Latest Odisha News

ଆବଶ୍ୟକତାରୁ ଅଧିକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ମୋର ଜଣେ ବନ୍ଧୁ କାଶ୍ମିରରୁ ଆସିଲାବେଳେ ମୋତେ ଉପହାର ସ୍ୱରୂପ ଭଲ ସେଓ ଚାରାଟିଏ ଦେଇ କହିଲେ, ଏଇଟା ଆମ ଓଡ଼ିଶା ଜଳବାୟୁରେ ବଞ୍ଚି ବଢିବ ଓ ଖୁବ୍ ଫଳ ଦେବ । ଆଗରୁ ମୋ ପରିବାରରେ କେହି ସେଓଗଛ କେମିତିକା ଦେଖି ନଥିବାରୁ ପୁଅ, ବୋହୂ, କନ୍ୟା, ମୋ ପତ୍ନୀ ମିଶି ଗୁଡ଼ାଏ ପର୍ଯ୍ୟବେକ୍ଷଣ, ଆଲୋଚନା, ବିଚାର ବିମର୍ଶ ପରେ ଅତି ଯତ୍ନରେ ବାଡ଼ିରେ ପୋତିଲେ । ମାସେ ପରେ ଦେଖାଗଲା ସେଇ ଗଛଟି ସୁନ୍ଦର ଭାବେ ମରିଯାଇଛି । ସମସ୍ତେ ମିଶି ତା ମୂଳରେ ଦୁଇ ଓଳି ପାଣି ଦେଇ ଏତେ ଖତ ସାର ଦେଇ ଖୁବ୍ ବଳିଷ୍ଠ ଶୀଘ୍ର ବଡ଼ କରିବାକୁ ଏମିତି ଉଦ୍ୟମ କଲେଯେ, ବିଚରା ଚାରାଟି ଅତି ଯତ୍ନେ ମରଣ ଦଶା ଭୋଗିଲା ।

ଗଲା ପଣା ସଂକ୍ରାନ୍ତିରେ ମୋ ପଡୋଶୀ ଅତି ଯତ୍ନରେ ତୁଳସୀ ଚଉରା ସଜେଇ, ଉପରେ ନଡ଼ିଆ ପତ୍ର ଛାମୁଣ୍ଡିଆକରି ବହୁତ ବହଳିଆ ମିଠାପଣାକୁ ମାଟି ଘଡ଼ିରେ ପୂରେଇ ତୁଳସୀ ଉପରେ ଟାଙ୍ଗି, ତା ତଳ କଣାକରି ସୁନ୍ଦର ଛନଛନ ଗଛ ଉପରେ ମୂଳରେ ଝରେଇଲେ ଯେ, ବିଚରା ବଢିଆ ପିମ୍ପୁଡି ବେଢ଼ି ଖାଇ , ତୁଳସୀ ଦେବୀଙ୍କୁ ନାରାୟଣ ପ୍ରାପ୍ତ କରେଇଦେଲେ ।

