ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ମିରିନା ମହାନ୍ତି । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା ।
ସଖି ଓ କାଗଜ ଫୁଲ ପୁସ୍ତକ ସହିତ ଶତାଧିକ ଗଳ୍ପ ଓ କବିତର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।
ଲେଖିକା ମିରିନା ମହାନ୍ତିଙ୍କର ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?
ଲେଖାଲେଖି କରିବାର ପ୍ରେରଣା ମୁଁ ମୋ ପରିବାର ଭିତରୁ ପାଇଥିଲି। ମୁଁ ଛୋଟ ଥିବାବେଳେ ଆମଘରେ ଭାଗବତ ପଢ଼ା ହେଉଥିଲା।ରାମାୟଣ ଓ ମହାଭାରତ ପାରାୟଣ ହେଉଥିଲା। ସେସବୁର କାହାଣୀ ମୋ ଶିଶୁ ମନରେ ଖୁବ୍ ପ୍ରଭାବ ପକାଉଥିଲା। ସ୍କୁଲରେ ପଢ଼ୁଥିବା ସମୟରେ ପଦ ମିଶେଇ ଗୋଟିଏ କବିତା ଲେଖିଥିଲି । ତାହା ମୋ ଶିକ୍ଷକମାନଙ୍କୁ ବହୁତ ଭଲ ଲାଗିଥିଲା। ଆମ ଘରେ ସେତେବେଳେ ଗୋଟିଏ ବହି ଟ୍ରଙ୍କ ଥିଲା । ସେଥିରେ ଥିବା ପାଠ୍ୟ ପୁସ୍ତକ , ସାହିତ୍ୟ ସୁମନ, ସାହିତ୍ୟ କୁସୁମ ଆଦି ପୁସ୍ତକ ମୋର ବାଲ୍ୟ ଜୀବନରୁ ସାହିତ୍ୟ ପ୍ରତି , କବିତା ରଚନା ପ୍ରତି ମାନସିକତା ସୃଷ୍ଟି କରିଥିଲା।
ପରବର୍ତ୍ତୀ ସମୟରେ ଭଦ୍ରକ ମହାବିଦ୍ୟାଳୟର ପ୍ରାଚୀର ପତ୍ରିକା ପ୍ରାଚୀ ମୋ ଲେଖିକା ଜୀବନର ଆଦ୍ୟ ପ୍ରେରଣା। ଡ଼ି ଡ଼ି କଲେଜ କେଉଁଝରର ଛାତ୍ରୀ ନିବାସର ପତ୍ରିକା କରବୀର ସମ୍ପାଦନା ଦାୟିତ୍ୱ ନେବାର ସୌଭାଗ୍ୟ ମୁଁ ଲାଭ କରିଥିଲି। ସେ ସମୟରେ ମହିଳା ପତ୍ରିକା ସୁଚରିତାରେ ମୋ କବିତା କୁକୁଡ଼ା ମତେ ଲେଖକୀୟ ମର୍ଯ୍ୟାଦା ପ୍ରଦାନ କରିଥିଲା। ଆଜି ସେକଥା ମନେ ପଡ଼ିଲେ ମନେହୁଏ ସାରାଟା ଖରାବେଳ ବଉଳ ବାସ୍ନାରେ ମହକି ଯାଉଛି।
ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ?
ଜୀବନ ଆମକୁ ଯେଉଁସବୁ ଆହ୍ୱାନର ସାମ୍ନା କରାଏ ତା’ର ଜବାବ ହେଉଛି ସାହିତ୍ୟ। ଜନ୍ମରୁ ମୃତ୍ୟୁ ଯାଏଁ ଜୀବନ ଆମକୁ ଯାହା ପଚାରେ ତାର ଉତ୍ତରରେ ସାହିତ୍ୟର ସୃଷ୍ଟି। ସାହିତ୍ୟ ନଥିଲେ ଜୀବନ କାହିଁ ? ସେହିପରି ଜୀବନ ବିନା ସାହିତ୍ୟ ସମ୍ଭବ ନୁହେଁ। ସାହିତ୍ୟ ଆମକୁ ପରିଚିତ କାରାଏ ଜୀବନର ଚରମ ପ୍ରଶ୍ନ ଏବଂ ବିଶ୍ୱର ରହସ୍ୟ ସହିତ ଏବଂ ଶେଷରେ ଜୀବାନାର୍ତ୍ତିଣ୍ଣ ବୃହତ୍ତର ଭାବନା ଓ କଲ୍ୟାଣତମ ସତ୍ୟକୁ ଅନୁଭବ କରାଏ। ମାନବିକ ସମ୍ବେଦନା ଓ ବିପୁଳ ଆନ୍ତରିକତା ହିଁ ସାହିତ୍ୟ ବୋଲି ମୋର ମନେହୁଏ।
ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?
