Latest Odisha News

ସ୍ୱପ୍ନ ବୃତ୍ତାନ୍ତ

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ …… 

ସେଥର ଥାଏ ଗ୍ରୀଷ୍ମ ଋତୁ । ଚୈତ୍ର ମାସ । ବାଙ୍ଗାଲୋର ଏକ ଶୁଷ୍କ ମାଳଭୂମି ହେଇଯାଏ ସେତେବେଳେ । ପାଣିର ଅଭାବ ଦେଖାଦିଏ । ଟ୍ଯାଙ୍କର  ପାଣି କିଣି ଚଳନ୍ତି ଅଧିକାଂଶ ଲୋକେ ।

ଆମର ଏଠି ରହିବା ଚାରି ବର୍ଷ ହବଣି । ସେଦିନ ରାତିରେ ଆମେ ଖିଆପିଆ ସାରି ଶୋଇଲୁ ।ଶୋଇବା ଆଗରୁ ମୁଁ ପ୍ରାର୍ଥନା ସାରିଲି। ଭୋରୁ ଭୋରୁ ମୁଁ ସ୍ବପ୍ନ ଦେଖୁଛି …..

ନୀଳ ତମାଳ ଭରା ଅଦ୍ବିତୀୟ ଇଲାକା । ଅପରୂପ ସୌନ୍ଦର୍ଯ୍ୟରେ ଭରା । ସବୁଆଡେ ଦିବ୍ଯତା । ପ୍ରକାଶମୟ । କେଉଁ ଏକ ଅଜଣା ଉପତ୍ଯକା ମତେ ମୁଗ୍ଧ କରିଛି । ମୁଁ ନିଜେ ପିନ୍ଧିଛି ନୀଳଆଭାମୟ ଏକ ଅଦ୍ଭୁତ ବସ୍ତ୍ର ଆପାଦ ଯାହାର ପଣତ ଆକାଶ ଯାଏ ଖେଳେଇ ହେଇ ରହିଛି । ଶୁଭ୍ରା ହଂସିନୀମାନେ ଝାପ୍ସା ଦିଶୁଛନ୍ତି ପୁଣି ଉଭେଇ ଯାଉଛନ୍ତି । ଆଜିଯାଏ ମନେ ଅଛି ସେ ସ୍ବପ୍ନ । ପୁଣି ଦେଖୁଛି …. ମୁଁ ଚାଲୁଛି, ଆହୁରି ଆଗକୁ ଆଗକୁ ଆଗକୁ…… ଏକ ସୁନ୍ଦର ନୀଳ ଜଳାଶୟ କୂଳେ ଉପନୀତା ।ଅଜସ୍ର କୁମୁଦ ଭରି ରହିଛନ୍ତି ସେଠି । ନୀଳ କୁମୁଦର ଅଭିସାରରେ ଯେମିତି ପୁଷ୍କରଣୀ ସଜେଇ ହେଇଛି । ତଲ୍ଲୀନ ହେଇ ଦେଖୁଛି ମୁଁ ।ତାରି ଭିତରେ ହଜିଯାଉଯାଉ ଦେଖୁଛି ଗୁରୁଣ୍ଡି କୃଷ୍ଣ ମୋର ସେଇଠି ମାଟିରେ ଖେଳୁଛି ଚଳ ଚଞ୍ଚଳ  ଆଉ ମତେ ଚାହୁଁଛି ଥରକୁ ଥର । କହୁଛି, ” ମତେ ନୀଳ କଇଁ ଆଣିଦେ । ଆଣିଦେ ନୀଳ କଇଁ । ଆଣିଦେ ।” । ଅଳି କରୁଛି । ମୁଁ କଇଁ ତୋଳିବାକୁ ପୋଖରୀ ଭିତରକୁ ପାଦ ବଢେଇସାରିଛି । ସିଏ କୂଳରେ ଥାଇ ହସୁଛି । ମୁଁ ଯେତେ ପାଖକୁ ପାଖକୁ ଯାଉଛି ଫୁଲ ସବୁ ସେତେ ସେତେ ଘୁଞ୍ଚି ଯାଉଛନ୍ତି । ମୁଁ ମଝି ପୋଖରୀରେ ହେଲିଣି ।ସେତେବେଳେ ଭାବୁଛି ଏ ସବୁ ତ ପଦ୍ମ । କଇଁ କାଇଁ?ପୁଣି ଭାବୁଛି ,” ଏ ମାଆ ମତେ ତ ପହଁରି ଆସେନି । ଫେରିବି କେମିତି? ” ଫୁଲକୁ ହାତ ବି ତ ପାଉନି ……..

