ସମକାଳୀନ ଓଡ଼ିଆ ସାହିତ୍ୟର ଯୁବ ଲେଖକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ଶବ୍ଦ ବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରସଂଶା କରିବାପାଇଁ।
ତାଙ୍କ ରଚିତ ପୁସ୍ତକ, ତାପମାତ୍ରା , ଡମ୍ବରୁ ଓ ଅନ୍ୟାନ୍ୟ ଗଳ୍ପ , ଶବ୍ଦର ସୀମାରେଖା , ଈଶ୍ୱର ! ମାଫକର ! ପ୍ରଭୃତି ପାଠକଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ । ସାହିତ୍ୟ ସର୍ଜନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର “ଆଳାପ”
କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?
ପଞ୍ଚମ ଶ୍ରେଣୀରେ ପଢିବାବେଳଠୁ ପାଠ ବାଦ୍ ଅନ୍ୟ ବହି, ପତ୍ରପତ୍ରିକା ପଢିବା ପ୍ରତି ମୁଁ ଭୀଷଣ ଭାବେ ଆଗ୍ରହୀ ହୋଇ ପଡିଥିଲି । ଏହି କ୍ରମରେ ରାମକୃଷ୍ଣ ମିଶନ ଦ୍ବାରା ପ୍ରକାଶିତ ବିବେକାନନ୍ଦଙ୍କ ସମ୍ପର୍କିତ ଯାବତୀୟ ଚଟି ବହି, ପ୍ରେମଚନ୍ଦଙ୍କ କାହାଣୀମାଳା, ଦସ୍ୟୁ ରତନ ସିରିଜର ଡିଟେକଟିଭ ବହି( ଅବଶ୍ୟ ଲୁଚେଇ) ପଢି ସାରି ଦେଇଥିଲି। ପାଠ୍ୟରେ ପ୍ରଚଳିତ ସାହିତ୍ୟ ବହି ଥିଲା ମୋର ଅତି ପ୍ରିୟ। ସାହିତ୍ୟ ପ୍ରତି ଅନୁରାଗ କ୍ରମଶଃ ବଢି ବଢି ଚାଲୁଥିଲା । ହେଲେ ଦିନେ ଯେ ନିଜେ ଲେଖାଲେଖି କରିବି ଏହା ସେତେ ବେଳେ ବିଲକୁଲ ଭାବିନଥିଲି। ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଟ୍ରେନ ଦୁର୍ଘଟଣାକୁ ନେଇ ଗୋଟେ ବିଷୟ ଥିଲା ‘ଲୌହ ଦାନବର ରକ୍ତ ଭୋଜି’। ମେଳା ଦେଖି ଟ୍ରେନ ଲାଇନରେ ଚାଲିଚାଲି ଫେରୁଥିବା କିଛି ଶିଶୁ ଓ ବଡ଼ଲୋକଙ୍କ ଉପରେ ଟ୍ରେନ ମାଡିଯିବା ଭଳି ଏକ ହୃଦୟବିଦାରକ ଘଟଣା ଏହାର ଥିଲା ବିଷୟବସ୍ତୁ। ଏ ଲେଖା ପଢି ଆଖିରେ ଲୁହ ଆସିଥିଲା, ଛାତି କୋରି ହେଇଯାଇଥିଲା। ଏ ଲେଖାର ଲେଖକ କିଏ ଥିଲେ ଉଲ୍ଲେଖ ନଥିବାରୁ ଜାଣିବାର ସୁଯୋଗ ଆଜିଯାଏ ମିଳିନି। ନିର୍ଦ୍ଦିଷ୍ଟ ଭାବେ କେଉଁ ଲେଖକଙ୍କ ଲେଖା ମତେ ସାହିତ୍ୟମନସ୍କ କରିଛି ଜାଣେନା, ସମ୍ଭବତଃ ସେଇ ଲେଖା।
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
ମୋର ପ୍ରଥମ ପ୍ରକାଶିତ ଲେଖା ଥିଲା ଏକ ଶିଶୁ କବିତା। ଯାହାକି ‘ମୀନାବଜାର’ର ୧୯୯୯ ମସିହା ସେପ୍ଟେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲା। ମୋ ଭାଣିଜୀକୁ ନେଇ ଲିଖିତ କବିତାର ଶୀର୍ଷକ ଥିଲା ‘ସୁନାଝିଅ ମାମା’। ଯେଉଁଦିନ ଡାକ ଯୋଗେ ମୋ ପାଖରେ ମୀନାବଜାର ପହଞ୍ଚିଲା ସେଦିନ ଏକ ସମ୍ଭ୍ରାନ୍ତ ପତ୍ରିକାରେ ଛାପା ଅକ୍ଷରରେ ମୋ ଲେଖା ଦେଖି ବିହ୍ବଳ ହୋଇଥିଲି।ଘରଲୋକେ ଓ ବନ୍ଧୁବାନ୍ଧବ ବହୁତ ଖୁସି ହୋଇଥିଲେ। ଲେଖା ଯଦି ଭଲ ହେଇଥିବ ତାହେଲେ ଭଲ ପତ୍ରିକାରେ ଛପା ହେବାରେ କୌଣସି ଅସୁବିଧା ନାହିଁ ବୋଲି ସେଦିନ ଉପଲବ୍ଧି ହୋଇଥିଲା।
କବିତାର ଭାବ ନା ଗଳ୍ପର କଳେବର, କେଉଁଥିରେ ଆପଣ ଅଧିକ ସନ୍ତୁଷ୍ଟ ?
କବିତା ଅଳ୍ପରେ ଅନେକ କଥା କହିଥାଏ,କବିତାରେ କୁହାଯାଇପାରୁଥିବା କଥା ଗଳ୍ପର ବିରାଟ କାନଭାସରେ ବି ବେଳେ ବେଳେ କହିହୁଏ ନାହିଁ। ପୁଣି କେତେବେଳେ କହିବାକୁ ଥିବା କଥା ପ୍ରକାଶ କରିଵାକୁ କବିତା ପର୍ଯ୍ୟାପ୍ତ ହୁଏ ନାହିଁ, ଏକ ବିରାଟ ବ୍ୟାଖ୍ୟାନର ଆବଶ୍ୟକତାରୁ ଗପରେ ପରିଣତ ହୋଇଯାଏ। ଉଭୟରେ ମୋର ରୁଚି, ତେବେ ଗପକୁ ନେଇ ମୁଁ ଅଧିକ ସନ୍ତୁଷ୍ଟ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ସାମାଜିକ ଗଣମାଧ୍ୟମର କଥା ଯେତେବେଳେ ଉଠୁଛି ଏହା ଏକ ସ୍ପର୍ଶକାତର ବିଷୟ। ତଥାପି ଏ ପ୍ରଶ୍ନର ଉତ୍ତର ଦେବାବେଳେ ମୁଁ ନିଷ୍ଠୁର ହେବି। ଆଜି ବି ସାହିତ୍ୟର ସୌନ୍ଦର୍ଯ୍ୟ ଛପା ପତ୍ରିକାରେ ନିହିତ। ଜଣେ ଲେଖକ ମୁଦ୍ରଣକୁ ନିଶ୍ଚୟ ଆସିବା ଉଚିତ। ସୋସିଆଲ ମିଡିଆ ରାଜନୀତି,ସାମାଜିକ ଘଟଣା,ଖବର ଓ ଅନେକ ପ୍ରସଙ୍ଗର ଏକ ମୁକ୍ତ କ୍ଷେତ୍ର। କେବଳ ସାହିତ୍ୟ ପାଇଁ ଏହା ଆଦୌ ଉଦ୍ଦିଷ୍ଟ ନୁହେଁ ଆମେ ଜାଣି ରଖିବା ଉଚିତ। ଲେଖା ପୋଷ୍ଟର ଦି ସେକେଣ୍ଡ ପରେ ଆସୁଥିବା କମେଣ୍ଟକୁ ନେଇ,ଦଶମିନିଟ ମଧ୍ୟରେ ପଚାଶ କମେଣ୍ଟ, ଶହେ ଲାଇକକୁ ନେଇ ଆମେ ଆଦୌ ସିରିୟସ ନହେବା ଭଲ। ଏସବୁ ଉପରଠାଉରିଆ। ତେବେ ଭଲ ଲେଖାର ସ୍ବରାୟନ, ଦୃଶ୍ୟାୟନ ସମ୍ବଳିତ ପୋଷ୍ଟ ଅଧିକ ହେବା ଆଜିର ସମୟର ଆହ୍ବାନ। ଏଗୁଡିକ ଅଧିକ ହେବା ଜରୁରୀ। ସୋସିଆଲ ମିଡିଆରେ ବହୁତ ଭଲ ଲେଖା ବେଳେ ବେଳେ ମିଳିଯାଏ । ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର ରହିଛି ସୋସିଆଲ ମିଡିଆରେ ଲେଖିବାର ମାତ୍ର ଲେଖା ନାଁରେ ଆବର୍ଜନା ଛଡାନଯାଉ। ସାହିତ୍ୟ ସହ ସାହିତ୍ୟିକଙ୍କ ଚେହେରା ଓ ତାଙ୍କର ବ୍ୟକ୍ତିଗତ ଜୀବନଚର୍ଯ୍ୟା ବି ଆମ ମୋବାଇଲ ସ୍କ୍ରିନରେ ଆସିଯାଏ। ଏଠି ସାହିତ୍ୟିକ ଗାମ୍ଭୀର୍ଯ୍ୟକୁ ଭେଦ କରି ସବୁକିଛି ସ୍ବଛନ୍ଦ,ସହଜ ହେଇଯାଏ। ଆମେ ସମସ୍ତେ ଭାବୁ ଗୋଟିଏ ଭାଡିର ପାରା ପୁଣି ହଠାତ ବିଭିନ୍ନ ପ୍ରସଙ୍ଗରେ ମତାନ୍ତର ହେଇ ଭାଡି ଅଶାନ୍ତ ହୋଇଯାଏ। ତେବେ ସାହିତ୍ୟକୁ ଜନାଭିମୁଖୀ କରିବାରେ ଓ ସାହିତ୍ୟ ପ୍ରତି ନୂଆପିଢିଙ୍କୁ ମନୋଯୋଗୀ କରିବାରେ ସୋସିଆଲ ମିଡିଆର ଅବଦାନ ସ୍ବୀକାର୍ଯ୍ୟ।
ଆଜିକାଲି ସାହିତ୍ୟରେ ଅଶ୍ଳୀଳତା ପଶିଲାଣି ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?
ହିନ୍ଦୀ ଔପନାସିକ ଫଣୀଶ୍ବର ନାଥ ରେଣୁ ଠାଏ ଉଲ୍ଲେଖ କରିଥିଲେ ମୋ କାହାଣୀର ପାତ୍ରପାତ୍ରୀ ଯଦି ଅଶ୍ଲୀଳ ଗାଳିରେ କଥାହବା କାହାଣୀର ଆବଶ୍ୟକତା ତାହେଲେ ମୁଁ ତାହାହିଁ ଲେଖିବି। ବଡ଼କଥା ହେଉଛି କାହାଣୀ କଣ ଚାହୁଁଛି ଏବଂ ସେଥିରେ ସଂଯୋଜିତ ଚରିତ୍ର କେଉଁ ବର୍ଗକୁ ପ୍ରତିନିଧିତ୍ବ କରୁଛନ୍ତି। ଭାଷା ସେହିଭଳି ହେବା ଜରୁରୀ। ଶ୍ଲୀଳ,ଅଶ୍ଳୀଳ ଏକ ସମୟଖଣ୍ଡର ପ୍ରୟୋଗ ନୁହେଁ।
ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?
କୁହାଯାଇ ପାରିବ ଭଲ ଲେଖା ହିଁ ଲେଖକକୁ ପରିଚିତି ଆଣେ। ପୁରସ୍କାର ଲେଖକକୁ ପ୍ରୋତ୍ସାହିତ କରେ। ନିଜ ବାଟରେ ଆସୁଥିବା ପୁରସ୍କାର ସବୁବେଳେ ଉତ୍ସାହପ୍ରଦ। ଉଦ୍ୟମ ବଳରେ ମିଳୁଥିବା ପୁରସ୍କାର ସାମୟିକ ଭାବେ ଚର୍ଚ୍ଚିତ କରେ ସତ ଏହା କିନ୍ତୁ ସାହିତ୍ୟିକ ଶଠତା। ପୁରସ୍କାର ସବୁବେଳେ ଏକ ବିତର୍କିତ ବିଷୟ। ଗୋଟିଏ ପଟେ ପ୍ରୋତ୍ସାହନ,ଅଭିନନ୍ଦନ ଆଉ ଗୋଟେ ପଟେ ବିବାଦ ଓ ବିଷୋଦଗାର।
ତାପମାତ୍ରା ‘ ଆପଣଙ୍କର ଏକ ଚର୍ଚ୍ଚିତ ଗଳ୍ପ ସଙ୍କଳନ । ସେ ବିଷୟରେ କିଛି କହିବେ ?