ନାରୀଟିଏ ଲେଖିକା ହିସାବରେ କେବଳ କାହିଁକି , ଅନେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। କିନ୍ତୁ ଏବେ ନାରୀମାନେ ବହୁ ଅସାଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ ଅଦ୍ଭୁତ ଭାବେ ସଫଳ ମଧ୍ୟ ହେଉଛନ୍ତି। ନିଜର ସ୍ୱାଭାବିକତା , ସ୍ବତଃସ୍ଫୁର୍ତ୍ତତା ନ ହରାଇ ଅଗଣିତ ନାରୀ ସଫଳ ଲେଖିକା ହୋଇ ପାରୁଛନ୍ତି।
ଜଣେ ଲେଖିକା ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନ ବାଧା ସୃଷ୍ଟି କରେ ଆପଣ ଭାବନ୍ତି କି ?
ଆଦୌ ନୁହେଁ । ଜଣେ ଯେତେବେଳେ ଲେଖେ ସେତେବେଳେ ସେ ନାରୀ ନୁହେଁ କି ପୁରୁଷ ନୁହେଁ କେବଳ ସ୍ରଷ୍ଟା। ଭାବ ପ୍ରକାଶ କରିବାରେ କୌଣସି ସାମାଜିକ ବନ୍ଧନ କିମ୍ବା ରକ୍ଷଣଶୀଳତା ଆଦୌ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ । ସେ ତା’ ଅନୁଭୂତ ଭାବକୁ ସ୍ୱଚ୍ଛନ୍ଦରେ ପ୍ରକାଶ କରିପାରେ।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ବଡ଼ ଦୁରୁହ ଏ ପ୍ରଶ୍ନ। ମାଆ ପାଇଁ ପ୍ରତିଟି ସନ୍ତାନ ଅମୂଲ୍ୟ ; ସୁନ୍ଦର ହେଉ ବା କୁରୂପ ହେଉ। ସ୍ରଷ୍ଟା ପାଇଁ ସେଭଳି ତାର ସୃଷ୍ଟି। ସେ ଉପଲବ୍ଧିରହିସାବ ନାହିଁ। ଏ ବିରଳ ଅନୁଭବରୁ ମୁଁ ବା ବଞ୍ଚିତ ହେବି କିପରି ? ପ୍ରତ୍ୟେକଟି ସୃଷ୍ଟି ଅନନ୍ୟ ମନେହୁଏ ସେତିକିବେଳେ । ପରବର୍ତ୍ତୀ ସମୟରେ ମନ ବଦଳିଯାଏ। ସମାଜରେ ଘଟୁଥିବା ଘଟଣା ସବୁ ମୁହୂର୍ତ୍ତକୁ ମୁହୂର୍ତ୍ତ ବଦଳିଲା ପରି । ପ୍ରତ୍ୟେକଟି ସୃଷ୍ଟି ଅମୂଲ୍ୟ ମନେ ହୁଏ ସେତିକି ବେଳେ ଯେପରି କି ମୋ କବିତା ପୁସ୍ତକ ସଖୀ ମୋତେ ପ୍ରେମ, ଭଲପାଇବାର ଅନୁଭବରେ ଜୁଡୁବୁଡୁ କରି ପକାଏ । ପୁଣି ମୋର ଗଳ୍ପ ପୁସ୍ତକ କାଗଜ ଫୁଲ ରେ ଗଢି ଥିବା ଚରିତ୍ର ମାନେ ମୋତେ ବାସ୍ତବ ଜୀବନର ସାମ୍ନା କରାନ୍ତି ।
ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?
ପୁରସ୍କାର ଓ ପରିଚିତି ଜଣେ ସହିତ୍ୟିକକୁ ପ୍ରୋତ୍ସାହିତ କରେ ନିଶ୍ଚୟ। ତେବେ ଶାରଳା ଦାସ, ଭୀମ ଭୋଇ, ଫକୀର ମୋହନ ଏମାନେ କେହି ପୁରସ୍କାର ପାଇ ନାଥଲେ , ଏହାକୁ ଆମେ ଅସ୍ବୀକାର କରି ପାରିବା କି ? ବର୍ତ୍ତମାନ ସମୟରେ ଅନେକ ସାହିତ୍ୟିକ ପୁରସ୍କାର ପାଇ ନିଜକୁ ମହାନ ମଣିଥାଆନ୍ତି।
କବିତାର ଆଙ୍ଗିକ ନା ଆତ୍ମିକ କେଉଁ ଦିଗକୁ ଆପଣ ବେଶୀ ଗୁରୁତ୍ତ୍ୱ ଦିଅନ୍ତି ?
