ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ବେଣୁଧର ପାଢ଼ୀ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର ଗୂଢତତ୍ତ୍ୱ ,ଏବଂ ସମାଲୋଚନାର ଅନାଲୋଚିତ ଦିଗ , ବିପୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ।
କବିତାର ଭିନ୍ନ ନକ୍ସା , କବିର ଘର , ସାହିତ୍ୟ ଓ ମୂଲ୍ୟବୋଧ , ଓଡ଼ିଆ ସାହିତ୍ୟର ଇତିହାସ, ସାହିତ୍ୟ ତତ୍ତ୍ୱ : ପ୍ରାଚ୍ୟ ଓ ପାଶ୍ଚାତ୍ୟ , ସଂସ୍କୃତି ଓ ସାମ୍ପ୍ରତିକତା ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ସାହିତ୍ୟର ସେ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ବେଣୁଧର ପାଢ଼ୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
କବିତାର ଭାବ, ଗଳ୍ପର ଚରିତ୍ରକୁ ବାଦ ଦେଇ, ପ୍ରବନ୍ଧର ବିଶ୍ଳେଷଣ ପ୍ରତି କେମିତି ଆକୃଷ୍ଟ ହେଲେ ?
କବିତାର ଭାବ ଓ ଗଳ୍ପର ଆବେଗକୁ ବହନ କରିଥାଏ ଗୋଟେ ସାର୍ଥକ ପ୍ରବନ୍ଧ। ଭାବ ଓ ଆବେଗକୁ ଛାଡ଼ି ପ୍ରବନ୍ଧର ପରିକଳ୍ପନା ସମ୍ଭବ ନୁହେଁ। ପାର୍ଥକ୍ୟ କେବଳ ଏତିକି ଯେ ଗୋଟେ ବିଶେଷ ବକ୍ତବ୍ୟକୁ ଅତି ସ୍ପଷ୍ଟ ଓ ସ୍ଵଛନ୍ଦ ଭାବରେ କହିହୁଏ ପ୍ରବନ୍ଧରେ । କାହିଁକି ନା ‘କବିତା’ ଓ ‘ଗଳ୍ପ’ର କଳାତ୍ମକ ଅନୁଶାସନ କିମ୍ବା ବାଧ୍ୟବାଧକତା ପ୍ରବନ୍ଧରେ ନଥାଏ । ପ୍ରବନ୍ଧରେ ଥାଏ ଲେଖକର ଅବାଧ ସ୍ବାଧୀନତା। ମୁଁ ବି ପ୍ରଥମେ କବିତା ଓ ପରେ ଗଳ୍ପ ଲେଖୁଥିଲି ମାତ୍ର ଯେବେ ମୁଁ ବୁଝିଲି ଯେ ତା ଭିତରେ ମୋର ଅଭିବ୍ୟକ୍ତି ସ୍ପଷ୍ଟ ହୋଇ ପାରୁନାହିଁ ଅଥବା ଭାବିଥିବା କଥା ସବୁକୁ ସହଜରେ ରୂପାୟିତ କରିବା ସମ୍ଭବ ହେଉନାହିଁ, ସେତେବେଳେ ଅତି ସ୍ୱାଭାବିକ ଭାବରେ ମୁଁ ପ୍ରବନ୍ଧ ପ୍ରତି ଆକୃଷ୍ଟ ହୋଇ ପଡ଼ିଲି।। କବିତା ବା ଗଳ୍ପକୁ ମୁଁ ବାଦ ଦେଇ ନାହିଁ ବରଂ କବିତାରୁ ଗଳ୍ପ ଓ ଗଳ୍ପରୁ ପ୍ରବନ୍ଧକୁ ଗତି କରିବା ହେଉଛି ଏକ ସର୍ଜନାତ୍ମକ ଉତ୍ତରଣ ପ୍ରକ୍ରିୟା ମାତ୍ର।
ଆପଣଙ୍କ ବୃତ୍ତି, ଆପଣଙ୍କ ସୃଷ୍ଟିକୁ କିପରି ପ୍ରଭାବିତ କରେ?
