Latest Odisha News

ଓଡ଼ିଶାରେ ରେଡିଓର ଜୟଯାତ୍ରା

ସୁବ୍ରତ କୁମାର ପତି

ଗୋଟିଏ ସମୟରେ ମୁର୍ମୂଷୁ ହୋଇ ପଡିଥିବା ରେଡିଓ ଦେହରେ ଏବେ ନୂତନ ପ୍ରାଣ ସଞ୍ଚାର ହୋଇଛି। ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଆକାଶବାଣୀ ପ୍ରତି ଲୋକଙ୍କ ଆଗ୍ରହ ବଢାଇଥିବା ବେଳେ ମନୋରଞ୍ଜନ କ୍ଷେତ୍ରରେ ଘରୋଇ ରେଡିଓ ଚ୍ୟାନେଲଙ୍କ ପ୍ରବେଶ ରେଡିଓକୁ ଅଧିକ ପ୍ରାଣବନ୍ତ ଓ ସ୍ପନ୍ଦନଶୀଳ କରିଛି।

ଆମ ରାଜ୍ୟରେ ବି ରେଡିଓର ବ୍ୟବହାର ବଢ଼ିଛି, ଶ୍ରୋତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏବେ ପୁଣି ରାଜ୍ୟବାସୀ ଖୁବ୍ ଶୀଘ୍ର ଆହୁରି କିଛି ରେଡିଓ ଷ୍ଟେସନ ଖୋଲିବାର ଖବର ପାଇବେ। ୨୦୦୭ ମସିହାରେ ଆମ ରାଜ୍ୟରେ ଘରୋଇ ରେଡିଓ ଭାବେ ଭୁବନେଶ୍ଵରରେ ତିନିଟି ଓ ରାଉରକେଲାରେ ଦୁଇଟି ଚ୍ୟାନେଲ ଆରମ୍ଭ ହେଲା। ୨୦୧୬ ରେ ଭୁବନେଶ୍ଵରରେ ଗୋଟିଏ ଓ ରାଉରକେଲାରେ ଦୁଇଟି ଏଫ୍ଏମ୍ ଚ୍ୟାନେଲ ପାଇଁ ନିଲାମ ସରିଛି। ଏବେ ପୁଣି ଘରୋଇ ରେଡିଓ ଲାଇସେନ୍ସ ନିଲାମ ପ୍ରକ୍ରିୟା ଜାରି ରଖିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ରାଜ୍ୟରେ ଆଉ ପାଞ୍ଚଟି ସହରରେ ତିନିଟି ଲେଖାଏଁ ସର୍ବମୋଟ୍ ୧୫ଟି ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଷ୍ଟେସନ ଖୋଲିବା ପାଇଁ ଲାଇସେନ୍ସ ନିଲାମ କରିବେ। ଏହିସବୁ ସହର ହେଲେ ବାଲେଶ୍ଵର, ବାରିପଦା, ପୁରୀ, ବ୍ରହ୍ମପୁର ଓ ସମ୍ବଲପୁର । ଏହି ରେଡିଓ କେନ୍ଦ୍ର ଗୁଡିକରେ କାର୍ଯ୍ୟ କରିବା ପାଇଁ ଅନେକ କୁଶଳୀ ଯୁବ ପ୍ରତିଭାଙ୍କର ଆବଶ୍ୟକତା ପଡ଼ିବ।