ଆପଣମାନେ କରୋନା କାଳରେ ଖବର ଦେଖିଥିବେ, ଚିକିତ୍ସା ବିଜ୍ଞାନରେ ଆଗୁଆ ଅନେକ ଦେଶରେ ଅତି ଯତ୍ନରେ ସେବା ପାଇବି ଅଧିକ ଲୋକଙ୍କ ମରଣ ହେଲା । ଆମ ଦେଶରେ ଅତି ଯତ୍ନରେ ଭଲ ସେବା ପାଇବାକୁ ଯାଇ ଅନେକ ବଡ଼ ଲୋକଙ୍କର ବଡ଼ ବଡ଼ ପ୍ରାଇଭେଟ ହସ୍ପିଟାଲ, ନର୍ସିଂହୋମ୍ ରେ ଚିକିତ୍ସାରେ ଥାଇ ଆରପୁରକୁ ଟିକଟ କାଟିଲେ । କରୋନା ଥଣ୍ଡାରୋଗର ବଡ଼ ବୋପା । ସେଥିରେ ଥଣ୍ଡା ମେସିନ୍ ଲାଗିଥିବା କକ୍ଷରେ ରହି ବୋଧେ ଅଧିକ ଥଣ୍ଡାରେ ଫୁସଫୁସ୍ ଭିତରେ କଫ ଜମାଟ ବାନ୍ଧି, ଶ୍ୱାସ ରୁନ୍ଧି ଶ୍ୱାସ ପ୍ରଶ୍ୱାସ ନନେଇପାରି ହୁଏତ ମରଣ ଦଶା ଭୋଗିଲେ । ତା ଛଡା ଅନେକ ଜଣାଶୁଣା ଧନୀ ପଦବୀଯୁକ୍ତ ଲୋକେ କରୋନା ଆକ୍ରାନ୍ତ ହୋଇ ଯେବେ ଏମିତି ବଡ଼ ହସ୍ପିଟାଲ ଭିତରେ ପଶନ୍ତି, ସେପଟୁ ବହୁପରିଚିତ ପାୱାରଫୁଲ୍ ନେତା, ଅଧିକାରୀଙ୍କର ପଲ୍ଲୀଠୁ ଦିଲ୍ଲୀ ଯାଏ ଘନ ଘନ ଏତେ ଫୋନ ଡାକ୍ତରଙ୍କ ପାଖକୁ ଅତି ଯତ୍ନରେ ଚିକିତ୍ସା କରିବାକୁ ତାଗିଦ ଆସେ ଯେ, ବିଚରା ରୋଗୀ ସେବାରେ ନୁହଁ ବରଂ ଅଧିକ ସମୟ ଫୋନ ସେବାରେ ବ୍ୟସ୍ତ ବିବ୍ରତ ରହିବା, ସେମାନଙ୍କ ମୃତ୍ୟୁର କାରଣ ହୋଇ ନପାରେ, ଏକଥା କିଏ କହିବ ! ଏଇଭଳିଆ ଅତି ଯତ୍ନେ ଯମଦ୍ୱାରେ ସହଜରେ ଗମନ ସମ୍ଭବ ହୋଇଥାଏ ।

ବେଳେବେଳେ ଆମପରି ସାଧାରଣ ମଧ୍ୟବିତ୍ତ ଲୋକେ ଦ୍ୱନ୍ଦ୍ୱରେ ପଡନ୍ତି । ଯଦି ପରିବାର ପ୍ରିୟଜନଙ୍କର ଦେହ ହଠାତ୍ ଖରାପ ହୁଏ, ଅନେକ ହିତାକାଂକ୍ଷୀ ମିଶି ଏମିତି ଉପଦେଶ ଦିଅନ୍ତିଯେ, ରୋଗୀର ପୁତ୍ର -କନ୍ୟାଦି ଅତି ଯତ୍ନରେ କେଉଁଠି ଉତ୍ତମ ଚିକିତ୍ସା କରେଇବେ, ହଡବଡେଇ ଯାଆନ୍ତି । ଯଦିଓ ତାଙ୍କ ଭିତରୁ କେହି କେହି ଜାଣିଥାନ୍ତି -ସରକାରୀ ଡାକ୍ତରଖାନାରେ ଅନେକ ଉଚ୍ଚ ଡିଗ୍ରୀଧାରୀ ସେବକ -ସେବିକା, ଚିକିତ୍ସକ ବିଶେଷଜ୍ଞ ଅଛନ୍ତି, ଯେଉଁଠି ମାଗଣା କିମ୍ବା କମ୍ ଖର୍ଚ୍ଚରେ ରୋଗୀ ଭଲ ହୋଇପାରିବ, ତଥାପି ଉପଦେଷ୍ଟାଙ୍କ କଥା ନ ମାନିଲେ କାଳେ କୃପଣ ଭାବିବେ କିମ୍ବା ସେମାନେ ମନ ଖରାପ କରିବେ, ସେଇ ନ୍ୟାୟରେ ବଡ଼ ବଡ଼ ପ୍ରାଇଭେଟ୍ ହସ୍ପିଟାଲ, ନର୍ସିଂହୋମ୍ ରେ ଭର୍ତ୍ତି କରିଥାନ୍ତି। ବେଳେବେଳେ ସେଠାର କର୍ମଚାରୀ ବା ଚିକିତ୍ସକ ଛୋଟିଆ ବେମାରୀକି ଏମିତି ବଢ଼େଇ ଚଢେଇ କହିଥାନ୍ତି ଯେ, ରୋଗୀର ନିଜଲୋକଙ୍କ ଛାତିରେ ଛନ୍ନକା ପଶିଯାଏ । ତେଣୁ ଅତି ଯତ୍ନରେ ସେବା ପାଇବା ଆଶାରେ ତାଙ୍କରି ଭରସାରେ ଛାଡ଼ି ମୋଟା ଟଙ୍କା ଯୋଗାଡ଼ିବାରେ ବ୍ୟସ୍ତ ରହନ୍ତି । ବାହାରେ ସରକାରୀ ସ୍ତରରେ ପରୀକ୍ଷା ନିରୀକ୍ଷା ପାଇଁ ଯେଉଁଠି କମ୍ ଖର୍ଚ୍ଚ ବା ମାଗଣାରେ ହୋଇପାରନ୍ତା, ସେଇଠି ସେଇ ନାଁ କରା ହସ୍ପିଟାଲରେ ଢ଼େରେ ଚଢ଼ାଦାମରେ କରେଇବାକୁ ବାଧ୍ୟ ହୁଅନ୍ତି । ପ୍ରାୟ ପ୍ରତିଦିନ ମୋଟାଅଙ୍କର ବିଲ୍ ପୈଠ ଅଣନିଶ୍ୱାସୀ ହୋଇ ଧର୍ଯ୍ୟଧରି ଖର୍ଚ୍ଚକରନ୍ତି। ଯେପର୍ଯ୍ୟନ୍ତ ଆପଣଙ୍କ ସଞ୍ଚିତ ଧନ ଅବା ହାତ ଉଧାରି ଲୋନ ଉପରେ ଭରସା ଥାଏ l ବେସ କିଛିଦିନ ଖର୍ଚ୍ଚକରି ନିସ୍ଵ ହେଲାପରେ ରୋଗୀ ଭଲହୋଇ ଫେରିଲେ ତ ଭଲ.. କିଛି ବାଧିବନି । ମାତ୍ର ଯଦି ରୋଗୀର ମୃତ୍ୟୁ ହୋଇଯାଏ, କିମ୍ବା ଆଉ ଅର୍ଥ ଦେବାରେ ଅସମର୍ଥ ପ୍ରକାଶ କରନ୍ତି, ତେବେ ସେଇ ଅସୁସ୍ଥ ଅବା ଡେଡ୍ ବଡି ନେଇ ଫେରିଲାବେଳେ ମନରେ ଯୋଉ ଖୁସି.. ତାହା ନ କହିଲେ ଭଲ.. କହିଲେ ମଲ । ଅନ୍ତର ବେଦନାକୁ କେବଳ ଅନୁଭବୀ ଜାଣନ୍ତି ।

