Latest Odisha News

BREAKING NEWS

ପ୍ରେରଣା ହିଁ ପ୍ରତିଭାର ମୂଳଉତ୍ସ : ମୁକୁଲ୍ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟରେ ମୁକୁଲ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।

ହୃଦବନ୍ଦୀ, ମେଘମନା, ମାୟାଲଗ୍ନ, ଅପୂର୍ଣ୍ଣା , ରୂପସୀ ପ୍ରଭୃତି କବିତା ସଙ୍କଳନର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା।

କବୀ ମୁକୁଲ୍ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ ଉତ୍ସ କ’ଣ ଥିଲା ?

ମୋର ଅନ୍ତର୍ମୁଖୀ ନୀରବତାରୁ ନିଜକୁ ମୁକ୍ତି ଦେବାକୁ ଯାଇ ଶବ୍ଦର ଆଶ୍ରୟ ଖୋଜୁଥିବା ବେଳେ ହିଁ ଅଜାଣତରେ ସାହିତ୍ୟ ପ୍ରତି ଢଳି ଯାଇଥିଲି।

କବିତା ଜୀବନର ଆରମ୍ଭ କେମିତି ହେଲା କୁହନ୍ତୁ ?

ହାଇସ୍କୁଲ ବେଳେ ଅନେକ ମଜା ମଜା ପଦ ଯୋଡ଼ି ସାଙ୍ଗ ଓ ଭଉଣୀମାନଙ୍କୁ ପଢେଇବା ହେଉ ବା କେତେବେଳେ ହିନ୍ଦୀରେ କିଛି ଶବ୍ଦ ଓ ପଦ ଯୋଡ଼ି ଲେଖିଦେଇ ନିଜେ ନିଜେ ଉଲ୍ଲସିତ ହେବା ହିଁ ମୋର ସାହିତ୍ୟ ଜୀବନର ଅୟମାରମ୍ଭ । କଲେଜ ଜୀବନରେ ମନ ଦେଇ କିଛି କିଛି ଲେଖିବା ଆରମ୍ଭ କରିଥିଲେ ହେଁ କିଛି ପ୍ରକାଶିତ ହେବାର ଆଶା ଓ ଇଚ୍ଛା ଉତ୍ପନ୍ନ ହୋଇ ନଥିଲା। ପରେ ପରେ କିଛି ବନ୍ଧୁ ଓ ଶୁଭେଚ୍ଛୁଙ୍କ ପ୍ରେରଣାରେ ଲେଖାକୁ ଗୁରୁତ୍ୱ ଦେଇ ନିୟମିତ ଭାବରେ ଲେଖିବା ଆରମ୍ଭ କରିଥିଲି। ପ୍ରେରଣା ବିନା ପ୍ରତିଭାର ପ୍ରଭା କଣ ପ୍ରଖର ହୋଇପାରେ ?

ଆପଣଙ୍କ କବିତାର ଅନ୍ତଃସ୍ବର କ’ଣ ?

ଅପ୍ରାପ୍ତି ଭିତରେ ପ୍ରାପ୍ତି ଓ ଅପ୍ରେମ ଭିତରେ ପ୍ରେମ ହିଁ ମୋ କବିତାର ଅନ୍ତଃସ୍ୱର। ଅପୂର୍ଣ୍ଣତାରେ ବି ପରିପୂର୍ଣ୍ଣ ମୋର କାବ୍ୟ ଜଗତ।

ଜଣେ ସ୍ରଷ୍ଟାର ସର୍ବଶ୍ରେଷ୍ଠ ଇପ୍ସିତ ଅଭିବ୍ୟକ୍ତି କ’ଣ ହୋଇପାରେ?

ଜଣେ ସ୍ରଷ୍ଟାର ପ୍ରତିଟି ଅଭିବ୍ୟକ୍ତି ତା ପାଇଁ ପାଇଁ ସର୍ବଶ୍ରେଷ୍ଠ ଏଇଥି ପାଇଁ ଯେ ଗୋଟେ ଲେଖାର ଗଢ଼ଣ , ଅଳଙ୍କରଣ ବା ପରିପାଟୀ ହୁଏତ ପ୍ରତିଥର ନିଖୁଣ ହୋଇ ନପାରେ। କିନ୍ତୁ ତା’ ଅନ୍ତରରୁ ନିଃସୃତ ପ୍ରତିଟି ଶବ୍ଦ ପ୍ରତିଥର ଶୁଦ୍ଧ , ସତେଜ , ଉଜ୍ଜ୍ୱଳ , ପ୍ରେମସିକ୍ତ , ଅଶ୍ରୁସିକ୍ତ ବା କେବେ କ୍ଷତାକ୍ତ ।

ସ୍ରଷ୍ଟାର ସୃଷ୍ଟିକୁ ପାଠକୀୟ ମତ କେତେଦୂର ମାର୍ଜିତ କରେ ବୋଲି ଆପଣ ଭାବନ୍ତି ?