ବୃତ୍ତି ହେଉଛି ଏକ ଦାୟିତ୍ୱ। ଯାହା ବହୁ ପରିମାଣରେ ଲେଖକର ସର୍ଜନଶୀଳତାକୁ ପ୍ରଭାବିତ କରିଥାଏ। ଜୀବନର ମାତ୍ରାଧିକ କ୍ରିୟା କଳାପ ନିର୍ଦ୍ଧାରିତ ହୋଇଥାଏ ନିଜର ବୃତ୍ତିଗତ କାର୍ଯ୍ୟଧାରା କାରଣରୁ। ଅଧ୍ୟାପନା କାଳରେ ବିଭିନ୍ନ ପ୍ରଶ୍ନ ଓ ପ୍ରସଙ୍ଗର ଉତ୍ତର ଖୋଜିବା ପ୍ରକ୍ରିୟାରେ ହିଁ ମତେ ମିଳିଯାଏ ପ୍ରବନ୍ଧ ଓ ସମାଲୋଚନାର ପ୍ରସଙ୍ଗ। ବିଦ୍ୟାର୍ଥୀଙ୍କ ପାଇଁ ପ୍ରୟୋଜନ ଥିବା ତଥ୍ୟକୁ ମୁଁ ସମାଲୋଚନାରେ ରୂପାନ୍ତରିତ କରିଦିଏ। ଶିକ୍ଷକ, ଅଭିଭାବକ ଶିକ୍ଷାୟତନ ତଥା ବିଦ୍ୟାର୍ଥୀର ସମସ୍ୟା ସବୁକୁ ପ୍ରବନ୍ଧରେ ପରିଣତ କରିଥାଏ । ବୃତ୍ତି ତେଣୁ ନକରାତ୍ମକ ପ୍ରଭାବ ନ ପକାଇ ମୋ ସର୍ଜନାଶୀଳ ଜୀବନକୁ ପ୍ରଦାନ କରିଥାଏ ଏବଂ ସକରାତ୍ମକ ପ୍ରୋତ୍ସାହନ।
ପାଶ୍ଚାତ୍ୟ ସାହିତ୍ୟରେ ପ୍ରବନ୍ଧ ବହୁଳ ଭାବରେ ଲୋକପ୍ରିୟ; ମାତ୍ର ଆମ ସାହିତ୍ୟରେ ଏହା ଆଖିଦୃଶିଆ ଲୋକପ୍ରିୟତା ପାଇ ପାରିନାହିଁ। ଏପରି କାହିଁକି?
ଏ ପ୍ରଶ୍ନ ଖୁବ ଗମ୍ଭୀର ଓ ଅତି ବାସ୍ତବ । ପ୍ରବନ୍ଧ ଏଭଳି ଏକ ରଚନା ଯାହା ବୌଦ୍ଧିକ ଅନୁଶୀଳନର ଅପେକ୍ଷା ରଖେ। ଏହାର ଭାଷା ତେଣୁ ତଦନୁସାରେ ହୋଇଥାଏ ଭାବଗମ୍ଭୀର । ସାହିତ୍ୟର ପୁଣି ଏହା ହେଉଛି ଏକ ଅଭିଜାତ ବିଭାଗ। ଏହା ଗୋଟିଏ ଜାତିର ଆତ୍ମ ପରିଚୟକୁ ବହନ କରିଥାଏ। ସାହିତ୍ୟର ଗୁଣାତ୍ମକ ଉନ୍ନତି ଓ ସମୃଦ୍ଧିର ପରିଚୟ ମିଳିଯାଏ ପ୍ରବନ୍ଧରୁ। ଅଥଚ ଏହି ବିଭାଗଟି ଆମର ଅତି ଦୁର୍ବଳ ; ଯାହା ଆଦୌ ଶୁଭଙ୍କର ନୁହେଁ। ଏହାର ଏକମାତ୍ର କାରଣ ହେଲା ପାଶ୍ଚାତ୍ୟ ଜଗତ ଭଳି ଆମର ଲୋକ ଚେତନା ଓ ଲୋକ ଚରିତ୍ରଟି ଆଦୌ ଉନ୍ନତ କି ସମୃଦ୍ଧ ନୁହେଁ। ଯେଉଁ ଜାତିର ଲୋକ ଚେତନା ଯେତିକି ସମୃଦ୍ଧ , ସେହି ଦେଶରେ ପ୍ରବନ୍ଧ ପଠନର ଆଦୃତି ସେତିକି ଅଧିକ। ଅନଭିଜ୍ଞ ଚେତନା ଓ ଦୁର୍ବଳ ଲୋକ ଚରିତ୍ର ପ୍ରବନ୍ଧ ପାଇଁ କେବେ ବି ଅନୁକୂଳ ହୋଇ ନଥାଏ।
ଅଧିକାଂଶ ପ୍ରବନ୍ଧରେ ଆଦର୍ଶବାଦ ଜଡ଼ିତ ଥାଏ। ଏହା କେତେମାତ୍ରାରେ ପ୍ରଯୁଜ୍ୟ ବୋଲି ଆପଣ ଭାବନ୍ତି ?
