Latest Odisha News

ପଢ଼ିବାର ଆଗ୍ରହ ମତେ ଲେଖିବାକୁ ବାଧ୍ୟ କଲା : ଅଂଶୁମାନ ସାହୁ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଅଂଶୁମାନ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।

କଥା ନବ ପ୍ରତିଭା ପୁରସ୍କାର ବିଜେତା ଅଂଶୁମାନ ସାହୁ ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ। ଓଡ଼ିଆ ସାହିତ୍ୟର ନବ ପ୍ରତିଭାଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

କେବେ ଦିନେ ଲେଖିଥିଲି, ପ୍ରେମର କିଛି କାରଣ ନାହିଁ । ଯେଉଁଠି କାରଣ ଅଛି, ସେଠି ପ୍ରେମ ନାହିଁ । ଭାଷା ସାହିତ୍ୟ ପ୍ରେମରେ ଯେ ମୁଁ ଗଭୀର ଭାବେ ପଡ଼ିଯାଇଛି ମୋ ଅଜାଣତରେ। ବାସ୍ ଏଇଟିକୁ ଏକ ସୁନ୍ଦର ସଂଯୋଗ ଅଥବା ମାଆ ଶାରଳାଙ୍କ ଆଶୀର୍ବାଦ ବୋଲି ମନେକରେ । ଏଯାଏଁ ସେମିତି ଗୋଟେ ନିର୍ଦ୍ଦିଷ୍ଟ କାରଣ ଖୋଜି ପାଇନି । ମୁଁ ଲେଖେ, ହାଲୁକା ହୁଏ । ଖୁସି ହୁଏ l ସହଜ ହୁଏ । ସନ୍ତୋଷ ପାଏ । ଏମିତି କିଛି କାରଣ ହୋଇଥିବ ବୋଧହୁଏ ; କେଜାଣି !

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପିଲାଦିନୁ ଜହ୍ନମାମୁଁ ପଢ଼ି ତାର ରଙ୍ଗୀନ୍ ଛବି ଆଉ କାହାଣୀମାନଙ୍କ ଭିତରେ ବୁଡ଼ି ରହୁଥିବା, ନୂଆ ଶ୍ରେଣୀରେ ପାଦ ଦେଉଦେଉ ନୂଆ ବହିମାନଙ୍କ ଭିତରୁ ସାହିତ୍ୟ ବହିକୁ ଅଣ୍ଡାଳି ବାହାର କରିନେଇ ଆଗ ସବୁ ଗପ, କବିତା, ଏକାଙ୍କିକା ପଢ଼ି ପକାଉଥିବା ବେଳେ ମୁଁ ବୋଧହୁଏ କେବେ ବି ଭାବି ନଥିବି ଯେ ମୁଁ ବି କେବେ କିଛି ଲେଖିବି । ସେ ମୌଳିକ । ମୋର ଆଗ୍ରହ ସ୍ୱତଃପ୍ରବୃତ୍ତ । ଏମିତି ହିଁ ଅନ୍ୟମନସ୍କ ରହୁରହୁ, ଚୁପଚାପ୍ ଭାବୁଭାବୁ, ନିଜ ସହ ଗପୁଗପୁ ଅନ୍ୟମାନଙ୍କୁ ପଢୁପଢୁ ଆଉ ମା ଶାରଳାଙ୍କ ଆଶୀର୍ବାଦରୁ ସାହିତ୍ୟ ପ୍ରତି ମୋର ଆଗ୍ରହ ଆସିଲା ବୋଲି ମୋର ବିଶ୍ବାସ ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ଓଡ଼ିଆ ଗଳ୍ପର ନବଜାତକ ‘କଥା’ ପତ୍ରିକାରେ ମୋର ପ୍ରଥମ ଗଳ୍ପ ‘ପେଟ ପୁରିଲେ ସିନା’ ପ୍ରକାଶିତ ହୋଇଥିଲା । ସେଇଟି ବି ଖୁବ୍ ଅପ୍ରତ୍ୟାଶିତ ଭାବେ । ମୁଁ ଏମିତି ହିଁ କଥା ନବପ୍ରତିଭା ପ୍ରତିଯୋଗିତାକୁ ପଠାଇ ଦେଇଥିଲି , ସେ ବି ଜୀବନର ପ୍ରଥମ ଗପ । ସେତେବେଳେ ମୁଁ ସବୁ ପ୍ରତିଯୋଗୀଙ୍କ ଭିତରେ ସାନ । ମାତ୍ର ପନ୍ଦର ଷୋହଳ ବର୍ଷ ବୟସ । ମୋ ଗପ ପୁରସ୍କାର ପାଇଁ ମନୋନୀତ ହୋଇଛି ଜାଣି ମୁଁ ପ୍ରଥମେ ଡରିକି ମନା କରିଦେଇଥିଲି । ପରେ ସେଇ ପୁରସ୍କାର ଗ୍ରହଣ କରିବାର ସେ ସନ୍ଧ୍ୟା, ସାହିତ୍ୟିକମାନଙ୍କ ପ୍ରେରଣା, ଗପପଢି ଓଡ଼ିଶାର ବିଭିନ୍ନ ସ୍ଥାନରୁ ପାଠକମାନେ ଦେଇଥିବା ଉତ୍ସାହ, ଶ୍ରଦ୍ଧା ; ମୋ ପାଇଁ ନୂଆ ଥିଲା l ସେସବୁ ତଥାପି ସ୍ଵପ୍ନ ପରି ହିଁ ଲାଗୁଥିଲା ମତେ । ପରେପରେ ସେଇ ପ୍ରଥମ କିଛି ଲେଖିବାର, ପ୍ରକାଶିତ ହେବାର ଅନୁଭବ ହିଁ ମତେ ଆଜି ଯାଏ ଅନୁପ୍ରାଣିତ କରି ଆସିଛି ସବୁବେଳେ ।