୧୯୪୮ ମସିହାରେ ଓଡ଼ିଶାର ପ୍ରଥମ ରେଡ଼ିଓ ଷ୍ଟେସନ ଭାବେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏ ଯାଏଁ ଓଡ଼ିଶାରେ ୧୫ଟି ଆକାଶବାଣୀ କେନ୍ଦ୍ର ଖୋଲି ସାରିଛି। ପ୍ରସାର ଭାରତୀ ରାଜ୍ୟରେ ଆଉ ନୂଆ କେତୋଟି ଆକାଶବାଣୀ କେନ୍ଦ୍ରର ପ୍ରତିଷ୍ଠା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଏହିସବୁ ରେଡିଓ ଷ୍ଟେସନ ଗୁଡିକ ଜିଲ୍ଲାର ସୋର, ଅନୁଗୁଳ, ରାଇରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼, ପାରାଦୀପ, ପାରଳାଖେମୁଣ୍ଡି, ବାଲିଗୁଡା, ନୂଆପଡ଼ା ଓ ରାୟଗଡ଼ାରେ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ, ଏମାନଙ୍କ ମଧ୍ୟରୁ ଅନେକ ଆକାଶବାଣୀ କେନ୍ଦ୍ର ପ୍ରସାରଣ ଆରମ୍ଭ କରିସାରିଲେଣି। ଆକାଶବାଣୀ ସୋର ଓ ଆକାଶବାଣୀ ରାଇରଙ୍ଗପୁର କେନ୍ଦ୍ର ଦୁଇଟି ସ ସ୍ଵୟଂସମ୍ପୂର୍ଣ୍ଣ ଷ୍ଟେସନ ହୋଇଥିବା ବେଳେ ଅନ୍ୟ ଚ୍ୟାନେଲ ଗୁଡିକ କେବଳ ବିଭିନ୍ନ ଆକାଶବାଣୀ କେନ୍ଦ୍ରରୁ କାର୍ଯ୍ୟକ୍ରମ ରିଲେ କରୁଥିବା ଜଣାପଡିଛି।

ଫଟୋ ସୌଜନ୍ୟ : ସୁବ୍ରତ କୁମାର ପତି

 

ସେପଟେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବେସରକାରୀ ସଂଗଠନ ତରଫରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ କମ୍ୟୁନିଟି ରେଡିଓ ଷ୍ଟେସନ ବା ଗୋଷ୍ଠୀ ରେଡିଓ କେନ୍ଦ୍ର ମଧ୍ୟ ଖୋଲିବାରେ ଲାଗିଛି। କେନ୍ଦ୍ର ସରକାର କମ୍ୟୁନିଟି ରେଡିଓ ଜରିଆରେ ଆଞ୍ଚଳିକ ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ବଜେଟରେ ସ୍ଵତନ୍ତ୍ର ବ୍ୟୟବରାଦ ମଧ୍ୟ ହୋଇଛି। ଏ ଯାଏ ଓଡ଼ିଶାରେ ୨୧ଟି କମ୍ୟୁନିଟି ରେଡ଼ିଓ ଷ୍ଟେସନ ଖୋଲି ସାରିଲାଣି।

ରାଜ୍ୟରେ ରେଡିଓ ଶିଳ୍ପର ଏହି ବିକାଶ ଦୃଷ୍ଟିରୁ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ଲାଗି ଯେଉଁ ବିଶେଷ ତାଲିମ ଦରକାର, ତାହା ଆମ ରାଜ୍ୟରେ ଉପଲବ୍ଧ ନୁହେଁ। ପୁଣି ଘରୋଇ ରେଡିଓ ଷ୍ଟେସନ ଗୁଡ଼ିକର ପ୍ରସାରଣ କେବଳ ମନୋରଞ୍ଜନଧର୍ମୀ ହେଉଥିବାରୁ ସବୁ ବର୍ଗର ଲୋକେ ଏହା ଦ୍ୱାରା ଆକୃଷ୍ଟ ହେଉ ନ ଥିବା ଦେଖାଯାଉଛି। ଏଫ୍ଏମ୍ ଚ୍ୟାନେଲଗୁଡ଼ିକୁ ଏ ଦୁର୍ବଳତାରୁ ଉପରକୁ ଉଠିବାକୁ ହେବ। ଭାଷା, ସାହିତ୍ୟ, ସଙ୍ଗୀତ, ସଂସ୍କୃତିର ସୁରକ୍ଷା ଓ ସାମାଜିକ ସଚେତନତାର ପ୍ରସାର ଦିଗରେ ରେଡିଓର ଅବଦାନକୁ ଅସ୍ବୀକାର କରିହେବ ନାହିଁ। କିନ୍ତୁ ଏହା ବି ସତ ଯେ ରେଡିଓକୁ ଯୁଗୋପଯୋଗୀ କରିବାକୁ ପଡ଼ିବ। ଏ ଯାଏଁ ଘରୋଇ ରେଡିଓକୁ ଖବର ପ୍ରସାରଣ ଅଧିକାର ଦିଆଯାଇନାହିଁ। ଅବଶ୍ୟ ଘରୋଇ ଚ୍ୟାନେଲଗୁଡ଼ିକୁ ଏହି ଅଧିକାର ଦେବା ଲାଗି ଦୀର୍ଘଦିନ ହେବ ବିଚାର ଆଲୋଚନା ଚାଲୁ ରହିଛି।