ଆଦର୍ଶ କଳ୍ପନାର କଥା ନୁହେଁ ବରଂ ସମ୍ଭାବ୍ୟ ବାସ୍ତବତାର ଏକ ପ୍ରତ୍ୟୟ ଓ ପ୍ରତିଶ୍ରୁତି । ଗୋଟେ ପରିଶୁଦ୍ଧ , ସୁସ୍ଥ, ସୁନ୍ଦର ଓ ସମ୍ମୁନ୍ନତ ଜୀବନର ପରିକଳ୍ପନାକୁ ଆମେ ଆଦର୍ଶ ବୋଲି ଭାବୁ। ଏହି ଆଦର୍ଶ ପୁଣି ବାସ୍ତବତାର ପରିପନ୍ଥୀ ନୁହେଁ ବରଂ ସ୍ଥିତାବସ୍ଥାର ପରିବର୍ତ୍ତନ ପାଇଁ ଏକ ଆହ୍ବାନ। ଯେଉଁ ସମାଜ ବ୍ୟବସ୍ଥାଟି ଏବେ ରହିଛି , ସେହି ବ୍ୟବସ୍ଥାରେ ବିଦ୍ୟମାନ ତ୍ରୁଟି ବିଚ୍ୟୁତି ଏବଂ କ୍ଷତିକାରକ ବିଶ୍ୱାସ-ପ୍ରଥା-ପରମ୍ପରାର ପରିବର୍ତ୍ତନ କିମ୍ବା ସଂଶୋଧନ ନ ଘଟିଲେ କେବେ ବି ସମାଜର ପ୍ରଗତି ହୋଇ ପାରିବ ନାହିଁ। ପରିବର୍ତ୍ତନର ଏହି ଐତିହାସିକ ଦାୟିତ୍ୱକୁ ପାଳନ କରିଥାଏ ପ୍ରବନ୍ଧ ଓ ସେହି କାରଣରୁ ସେ ଏକ ସୁସ୍ଥ ସୁନ୍ଦର ଜୀବନବୋଧର ପ୍ରତ୍ୟୟ ଗଢ଼ି ତୋଳିବାକୁ ପ୍ରୟାସ କରେ । ଉନ୍ନତ ଜାତୀୟ ଜୀବନ ପାଇଁ ଏହା ଏକାନ୍ତ ଜରୁରୀ।
‘ଓଡ଼ିଆ ସାହିତ୍ୟର ଇତିହାସ’ ଆପଣଙ୍କର ଏକ ଚର୍ଚ୍ଚିତ ପୁସ୍ତକ । ଏପରି ଏକ ଉପାଦେୟ ପୁସ୍ତକ ପାଇଁ ଆପଣ କିପରି ଭାବରେ ପ୍ରସ୍ତୁତି କରିଥିଲେ ?