 

ହୁଏତ ଏଇ ଦିଗଟି ପ୍ରତି ଗପ/କବିତା ଲେଖିବା ବେଳେ ମୁଁ ସେତେ ସଚେତନ ନଥାଏ । ମୋତେ ଲାଗେ ସାହିତ୍ୟ ଗୋଟେ ଏମିତି ବୋଝ, ଯାହାକୁ ମୁଣ୍ଡେଇ ଦେଇ ମୁଁ ହାଲୁକା ହେଇଯାଏ । ଆଉ ଯଦି କେହି ମୋ ଗପ, କବିତା ପଢି ସେମିତି ହାଲୁକା ହେଇ ପାରିଲା, ନିଜକୁ କାଣିଚାଏ ହେଉ ପଛେ ଖୋଜି ପାଇଲା, ମଝିରେ କେଇ ଥର ମୁରୁକି ହସିଲା କି କୋହ ଉଠେଇ ଆସିଲା ଅଥବା ଶେଷକୁ କିଛି ଗୋଟେ ଭାବିବାକୁ ଲାଗିଲା, ସେଇତକ ହିଁ ସାହିତ୍ୟର ସୌନ୍ଦର୍ଯ୍ୟ ବୋଲି ମୁଁ ଭାବେ । ହୁଏତ ସବୁ ସାହିତ୍ୟ ସମାଜ ପ୍ରତି ଦାୟିତ୍ବବଦ୍ଧ ନ ହୋଇ ପାରନ୍ତି ମାତ୍ର ମାନବିକତା, ସମାଜ ପ୍ରତି ସମ୍ବେଦନଶୀଳତା, ସଚେତନତାରୁ ଯେମିତି ବିଚ୍ୟୁତ ନ ହୁଅନ୍ତି ; ସେତକ ପାଇଁ ମୁଁ ଯତ୍ନବାନ୍ ଥାଏ । ଅଧିକାଂଶ ଗପ, କବିତା ପ୍ରାୟ ପ୍ରେମକୁ, ଜୀବନକୁ ନେଇ ଏଯାଏ ଲେଖିଛି। ପ୍ରେମରେ ମଣିଷ, ଜୀବନ ସବୁକିଛି ସୁନ୍ଦର ହେଇଯାଏ ବୋଲି ମୋର ଦୃଢ ବିଶ୍ବାସ । ସେଇ ପ୍ରେମ ବାଣ୍ଟିବାର ଇଚ୍ଛାଟି ମୋର ସବୁବେଳେ ଥାଏ ।