ପଛକୁ ଯେତେଥର ଚାହୁଁଛି ସିଏ ହସୁଛି ଆଉ କହୁଛି, ” ଆଣିଦେ ନା, ଆଣିଦେ ।”

ନିଦ ଭାଙ୍ଗିଗଲା । ଉଠି ବସିରହିଲି ଘଡିଏ ଆଖି ମୁଦି । ସ୍ବପ୍ନରୁ ବାହାରି ପାରୁନଥିଲି । ସତ ପରି ଚାରିପଟେ ଲାଗୁଥିଲା ।”କରାଗ୍ରେ ବସତେ ଲକ୍ଷ୍ମୀ …. ”  କରି ଧିରେ ଓହ୍ଲାଇ ଯାଇ ମୁହଁ ଧୋଇଲି । ସେମିତି ଗୋବିନ୍ଦ ପାଖକୁ ଗଲି ।ତାକୁ ଚାହିଁଲି ସିଧା । ସିଏ ହସୁଥାଏ ସେମିତି ।ମୁଁ ସେଇଠି ବସିରହିଲି ତାକୁ ଚାହିଁ ।

ଇଏ କେତେବେଳେ ଉଠି ଆସି ମୋ ପଛରେ ବସିଛନ୍ତି । ମତେ ଅନ୍ଯମନସ୍କ ଥିବା ଦେଖି ଡାକି ଦେଇନାହାନ୍ତି । ଅପେକ୍ଷା କରିଛନ୍ତି । କିଛି ସମୟ ପରେ ଧିରେ ପଚାରିଲେ, ” କଣ ହେଲା ?”

ମୁଁ ତାଙ୍କୁ ଚାହିଁଲି ଆଉ କହିଲି, ” ମତେ ନୀଳକଇଁ ଆଣିଦବ ? ମୋ ପୁଅ ଖୋଜୁଛି ” । ନିଜ ସ୍ବର ମତେ ନିଜକୁ ଅଚିହ୍ନା ଲାଗିଲା । ଇଏ ହସିଦେଲେ ଆଉ କହିଲେ, ” ଏଠି ? କଇଁ ? ବାଙ୍ଗାଲୋରରେ ? ହଉ ଦେଖେ । ଲାଲି ପଦ୍ମ ମିଳିପାରେ । ସେଇଥିରୁ ଆଣିଦେବି ନୋହିଲେ ? ବିଷ୍ଣୁ ତ ପଦ୍ମ ପ୍ରିୟ । ଆସେ । ଗେଟ ଦିଅ ।” ବାହାରିଗଲେ ।

