ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସିନ୍ଧୁ ନନ୍ଦିନୀ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବ ପ୍ରତିଭା ସିନ୍ଧୁ ନନ୍ଦିନୀଙ୍କ ସହ ‘ସ୍ଵଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
ଛୁଆଟି ବେଳୁ ହିଁ ମୁଁ ଲେଖାଲେଖି କରିବା ପାଇଁ ଭଲପାଏ । ବାପା,ଦାଦା, ନାନୀ ସମସ୍ତେ ଲେଖା ଲେଖି କରନ୍ତି । ବାପା ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରା ଜଣେ ଉତ୍ତମ ଲେଖକ ଓ ଗାଳ୍ପିକ । ପିଇସି ନାନୀ ଶ୍ରୀମତୀ ସରସ୍ଵତୀ ବେହେରା ସଫଳ ଆଗ ଧାଡିର ଲେଖିକା । ପିତା ହିଁ ମୋ ଲେଖନୀର ପ୍ରେରଣା । ଆମ ପରିବାର ସାହିତ୍ୟ ପ୍ରିୟ, କିନ୍ତୁ ମୋର ଲେଖନୀ ଯାତ୍ରା ବାପା ଙ୍କ ମୃତ୍ୟୁ ର ଠିକ୍ ପରେ ହିଁ ଆରମ୍ଭ ହୋଇଥିଲା । ସେହି ଦିନରୁ ହିଁ ମୋ କଲମ ମୁନ କେବେ ବିଶ୍ରାମ ନେଇନାହିଁ । ଲେଖୁଛି, ଆଗକୁ ଅବିରତ ଭାବେ ଲେଖି ଚାଲୁଥିବି ।ଏବେ ଲେଖାଲେଖି ଏପରି ନିଶାରେ ପରିଣତ ହୋଇଗଲାଣି କି, ମୁଁ ମୋର ରୋଷେଇ ଘରେ ଗୋଟିଏ ଡାଏରୀ ଓ କଲମ ରଖିଛି ।ଯେତେବେଳେ ଯାହା ଟିକେ ମୋ ମନକୁ ଦି-ପଦ ଶବ୍ଦ ଆସିଯାଏ ତତକ୍ଷଣାତ ଦେଖିଦିଏ l ପାରିବାରିକ ଦାୟିତ୍ଵ,କର୍ତ୍ତବ୍ୟ ଏବଂ ସଂସାର ଜଞ୍ଜାଳ ମଧ୍ୟରେ ଲେଖାଲେଖି କରିବା କେବେ ମଧ୍ୟ ଛାଡିନାହିଁ ।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ଜନ୍ମ ଅଛି ତ ମୃତ୍ୟୁ ଅଛି । ସମସ୍ତଙ୍କ ଭଳି ମୋ ବାପା ମଧ୍ୟ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ବାପାଙ୍କ ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲି । ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ମୋ ଜୀବନରେ ଯେଉଁ ଶୂନ୍ୟ ସ୍ଥାନ ସ୍ରୁଷ୍ଟି ହୋଇଥିଲା ତାହା ବିଭୁକୃପାରୁ କବିତା ର ସ୍ଥାନ ନେଇଥିଲା । ଲେଖିବା ଦ୍ଵାରା ମୁଁ ନିଜକୁ ମାନସିକ ଦୁଶ୍ଚିନ୍ତା ରୁ ମୁକ୍ତ କରିଥିଲି । ଲେଖାର ସାହାରା ହିଁ ବାପାଙ୍କ ମୃତ୍ୟୁର ଯନ୍ତ୍ରଣା ଦାୟକ ଦୁଃଖ କୁ ଦୂର କରିଥିଲା । ପ୍ରତ୍ୟେକଟି କବିତାରେ ମୋତେ ଅନୁଭବ ହୁଏ ମୋ ବାପା ମୋ ପାଖେ ଜୀବନ୍ତ ଉପସ୍ଥିତ ହୁଅନ୍ତି । ଜଞ୍ଜାଳମୟ ଜୀବନରୁ ଶାନ୍ତି ଟିକେ ପାଇବା ପାଇଁ ଲେଖାଲେଖି ନିହାତି ଜରୁରୀ ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ମୋ ପ୍ରଥମ କବିତା-“ତୁମେ ଚାଲିଗଲା ପରେ” (ସନାତନୀ) ନାମକ ସାଇ ସାହିତ୍ୟ ପତ୍ରିକାରେ ପ୍ରକାଶ ପଡିଥିଲା । ସାଇପରିବାରର ସମସ୍ତ ସଦସ୍ୟଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଥିଲା । ସମସ୍ତଙ୍କ ହୃଦୟକୁ ଏହି କବିତାଟି ଛୁଇଁ ଯାଇ ଥିଲା । ଯେହେତୁ ବାପାଙ୍କ ଉଦ୍ଦେଶ୍ଯ ରେ କବିତାଟି ସମର୍ପିତ ଥିଲା, ମୋର ହୃଦବୋଧ ହୋଇଥିଲା ବାପାସଶରୀରରେ ନ ଥିଲେ ବି ମୋ ହୃଦୟ ମନ୍ଦିରରେ ଜୀବନ୍ତ ଉପସ୍ଥିତ ଅଛନ୍ତି । ମୋ ପାଖେ ପାଖେ ଛାଇ ଭଳି ରହିଛନ୍ତି lଲେଖନୀ ଧନ୍ଯ ହେଲା ପରି ମନେହେଲା ।
ଗଳ୍ପ/କବିତା ମାଧ୍ୟମରେ ଆପଣଙ୍କ କେଉଁ ବାର୍ତ୍ତା ରହିଥାଏ?