ତାଙ୍କ ରଚନାରୁ କବିତା : ଏ ସହର

ଏବେ ବି କଣ
ଯୋଡ଼ା ଯୋଡ଼ା ପ୍ରେମ ପକ୍ଷୀ
ସାମ୍ନା ବେଞ୍ଚରେ ନିତି ସଞ୍ଜରେ ବସୁଥିବେ ଆସି ,
ହସି ହସି କଷୁଥିବେ ପ୍ରେମ ଅଙ୍କ
ବାଣିକ୍ କୋଚିଂର ଫର୍ମୁଲା ତକ ଘୋଷିଘୋଷି….!

ଏବେ ବି କଣ ଆଇଡି ମାର୍କେଟରେ
ଘୁଗୁନିରେ ବେଶୀବେଶୀ ରାଗ ପକେଇ ଦେଉଥିବେ ମଉସା ,
କିଏ ଜଣେ ମନା କଲାବେଳେ
ଆଉ କେହି ହସିହସି କହୁଥିବ , ଆଉ ଟିକେ , ଆଉଟିକେ ମିଶା….!

ଏବେ ବି କଣ ଝଗଡା ଲାଗୁଥିବେ ଦୁଇଜଣ ;
ମୋ ବସ୍ ଅଥବା ଅଟୋ ,
ଇନଷ୍ଟାଗ୍ରାମ୍ ଅଥବା ସ୍ନାପଚାଟରେ ଉଠିବ ଫଟୋ..!
ଗରମ୍ ଅଥବା ପଖାଳ ,
ଫୁଡ୍ ପାର୍କ୍ ନା ଲକ୍ଷ୍ମୀମନ୍ଦିର..!
କଫି ଅଥବା ଚାହା
ମହରାଜା ଅଥବା ଶ୍ରୀୟା..!
ଫରେଷ୍ଟ୍ ପାର୍କ୍ ଅଥବା ଆଇଜି
ଏସପ୍ଲାନେଡ୍ ଅଥବା ମାର୍କେଟ୍ ବିଲଡିଂ
ଧଉଳି ଅଥବା ଖଣ୍ଡଗିରି..!
କଣ ଏବେ ବି କେହିଦୁହେଁ
ସାମାନ୍ୟ କଥାରେ ଅହରହ ସାଜୁଥିବେ
ପରସ୍ପରର ମିଛିମିଛିକା ବଇରି…!

କଣ ଏବେ ବି ରାତିଅଧରେ ଅଚାନକ
ଭାଇବ୍ରେଟ୍ ହେଉଥିବ କାହା ଟେବୁଲ ଉପରୁ ଫୋନ୍
ହାଇ ମାରିମାରି ଫୋନ୍ ଉଠେଇଥିବା କେହିଜଣେ
ଭୁଲିଯାଇଥିବ ନିଦ ଭୋର୍ ଚାରିଟା ଯାଏ….
ଆଠଥର ଗୁଡ୍ ନାଇଟ୍ ପରେ ବି
ଫୋନ୍ କଟୁନଥିବ ଜମା ,
‘ତମେ କାଟ’ ଅଥବା ‘ଆଉ କଣ କୁହ’ର ବାହାନାରେ
ରିକ୍ରିଏଟ୍ ହେଉଥିବ ନାଇଣ୍ଟିଜ୍ ର ସିନେମା….?

କଣ ଏବେ ବି କୋଚିଂ କ୍ଲାସରେ
କାହା ଆଖି ଗୋଟେ ମିନିଟ୍ ଚାହୁଁଥିବ ହ୍ୱାଇଟ୍ ବୋର୍ଡକୁ
ତ ଆଉ ଗୋଟେ ମିନିଟ୍ ପାଖ ବେଞ୍ଚ୍ ଆଡ଼େ….
ଏବେ ବି କଣ ନୋଟ୍ ମାଗିବା ବାହାନାରେ ଫୋନ୍ କରି
ଏଣୁତେଣୁ ପଚାରି ଚାଲିଥିବ କେହି
କାହା ସ୍ଵର ଶୁଣିବା ଆଶାରେ….!