ଉଭୟ ଦିଗ ମୋ ପାଇଁ ସମାନ ମୂଲ୍ୟ ରଖିଥାନ୍ତି। ଆତ୍ମା ନଥିଲେ କବିତା ନୁହେଁ, କି କବିତାର ନାନ୍ଦନିକତା ନଥିଲେ ନଥିଲେ ତାହା ମନକୁ ସ୍ପର୍ଶ କରେ ନାହିଁ। ଦୀପଟିକୁ ତେଲ ଓ ସଳିତାରେ ସଜାଡ଼ି ଦେଲେ ହେବନି। ସେଥିରେ ଆଲୋକ ସଂଯୁକ୍ତ କରିବା ଦରକାର।
ରୀତି ଯୁଗର କବିତା ଓ ଏବେର କବିତା ଭିତରେ କଣ ପରିବର୍ତ୍ତନ ଘଟିଛି ବୋଲି ଆପଣ ଭାବନ୍ତି ?
ରୀତି ଯୁଗର ସାହିତ୍ୟ ହେଉ ଅବା ପ୍ରାଚୀନ ସାହିତ୍ୟ, ତା ସହିତ ଏବର କବିତା ର ତୁଳନା ହୁଏ ନାହିଁ ।ଏଥିପାଇଁ କୌଣସି ମାପକାଠି ନାହିଁ । ସାହିତ୍ୟ ଚିରନ୍ତନ । ପ୍ରକୃତରେ ତାହା ନୂତନ ନୁହେଁ କିମ୍ବା ପୁରାତନ ନୁହେଁ। ଯେପରି ଫୁଲର ଧର୍ମ ଫୁଟିବା ଓ ବାସ ବିଚ୍ଛୁରିବା , ନଦୀର ଧର୍ମ ବହିଯିବା। ଠିକ ସେହିପରି ଯୁଗେ ଯୁଗେ ସାହିତ୍ୟର ଧର୍ମ ହେଲା ସାହିତ୍ୟ ହୋଇ ଉଠିବ । ତେଣୁ ଯୁଗ ପରିବର୍ତ୍ତନ ସହ ଯେ କୌଣସି ପରିସ୍ଥିତିରେ ପ୍ରକୃତ ସାହିତ୍ୟ କେବଳ ସାହିତ୍ୟ ହୋଇ ରହିବ।
ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?
ଏହା ବାସ୍ତବିକ ଚିନ୍ତାର ବିଷୟ। ବହି ଯେଉଁ ସଂଖ୍ୟାରେ ଛପା ଯାଉଛି , ପାଠକ ପଢୁ ନାହାନ୍ତି। ସବୁ ଲେଖକ ନିଜ ନିଜର ଲେଖା ନେଇ ବ୍ୟସ୍ତ। କୌଣସି ବସ୍ତୁ ସହଜ ଲଭ୍ୟ ହେଲେ ଯେମିତି ମୂଲ୍ୟ ହରାଇ ବସେ ଠିକ ସେହିଭଳି ଅବସ୍ଥା । ବଗିଚାରେ ମାଳୀ ନଥିଲେ ଘାସର ଅବସ୍ଥା ପରି । ନଗଣ୍ୟ ପାଠକଙ୍କୁ ନେଇ ପୁସ୍ତକର ସ୍ଥାନ ଅଳିଆ ଗଦାକୁ ଯିବାଟା ହିଁ ସାର। ଆମ ଓଡ଼ିଶାରେ ପାଠକଙ୍କଠାରୁ ଲେଖକଙ୍କ ସଂଖ୍ୟା ଅଧିକ।
ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ସାହିତ୍ୟ ଭାବନାର କଥା , ହୃଦବତ୍ତାର କଥା। ସାହିତ୍ୟ ବ୍ୟବସାୟ ନହେଉ। ସୃଜନର ଛବି ଜୀବନର ଅନ୍ଧକାରକୁ ଆଲୋକିତ କରୁ।
Comments are closed.