Latest Odisha News

ଆତ୍ମ ସମର୍ପଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ପ୍ରତ୍ୟେକ ମନୁଷ୍ୟର ଆତ୍ମା… ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ । ଆତ୍ମା ପୂର୍ବରୁ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ ପ୍ରତିଜ୍ଞା ଭୁଲିଯାଏ । ସାଂସାରିକ ମୋହ ମାୟାରେ
ଆଚ୍ଛନ୍ନ ହୋଇପଡ଼େ । ଆତ୍ମା ଆଚ୍ଛାଦିତ ହୁଏ ପରଦାର ଆବରଣରେ । ମନ, ପ୍ରାଣ ଓ ଦେହର ଅଜ୍ଞତା ଅବିଦ୍ୟା ତାକୁ ଉଦ୍‌ଭ୍ରାନ୍ତ କରେ । ଫଳତଃ ସେ ବିଭିନ୍ନ ପ୍ରକାର ଭୁଲ୍ କରି ଅଶାନ୍ତିର ଶିକାର ହୁଏ ଓ ଜୀବନର ସବୁ ସରସତା ତାର ନଷ୍ଟ ହୋଇଯାଏ । ଅବିଦ୍ୟାରୁ ମୁକ୍ତହୋଇ
ବିଦ୍ୟାର ଆଲୋକରେ ଆଲୋକିତ ହେବା ପାଇଁ ବ୍ୟକ୍ତିକୁ କିଛି ପ୍ରୟାସ ଓ ପ୍ରଚେଷ୍ଟା କରିବାକୁ ପଡ଼େ । ତନ୍ମଧ୍ୟରୁ ସମର୍ପଣ ଗୋଟିଏ ଦିଗ । ଯେଉଁମାନେ ଅନ୍ୟମାନଙ୍କର ସେବା କରନ୍ତି,ଈଶ୍ୱରଙ୍କ ବିଷୟରେ ଚିନ୍ତନ ମନନ କରନ୍ତି ସେମାନେ ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ଲାଭ
କରନ୍ତି । ଏହି ପ୍ରକାର ଲୋକମାନେ କୌଣସି ଅଭାବ ଅନୁଭବ କରନ୍ତି ନାହିଁ । କାରଣ ସେମାନେ ଜାଣନ୍ତି, ଆମର ଅଭାବ ହେଉଛି ଆମର କର୍ମ । ଜୀବନର ଆନନ୍ଦ ମାଧ୍ୟମ ଦ୍ୱାରା ନୁହେଁ ବରଂ ଧ୍ୟାନ ଦ୍ୱାରା ପ୍ରାପ୍ତ ହୁଏ । ଆମେ ଯେତେ ବସ୍ତୁ ସମ୍ବଳ ସଂଗ୍ରହ କରିବା ସେତେ
ବ୍ୟସ୍ତ ରହିବା । କିନ୍ତୁ ଏକ ସୀମା ପରେ ଆପଣ ସେମାନଙ୍କଠାରୁ ସୁଖ ପାଇବା ବନ୍ଦ କରିବେ । ସୁଖ ହେଉଛି ଭିତରର ବିଷୟ, ଏବଂ ସନ୍ତୋଷ ବା ସନ୍ତୁଷ୍ଟି ହେଉଛି ଆତ୍ମାର ବିଷୟ । ମନ ଯେତେ ପାଇବ ନା କାହିଁକି, ଏହା ଆପଣଙ୍କୁ ବାରମ୍ବାର ଅସମ୍ପୂର୍ଣ୍ଣତା ଅନୁଭବ କରିବ । ଯିଏ
