Latest Odisha News

BREAKING NEWS

ମୋ କବିତା, ଏକୁଟିଆ ଲୋକର ମନର କଥା : ଭାରତ ମାଝୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ଭାରତ ମାଝୀ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା ।

ହାଇୱେରେ କୁହୁଡ଼ି, ମାର୍ଫତ ଫୁଟପାଥ, ଭାରତ ମାଝୀ ଡଟ କମ, ମହାନଗର ପଦ୍ୟ, ମାଝୀ ଗୀତ, ମୂର୍ତ୍ତିକାର, ସରଳ ରେଖା, ଆଗାଧୁ ଦୁଆରୀ ଇତ୍ୟାଦି କବିତା ସଙ୍କଳନର ସେ ଜଣେ ସଫଳ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ସୃଷ୍ଟିର ସଂଜ୍ଞା କ’ଣ ?

ଜାଣିନି । କେଉଁ ସୃଷ୍ଟିର କଥା କହୁଛନ୍ତି ଯେ ? ସ୍ପଷ୍ଟ କଲେ ସିନା କହିବି । ସୃଷ୍ଟି ମାନେ ମୁଁ ବୁଝେ ସହାବସ୍ଥାନ ଛପନ କୋଟି ଜୀବଙ୍କ ସହାବସ୍ଥାନ । ବାକି ବ୍ରହ୍ମା କହିପାରିବେ, ଯଦି ଆପଣ ତାକୁ ବିଶ୍ୱାସ କରନ୍ତି ।

କବିତା ଶବ୍ଦର ବର୍ଣ୍ଣନା କିପରି କରିବେ ?

ମୋ ଭିତରଟା ଖୁବ୍ ଏକୁଟିଆ । ସେ ଏକୁଟିଆ ଲୋକର ମନର କଥା ମୋ କବିତା । ଏ ଶବ୍ଦ ମୋତେ ନିଜର ନିଜର ଲାଗେ । ମୋ ଏକ୍ଲାପଣର ଲୋରୀ ବୋଧେ କବିତା ।

“ଭାରତ ମାଝୀ ଡଟ୍ କମ୍‌” ଆପଣଙ୍କ ଏକ କବିତା ସଙ୍କଳନର ନାଁ । ଏପରି ନାମକରଣ କାହିଁକି କଲେ?

ମୋର ଗୋଟେ କବିତା ଥିଲା ଆଟ୍ ଜି-ମେଲ୍ ଡଟ୍ କମ୍ । ମୋର ପିଲାଦିନର ଜଣେ ସାଙ୍ଗ ମୋତେ ଥରେ ଗୋଟେ ମେଲ୍ କରିଥିଲା । ସେ ଯାହା ଯାହା ଲେଖିଥିଲା, ତାକୁ ଫାନ୍ଦି ସେ କବିତାଟି କରିଥିଲେ । ପୂରା କବିତାରେ ତା କଥା ହିଁ ଥିଲା । ସେ କବିତା ପତ୍ରିକାରେ ପ୍ରକାଶ ପାଇବା ପରେ ବହୁତ ଲୋକ ପସନ୍ଦ କରିଥିଲେ । ତାକୁ ମନରେ ରଖି ଏମିତିଆ ଗୋଟେ ସଙ୍କଳନର ନାଁ ରଖିବାକୁ ଗଲି । ମୋର କୌଣସି ବି ସଙ୍କଳନର ନାଁ ପଛରେ ସେମିତି କିଛି ବଡ କାରଣ ନଥାଏ । ସେଥିପାଇଁ ତ ମୋର ଗୋଟେ କବିତା ସଂକଳନର ନାଁ “ଢୋ” ।

ଆପଣଙ୍କ କବିତାରେ ଉତ୍ତର ଆଧୁନିକତାର ସ୍ୱର କେତେ ଗଭୀର ବୋଲି ଆପଣ ଭାବନ୍ତି ?

ପ୍ରକୃତରେ ସେ ଉତ୍ତର-ଆଧୁନିକତାଟି କ’ଣ, ମୁଁ ଏଯାଏ ଜାଣିନି । ମୋ କବିତାରେ ସେ ସ୍ୱର ଅଛି କି ନାଇଁ, ପୁଣି ଗହୀରିଆ କି ହାଲୁକା, ଜାଣିଲେ କହିପାରିବେ । ଉତ୍ତର-ଆଧୁନିକତା ସମ୍ପର୍କରେ ପାଠଶାଠ ପଢିଥିବା ପାଠକ କହିପାରିବେ । ଆପଣ ବି କହି ପାରନ୍ତି ।

ଓଡିଆ ସାହିତ୍ୟରେ କବିତାର ପ୍ରଭାବ କେମିତି?