କିଛିଦିନ ତଳେ ଜଣେ ପ୍ରିୟ ଭଉଣୀ, ତାଙ୍କ ପିତାଙ୍କ ପ୍ରାଇଭେଟ ହସ୍ପିଟାଲର ଚିକିତ୍ସା କାହାଣୀ ମୋତେ କହିଲାବେଳେ ଆଖିରୁ ଯେମିତି ଅଶ୍ରୁଧାର ବୋହି କଣ୍ଠ ବାକ୍ ରୁଦ୍ଧ ହୋଇଯାଉଥିଲା, ମୋର ଶବ୍ଦ ନଥିଲା ତାଙ୍କୁ ସାନ୍ତ୍ୱନା ଦେବାକୁ । ଆବଶ୍ୟକ ଥାଉ କି ନଥାଉ, ଆଇ. ସି. ୟୁ ରେ ଭର୍ତ୍ତିକରି କୋମାଭଳିଆ ଅବସ୍ଥାରେ ରଖି ମୋଟା ଟଙ୍କା ଖର୍ଚ୍ଚ ନକଲେ ବଞ୍ଚିବା ଆଶା ନଥିବା ଶୁଣେଇ ଯେମିତି ଝୁଣି ଚାଲିଥିଲେ, ସେ ସର୍ବସ୍ୱାନ୍ତ ହେବାରୁ ବାଧ୍ୟରେ ତାଙ୍କୁ ସେଇଠୁ ନେଇ ଘରକୁ ଆସିଲେ । ବରଂ ଘରେ ଅବସ୍ଥା ଭଲ ରହିଲା । ଆଉ ଅଧିକଦିନ ରଖିଥିଲେ କେବଳ ପୈତୃକ ଘର ଖଣ୍ଡିକ ବିକ୍ରିକରି ବିଲ୍ ପୈଠ କରିବାକୁ ପଡିଥାନ୍ତା । ଯା ହେଉ ଉଭୟେ ବଞ୍ଚିଗଲେ ।

