍ଦ, ନାପସନ୍ଦ, ଘର ତିଆରି ଆର୍କିଟେକ, ଶୀତ,ବରଫ ,ତାଙ୍କ ସଂସ୍କୃତି । ପଞାବୀ , ଗୁଜୁରାତି , ବ୍ରିଟିଶ୍ ବାନ୍ଧବୀ , ଲୁସୀ, ସହୃଦୟ ଓଡ଼ିଆ ସଙ୍ଗୀନି, ଲିଜୀ, ହିମ୍ମତ ଭାଇ, ମିକିକୀ ଭାଉଜ, ଇଲା, ବିଜୁନାନୀ, ବସନ୍ତ ଭାଇ, ରୁନି, କସ୍ତୁରୀ ସୁଚେତା, ଖୁଡୀମା, ଲିଲି,ନୀଲ୍ ଆଦି ଆଦି ଅନେକ ଚରିତ୍ର ଭିତରେ ଲେଖିକା ସଜେଇଛନ୍ତି ତାଙ୍କ ଜୀବନଭୂତି ।

କର୍ମବ୍ଯସ୍ତ ସହରରେ ନିଜକୁ ସେ ନୂଆ କରି ଗଢିଥିବାର ଓ ଶିଖିଥିବାର ନାରୀଟିଏ ନିଜ ସହ ନିଜେ ନିଜର ଦମ୍ଭ ହେଇ ଠିଆ ହେବା କେତେ ଜରୁରୀ, ଇଚ୍ଛାଶକ୍ତି, ଧ୍ଯାନ, ଧର୍ଯ୍ଯ, ସରଳ ମନ , ପରିଶ୍ରମ ସାର୍ଥକ,ଆତ୍ମବିଶ୍ବାସୀ,” ହଁ ପାରିବି “ର ଦୃଢତାର ବହି ଏଇଟି । ବୟସ କେବେ ସୀମା ନୁହେଁ ବା ବାଧକ ନୁହେଁ ।

ବୈଜ୍ଞାନିକ ସ୍ବାମୀ ଶାନ୍ତ, ସୌମ୍ଯ ,ସୁଧାର ଏବଂ ମନକୁ ବୁଝିବା ପରି ସ୍ବାମୀ ସୁଧାଂଶୁ ମଉସା ଓ ଚନ୍ଦ୍ରା ମାଉସୀ ଙ୍କର ଦାମ୍ପତ୍ୟ ଏକ ସୁନ୍ଦର ଦାମ୍ପତ୍ୟର ଉଦାହରଣ ନିଶ୍ଚିତ । ତାଙ୍କର ପ୍ରେମ, ସମର୍ପଣ, ଛୋଟ ଛୋଟ ଖୁସି, ତାଙ୍କ ଭିତରର ବୁଝାମଣା, ଯତ୍ନ, ସହଭାଗିତା ମନଛୁଆଁ ଓ ଶିକ୍ଷଣୀୟ । ଲିଲି ଗଛ , ତାଙ୍କ ପୁରୀ ଘରର ବାରିପଟ ଚାଉଳିଆ ଗଛ, ତାଙ୍କ ନିଜର ପିତୃଦତ୍ତ ନାଁ ଚନ୍ଦ୍ରମଣିରୁ ଚନ୍ଦ୍ରା ପର୍ଯ୍ଯନ୍ତ ପଥ , ଜୀବନକୁ ପ୍ରତି କ୍ଷଣ ନୂଆ କରି ଚିହ୍ନିବା ସହ ଆଦରି ନେବା ହି ସ୍ବତନ୍ତ୍ରତା ଲେଖିକାଙ୍କର ।ତାଙ୍କର ସାହାସିକତା ଓ ସୁନ୍ଦର ମନଟିକୁ ପାଥେୟ କରି ଗଢି ଉଠିଛି ସଂପୂର୍ଣ୍ଣ ବହି ।ସବୁ ବିଭାଗ ତକ ଆଖି ରେ ଦେଖିଲା ପରି ଲାଗିଲା । ସରଳ ,ସୁନ୍ଦର, ସୁଖପାଠ୍ଯ ବହିଟିଏ ।

ବହିର ପ୍ରଛ୍ଛଦ ଖୁବ୍ ସୁନ୍ଦର । କୁନି ପୁଅଟିକୁ କାଖେଇ ନିଜେ ଲେଖିକା ମାତୃ ସୌଭାଗ୍ଯରେ ସୁନ୍ଦର । ଲାଳିତ୍ଯରେ ଢଳଢଳ ଲାସ୍ଯମୟୀ ପ୍ରସ୍ତର ପ୍ରତିମା । ବହିଟି ବିପୁଳ ପାଠକୀୟ ଆଦୃତି ପାଇବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.