ସତ କହିବାକୁ ଗଲେ ଏହି ପୁସ୍ତକଟି ହେଉଛି ନିଶ୍ଚିତ ଭାବରେ ଉପାଦେୟ କିନ୍ତୁ ଚର୍ଚ୍ଚିତ ନୁହେଁ। ସମାଲୋଚନାକୁ ନେଇ ଚର୍ଚ୍ଚିତ କଲାଭଳି ଏକ ଉଚ୍ଚତର ପରମ୍ପରା ଓଡ଼ିଆ ସାହିତ୍ୟରେ ଏବେ ସୁଦ୍ଧା ଗଢ଼ି ଉଠିନାହିଁ। ସାହିତ୍ୟର ଭାଷା ଭାଷାପଞ୍ଜର ମଧ୍ୟରେ ଅଦୃଶ୍ୟ ଭାବରେ ବିଦ୍ୟମାନ ଥାଏ ଗୋଟେ ଜାତିର ଇତିହାସ ଏବଂ ସଂସ୍କୃତି । ଏହି ଜାତିର ଇତିହାସ ଓ ସଂସ୍କୃତିକୁ ଅଧ୍ୟୟନ ଓ ଅନୁଧ୍ୟାନ କରିବା ପାଇଁ ମତେ ପାଞ୍ଚ ବର୍ଷରୁ ଅଧିକ ସମୟ ଲାଗିଛି । ପାଞ୍ଚ ବର୍ଷର ସୁଦୀର୍ଘ ଅଧ୍ୟବସାୟ ଭିତରୁ ପ୍ରସ୍ତୁତ ହୋଇଛି ଏହି ପୁସ୍ତକ ।
ନୂତନ ପୀଢୀର ଲେଖକମାନେ ପ୍ରବନ୍ଧ ପ ପ୍ରତି କାହିଁକି ଆଗ୍ରହ ଦେଖାଉନାହାନ୍ତି ବୋଲି ଆପଣ ଭାବୁଛନ୍ତି ?
ଏଥିପାଇଁ ଅନେକ କାରଣ ଦାୟୀ। ତେବେ ମୁଖ୍ୟତଃ ଦୁଇଟି କାରଣ କଥା ମୁଁ କହିବି। ପ୍ରଥମଟି ହେଉଛି ପ୍ରବନ୍ଧ ରଚନା ଏଜ ବୌଦ୍ଧିକ ତଥା ଆୟସସାଧ୍ୟ ବ୍ୟାପାର । ଏଥିପାଇଁ ଗଭୀର ଜ୍ଞାନ , ଅଭିଜ୍ଞତା ତଥା ପରିପକ୍ୱ ଚିନ୍ତା ଚେତନାରେ ଆବଶ୍ୟକତା ରହିଛି। ଯାହା ଯୁବ ଲେଖକଙ୍କ ପାଖରେ ନଥାଏ। ପ୍ରବୀଣ ହିଁ ପ୍ରବନ୍ଧ ପାଇଁ ହୋଇଥାଏ ଯୋଗ୍ୟ । ଅନ୍ୟ କାରଣ ହେଉଛି ପ୍ରବନ୍ଧ ପାଇଁ ପ୍ରୋତ୍ସାହନର ଘୋର ଅଭାବ। ସାରଳା ପୁରସ୍କାର ଭଳି ମର୍ଯ୍ୟାଦା ଜନକ ଅନୁଷ୍ଠାନ, ପ୍ରବନ୍ଧ-ସମାଲୋଚନାକୁ ସୃଜନଶୀଳ ରଚନା ଭାବରେ ଗ୍ରହଣ କରନ୍ତି ନାହିଁ। ପ୍ରାବନ୍ଧିକ ଓ ସମାଲୋଚକଙ୍କୁ ଏଥିପାଇଁ ପୁରସ୍କାର ପ୍ରଦାନ କରାଯାଏ ନାହିଁ ; ଯେଉଁଭଳି କବିତା ଓ ଗଳ୍ପ ରଚନା ପାଇଁ ପ୍ରତିଭାଙ୍କୁ ପରିଚିତ କରିବାର ରହିଛି ଅନେକ ଅନୁଷ୍ଠାନ, ସେଭଳି ପ୍ରବନ୍ଧ ପାଇଁ ଅନୁଷ୍ଠାନ ଗଢ଼ି ଉଠି ନାହିଁ। ଫଳତଃ ଯୁବ ଲେଖକ ମୂଳରୁ ହିଁ ଏହି ଦିଗଟି ପ୍ରତି ସ୍ୱତଃ ବିମୁଖ ହୋଇଯାଏ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?