ଫଟୋ ସୌଜନ୍ୟ : ସୁବ୍ରତ କୁମାର ପତି

ଧୀରେ ଧୀରେ ରେଡିଓ ଭୌଗଳିକ ସୀମାବଦ୍ଧତା ଭିତରୁ ବାହାରି ଆସୁଛି। ନୂତନ ଜ୍ଞାନକୌଶଳର ବ୍ୟବହାର ଫଳରେ ରେଡିଓ କାର୍ଯ୍ୟକ୍ରମ ଏବେ ମୋବାଇଲ ଆପ ଜରିଆରେ ମଧ୍ୟ ଉପଲବ୍ଧ ହେଲାଣି । ସୁଦୂର ଆମେରିକାରେ ରହୁଥିବା ପ୍ରବାସୀଟିଏ ଆକାଶବାଣୀ ଯୋରନ୍ଦା କେନ୍ଦ୍ରକୁ ପ୍ରତ୍ୟହ ଶୁଣି ପାରୁଛି। ଭାରତରେ ଡିଆରଏମ ପ୍ରସାରଣ ଆରମ୍ଭ ହେବା ପରଠୁ ସ୍ପଷ୍ଟ ଓ ଉଚ୍ଚ ମାନର କାର୍ଯ୍ୟକ୍ରମ ପ୍ରସାରଣ ସମ୍ଭବ ହୋଇ ପାରିଛି ।

ଆକାଶବାଣୀର ବିଶାଳ ନେଟୱର୍କ ଯୋଗୁଁ ଆଜି ଦେଶର ୯୯.୯ ପ୍ରତିଶତ ଅଞ୍ଚଳରେ ରେଡ଼ିଓ ତରଙ୍ଗ ପହଞ୍ଚି ପାରୁଛି। ଏହା ସତ ଯେ ଆଜି ରେଡିଓ ଏଭଳି ସ୍ଥାନରେ ପହଞ୍ଚି ପାରୁଛି, ଯେଉଁଠାକୁ ଅନ୍ୟ ଗଣମାଧ୍ୟମ ପହଞ୍ଚିବା ଦୁରୂହ ବ୍ୟାପାର। ବାତ୍ୟା ପରି ବିପର୍ଯ୍ୟୟ ସମୟରେ ସୂଚନା ପାଇବା ପାଇଁ ରେଡ଼ିଓ ହିଁ ଏକମାତ୍ର ବିକଳ୍ପ। ମୋବାଇଲ ଫୋନ ବି ଆଜି ରେଡିଓର କାର୍ଯ୍ୟ ତୁଲାଇ ପାରୁଛି। ସେଥି ଲାଗି ରେଡିଓ କେନ୍ଦ୍ର ପ୍ରତିଷ୍ଠା ସକାଶେ ନିବେଶକମାନଙ୍କ ଆଗ୍ରହ ବଢୁଛି। ରେଡିଓକୁ ଏକ ଲାଭଦାୟକ ଗଣମାଧ୍ୟମରେ ପରିଣତ କରାଯାଇପାରିଛି। କିନ୍ତୁ ରେଡିଓର ବ୍ୟାପକତା ଦୃଷ୍ଟିରୁ ଏହା ଉପରେ ନ୍ୟସ୍ତ ଗୁରୁଦାୟିତ୍ଵକୁ ଭୁଲିଗଲେ ହେବନାହିଁ। ଉତ୍ତମ ମାନର କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ରେଡିଓକୁ ଆହୁରି ଯେ ଲୋକପ୍ରିୟ କରିବ, ଏଥିରେ ସନ୍ଦେହ ନାହିଁ।

Comments are closed, but trackbacks and pingbacks are open.