ଏବେ କଣ କେହି ଅଧରାସ୍ତାରେ ହସିଦେଲେ
ଅଥବା କେହି କାହା ହାତଧରି ରାସ୍ତା ପାରିହେଲେ
କେହି ଜଣେ ହେଇ ଯାଉଥିବ ଅନ୍ୟମନସ୍କ..
ସମଗ୍ର ପୃଥିବୀଟା ତାକୁ ସ୍ଥିର ମନେ ହେଉଥିବ ,
ଷ୍ଟାଚ୍ୟୁ ପରି ଦିଶୁଥିବେ ତାକୁ
ଯେତେସବୁ ଗାଡିମଟର ଆଉ ଲୋକବାକ….

ଏବେ କଣ ମୋମୋ ଖାଇଲା ବେଳେ
କେହି ସନ୍ତର୍ପଣେ ପୋଛି ପକାଉଥିବ
ଲେସି ହେଇଯାଇଥିବା ମିଓନିଜ୍ ତକ କାହା ଓଠରୁ ,
ଏବେ ବି କଣ କେହି କ୍ୟାସ୍ କାଢି ଦେଇ ଦେଉଥିବ
କେହି ଜଣେ ଫୋନପେରେ ସ୍କାନ୍ କରୁ କରୁ….

ଏବେ କଣ ମୋ ବସରେ ନିଜେ ଛିଡା ହେଇ
କେହି ଲବି କରୁଥିବ କଣ୍ଡକ୍ଟର୍ ପାଖେ
ଆଉ କେହି ସିଟରେ ବସି ଯିବା ପାଇଁ ,
ଏବେ ବି କଣ ଦହି ଗୁପଚୁପ୍ ପ୍ଲେଟର
ଶେଷ ଗୁପଚୁପ୍ ପାଖେ ଯୁଦ୍ଧଟିଏ ହେଉଥିବ
ତୁମେ ଖାଅ, ତୁମେ ଖାଇଦିଅ ବୋଲି ଠେଲାଠେଲି ହୋଇ….

ଏବେ କଣ କେହି ଅନଲାଇନ୍ ନା ଅଫଲାଇନ୍ ;
କେହି ଜଣେ ବରାବର ଚେକ୍ କରୁଥିବ,
ଏବେ କଣ କାହା ଷ୍ଟାଟସ୍ ସ୍କ୍ରିନସଟ୍ ମାରିମାରି
କାହାର ଷ୍ଟୋରେଜ୍ ଫୁଲ୍ ହେଉଥିବ..
ଏବେ ବି କଣ କାହା ଅଲ୍ ଦ ବେଷ୍ଟ୍ ମେସେଜ୍ ନ ଆସିଲା ଯାଏ
ପରୀକ୍ଷା ପୂର୍ବରୁ କେହି ଜଣେ
ଖୁବ୍ ବିଚଳିତ ହୋଇ ପଡୁଥିବ….
ଏବେ ବି କଣ କେହି ଶାଢ଼ୀରେ ଫଟୋଟେ ଛାଡିଲେ
କେହି ଜଣେ ସାରାରାତି ସ୍ଵପ୍ନ ଦେଖୁଥିବ….!

ଏବେ କଣ, ଏବେ କଣ ? ଏବେ ବି କଣ….!!

କେଉଁ ଯାଏ ଅବା ଚାଲିଥିବ
ଏମିତିକା ପ୍ରଶ୍ନୋତ୍ତର ?
.
.
.
.
ହଁ, ବୋଧେ ସେଇ ଯାଏ ;
ଯେଉଁ ଯାଏ ଏ ପୃଥିବୀ ଛାତିରେ
ବସା ବାନ୍ଧିଥିବ ଏ ସହର ଭୁବନେଶ୍ଵର….
ଯେଣୁ , ଶକ୍ତି ମହାନ୍ତି କହିବା ପରିକା
ଏ ସହର କଥାକୁହା ପଥରର..
ଏ ସହର ଫୁଲେଇ ନଈ ସାଥେ ପ୍ରେମିକ ପାହାଡ଼ର..
ଏ ସହର ସୁରଭିତ ସାୟାହ୍ନର
ଏ ସହର ଯୁଗେଯୁଗେ ପ୍ରେମ ସାଥେ ପ୍ରଣୟର…….. ।

Comments are closed.