ସମ୍ମାନ ଓ ପୁରସ୍କାର ହେଉଛି ଏକ ଆନୁଷ୍ଠାନିକ ଲେଖକୀୟ ସ୍ୱୀକୃତି। ଏହି ସ୍ୱୀକୃତି ହିଁ ଲେଖକଙ୍କୁ ଅଧିକ ଲେଖିବା ପାଇଁ ପ୍ରୋତ୍ସାହିତ କରେ। ସ୍ୱୀକୃତି ତେଣୁ ଏକ ପ୍ରୋତ୍ସାହନ ଓ ଲେଖକକୁ କରିଥାଏ ଅଧିକ ସର୍ଜନଶୀଳ । ସେଇଥି ପାଇଁ ପୁରସ୍କୃତ ପ୍ରତିଭା ହୋଇଥାଏ ଦାୟିତ୍ୱ ସମ୍ପନ୍ନ। ଏହି ଦାୟିତ୍ୱ ବୋଧ ହିଁ ଉକୃଷ୍ଟ ରଚନା ପାଇଁ ଲେଖକଙ୍କୁ ଉତପ୍ରେରିତ କରିଥାଏ।
ସାମାଜିକ ଗଣମାଧ୍ୟମ ସୃଜନଶୀଳତାର ପଥକୁ ଅଧିକ ବିକଶିତ କରିଛିକି ?
ନିଶ୍ଚୟ । ସୃଜନଶୀଳତାର ଉଦବୋଧନ ଓ ଅଭିବୃଦ୍ଧି ହେବନିମନ୍ତେ ରହିଛି ‘ମଞ୍ଚ’ର ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ । ପାଠକ ସହିତ ଲେଖକଙ୍କୁ ପରିଚିତ ଓ ସହବନ୍ଧିତ କରିଥାଏ ଏତାଦୃଶ ସାମାଜିକ ମଞ୍ଚ। ପାଠକୀୟ ଶ୍ରଦ୍ଧା ଓ ପ୍ରତିକ୍ରିୟା ତେଣୁ ପ୍ରକାରାନ୍ତରେ ଅଧିକରୁ ଅଧିକ ଲେଖିବା ପାଇଁ ଲେଖକକୁ ଉଦବୁଦ୍ଧ କରିଥାଏ। ଆଜିର ସାମାଜିକ ଗଣ ମାଧ୍ୟମ ସେହି ଦୃଷ୍ଟିରୁ ଲେଖକମାନଙ୍କ ପାଇଁ ଆଣି ଦେଇଛି ଅପୂର୍ବ ସୁଯୋଗ।
ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି ଏ ବିଷୟରେ କଣ କହିବେ ଏପରି ହେବା ଦ୍ୱାରା ଆମର ଅନେକ ଶବ୍ଦ ଧୀରେ ଧୀରେ ବିଲୁପ୍ତ ହୋଇଯିବାର ଭୟ ରହିଛି କି ?
ଆପଣ ଠିକ କହିଛନ୍ତି । ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ଆଦୌ ଆମ ଭାଷା ସାହିତ୍ୟ ଓ ଜାତି ପାଇଁ ଶୁଭ ଲକ୍ଷଣ ନୁହେଁ । କାହିଁକି ନା ଭାଷା କେବଳ ଭାବ ବିନିମୟର ମାଧ୍ୟମ ମାତ୍ର ନୁହେଁ। ଗୋଟିଏ ଭାଷା ଭିତରେ ଅବସ୍ଥାନ କରୁଥାଏ ଏକ ପ୍ରାଚୀନ ଜାତିର ଆତ୍ମ ପରିଚୟ। ଭାଷା ଭିତରେ ବି ଅଦୃଶ୍ୟ ଭାବରେ ଉପସ୍ଥିତ ଥାଏ ଗୋଟିଏ ଜାତିର ମହାନ ସଂସ୍କୃତି। ପ୍ରତିଟି ଶବ୍ଦ ତେଣୁ ଅତି ମହତ୍ତ୍ୱପୂର୍ଣ୍ଣ। ଓଡ଼ିଆ ଶବ୍ଦ ଥାଉ ଥାଉ ଯେଉଁମାନେ ସେଇ ଜାଗାରେ ଇଂରାଜୀ ଶବ୍ଦର ବ୍ୟବହାର କରୁଛନ୍ତି , ସେମାନେ ନିଜ ଅଜ୍ଞାତରେ ହିଁ ଜାତି ଓ ସଂସ୍କୃତିର ସର୍ବନାଶ କରୁଛନ୍ତି। ଏହି ପ୍ରବଣତା ଆତ୍ମଘାତୀ ! ଏହି ଅପରିଣାମଦର୍ଶୀମାନେ ଜାଣନ୍ତି ନାହିଁ ଯେ ଭାଷାର ମୃତ୍ୟୁ ହେଲେ ଛାଏଁ ଛାଏଁ ତା’ ସହିତ ମରିଯାଏ ଗୋଟେ ଗୌରବମୟ ଜାତି ଓ ତାହାର ସାଂସ୍କୃତିକ ବିଭବ।
ସାହିତ୍ୟରେ ଯେକୌଣସି ବିଷୟର ଆଲୋଚନା ହେବା ପରେ ତାହା କେବଳ ଏକ ‘ଖବର ‘ ହୋଇ ରହିଯାଏ । ଏହା ଉପରେ ଆହୁରି ତର୍ଜମା କରି ଏହାର ପ୍ରଭାବ ବିଷୟରେ ଯତ୍ନବାନ ହେବା ଆବଶ୍ୟକ କି ? ଜଣେ ଆଲୋଚକ ହିସାବରେ ଆପଣ କ’ଣ କହିବେ ?
ମନେ ରଖିବାକୁ ହେବ ଯେ ସାହିତ୍ୟ ଖବର ନୁହେଁ କି ସମ୍ବାଦ ପରି ଏକ ସ୍ଥୂଳ ବିବରଣୀ ନୁହେଁ । ଚିତ୍ତ ବିନୋଦନ କି ମନୋରଞ୍ଜନ କରିବା ସାହିତ୍ୟର ଧର୍ମ ନୁହେଁ। ସାମାଜିକ ଜୀବନର ତ୍ରୁଟି ବିଚ୍ୟୁତି , କ୍ଷତି କାରକ ବିଶ୍ୱାସ ବ୍ୟବସ୍ଥା ଏହାର କୁପରିଣତି ଏବଂ ସେଥିରୁ ମୁକ୍ତ ହେବାର ସୂତ୍ର ଓ ସମାଧାନ ବହନ କଟିଥାଏ ସାହିତ୍ୟ। ଆମ ପାଠକୀୟ ପ୍ରବୃତ୍ତି ଏହି ଭାବଭୂମି ( ଉଦ୍ଦେଶ୍ୟ) ପାଖରେ ପହଞ୍ଚି ପାରେ ନାହିଁ। ହୁଏତ ସେଭଳି ଉଚ୍ଚତର ଚିତ୍ତ ବୃତ୍ତି ଗଢ଼ି ଉଠିବା ଭଳି ସୁଯୋଗ ଏଯାଏଁ ସୃଷ୍ଟି ହୋଇନାହିଁ ଆମ ସାମାଜିକ ବେଷ୍ଟନୀ ମଧ୍ୟରେ। ସାହିତ୍ୟକୁ ତର୍ଜମା କରିବା ଭଳି ଅନୁରୂପ ସାମର୍ଥ୍ୟ ବି ଯୋଗ୍ୟତା ନ ରହିଲେ ସାହିତ୍ୟ ଖବର ହୋଇଯାଏ।
ସାହିତ୍ୟକୁ ନେଇ ଆପଣଙ୍କର ଭବିଷ୍ୟତ ଯୋଜନା କ’ଣ ?
ଯୋଜନା ତ ଅନେକ ଅଛି । ହେଲେ ଏତେ ସପନକୁ ରାତି ନ ପାହିଲେ ହେଲା। ଓଡ଼ିଆ ଜାତି-ସଂସ୍କୃତି- ସାହିତ୍ୟର ଏକ ସମନ୍ବିତ ପ୍ରକଳ୍ପ ଆରମ୍ଭ କରିଛି। ଏହା ଏକ ବଡ଼ କାମ । ହୁଏତ ପାଞ୍ଚବର୍ଷ ଲାଗିଯାଇ ପାରେ ଏହି ବିଶାଳ ଗ୍ରନ୍ଥଟିକୁ ସମ୍ପୂର୍ଣ୍ଣ କରିବା ପାଇଁ।
Comments are closed.