ଓଡିଆ ସାହିତ୍ୟରେ କବିତା ସବୁବେଳେ ଆଗରେ, ମୋର ନିଜସ୍ୱ ମତ ।

ସ୍ରଷ୍ଟାର ସୃଷ୍ଟିକୁ ନକରାତ୍ମକ ମତାମତ ଏବଂ ପ୍ରଶଂସା କେତେ ମାତ୍ରାରେ ପ୍ରଭାବିତ କରେ?

ମୋତେ ସ୍ରଷ୍ଟା ଭାବି ଏ ପ୍ରଶ୍ନ ଯଦି କରିଛନ୍ତି, ତେବେ ମୁଁ କହିବି, ମୋତେ ଦୁଇଟା ଯାକ ମଜା ଲାଗେ । ପ୍ରଶଂସକ ଓ ଗାଳି କରୁଥିବା ପାଠକ, ଉଭୟ ମହାନ, ମୋ ଲାଗି, ଯଦି ସେମାନେ ସତସତିକା ମତେ ପଢିଛନ୍ତି । ଯେହେତୁ ପ୍ରଶ୍ନଟି ସର୍ବସାଧାରଣଙ୍କୁ କଲା ଭଳି ପଚାରିଛନ୍ତି ତେଣୁ ଅନ୍ୟ ସ୍ରଷ୍ଟାଙ୍କ କଥା ସେମାନେ କହିପାରିବେ । ନୁହେଁ କି ?

କବିତା ଲେଖିବା, କବି ବୋଲି ପାଠକୀୟ ସ୍ୱୀକୃତି ପାଇବା ପର୍ଯ୍ୟନ୍ତ ଯାତ୍ରା ବିଷୟରେ କିଛି କୁହନ୍ତୁ ?

ପିଲାବେଳେ ଘୁମୁରା ଗୀତ ଲେଖୁଥିଲି । ପରେ ପରେ ମୁକ୍ତଛନ୍ଦ କବିତା । ଏତକ ହିଁ ମୋ ଯାତ୍ରା । ନିଜ ବାଗ ବାଛିବାକୁ ମୁଁ ପସନ୍ଦ କରେ ଓ ସେ ବାଟରେ ଚାଲିଚି । ଏଇତ ଯାତ୍ରା ଆରମ୍ଭ ।

ଅନୁଭୂତିକୁ ସାଉଁଟି ରୂପ ଦେବା ସହଜ ନା କଳ୍ପନାରେ ରଙ୍ଗ ଭରିବା ସହଜ ?

ଅନୁଭୂତି ନଥିଲେ କଳ୍ପନା କାଇଁ ? କଳ୍ପନାରେ କେତେଦିନ ଘୋଡା ଚଢି ବୁଲିବେ ? ଅନୁଭୂତି ନଥିଲେ କବିତା କାଇଁ  ? କଳ୍ପନାରେ ରଙ୍ଗ ଭରି ମୋତେ ଆସେନି । କଳ୍ପନାର ପୃଥିବୀ ବି ମୋ ପସନ୍ଦ ନୁହେଁ । ଲଢୁଆ ଓ ବାସ୍ତବ ପୃଥିବୀ ମୋତେ ଭଲ ଲାଗେ ।

ଓଡିଆ ସାହିତ୍ୟରେ କବିତା ଅପେକ୍ଷା ଗପର ପ୍ରଭାବ ଅଧିକ ବୋଲି କୁହାଯାଏ । ସେ ବିଷୟରେ କ’ଣ କହିବେ?

ମୁଁ ସେ ବିଷୟରେ ସତରେ କିଛି କହିପାରିବି ନାହିଁ । କାରଣ ମୁଁ ଏତେ ତୁଳନାତ୍ମକ ଅଧ୍ୟୟନ କରିନାହିଁ । ମୋତେ ଆସେନି ବି । ତେବେ ଓଡିଆରେ କେଡେ କେଡେ ଚମତ୍କାର ଗପସବୁ ଲେଖାହୋଇଛି, ଏବେ ବି ଲେଖାହେଉଛି । ସମସ୍ତେ ମୋ ପରିବାରର, ସିଏ କବି ହୁଅନ୍ତୁ କି କଥାକାର ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ?

ମଣିଷକୁ ପଢନ୍ତୁ ।

Leave A Reply

Your email address will not be published.