ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୈତ୍ରୀମୟୀ ନାୟକ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ, କବିତା ତଥା ଆଲେଖ୍ୟରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟର ନବ ପ୍ରତିଭା ମୈତ୍ରୀମୟୀ ନାୟକଙ୍କ ସହ ‘ସ୍ଵଳ୍ପ ଆଳାପ’
ଆପଣ କାହିଁକି ଲେଖନ୍ତି ?
ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଆମେ ସମସ୍ତେ ନିଜ ନିଜ ସମସ୍ୟା ଭିତରେ ରହିଯାଉଛୁ l ଏମିତି କିଛି ସମସ୍ୟା ଯାହା ଅନ୍ୟମାନଙ୍କ ପାଖରେ ପ୍ରକାଶ କରିହେଉନାହିଁ l ସେଥିପାଇଁ ନିଜ ଭିତରେ ଥିବା ଦ୍ବନ୍ଦାତ୍ମକ ଚିନ୍ତାକୁ ବାହାରକୁ ବାହାର କରିବା ଲାଗି ମୁଁ ଲେଖିବା ଆରମ୍ଭ କଲି l କିଛି ଲେଖା ନିଜ ପାଇଁ ଲେଖେ ଆଉ କିଛି ପାଠକମାନଙ୍କ ପାଇଁ ବେଳେବେଳେ କୋଳାହଳ ଚିନ୍ତାଠାରୁ ନିଜକୁ ଦୂର କରିବା ପାଇଁ ଲେଖେ l କାରଣ ଲେଖିଲାବେଳେ ମନରେ ଆତ୍ମ ସନ୍ତୁଷ୍ଟି ତଥା ଏକାଗ୍ରତା ଆସେ l
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହ ହେଲେ?
ସାମ୍ବାଦିକତା ପାଠ ପଢିଲା ବେଳେ ଆମ ଶିକ୍ଷକ କିଛି ଶବ୍ଦ ଦେଇଥିଲେ ଓ କହିଥିଲେ ଏହି ଶବ୍ଦ ବ୍ୟବହାର କରି କାହାଣୀ ଲେଖ । ସେଥିରେ ମୁଁ ମୋର ପ୍ରଥମ ଲେଖା “ପ୍ରେମ ପ୍ରତାରଣା” ଲେଖିଥିଲି । ସେହି ଲେଖାର ତର୍ଜମା କଲା ବେଳେ ସାର୍ କାହାଣୀ ତଥା ଲେଖାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ ଯାହାସବୁ ମୋ ପାଇଁ ନୂଆଁ ଥିଲା । ସେଇ ଉପଦେଶକୁ ଆଧାର କରି ବହୁତ ଲେଖିଛି ଓ ସମାଲୋଚନର ଶିକାର ମଧ୍ୟ ହେଇଛି ହେଲେ ଲେଖା ବନ୍ଦ ହେଇନି । ଲେଖାରେ କରୁଥିବା ପ୍ରତିଟି ଭୁଲ ମୋ ଆଗାମୀ ଲେଖା ପାଇଁ ପ୍ରେରଣା ହୁଏ । ମୁଁ ଅଳ୍ପ କିଛି ଲେଖା ଲେଖିଛି କିନ୍ତୁ ମୋ ଲେଖା ପ୍ରତ୍ୟାଖ୍ୟାନ ବହୁତ ହେଇଛି । ମୋ ଲେଖା ଯେତେବେଳେ ପ୍ରଥମ ଥର ପ୍ରକାଶିତ ହେଲା ମତେ ଲାଗିଲା ଏବେ ମୁଁ ଲେଖି ପାରିବି, ସେବେଠୁ ଲେଖା ଆହୁରି ବଢି ଚାଲିଲା । ବିଶିଷ୍ଠ ସାହିତ୍ୟକ ନୃସିଂହ ଚରଣ ସାହୁଙ୍କ ପାଖରେ କାମ କରିବା ଆରମ୍ଭ କଲା ସମୟରେ ଓଡ଼ିଆ ସାହିତ୍ୟ ତଥା ସାହିତ୍ୟକଙ୍କ ବିଷୟରେ ଜାଣିବାର ଜିଜ୍ଞାସା ଯୋଗୁଁ ସାହିତ୍ୟ ପ୍ରତି ବେଶୀ ଆଗ୍ରହୀ ହେଲି ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ମୋର ପ୍ରଥମ ଲେଖା ଓଡ଼ିଆ ସାହିତ୍ୟ ସ୍ରଷ୍ଟା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଏକ ସଂକ୍ଷିପ୍ତ ଜୀବନୀ l ଯାହା ଓଡ଼ିଆ ଦୈନିକ ଖବରକାଗଜ ‘ପ୍ରଗତିବାଦୀ’ ରେ “ସଂକ୍ରାନ୍ତି ପୁରୁଷ ଫକୀରମୋହନ” ଭାବେ ସ୍ଥାନ ପାଇଥିଲା l ଲେଖା ପ୍ରକାଶିତ ହେବା ପରେ ବହୁ ପାଠକ ଫୋନ କରି ମତାମତ ଦେବା ସହ ପ୍ରଶଂସା ମଧ୍ୟ କରିଥିଲେ l ଏହା ମୋ ଜୀବନର ପ୍ରଥମ ଅନୁଭୂତି ଥିଲା l ଯେଉଁଠି ଲେଖା ମାଧ୍ୟମରେ ମୁଁ ପରିଚୟ ପାଇଥିଲି l ସେଦିନ ବାପା ସେହି ଖବରକାଗଜ ଲେଖାଟିର ଦୁଇରୁ ତିନୋଟି ପ୍ରତିଲିପି କିଣି ଆଣିଥିଲେ ଓ ତାକୁ ସାଇତି କରି ରଖିଛନ୍ତି l ପରିବାର, ପଡୋଶୀ ତଥା ଜ୍ଞାତି ପରିଜନଙ୍କ ପାଖରେ ମୋର ସ୍ୱତନ୍ତ୍ର ପରିଚୟ ହେବା ମୋତେ ଆହୁରି ଲେଖିବାକୁ ପ୍ରେରଣା ଦେଇଥିଲା l ମୁଁ ମୋ ଲେଖା ପାଇଁ ଭୂମିପୁତ୍ର ସାହିତ୍ୟ ସମାଜ କଲ୍ୟାଣ ପରିଷଦ, ଯାଜପୁର ସମ୍ବର୍ଦ୍ଧନା ପାଇଥିଲି l ଏହା ପରେ ମୋର ଲେଖା ପ୍ରତି ଥିବା ଆଗ୍ରହ ଆହୁରି ବଢ଼ି ଚାଲିଲା l
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
କାହାରିକୁ ବାର୍ତ୍ତା ଦେବାର ଯୋଗ୍ୟତା କି ଅଭିଜ୍ଞତା ଏଯାଏଁ ମୋର ହେଇନି । ମୁଁ ସାହିତ୍ୟ ଲେଖିବା ଏବେ ଏବେ ଆରମ୍ଭ କରିଛି । ମତେ ସାହିତ୍ୟ ବିଷୟରେ ବୁଝିବାକୁ, ଶିଖିବାକୁ ଅନେକ କଥା ବାକି ଅଛି । ମୁଁ ଏବେ ଯାହା ଲେଖୁଛି ମୋର ସ୍ୱଳ୍ପ ଅନୁଭୂତି ଓ କିଛି କାଳ୍ପନିକ ଚିନ୍ତାକୁ ନେଇ ହିଁ ଲେଖୁଛି । ମୁଁ ଭାବୁଛି ବାର୍ତ୍ତା ଦେଲା ପରି ଲେଖା ଲେଖିବାକୁ ମତେ ଆହୁରି ବହୁତ ସମୟ ଲାଗିବ ।
ତାଙ୍କ ରଚନାରୁ କବିତା : ସ୍ବପ୍ନ
ଦିନରେ ଦେଖାହୁଏ ଆଉ ରାତିରେ ବି
ଖାଲି ଧନୀ ନୁହେଁ,
ଗରିବ ସହ ବି ମୋର ଭେଟ ହୁଏ l
କାହା ପାଇଁ ମୁଁ ଶୀଘ୍ର ସାକାର ହୁଏ ତ,
ଆଉ କାହା ପାଇଁ କିଛି ଝଲକ ହୋଇ ରହିଯାଏ l
ଦେଖାଯାଉଥିବା କିଛି ମୁହୂର୍ତ୍ତ ବି ସତ ପରି ମନେ ହୁଏ!
ଖାଲି ଆଖି ବନ୍ଦ ଥିଲେ
ଖୋଲା ଥିଲେ ବି ଦେଖାହୁଏ l
କିଛି ଜଣଙ୍କ ଆଗତ ଭବିଷ୍ୟତର
ସୂଚନା ବି ଦେଇ ଦିଏ,
ଆଉ କିଛି ଜଣକ ପାଇଁ
ସମାନ ସ୍ଥିତି ହୋଇ ରହିଯାଏ l
ଦୂରେ ଥିବା ଜିନିଷର
ଆଶା ମନରେ ଜଗାଇ ଦିଏ ,
ଆଉ କାହା ପାଇଁ ନିରାଶାର
ସଙ୍କେତ ବନିଯାଏ l
କାହା ପାଇଁ ଦେଖାହେଲେ
ସୁଖ ସାଗର ହୁଏ!
ଆଉ କାହା ପାଇଁ ଦୁଃଖର
କାରଣ ପାଲଟି ଯାଏ l
ଗୋଟେ ମୁହୂର୍ତ୍ତର ଭାବନା
ନ ଯାଉଣୁ
ଆଉ ଏକ ଭାବନା ହୋଇ ଆସିଯାଏ,
ସବୁ ପୁରା ହେବାକୁ ଇଚ୍ଛା ଥାଏ
ହେଲେ କିଛି ନା କିଛି ଅଧୁରା ରହିଯାଏ l
ପ୍ରତିଟି ଭାବନା କ’ଣ ପୂରଣ ହୁଏ ?
କାହା ପାଇଁ ବି ମୁଁ ସମ୍ପୂର୍ଣ୍ଣ ନଥାଏ
ନା ମୋର କେବେ ଅନ୍ତ ଥାଏ l
Comments are closed.