ଓଡ଼ିଆ ସାହିତ୍ୟ ଜଗତରେ ଲଳିତ ମୋହନ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ। ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କ କାହାଣୀର ଶବ୍ଦବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା କରିବା ପାଇଁ। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।
ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଲଳିତ ମୋହନ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’
ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ ଉତ୍ସ କ’ଣ ଥିଲା ?
ମୋର ଆଦର୍ଶ ମୋର ନନା । ନନାଙ୍କର ବ୍ୟବହାରରେ କଥୋପକଥନରେ ଉଚ୍ଚ କୋଟୀର ଶଦ୍ଦ ପ୍ରୟୋଗ ପିଲା ଦିନରୁ ସାହିତ୍ୟ ପ୍ରତି ମୋତେ ଆକୃଷ୍ଟ କରିଥିଲା । ଆମ ଘରକୁ ଦୈନିକ ଖବର କାଗଜ ସମାଜ ଆସେ, ନନା ସେଥିରୁ ସମ୍ପାଦକୀୟ ପୃଷ୍ଠା, ଗଳ୍ପ, କବିତା, ପ୍ରବନ୍ଧ ସମାଲୋଚନା ଇତ୍ୟାଦି ପଢନ୍ତି । ଅନ୍ଯକୁ ପଢିବା ପାଇଁ ପରାମର୍ଶ ଦିଅନ୍ତି । ସେବେଠାରୁ ମୋର ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ବୃତ୍ତିଗତ ଜୀବନରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ପଢାଇଲା ବେଳେ କିଛି ଲେଖିବା ଲେଖାଇବା ଅଭ୍ୟାସ ଥାଏ । ଏତଦ୍ ବ୍ଯତୀତ ଜଣେ ଓଡ଼ିଆ ସାହିତ୍ୟ ଶିକ୍ଷକ ଭାବରେ କିଛି ନୂଆ କରିବାର ପ୍ରେରଣା ପାଇଥିଲି । ମୋର ଜଣେ ଶିକ୍ଷକ ବନ୍ଧୁ କବିତା ଲେଖନ୍ତି । ମୋତେ ଶୁଣାନ୍ତି । ସଂଶୋଧନ କରିବାକୁ ଦିଅନ୍ତି । ସାହିତ୍ୟ ଆସରକୁ ଯିବାକୁ ଲୋଡନ୍ତି । ତାଙ୍କର ପ୍ରେରଣା ମୋତେ ଲେଖିବାର ଖୋରାକ ଯୋଗାଇ ଥିଲା । ମନ ଭିତରେ କେଉଁଠି ନା କେଉଁଠି ସାହିତ୍ୟ ସର୍ଜନା ପାଇଁ ସ୍ଥାନଟିଏ ଥାଏ, ଅଲକ୍ଷ୍ୟରେ ଡେରିରେ ହେଲେ ମଧ୍ୟ ଆପେ ଆପେ ତିଆରି ହୋଇ ଯାଇଥିଲା ସେହି ସାଧନା ।
ଗଳ୍ପ ଓ କବିତା ଉଭୟ ଲେଖନ୍ତି ତେବେ ଆତ୍ମତୃପ୍ତି କେଉଁଠି ଅଧିକ ?
ମୋତେ ଲାଗେ ଗପର ଭାଷା ସରଳ ଓ ବୋଧଗମ୍ୟ । ଦୈନନ୍ଦିନ ଜୀବନରେ ଆମ ଚାରିପାଖରେ ଘଟୁଥିବା ଘଟଣାବଳୀକୁ ବର୍ଣ୍ଣନା କରି, ଶଦ୍ଦ ଓ ଭାଷା ମାଧ୍ୟମରେ ଗଳ୍ପର ରୂପ ଦେଇ ଏକ ସଚେତନତାର ବାର୍ତ୍ତା ଦେବା ହେଉଛି କାହାଣୀ । କବିତା ଭାବ ସମ୍ବଳିତ । କବିତାର ଗଭୀରତାକୁ ଭେଦିବା ଅନେକଙ୍କ ସାମର୍ଥ୍ୟ ବାହାରେ। ହୃଦୟର ଗଭୀରତାରୁ ଲହୁ ଲୁହାଣ ହୋଇ ବାହାରୁଥିବା ଦୀର୍ଘଶ୍ବାସର ଭାଷା ସହଜ ହୋଇ ପାରେନା। ଗପ ତୁଳନାରେ କବିତାକୁ ବୁଝିବା… ବେଳେ ବେଳେ କଷ୍ଟ ହୋଇପଡେ। କବିତାର ଭାବ ଆକର୍ଷିତ-ପ୍ରବାହିତ ଓ ସମର୍ପିତ । ଅପ୍ରାପ୍ତି ଭିତରେ ପ୍ରାପ୍ତି ଓ ଅପ୍ରେମ ଭିତରେ ପ୍ରେମ ହିଁ କବିତାର ଅନ୍ତଃସ୍ୱର। ଅପୂର୍ଣ୍ଣତାରେ ବି ପରିପୂର୍ଣ୍ଣ କାବ୍ୟ ଜଗତ । ଗଲ୍ପ ଓ କବିତା ଦୁଇଟି ଯାକ ଲେଖୁଥିଲେ ମଧ୍ୟ ମୋତେ ଗଲ୍ପ ରଚନାରେ ମୋତେ ଅଧିକ ଆନନ୍ଦ ମିଳେ ।
ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?
