ଓଡ଼ିଆ ସାହିତ୍ୟର କବିତା ଓ ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସବ୍ୟସାଚୀ ବିଷୋୟୀଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ଜାଣିନି କାହିଁକି ଆଗ୍ରହୀ ହେଲି। ବଣମୁଲକର ମଣିଷ ମୁଁ। ମୋ ଘର ନବରଙ୍ଗପୁର ଜିଲ୍ଲାର ଗୋଟିଏ ଆଦିବାସୀ ଗାଁ’ରେ । ସାହିତ୍ୟ କହିଲେ ସେ ଗାଁ’ ର ଦୂର ଦୂର ଯାଏଁ କୌଣସି ସମ୍ପର୍କ ନଥିଲା। ସ୍କୁଲରେ ପଢା ଯାଉଥିବା ସାହିତ୍ୟ ବହିରେ ନିଜକୁ ଖୋଜି ନପାଇବାର ଯନ୍ତ୍ରଣା ହିଁ ବୋଧେ ମତେ ସାହିତ୍ୟମନସ୍କ ହେବାକୁ ବାଧ୍ୟ କଲା। ଏହା ସହିତ ଈଶ୍ବରଙ୍କ ଆଶୀର୍ବାଦ ଥିଲା ଯେ ମୁଁ ଲେଖିବାର ସ୍ପୃହାଟିକେ ପାଇଲି।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ପ୍ରଥମେ ପ୍ରାୟ ସମସ୍ତେ କବିତା ଲେଖନ୍ତି। ମୁଁ ମଧ୍ଯ ପ୍ରଥମେ କବିତା ହିଁ ଲେଖିଲି। ସ୍କୁଲ କଲେଜ ପଢିବା ସମୟରେ ଅନେକ କବିତା ଲେଖିଛି କିନ୍ତୁ ୨୦୧୭ ମସିହାରେ ‘ପ୍ରେମ’ ଶୀର୍ଷକରେ ଗୋଟିଏ କବିତା ଲେଖିଥିଲି, ଯାହା ଚନ୍ଦନଧାରା ପତ୍ରିକାରେ ପ୍ରକାଶିତ ହୋଇଥିଲା। ପ୍ରଥମ କବିତା ପ୍ରକାଶିତ ହେବା ନିଶ୍ଚିତ ଖୁବ୍ ପ୍ରେରଣା ଯୋଗାଇଲା ଏବଂ ସେବେଠାରୁ ଆଜିଯାଏଁ ଅନେକ କବିତା ଲେଖି ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି। ‘ପ୍ରେମିକା’ କବିତା ସଙ୍କଳନଟେ ମଧ୍ୟ ଆଦିତ୍ୟ ଭାରତ ଦ୍ବାରା ପ୍ରକାଶିତ ହୋଇଛି ଓ ଲୋକ ସାହିତ୍ୟରେ ‘ଗୀତମାରା’ ଗୀତକୁଡିଆ ଗୀତ ସଙ୍କଳନ ଜନ ଶିକ୍ଷା ସାଧନ କେନ୍ଦ୍ର ଦ୍ଵାରା ୨୦୧୮ ମସିହାରେ ପ୍ରକାଶିତ ହୋଇଛି। ଖାଲି କବିତା ନୁହେଁ, ମୁଁ ଲୋକ ସାହିତ୍ୟର ଗବେଷଣାଧର୍ମୀ ନିବନ୍ଧ ମଧ୍ୟ ଲେଖେ।
କବିତା ଓ ନିବନ୍ଧ ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ମତେ କବିତାରେ ଆନନ୍ଦ, ବିଶ୍ବପ୍ରେମ ଏବଂ ଚିରନ୍ତନ ଚେତନା ଉପରେ ଲେଖିବା ପାଇଁ ଭଲ ଲାଗେ। ମୋ ଅଧିକାଂଶ କବିତାରେ ପ୍ରେମ ଓ ଦେଶପ୍ରେମ ରହିଥାଏ। ପ୍ରେମରେ ସାଶ୍ୱତ ଓ ଦେଶପ୍ରେମରେ ନିଃସ୍ବାର୍ଥ ଦେଶ ସେବାକୁ ମୁଁ ବିଶ୍ବାସ କରେ ଏବଂ ବ୍ରତ ବୋଲି ଭାବେ। ଏହା ଛଡା ନିବନ୍ଧରେ ମୁଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜୀବନ, ସଂସ୍କୃତି, ପରମ୍ପରା ଓ ଭାଷାକୁ ନେଇ ନିବନ୍ଧ ଲେଖେ, ଯାହା ମତେ ସନ୍ତୁଷ୍ଟ କରେ। ଆମ ମାଟିର ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଭାଷାର ମହନୀୟତା ସମସ୍ତଙ୍କ ସମ୍ମୁଖରେ ପ୍ରକାଶିତ ହେଉ ଏବଂ ତାର ବିଶ୍ବବନ୍ଦିତ ଜୀବନଶୈଳୀ ସମସ୍ତଙ୍କୁ ପ୍ରଭାବିତ କରୁ ଏହା ହିଁ ଚାହେଁ ଓ ଲେଖେ।
ତାଙ୍କ ରଚନାରୁ କବିତା : ଭୂସ୍ୱର୍ଗ
ଦେଓମାଳି ଗୋ…
ତୋ ନଭଶ୍ଚୁମ୍ବୀ ସୁଲିଆ ମଥାର
ଉପମା ପାଇଲି ନାହିଁ
କହ !କେଉଁ ଶବ୍ଦ ନେଇ
ତୋ ପାଇଁ କବିତା ଲେଖିବି ?
ତୋ ଆଦିମ ଦେହରେ
ଚିହ୍ନା ମାଟିର ଗନ୍ଧ,
କାହିଁ କେତେ ଯୁଗର
ପଥୁରିଆ ସ୍ଥିରତା,
ତୁ କଡ଼ ଲେଉଟାଇଲେ
କଟିରୁ ଫିଟି ପଡେ
ମେଘୁଆ ପାଟର ରଙ୍ଗ,
ଯେବେ ବି ତୋତେ ଦେଖେ ଦେଓମାଳି,
ତୁ କେବଳ ସଧବା ସଧବା ଲାଗୁ ।
ହଁ ଗୋ…..
ତୋ ଯୌବନକୁ,
ତୋ ସୌନ୍ଦର୍ଯ୍ୟକୁ,
ତୋ ସୌଭାଗ୍ୟକୁ,
କାହାର ନଜର ନଲାଗୁ
ତୁ ଅନନ୍ତ କାଳ ଯାଏଁ ଚମକୁ ଥା’
ପୁନେଇଁ ରାତିର ଜହ୍ନଟେ ଭଳି ।
Comments are closed.