ନିଜ ଭିତରେ ସନ୍ତୁଷ୍ଟ, ବାହ୍ୟର ଅନୁପସ୍ଥିତି ତାଙ୍କୁ କେବେ ବିଚଳିତ କରେ ନାହିଁ । କାରଣ ଯେପର୍ଯ୍ୟନ୍ତ ଜୀବନ ଅଛି, ଅଭାବ ଆସିବ ଏବଂ ଯିବ । କେବଳ ମନୁଷ୍ୟ ଜନ୍ମ ପାଇବା ଯଥେଷ୍ଟ ନୁହେଁ । ଜୀବନର କଳା ଜାଣିବା ଶିଖିବା ଆବଶ୍ୟକ । ଯେତିକି ଆବଶ୍ୟକ ସେତିକି ସଂଗ୍ରହ ଯୁକ୍ତିଯୁକ୍ତ, କିନ୍ତୁ ସଂଗ୍ରହ, କେବଳ ସଂଗ୍ରହ ଓ ଯଥାର୍ଥ ନୁହେଁ । ପଶୁ ପକ୍ଷୀମାନେ ଆଦୌ ସଂଗ୍ରହ କରନ୍ତି ନାହିଁ, ତଥାପି ସେମାନେ ଜୀବନର ମୂଲ୍ୟବାନ୍ ସମସ୍ତ ପଦାର୍ଥ ପାଆନ୍ତି ।

ଜୀବନ ଅତ୍ୟନ୍ତ ଆନନ୍ଦଦାୟକ କିନ୍ତୁ ଆମର ଇଚ୍ଛା, ଲୋଭ ଯୋଗୁଁ ଆମେ ଏହାକୁ ବିରକ୍ତିକର ଏବଂ ଯନ୍ତ୍ରଣାଦାୟକ କରିଥାଉ । ତୁମେ ଯେତିକି ପାଇଛ ତାହା ଭଗବାନଙ୍କ ଆଶୀର୍ବାଦ । ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ହେ ପାର୍ଥ, ତୁମର କର୍ମ ଉପରେ
ତୁମର ଅଧିକାର ଅଛି, କିନ୍ତୁ ଏହାର ଫଳ ଉପରେ ତୁମର ଅଧିକାର ନାହିଁ । ଏହାର ଅର୍ଥ ହେଉଛି ଯେ ଆମେ ଆମର କାର୍ଯ୍ୟ ଜାରି ରଖିବା ଏବଂ ଆମେ ଯାହା ଫଳ ପାଇଥାଉ, ଆମେ ଏହାକୁ ଈଶ୍ୱରଙ୍କ କୃପା ଭାବରେ ବିବେଚନା କରିବା ଉଚିତ୍ । ପ୍ରକୃତି ଜୀବନ ପାଇଁ ଯାହା ଆବଶ୍ୟକ ତାହା କାରଣ ଦ୍ୱାରା ନୁହେଁ, ବରଂ ଦୟା ଦ୍ୱାରା ଦେଇଥାଏ । ସମର୍ପଣ ଭାବଟି ପ୍ରୀତି ପ୍ରବଣ ଭାବଧାରାର ଏକ ବ୍ୟାବହାରିକ ଅଭିବ୍ୟକ୍ତ ରୂପ । ଆନ୍ତରିକତା ଥିବାର ଏହା ଏକବଳିଷ୍ଠ ଚିହ୍ନ । ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା
ହୁଏ । ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ । ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା । ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ । କିଛି କିଛି ଦେବାର ଅଭ୍ୟାସ ଦିନେ ସବୁକୁ ଦେଇ ଦେବାପାଇଁ ସୁଯୋଗ ସୃଷ୍ଟି କରେ । ମନରେ