ଜୀବନ ଆମକୁ ଯେଉଁସବୁ ଆହ୍ୱାନର ସମ୍ମୁଖୀନ କରାଏ ତାହା ହେଉଛି ସାହିତ୍ୟ । ଏନ୍ତୁଡ଼ିରୁ ଜୁଇ ଯାଏଁ ଜୀବନ । ଏହା ଭିତରେ ସାହିତ୍ୟର ସୃଷ୍ଟି । ସାହିତ୍ୟ ନ ଥିଲେ ଜୀବନ କାହିଁ ? ଜୀବନ ବିନା ସାହିତ୍ୟ ସମ୍ଭବ ନୁହେଁ। ସାହିତ୍ୟ ଆମକୁ ପରିଚିତ କରାଏ, ବିଶ୍ୱର ରହସ୍ୟ ସହିତ । ସାହିତ୍ୟ ଜୀବାନୋତ୍ତିର୍ଣ୍ଣ ବୃହତ୍ତର ଭାବନା ଓ କଲ୍ୟାଣତମ ସତ୍ୟକୁ ଅନୁଭବ କରାଏ । ମାନବିକ ମୂଲ୍ୟବୋଧର ସମ୍ବେଦନଶୀଳ ଭାବନା ଓ ବିପୁଳ ଆନ୍ତରିକତା ହିଁ ସାହିତ୍ୟ ବୋଲି ମୋର ମନେହୁଏ । ଦେହ ଓ ନିଃଶ୍ବାସ ପରି ସାହିତ୍ୟ ଓ ଜୀବନ ପରସ୍ପର ସହିତ ଜଡ଼ିତ । ଯେଉଁଠି ଜୀବନ ସେଇଠି ସାହିତ୍ୟ । ସାହିତ୍ୟରେ ଜୀବନ ଗୋଟେ କାହାଣୀ । ଜୀବନରେ ସାହିତ୍ୟ ହିଁ ଭୁଲ୍ ଠିକ୍ ର ପ୍ରତିଛବି ଦେଖାଏ। ସମୟ, ସଭ୍ୟତା, ସହ ସମାଜର ପ୍ରତିଟି ଦିଗକୁ ସାହିତ୍ୟ ହିଁ ପହଞ୍ଚାଇଥାଏ। ତେଣୁ ସେଥିରେ ଜୀବନ ଥାଏ, ଆଉ ଦର୍ଶନ ଥାଏ । ସମାଜର ଏଇ ସାହିତ୍ୟ ଦର୍ପଣରେ ଉତ୍ତରଦାୟାଦ ଦେଖେ ପୂର୍ବସୁରୀ ମାନଙ୍କର ସାମାଜିକ, ଆର୍ଥିକ,ଆଧ୍ୟାତ୍ମିକ, ସାଂସ୍କୃତିକ ଏବିନୈତିକ ଏ ସମସ୍ତ ଦିଗର ପ୍ରତିବିମ୍ବ । ତା’ ସହ ଦେଖେ ଓ ଲେଖେ ବର୍ତ୍ତମାନକୁ, ଅନୁଭବକୁ ଓ ନିଜକୁ।
ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ କିପରି ହେବା ଆବଶ୍ୟକ ?
ଲେଖକଟିର ସାମାଜିକ ଦାୟିତ୍ବବୋଧ ନିଶ୍ଚିତ ଭାବରେ ରହିଛି । ସେ ଆବଡ଼ା ଖାବଡା ପଥରକୁ ତାର କୁରାଢୀରେ ସାଇଜ୍ କରି ସେଥିରେ ସମ୍ଭାବନା ସୃଷ୍ଟି କରେ । ପାଠକଟିକୁ ଈଶ୍ବରଙ୍କ ନିକଟରେ ହୃଦୟରୁ ସଶ୍ରଦ୍ଧ ହେବା, ସମ୍ମାନ ଦେବା, ଶ୍ରଦ୍ଧାଶୀଳ ଓ ଅନୁରାଗୀ ହେବା ପାଇଁ ଦିଶା ନିର୍ଦ୍ଦେଶ କରେ । ନିଜକୁ ବିଶ୍ଳେଷଣ କରେ । ବାରମ୍ବାର ନିଜର ତ୍ରୁଟି ସଂଶୋଧନ କରିବାର ଅବସର ସୃଷ୍ଟି କରେ । ତା ଦ୍ବାରା ଅନ୍ୟକୁ ପ୍ରଭାବିତ କରେ, ଆକର୍ଷିତ କରେ । ସାମାଜିକ ଦାୟିତ୍ବବୋଧ ପ୍ରତ୍ୟେକ ମନୁଷ୍ୟର ରହିବା ଦରକାର । ଲେଖକଟିଏ ସମାଜ ସଂସ୍କାର ପାଇଁ ମାଧ୍ୟମ ହୋଇପାରେ କିନ୍ତୁ ସେ ଏକା କରି ପାରିବ ନାହିଁ । ତାର ଦାୟିତ୍ବବୋଧ ରହିଛି ତା ସହିତ ଅନ୍ୟ ମାନଙ୍କର ସହଯୋଗ ଆବଶ୍ୟକ। ତାର ଲେଖା ମାଧ୍ୟମରେ ଜନସାଧାରଣଙ୍କୁ ପ୍ରଭାବିତ କରାଇବ । ଜନ ସଚେତନତା ଦ୍ବାରା ହିଁ ସମାଜ ପରିବର୍ତ୍ତନ ହୋଇ ପାରିବ। ଫରାସୀ ବିପ୍ଳବ ପରି ଏକ ପରିବର୍ତ୍ତନ ଆଣିପାରିବ ।
ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକାକୁ ଆପଣ କିପରି ମୂଲ୍ୟାୟନ କରିବେ ?
ସାମ୍ପ୍ରତିକ ସମୟରେ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । ଅନ୍ୟ ଗୁଡିକ ପରି ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଗଣମାଧ୍ୟମ ସମ୍ପୂର୍ଣ୍ଣ ମାତ୍ରାରେ ସହାୟକ ହେବା ଉଚିତ୍ । ସାମାଜିକ ଗଣ ମାଧ୍ୟମରେ ସାହିତ୍ୟର ପ୍ରଚାର ଓ ପ୍ରସାର ତତ୍ ସଙ୍ଗେ ସଙ୍ଗେ ପୁସ୍ତକର ଆଲୋଚନା ସମାଲୋଚନା ସୁସ୍ଥ ସମୀକ୍ଷା ହେବା ଦରକାର । ପ୍ରଚାର ପ୍ରସାର ହେଲେ ବହୁଳତାର ସହ ପାଠକ ସୃଷ୍ଟି ହେବେ। ପୁସ୍ତକର ମୂଲ୍ଯାଙ୍କନ ସାଧାରଣ ପାଠକ ମଧ୍ଯ କରି ପାରିବେ। ସାମାଜିକ ଗଣମାଧ୍ୟମ ସୃଜନଶୀଳତାର ପଥକୁ ନିଶ୍ଚିତ ଭାବରେ ସୁଗମ ଓ ବିକଶିତ କରୁଛି। ଆହୁରି ଅଧିକ ମାତ୍ରାରେ କରିବା ଦରକାର । ବଣମଲ୍ଲୀ ଅକାଳରେ ନଝଡି ତା’ମହକ ସାରା ବିଶ୍ବର ବିଭିନ୍ନ କୋଣରେ ବିଛାଡି ହେବା ଆବଶ୍ୟକ । କେବଳ ସେତିକି ନୁହେଁ ବିଶ୍ବ ସାହିତ୍ୟ ଓ ଆମ ବିଭିନ୍ନ ରାଜ୍ୟର ଭାଷା ସାହିତ୍ୟ ବିଷୟରେ ଆମେ ଗଣମାଧ୍ୟମ ଦ୍ୱାରା ଜ୍ଞାନ ପାଉଛୁ। ତେଣୁ ଗଣମାଧ୍ୟମ ସାହିତ୍ୟର ପରିପନ୍ଥି ନୁହେଁ ସେ ପରିଚାୟକ ।
ବର୍ତ୍ତମାନ ସମୟରେ ବହୁଳ ଭାବରେ ଇ- ପତ୍ରିକା ପ୍ରକାଶ ପାଉଛି । ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏହା କିପରି ଭାବରେ ସହାୟକ ହୋଇପାରୁଛି ?