ଏଇଠି କହିରଖେ.. ସବୁ ପ୍ରାଇଭେଟ ହସ୍ପିଟାଲ କି ନର୍ସିଂହୋମ୍ ସେମିତି ହୋଇ ନଥାନ୍ତି । ଅଳ୍ପ ଖର୍ଚ୍ଚରେ ଭଲ ଚିକିତ୍ସା ବି ଯୋଗେଇ ପାରନ୍ତି l ମାତ୍ର ଆଜିକାଲି ଛୋଟ ବଡ଼ ପ୍ରାୟ ସବୁ ସହର ଗଳି କନ୍ଦିରେ ଯେମିତି ପ୍ରକାରେ ଯେତେ ପାରଇଭେଟ ନର୍ସିଂହୋମ, ହସ୍ପିଟାଲ ଖୋଲୁଛି, ତାକୁ ଚଳେଇ କର୍ମଚାରୀଙ୍କୁ ବେତନଦେଇ ଆପେ ମାଲାମାଲ ହେବାପାଇଁ ଦଲାଲଙ୍କ ଦ୍ୱାରା ରୋଗୀ ଅଣେଇ, ରୋଗୀ ତଥା ତାର ପ୍ରିୟଜନଙ୍କୁ ଶୋଷଣଯେ କରୁନାହାନ୍ତି, ଏକଥା ଅସ୍ବୀକାର କରିହେବନି । ବେଳେବେଳେ ଏମିତିଆ ହସ୍ପିଟାଲ.. ହୋସ୍ ଉଡା ପିଟା ‘ଲ ‘ ପରି ମନେହୁଏ ।

ସହରରେ ସବୁ କିଣା.. ଅତି ଯତ୍ନରେ ମରଣ ମାଗଣାରେ ମିଳିଯାଏ । ଯେମିତି ଟ୍ରାଫିକ୍ ନିୟମ ଯେତେ କଲେ ବି, ରାସ୍ତାରେ ଦୁର୍ଘଟଣାରେ ମାଗଣା ମରଣ ବଢ଼ି ଚାଲିଛି । ଅତି ଯତ୍ନରେ ବଡ଼ ବଡ଼ ସପିଙ୍ଗ ମଅଲ ରେ ଚକମକିଆ ବିଜୁଳି ଆଲୁଅ ଜାଳୁ ଜାଳୁ ନିଆଁ ଲାଗି ପାଉଁଶ ହୋଇଯାଉଛି l ଅତି ଯତ୍ନରେ ସୁନ୍ଦର ଯୋଜନାରେ ଅତି ଶିକ୍ଷିତଗଣ ରହିବା ସହରରେ ପ୍ରଦୂଷଣ ପ୍ରଦୂଷଣ, ବୃକ୍ଷ ଛେଦନ, ଗାଡ଼ିଘୋଡା ବଢ଼ୁଥିବାରୁ ଅମ୍ଳଜାନ ଅଭାବରୁ ଅଳ୍ପ ଦିନରେ ଜାନ୍ ଯିବା ଅବସ୍ଥା ଉପୁଜିଲାଣି.. ଜଲଦି ଯମ ସଦନକୁ ଯିବାର ବାଟ ଫିଟିଲାଣି ।

ଅତି ଯତ୍ନ ଅତି ସ୍ନେହ ଦେଇ କେମିତି ଧୃତରାଷ୍ଟ୍ର, ତାଙ୍କ ପ୍ରିୟ ପୁତ୍ରର ମୁହଁ ବଢ଼େଇ, ସିଂହାସନ ସମ୍ପତ୍ତିରେ ଲୋଭାସକ୍ତ କରେଇ ନିଜ କୁଳ ବୁଡେଇ ସର୍ବନାଶ କଲେ.. ତାହା ତ ସମସ୍ତେ ଜାଣନ୍ତି । ଏବେ ଅତି ଯତ୍ନ ସ୍ନେହ ଦେଇ ଅନେକେ କେମିତି ପିଲାଙ୍କୁ ଅମଣିଷ କରି ଅବାଟରେ ଚଳେଇ ମରଣ ମୁହଁକୁ ନେଉଛନ୍ତି.. ତାହା କାହାକୁ ଅଛପା ନାହିଁ ।

କଥାରେ ଅଛି.. ଅତି ଗିଳିଲେ ହଗାରେ, ଅତି ବୋଳିଲେ (ତେଲ ) ଲୁଗାରେ ଯାଏ l ତେବେ ଅତି ଯତ୍ନରେ ଆପଣା ଧନ, ଜନ, ଜୀବନ, ଯୌବନ ଜଲଦି ଯମ ଦ୍ଵାରକୁ ନେଉଛି କି ନା.. ଥରେ ଥଣ୍ଡା ମୁଣ୍ଡରେ ହେଜୁନାହାନ୍ତି । ବଳେ ଜାଣି ଯିବେନି ।

 

Comments are closed.