ଗଛକୁ ସାର ସାର ଭଳି ସ୍ରଷ୍ଟାକୁ ପାଠକୀୟ ମତ ସମୃଦ୍ଧ , ସୁନ୍ଦର ଓ ମାର୍ଜିତ କରେ। ଉଭୟ ସକାରାତ୍ମକ ଓ ନକରାତ୍ମକ ପାଠକୀୟ ମତ ମୂଲ୍ୟବାନ।

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ?

ସାହିତ୍ୟରେ କବିତାର ପ୍ରଭାବ ପ୍ରଶସ୍ତ ନୁହେଁ ଖୁବ୍ ଗଭୀର। ଆଉ ସେ ଗଭୀରତା ଏତେ ସମୃଦ୍ଧ ଯେ ସେଥିରେ ସାରା ସାହିତ୍ୟ ଜଗତ ହିଁ କବିତାମୟ।

ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ କାହିଁକି ?

ଗପ ତୁଳନାରେ କବିତାକୁ ସେତେଟା ପାଠକୀୟ ଆଦୃତି ମିଳେ ନାହିଁ , ସତ। କାରଣ ଗପର ଭାଷା ସରଳ ଓ ବୋଧଗମ୍ୟ ହୋଇଥିବାରୁ ତା’ର ପାଠକ ସଂଖ୍ୟା ଅଧିକ। ଅନ୍ୟ ପକ୍ଷରେ କବିତାର ଗୋଟିଏ ସ୍ୱଳ୍ପ ଏବଂ ନିର୍ଦ୍ଦିଷ୍ଟ ପାଠକ ଗୋଷ୍ଟି ରହିଥାନ୍ତି। ସ୍ୱଳ୍ପ ଏଇଥିପାଇଁ ଯେ କବିତାର ସୁକ୍ଷ୍ମତାକୁ ସ୍ଥୂଳ ଦୃଷ୍ଟିକୋଣରେ ଭୋଗିବା ସହଜ ନୁହେଁ। କବିତାର ଗଭୀରତାକୁ ଭେଦିବା ଅନେକଙ୍କ ସାମର୍ଥ୍ୟ ବାହାରେ। ହୃଦୟର ଗଭୀରତାରୁ ଲହୁ ଲୁହାଣ ହୋଇ ବାହାରୁଥିବା ଦୀର୍ଘଶ୍ବାସର ଭାଷା ସହଜ ହୋଇ ପାରେନା। ଗପ ତୁଳନାରେ କବିତାକୁ ଅଧିକ ବୁଝିବାକୁ ହୁଏ।

ପୁରସ୍କାର ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପ୍ରୋତ୍ସାହିତ କରିବା ହିଁ କବିତାର ପୁରସ୍କାର ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ଜଣେ ସାହିତ୍ୟିକ ମଧ୍ୟ ଏହାଦ୍ୱାରା ପ୍ରୋତ୍ସାହିତ ହୋଇଥାଏ। କିନ୍ତୁ ଆଜିକାଲି ପୁରସ୍କାର ଘୋଷଣା ହେବା ମାତ୍ରେ ଯେଉଁଭଳି ବାଦ-ବିବାଦ ସୃଷ୍ଟି ହେଉଛି ସେଥିରେ ପୁରସ୍କୃତ ପ୍ରତିଭା ଆଉ କିପରି ଭାବରେ ପ୍ରୋତ୍ସାହିତ ହୋଇ ପାରିବ

ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ?

ଜୀବନର ଅନ୍ତିମ କ୍ଷଣ ଯାଏଁ ମୁଁ କବିତାରେ ବୁଡ଼ିରହେ ; ଏତିକି ମୋର ଇଚ୍ଛା।

Comments are closed, but trackbacks and pingbacks are open.