ସ୍ୱତଃ ଆନନ୍ଦର ମନ୍ଦାକିନୀ ଧାରା ଝରିଯାଏ । ହଜିଯାଏ କେତେ କୁତ୍ସିତ ନୀଚ ବାସନା, ହୀନ, ମଳିନ ଚିନ୍ତାଧାରା କିଏ ଯେମିତି ଆଣି ଦେଇଯାଏ ସ୍ୱର୍ଗର ସୁଧାସିକ୍ତ ଚେତନାର ସୁଲଳିତ ସ୍ପର୍ଶ । ହୃଦୟରେ ନାଚିଉଠେ ଆହ୍ଲାଦର ତରଙ୍ଗମାଳା । ପ୍ରକୃତ ପକ୍ଷେ ଭଲ ପାଇବାର ମାନଦଣ୍ଡ ସମର୍ପଣ ଉପରେ ପ୍ରତିଷ୍ଠିତ । ଅନ୍ୟକୁ କରାୟତ କରିବା ଭଲପାଇବା ନୁହେଁ, ବରଂ ଅନ୍ୟକୁ ନିଜକୁ ଦେଇଦେବାହିଁ ଭଲପାଇବା । ଶ୍ରୀମାଙ୍କ ଭାଷାରେ “ସବୁଠାରୁ ବେଶି ଭଲପାଇବାର ଲକ୍ଷଣ ହେଉଛି ସବୁଠାରୁ ବେଶିକରି ନିଜକୁ ଦେଇଦେବା ।” ଦେବାହିଁ ପାଇବାର ଯଥାର୍ଥ
ମାର୍ଗ । କିଛି ନଦେଇ ଯିଏ କେବଳ ପାଇବା ପାଇଁ ଚାହାଁନ୍ତି ସେ କିଛି ପାଆନ୍ତି ନାହିଁ । କେବଳକାମନା ବାସନାରେ ଜର୍ଜରିତ ହୋଇ ରହିଥାନ୍ତି । ଭଗବାନଙ୍କୁ ଭଲପାଇ ତାଙ୍କ ପାଖରେ ନିଜକୁ ସମର୍ପି ଦେଲେ ମନୁଷ୍ୟ ଜୀବନ ହୁଏ ସାର୍ଥକ ଓ ମହତ୍ତ୍ୱପୂର୍ଣ୍ଣ । କିଛି ପାଇବାର ଆଶା ନରଖି କେବଳ ଅର୍ପଣ କରିବାକୁ ହେବ ପ୍ରଭୁଙ୍କ ପାଖରେ, ଯାହା ତାଙ୍କର ଇଚ୍ଛା ତାହା ପୂରଣ ହେବ ବୋଲି କହିବାକୁ ହେବ । ପ୍ରଭୁଙ୍କ ପାଖରେ ନିର୍ଭରତା ରଖିଲେ ଅଶାନ୍ତିର ବିଷାକ୍ତ ବାଷ୍ପ ଅପସରି ଯିବ । ଅତଏବ ଆତ୍ମସମର୍ପଣ ପର୍ଯ୍ୟନ୍ତ ସମର୍ପଣର ବିସ୍ତୃତି । ଆତ୍ମ ସମର୍ପଣ ପ୍ରସଙ୍ଗରେ
ଶ୍ରୀରାମକୃଷ୍ଣଙ୍କର କଥା ସ୍ମରଣକୁ ଆସେ । ସେ ବିଲେଇ ଛୁଆର ଉଦାହରଣ ଦେଇ ପ୍ରସଙ୍ଗଟିକୁ ବୁଝାଇ ଦେଇଛନ୍ତି । ବିଲେଇ ଛୁଆର ପସନ୍ଦ, ଅପସନ୍ଦ, ଦାବି ନିଜର ଇଚ୍ଛା କିଛି ନଥାଏ । ସେ ତା ମାଆ ନିକଟରେ ନିଜକୁ ପୂର୍ଣ୍ଣରୂପେ ଅର୍ପଣ କରିଥାଏ । ତା ମାଆ ତାକୁ ଯେଉଁଠାକୁ ନିଏସେ ପ୍ରତିବାଦ କରେ ନାହିଁ ।ଏହାହିଁ ପ୍ରକୃତରେ ସମର୍ପଣର ଏକ ସାର୍ଥକ ନମୁନା । ଭଗବାନଙ୍କନିକଟରେ ବିଲେଇ ଛୁଆପରି ନିଜକୁ ଅର୍ପଣ କରିଦେବା ହିଁ ଜୀବନ ପଥରେ ନିବିଘ୍ନରେ ଚାଲିବାର ମୂଳମନ୍ତ୍ର । ପ୍ରଗତି ଦ୍ୱାର ଏଥିରେ ଉନ୍ମୁକ୍ତ ହୁଏ । ଚେତନାର ଅଗ୍ରଗତି ହୁଏ । ଜୀବନଯେତେ ମହନୀୟ ଓ ମହତ୍ୱପୂର୍ଣ୍ଣ ହୋଇଉଠେ । ଭଗବାନଙ୍କ ଉପରେ ନିର୍ଭରତା ରଖିଲେଯାହା ବ୍ୟକ୍ତି ପାଇଁ ସର୍ବୋତ୍ତମ ସେ ତାହାହିଁ ଘଟାନ୍ତି ଓ ସବୁ ଅପୂର୍ଣ୍ଣତାକୁ କ୍ରମେ କ୍ରମେ ସୁଧାରି ନିଅନ୍ତି ।

Comments are closed.