ଦୀର୍ଘ ଅନ୍ତର ପରେ ପ୍ରକାଶିତ ମୋର ତୃତୀୟ ଗଳ୍ପ ସଂକଳନ ହେଉଛି ‘ତାପମାତ୍ରା’ । ସତ୍ୟ ପଟ୍ଟନାୟକଙ୍କ କର୍ତ୍ତୃକ ବ୍ଲାକ ଇଗଲ ବୁକ୍ସ ଏହାର ପ୍ରକାଶକ। ବହିଟି ଭଲ ବିକ୍ରିବଟା ହୋଇଥିବା ଜାଣିବାକୁ ପାଇଛି। ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ଜଣେ ଛାତ୍ରୀ ଏ ସଂକଳନକୁ ନେଇ ପରୀକ୍ଷାରେ ଏକ ନିବନ୍ଧ ପ୍ରସ୍ତୁତ କରିଥିବା ଖବର ଆନନ୍ଦ ଦେଇଥିଲା। ଅନେକ ପତ୍ରପତ୍ରିକାରେ ଏହାର ସମୀକ୍ଷା ବି ସ୍ଥାନିତ ହୋଇଛି। ଫୋନରେ ବହୁ ମତାମତ ବି ପାଇଛି। ଏଥିରେ ମୋଟ ୧୨ଟି ଗଳ୍ପ ରହିଛି। ବହିଟିର ଭଲ ରେସପନ୍ସ ମୋ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି।
ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?
ପାଠକଙ୍କ ନକରାତ୍ମକ ପ୍ରତିକ୍ରିୟାକୁ ମୁଁ ସ୍ବାଗତ କରେ।ଶହେଟି ପ୍ରଶଂସାମୂଳକ ମତାମତ ଠାରୁ ଗୋଟିଏ ନକରାତ୍ମକ ମତାମତର ଓଜନ ଅଧିକ। ଖୁଣ ବାହାର କରୁଥିବା ପାଠକହିଁ ପ୍ରକୃତ ପାଠକ।
ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣଙ୍କର ଯୋଜନା କ’ଣ ?
ସାହିତ୍ୟକୁ ନେଇ ମୋର ଭବିଷ୍ୟତ ଯୋଜନା କିଛି ନାହିଁ। ମୁଁ ଜଣେ ନିରୁତା ଲେଖକ ଓ ପାଠକ। ସାହିତ୍ୟ ସଂଗଠକ, ଉତ୍ସବ ଆୟୋଜକ, ପୁରସ୍କାର ପ୍ରଦାୟକ ଭାବେ ମୋର କୌଣସି ଦକ୍ଷତା ନାହିଁ କି ସେ ଦିଗରେ ଆଗ୍ରହ ବି ନାହିଁ। ଲେଖିବା ଓ ଭଲ ଲେଖିବାକୁ ଚେଷ୍ଟା କରିବା ହିଁ ମୋର ଏକମାତ୍ର ଲକ୍ଷ୍ୟ ଥାଉ।
ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ସମସାମୟିକ ଲେଖକଙ୍କୁ ବାର୍ତ୍ତା ! ଏହା ଏକ ଧୃଷ୍ଟତା ହେବ। ଆମେ ସମସ୍ତେ ଏକ ସରୁଗଳିର ପଥିକ। ହାତ ଧରାଧରି ହେଇ ଚାଲିବା ସମ୍ଭବ ନୁହେଁ, ଦେହକୁ ଦେହ ବାଜିବ। ଆସନ୍ତୁ ଆଗପଛ ହେଇ ଚାଲିବା କିଏ ଆଗକୁ ଚାଲି ଗଲେ ମନଦୁଃଖ କରିବା ନାହିଁ କି ନଚାଲି ଅଟକି ଯିବାନି।
Comments are closed.