ଆଜିକାଲି ପ୍ରଚାର ପ୍ରସାର ଦୁନିଆ । ଯିଏ ଯେତେ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଛି ସେ ସେତେ ଆଗକୁ ଯାଉଛନ୍ତି । ଇଣ୍ଟରନେଟରେ ଇ-ପତ୍ରିକାର ବହୁଳ ମାତ୍ରାରେ ପ୍ରକାଶିତ ହେଉଛି । ଏହା ଆହୁରି ଅଧିକ ପ୍ରକାଶିତ, ପ୍ରଚାରିତ ଏବଂ ପ୍ରସାରିତ ହେବ ଦରକାର । ଅତି ଆନନ୍ଦର କଥା ଯେ ଏହା ଦ୍ବାରା ନୂତନ ଲେଖକ ଲେଖିକା ସୃଷ୍ଟି ହୋଇ ପାରୁଛନ୍ତି । ଇ-ପତ୍ରିକା ମାଧ୍ୟମରେ ଅତି ସହଜରେ ଗୋଟିଏ ପାଠକ ଗୋଷ୍ଠି ସୃଷ୍ଟି ହୋଇ ପାରୁଛନ୍ତି । ଏହା ଦ୍ବାରା ମଧ୍ଯ ସାହିତ୍ୟର ପ୍ରଚାର ଓ ପ୍ରସାର ବଢୁଛି । ପାଠକ ସଂଖ୍ୟା ବଢୁଛନ୍ତି । ଖୁବ୍ କମ୍ ସମୟରେ, କମ୍ ଅର୍ଥରେ ପାଠକ ଓ ଲେଖକ ସୃଷ୍ଟି ହୋଇ ଓଡିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରୁଛନ୍ତି । ପୁସ୍ତକ ପଠନରୁ ଯେଉଁ ନୈସର୍ଗିକ ଆନନ୍ଦ ମିଳେ ତାହା ଇ-ପତ୍ରିକାରୁ ମିଳି ପାରେ ନାହିଁ ସତ… । ତଥାପି ମଣିଷକୁ ସମୟ ସହ ତାଳ ଦେଇ ଆଗକୁ ଚାଲିବାକୁ ହେବ । ସମାଜ ଯେଉଁ ଆଡକୁ ଗତି କରୁଛି ଯଦି ଆମେ ତା ସହିତ ତାଳ ଦେଇ ଯାଇ ପାରିଲେ ନାହିଁ ତାହା ହେଲେ ପଛେଇ ଯିବା ।
ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?
ପୂର୍ବରୁ କବିମାନଙ୍କ ବଳିଷ୍ଠ ଲେଖା ମାଧ୍ୟମରେ ସମାଜରେ ପରିଚିତ ହେଉଥିଲେ । ଏମିତି ବହୁ ଉଚ୍ଚ କୋଟୀର ଲେଖକ ଲେଖିକା ପୁରସ୍କୃତ ହୋଇ ନାହାଁନ୍ତି କିନ୍ତୁ ପାଠକୀୟ ଆଦୃତି ଲାଭ କରିଛନ୍ତି । ମାନପତ୍ର ଏକ ପ୍ରମାଣ ପତ୍ର କିନ୍ତୁ ତାହା ପଛରେ ଗୋଡ଼େଇ ନିଜର ସୃଜନଶୀଳତାକୁ ହରାଇବା ଉଚିତ୍ ନୁହେଁ । ପାଠକର ଫୋନ୍ କଲ୍ ଟିଏ କୌଣସି ପୁରସ୍କାର ଠାରୁ କିଛି କମ୍ ନୁହେଁ । ତେଣୁ ନିଜର ସାଧନା, ଲେଖକୀୟ ଭାବାବେଗ, ନିରନ୍ତର ସାହିତ୍ୟ ସାଧନା ଲେଖକକୁ ଲୋକାଭିମୁଖୀ କରାଇବ । ସମୃଦ୍ଧ ଭାବନାର ସଫଳ ରୂପାୟନ ଦ୍ବାରା ସାଧନା ଠିକ୍ ହୋଇପାରିବ । କିନ୍ତୁ ବର୍ତ୍ତମାନ ପୁରସ୍କାର କବିମାନଙ୍କୁ ପରିଚିତ କରାଉଛି । ପୁରସ୍କାର ପଛରେ ଗୋଟିଏ ଲମ୍ବା ଧାଡ଼ି କାହିଁ କେଉଁଠାରୁ ଲମ୍ବି ଯାଉଛି। ମୋ ମତରେ ଜଣେ କବି, ଲେଖକ , ସମାଲୋଚକ, ପ୍ରାବନ୍ଧିକ ନାଟ୍ୟକାରକୁ ପରିଚିତି ପାଇବାକୁ ହେଲେ ପୁରସ୍କାର କେବଳ ଏକ ମାପକାଠି ନୁହେଁ । ବରଂ ଲେଖାଟି ପାଠକାଦୃତି ଲାଭ କରିବା ଆବଶ୍ୟକ। ପୁରସ୍କାର ପରିଚିତିର ଗୋଟିଏ ମାଧ୍ୟମ ହୋଇପାରେ । ସର୍ଜନା ଥିଲେ, ସୃଷ୍ଟି ଅନବରତ ଚାଲିଥିଲେ ନିଶ୍ଚିତ ପାଠକୀୟ ସ୍ବୀକୃତି ଲାଭ କରିବ ।
ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?
ସାହିତ୍ୟ ସବୁବେଳେ ସମାଜର ହିତ ସାଧନ କରେ । ଶାନ୍ତି ମୈତ୍ରୀ ଓ ପ୍ରୀତିର ବାର୍ତ୍ତା ବାହକ ସାଜେ ସାହିତ୍ୟ । ବେଳେବେଳେ ଅସାଧ୍ୟକୁ ମଧ୍ୟ ସାହିତ୍ୟ ସାଧନ କରିପାରେ। ବର୍ତ୍ତମାନ ସାହିତ୍ୟରେ କପଟତା, ଦ୍ଵେଷ, ପରଶ୍ରୀକାତରତା ଓ ରାଜନୀତି ବେଶୀ ପ୍ରଭାବ ପକାଇଛି। ଲେଖକ ଅପେକ୍ଷା ପାଠକଙ୍କ ସଂଖ୍ୟା କମି କମି ଯାଉଛି । ଆମର ଆଗାମୀ ପୀଢ଼ିରେ ଅଧିକ ପାଠକ ସୃଷ୍ଟି ହେବା ଦରକାର । ପାଠକ ସଂଖ୍ୟା ବଢିଲେ ଲେଖକଙ୍କ ଶ୍ରମ ସାର୍ଥକ ହେବ । ଆମର ମାତୃଭୂମି ଓ ମାତୃଭାଷା ସାହିତ୍ୟ ମାଧ୍ୟମରେ ପ୍ରଚାର ଓ ପ୍ରସାର ହେବ। ସାହିତ୍ୟକୁ ରାଜନୀତି କରଣ କିମ୍ବା ବ୍ୟବସାୟୀ କରଣ ନ କରି ସମୃଦ୍ଧିର ବାର୍ତ୍ତାବହ ହେଲେ ଉନ୍ନତି ହେବ । ସାହିତ୍ୟକୁ ନେଇ ଦେଶ ଦେଶ ମଧ୍ୟରେ ଶାନ୍ତି ମୈତ୍ରୀ ସ୍ଥାପନ ହେଉ ଏତିକି କାମନା। ସାହିତ୍ୟ ପ୍ରତି ସମସ୍ତଙ୍କର ଅନୁରାଗ-ନିଷ୍ଠା-ସ୍ୱଚ୍ଛତା ରହିଲେ ସାହିତ୍ୟ ଭଣ୍ଡାର ଆହୁରି ସମୃଦ୍ଧ ହେବ ।
ଆଜିକାଲି ସାହିତ୍ୟରେ ଅଶ୍ଳୀଳତା ପଶିଲାଣି ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ ଆପଣ କ’ଣ କହିବେ ?
