ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ପାକୁଆ ବାବୁ ବଡ଼ ଭଦ୍ର ଭାରି ଭଲଲୋକ । ଯୋଉଠି କି ଗଲେ, ଯାହାପାଖେ ବସିଲେ କି ମଞ୍ଚକୁ ଉଠିଲେ.. ନିଜ ଢୋଲ ବହୁତ ବଢିଆ ବଜେଇ ଶ୍ରୋତାଙ୍କ କାନକୁ ତାବଦା କରିପାରନ୍ତି । ଆଉ ଯିଏ ତାଙ୍କୁ ମଞ୍ଚରେ ନବସେଇଲା.. ଅତି ସୁନ୍ଦରଭାବେ ଯାଚ୍ଛାତା କରି ଗାଳିଦେଇ ବୁଝେଇଦିଅନ୍ତି ଯେ ତାଙ୍କପରି ବିଜ୍ଞଲୋକ ଏଯାଏଁ ମହୀମଣ୍ଡଳେ ଜନମ ହେଇନାହାନ୍ତି । ତାଙ୍କ ଚାକିରୀକାଳରେ ଏତେ ଶକ୍ତି କେଶ ଅଗରେ ଥିଲା ଯେ, ତାହା ଲମ୍ବିଯାଇ ଭାରତ ପାକିସ୍ଥାନ ବର୍ଡରରେ ଅନୁପ୍ରବେଶକାରୀଙ୍କୁ ଅଟକେଇପାରୁଥିଲା । ସାହିତ୍ୟ ଚାଷ ଏମିତି ଢଙ୍ଗରେ କରୁଥିଲେ ଯେ ସେଇଥିରୁ ଅମଳହେଉଥିବା ମଞ୍ଜିଶୂନ୍ୟ ଫଳଖାଇ ବଡ ବଡ଼ ସାହିତ୍ୟିକମାନେ ନିଶ୍ଚିତ ଗର୍ଭଧାରଣ କରୁଥିଲେ । ତାଙ୍କ ଲିଖିତ କବିତା , ଗଳ୍ପ , ପ୍ରବନ୍ଧସବୁ ଜାହାଜରେ ବୋଝେଇହୋଇ ଦେଶ ବିଦେଶକୁ ରପ୍ତାନୀ ହେଉଥିଲା । ଏଇ ବିଦେଶୀ ଭାଷାର ସାହିତ୍ୟପ୍ରେମିକା ପ୍ରେମିକ ଯେତେସବୁ ତାଙ୍କ କବିତା ଗିଳି ପ୍ରେମଶକ୍ତିକୁ ସହସ୍ରଗୁଣରେ ବୃଦ୍ଧିକରୁଥିଲେ । ସାରା ବିଶ୍ୱରେ ଏମିତି କେହି ବିଜ୍ଞଜନ ନାହିଁ, ଯିଏ ତାଙ୍କୁ ପଢିନାହିଁ କି ଜାଣିନାହିଁ ।
ସେ କୁହନ୍ତି , ସେତେବେଳେ ବହୁତ ବଡ଼ ବଡ ସଭାକୁ ମତେ ଡାକି ମଞ୍ଚରେ ବଡ଼ବଡ଼ ସନମାନ ଦେବାକୁ କହୁଥିଲେ ; ମାତ୍ର ଏତେ ଓଜନିଆ ମାନପତ୍ର ! ଉପହାର ମୁଁ ବଳଦପରି ବୋହିପାରିବିନି କହିବାରୁ ସେଗୁଡା ଅନ୍ୟଙ୍କୁ ଦେଇଛନ୍ତି । ନଇଲେ ଯେତେ ଯିଏ ଆଗରୁ ସମ୍ମାନିତ ହୋଇଛନ୍ତି.. ତାର ଅସଲ ଅଧିକାରୀ ମୁଁ ।
ତେଣୁ ତମେ ଓଡ଼ିଆ ମତେ ଚିହ୍ନିବାକୁ ବାଧ୍ୟ । ମଞ୍ଚରେ ବସେଇ ମୋ ଭାଷଣ ଶୁଣିବା ପରମ କର୍ତ୍ତବ୍ୟ । ମତେ ଏକୁଟିଆ ସମ୍ମାନିତ କରିବାର ଅର୍ଥ ସାରା ଦେଶର ଶହେ ମହାଜ୍ଞାନୀଙ୍କୁ ସମ୍ମାନିତ କରିବାସଙ୍ଗେ ସମାନ । ମୋର ଏଇ ପାରିବାପଣିଆ ସାହିତ୍ୟଗୁଣ, ମଞ୍ଚରେ ଭାଷଣ, ସମ୍ମାନ ହାତେଇବାର ରଣକୌଶଳ ଆମ ବଂଶ ଅଭିଜାତ୍ୟ ପରମ୍ପରା । ଶୁଣ ,କଣ କେମିତି ଲେଖି ମତେ ସମ୍ମାନିତ କରିବ.. ତାହା ମୁଁ ଲେଖିକି ଦେବି । ମତେ ସଭାର ମୁଖ୍ୟବକ୍ତା ତଥା ସଭାପତି ଆସନରେ ବସେଇ ଯଥାଯୋଗ୍ୟ ମର୍ଯ୍ୟାଦା