ସଂସାରେ ମନୁଷ୍ଯ ହେବା ଯେପରି କଷ୍ଟ, କବିଟିଏ ହେବା ପରେ ତତୋଧିକ କଷ୍ଟ । ଯେଉଁମାନେ କଲମ ମୁନରେ ସ୍ରୁଷ୍ଟି କୁ ନିୟନ୍ତ୍ରଣ କରନ୍ତି । କାନ୍ଦ ରେ ହସ ଫୁଟାନ୍ତି,ହସରେ ଲୁହରେ ଢାଳନ୍ତି ସେମାନେ କବି ।ଜୀବନକୁ ସରସ ଓ ମହତ୍ତ୍ବ କରିବା ନିମନ୍ତେ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ । ଜୀବନ ର ବିଭିନ୍ନ ଅନୁଭୂତି ହିଁ ସାହିତ୍ୟ ସ୍ରୁଷ୍ଟି ର ଏକ ପ୍ରଧାନଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଲେଖା ଗୁଡ଼ିକ ଏପରି ହେବା ଦରକାର କି ଛୁଆ ଠାରୁ ବୁଢା ଯାଏଁ ଯେ କେହି ବି ଲେଖାରେ ହଜିଯିବେ ଆଉ ମଜିଯିବେ । ଆମେ ଓଡ଼ିଆ, ଆମ ଜଗନ୍ନାଥ ବିଶ୍ଵ ପ୍ରସିଦ୍ଧ । ପ୍ରତେକ କାର୍ଯ୍ୟ ରେ ଆମେ ଓଡ଼ିଆ ଭାଷାକୁ ଗୁରୁତ୍ଵ ଦେଲେ ହିଁ ଆମ ଓଡ଼ିଆ ସାହିତ୍ୟ କୁ ଜୀବନ୍ତ କରି ରଖିବା । ଲେଖନୀ ଖୁବ୍ ସରଳ, ସାବଲୀଳ ଓ ମନମୁଗ୍ଧକର ହେବା ଉଚିତ୍ । ଲେଖନୀ ସବୁ ପଢିବା,ବୁଝିବା,ଶୁଣିବା ପାଇଁ କୌଣସି ଶିକ୍ଷା ସାହିତ୍ୟିକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକତା ନାହିଁ । କବିତା ହେଉ ଅବା ଗଳ୍ପ ସେଥିରୁ ଦୁଇପଦ ଯଦି ପାଠକଙ୍କୁ ଆନନ୍ଦ ଦେଇପାରିବ ତେବେ ଯାଇ ଲେଖନୀ ଶ୍ରମ ସାର୍ଥକ ହେବ । ଏହି ସବୁ ପ୍ରୟାସ ଜାରି ରଖିଲେ ଆମ ଓଡ଼ିଆ ସାମ୍ରାଜ୍ଯ, ଓଡ଼ିଆ ଭାଷା,ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ ଆହୁରି ଆଗକୁ ବଢିବ ।
ତାଙ୍କ ରଚନାରୁ କବିତା : ମୋ ପ୍ରଭୁ ଜଗନ୍ନାଥ
ଜଗତର ନାଥ ମୋ ପ୍ରଭୁ ଜଗନ୍ନାଥ
ସ୍ପନ୍ଦନ ମୋ ହୃଦୟର
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର
ପ୍ରଭୁ ହେ କଳାଠାକୁର ।
ଶ୍ରୀମୁଖ ତୁମର ଦେଖିଲା କ୍ଷଣି
ରୋଗ ଶୋକ ହୁଏ ଦୂର
ମୋ କଳା ଠାକୁର ଚିର ସୁନ୍ଦର
ଦିଶ ଅତି ମନୋହର ।
ଭାବକୁ ନିକଟ ଅଭାବକୁ ଦୂର
ତୁମେ ଭାବର ଠାକୁର
ଗରବ ଗଞ୍ଜନ ହେ କଳା ଠାକୁର
ବିଶ୍ୱାଧାରୀ ବଂଶୀଧର ।
ଦୟାମୟ ପ୍ରଭୁ କୃପା ଢ଼ାଳି ଦିଅ
ହେ କରୁଣା ସାଗର
ହାତ ଯୋଡ଼ି ପ୍ରଭୁ ପ୍ରାଥନା କରୁଛି
ଘେନ ପ୍ରଣତି ମୋହର ।
ସାରା ସୃଷ୍ଟିର ସ୍ରଷ୍ଟା ଅଟ ତୁମେ
ସବୁ ଲୀଳା ତୁମର
ଭକ୍ତ ପରାୟଣ ନିତ୍ୟ ନିରଞ୍ଜନ
ସତ୍ୟ ଶିବ ସୁନ୍ଦର ।
ସତ୍ୟ ନାରାୟଣ ପତିତପାବନ
ପରମ ବ୍ରହ୍ମ ପରାତ୍ପର
ବିଶ୍ୱ ବିହାରୀ ହେ ବିଶ୍ୱ ନିୟନ୍ତା
କର ଜଗତର ଉଦ୍ଧାର ।
Comments are closed.