ମୁଁ ସେମିତି ଆଉ କିଛି ସମୟ ବସିବା ପରେ ଉଠିଲି ।ନିତ୍ଯକର୍ମ ସାରି ଚନ୍ଦନ ଘୋରୁଛି । ସେତବେଳକୁ ସ୍ବପ୍ନରୁ ବାହାରି ଆସିଲିଣି । ଭାବୁଛି,” ଏହେ ! ବେକାର ୟାଙ୍କୁ କଣ ୟାଡୁସାଡୁ କହିଲି ।ସ୍ବପ୍ନ ଟା ତ ସ୍ବପ୍ନ । ସତରେ ଭଲା ଏଠି କୋଉଠି ପାଇବେ ? ଛିଃ ସବୁବେଳେ କଳ୍ପନା ପ୍ରବଣତା ,ଭାବପ୍ରବଣତା ନେଇ ମୁଁ ସିନା ରହେ , ୟାଙ୍କୁ ଖାଲିଟାରେ ହଇରାଣ କଲି ।ଇଏ ଯୋଉ ପିଲା ଏବେ ପୃଥିବୀ ଖୋଜି ଆସିବେ ମୋ ପାଇଁ । କାଇଁ ମିଳିବ ଭଲା କଇଁ ଫୁଲ କୋଉଠି । ଯେତେକ ଗଧି କାମ ସବୁ ମୋର ।ଫିଲ୍ମି ତ ହେଲି ଖାଲି ଆଉ ।” ଏମିତି ନିଜକୁ ନିଜେ ପେଁ ପେଁ ହଉଥାଏ ।ଚନ୍ଦନ ଘୋରୁଥାଏ ।ଇଏ ସେତବେଳକୁ କେତେବେଳ ହେଲା ଗଲେଣି । ମୋ ମନଟା ବ୍ଯସ୍ତ ଲାଗୁଥାଏ ଅଜଥା ହଇରାଣରେ ପକେଇଲି କିଆଁ ବୋଲି ।

ଦାଣ୍ଡ କବାଟ ଆଉଜା ହେଇଥାଏ । ଧଡ୍ କି ମିଠା ପବନଟେ ସହ କବାଟ ଫିଟି ପଡିଲା । ମୁଁ ନଇଁ ପଡି ସେଇଠୁ ଅନେଇ ଯାହା ଦେଖିଲି ମୋ ଆଶ୍ଚର୍ଯ୍ୟର ସୀମା ନଥିଲା । କୃତଜ୍ଞତାରେ ଭରିଗଲି ମୁଁ ୟାଙ୍କ ପ୍ରତି ।

ମୋ ଭିତରେ ସ୍ବପ୍ନ ଟି ପୁଣି ଜୀଁ ଉଠିଲା ।ନୀଳମୟ ହେଇଗଲା ଚତୁର୍ଦିଗେ । ୟାଙ୍କ ଆଖିରେ ଭାବଗଦଗଦ ଲୁହର ଚମକ ଓ ଓଠରେ ଭକ୍ତି ର ହସ । ଆନନ୍ଦରେ ମୋ ହାତକୁ ବଢେଇ ଦେଉଥାନ୍ତି ଗୋଟେ ନୁହେଁ କି ଦିଟି ନୁହେଁ ….. ଗୋଛେ ନୀଳ କଇଁ ଏହା କହୁ କହୁ ଯେ ,” ସବୁ ତାଙ୍କରି ଇଛ୍ଛା,  ଦେଖ ସିଏ ଇଛ୍ଛା କଲେ ଆଉ …… ।”

ଗୋଟିଏ ଗୋଟିଏ କରି ମୁଁ ଦୋଳି ଚାରିପଟ ସଜେଇଲି ମନ ବୋଧ କରି । ଧରେଇଲି ହାତରେ ତାର ପାଖୁଡା ଖୋଲି ।ଜଳପାତ୍ର ରେ ଭସେଇଲି ଦୀପ ଗହଳିରେ । ନୀଳ କୋମଳ ସ୍ୱର୍ଣ୍ଣିମ ଆଭା ସଂଚରିଲା ଦିଅଁ ଘର ଯାକ  ।କୃତ୍ଯ କୃତ୍ଯ ଭାବଟେ ଆବୋରି ବସିଲା ଆଜି ଯାଏ , ଯେତେବେଳେ ଯେତେ ଥର ମନେ ପଡେ ।
ଭାଗବତ ବାଣୀ କୁହନ୍ତି …..

ସେ ହରି ଅନ୍ତରେ ବାହାରେ, ଆନ କେ ଅଛି ଏ ସଂସାରେ।।
ସେ ସର୍ବବୁଦ୍ଧି ଅନୁଭୂତ, ସ୍ବପ୍ନ ଜାଗ୍ରତ ମଧ୍ୟେ ସ୍ଥିତ ।।

ପାନାଥୁର
ବାଙ୍ଗାଲୋର

Comments are closed.