ଦେବ । ମୋ ପରିଚୟ ଯାହା ଦେବ ମୁଁ ଆଗରୁ ଛାପି ମାତ୍ର ପାଞ୍ଚପୃଷ୍ଠାରେ ରଖିଛି । ସେଇଟା ପଢ଼େଇ ଲୋକଙ୍କୁ ଶୁଣେଇ କହିବ । ଯେତିକି କୁହାଗଲା ତା ଠାରୁ ସାର ଶହେଗୁଣା ଅଧିକ ବୋଲି ବି କହିବ । ଆମର ପରମ ସୌଭାଗ୍ୟ ଏଭଳି ଅନ୍ତର୍ଜାତୀୟ ମହାନବ୍ୟକ୍ତିକୁ ପାଇ ନିଜକୁ ଧନ୍ୟମଣୁଛୁ । ସାରଙ୍କ ସମୟ ନଥାଏ । ସର୍ବଦା ଦେଶ ବିଦେଶରୁ ନିମନ୍ତ୍ରଣ ଆସେ । ବିଶ୍ୱର ବହୁତ ବଡ ବଡ଼ ବିଶ୍ୱବିଦ୍ୟାଳୟ ତାଙ୍କୁ ଶୁଣିବାକୁ ବର୍ଷ ବର୍ଷଧରି ଅପେକ୍ଷାକରି ଅନେଇଥାନ୍ତି । ବାକି ମୋ’ ଡ୍ରେସ ଉପରେ, ମୋ’ ଚରିତ୍ର , ମାନବିକତା, ସମାଜସେବା କଥା, ଯେତେ ଭି. ଆଇ. ପି ଦେଶର.. କଥା ମୋ ନିଜରବୋଲି ସବୁ ପ୍ରଶଂସା କରିବାରେ ଯେମିତି ସାମାନ୍ୟ ତ୍ରୁଟି ନକର । ହଁ ମୋ ବେକରେ ଗାମୁଛା ନପକେଇ ଭଲ କାଶ୍ମୀରୀ ସାଲ ପକେଇବ । ଯେମିତି ମୋ ପତ୍ନୀଦେଖି ପରସ୍ତେ ଖୁସିହୋଇଯିବ । ହଁ ଆଉଗୋଟେକଥା.. ମିଡ଼ିଆବାଲାଙ୍କୁ କହି ମୋ ନାଁ ଆଗ ଛପାଇବ ଓ ଫୋଟ କ୍ଳିଅର ଦେଖାଯିବା ଦର୍କାର । ଯଦି ଦରକାର କହିବ ଏ ବାବଦରେ ଭଲ ପରିତୋଷିକ ଦେଇପାରେ । ମାତ୍ର ମୋ ସମ୍ମାନ ସବୁଠୁ ଉଚ୍ଚମାନର ହେବାର ଅଛି । ନଇଲେ ମତେ ତମେ ଚିହ୍ନିବ । ଆଉଗୋଟେ କଥା.. ଯୋଉଠି ଯୋଉଠି ଯେତେ ସଭାସମିତି ହେବ, ତାର ଆୟୋଜକ କିଏ ମତେ ଆଗୁଆକହି ତାଙ୍କ ଫୋନ ନମ୍ବର ଦେବ । ତମେ ତାଙ୍କୁ ମତେ ନିମନ୍ତ୍ରଣ କରି ମଞ୍ଚରେ ବସେଇବାକୁ ମୋ ନାଁ ଓ ନମ୍ବରଦେବ । ତମେ ମୋ ନିଜରଲୋକ ତେଣୁ ସବୁକଥା ବୁଝେଇ କହିଲି । ମୁଁ ଓଡ଼ିଆ ମାତ୍ର ଇଂରାଜୀ ଛଡା ଅନ୍ୟ ଭାଷାରେ ଭାଷଣ ଦିଏନି । କିନ୍ତୁ ତମପାଇଁ ବଡ କଷ୍ଟରେ ମାତୃଭାଷାରେ କହିବି ବୋଲି ଆଗୁଆ ସୂଚେଇ ଦେଇଥିବ । ଆଉଗୋଟେ କଥା ମନେରଖ… ମୋ ପାଇଁ ଟିଫିନରେ କେବଳ ସଲଟେଡ଼ କାଜୁ ,ପିସ୍ତା ,ଦେଶୀ କଦଳୀ , ବରଫି କି ସନ୍ଦେଶ ସୁଇଟ୍ସ ଭଳି ଜିନିଷ ଦେବ । ଅନ୍ୟକିଛି ଆଜେବାଜେ ଦେବନି l ମୋର ନନ -ଭେଜ ମିଲସରେ ମଟନକସା, ଘି ପରଟା, ମସ୍ରୁମ ପନିର.. ଏମିତି ଯାହାକିଛିଦେବ । ଭେଜିଟେବୁଲ କି ଫ୍ରୁଟ୍ସ ସାଲାଡ଼ ମଷ୍ଟ । ଆଉ ଯାହା କହିବା ଦର୍କାର ନାହିଁ ବୁଝିଯିବ l ଯେମିତି ଭୁଲିନଯାଅ ସବୁଠୁ ମୁଁ ବିଜ୍ଞଲୋକ….. ।
Comments are closed.