ଶସ୍ତା ଲୋକପ୍ରିୟତା ପାଇଁ ସାହିତ୍ୟ ଓ କବିତାରେ ଅଶ୍ଳୀଳତା ଭରି ଦେଉଛନ୍ତି l ବାସ୍ତବିକ ସେମାନେ ତା ଦ୍ବାରା ବିଶେଷ ପାଠକୀୟ ଆଦୃତି ଲାଭ କରି ପାରୁ ନାହାଁନ୍ତି । ସେମାନଙ୍କ କବିତାରେ ଅଶ୍ଳୀଳତା ନ ଥାଏ, ଶବ୍ଦରେ ନଥାଏ, ଦୃଶ୍ୟରେ ନଥାଏ, ବାସ୍ତବରେ ଥାଏ ଦୃଷ୍ଟିରେ ଏବଂ ମନରେ l ଅଶ୍ଳୀଳତା ଏକ ମାନସିକତା l ଯାହା ଆମକୁ ଅଶ୍ଳୀଳ ମନେହୁଏ ତାର ଶୀକାର ହେଉ ଅନ୍ତର ଭିତରେ l ଯଦି ଆମ ଦୃଷ୍ଟିରେ ସୃଷ୍ଟିରେ ଅଶ୍ଳୀଳ… ତାହାହେଲେ ସେ ସାହିତ୍ୟ ଅରୁଚିକର ଏବଂ ଅଶାଳୀନ ।
ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ସାହିତ୍ୟ ଏକ ବିଶାଳ ସାଗର। ଏହି ସାଗରର ବେଳାଭୂମିରେ ଅସଂଖ୍ୟ ବାଲୁକା । ସେ ବାଲିରୁ ଗୁଣ୍ଡୁଚିମୂଷା ହୋଇ ସେତୁବନ୍ଧରେ ସହଯୋଗୀ ହେବାକୁ ଇଛା କରୁଅଛି । ଜାଣେନି ତାହା ପୂରଣ ହେବାକୁ ମତେ ଆଉ କେତେ ଜନ୍ମ ଲାଗିବ। ଗୋଟିଏ ଜନ୍ମରେ ତ ଆଦୌ ସମ୍ଭବ ନୁହେଁ। ବଞ୍ଚିଥିବା ପର୍ଯ୍ୟନ୍ତ ସାହିତ୍ୟ ସହିତ ଅଛି ଓ ରହିବି। ଯେଉଁମାନେ ନୂଆ ନୂଆ ସାହିତ୍ୟ ସାଧନ କରୁଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ସେମାନଙ୍କୁ ଉତ୍ସାହିତ କରୁଅଛି । ନୂତନ ପିଢୀ ଅଧିକ ମନନଶୀଳତା ହେବା ଉଚିତ୍ । ଆମ ଭାଷା ସାହିତ୍ୟ ପ୍ରତି ନୂତନ ପିଢୀଙ୍କର ଅନୁରାଗ ବଢୁ। ଅଧ୍ୟୟନ ନିରନ୍ତର ରହିବା ଉଚିତ୍ । ଆମ ପ୍ରାଚୀନ ଓଡିଆ ସାହିତ୍ୟର କାବ୍ୟ କବିତା ଅନ୍ୟାନ୍ୟ ଭାରତୀୟ ଭାଷା ପରି ଅତି ସମୃଦ୍ଧ। ଆମର ଗାଉଁଲି ଭାଷା, ଲୋକ କଥା, ଲୋକ ଚରିତ୍ର, ଲୋକଗୀତ, ଲୋକସଂସ୍କୃତି ଆଦିକୁ ଅନ୍ବେଷଣ କରି ଲୋକାଭିମୁଖୀ କରିବା ଉଚିତ୍ । ଏଗୁଡିକ ଆମ ଭାଷାର ମହକ। ଅନେକ ଗାଁ ଗହଳିର ଶବ୍ଦ କାଳର କରାଳ ଗର୍ଭରେ ବିଲୀନ ହୋଇଗଲାଣି। ସେ ସବୁ ଶଦ୍ଦ ସାହିତ୍ୟରେ ରହିଲେ ଭଲ ଲାଗିବ । ଇଂରାଜୀ ଶବ୍ଦର ବ୍ୟବହାର ଆମ ସାହିତ୍ୟରେ ଅତି ଆବଶ୍ୟକ ସ୍ଥଳେ କରାଯିବା ଉଚିତ୍ । ସାହିତ୍ୟରେ କେବଳ ବ୍ୟକ୍ତିର ସର୍ଜନା ଦ୍ବାରା ହିଁ ଗଭୀରତାକୁ ମପା ଯାଇ ପାରିବ ।
Comments are closed.