Latest Odisha News

ନିଜ ବିଚାର

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ଶୁଆ ଆଉ ଛୁଆ ଭିତରେ ଏମିତି କେତେ ଫରକ କି? ଯେମିତି ଶୁଆ ଶାବକଟିଏ ଆଣି ଘରେ ପଞ୍ଜୁରୀ ଭିତରେ ରଖି ପୋଷା ମନେଇ ରାମ ନାମ ଘୋଷେଇଲେ, ଆହାର , ଆଦର ପାଇ ଆଉ ଘରଛାଡି ନଯାଇ ଶିଖେଇଥିବା କଥା କହେ, ଛୁଆଙ୍କୁ ପାଳିପୋଷି ବଡ଼କରି ଯାହା ବତେଇବେ.. ସେମାନେ ସେମିତି କରନ୍ତି ।

କେଇଦିନ ତଳେ ସୋସିଆଲ ମିଡ଼ିଆରେ ଗୋଟେ ଦୃଶ୍ୟ ମୋ ମନକୁ ପାଇଲା । ଗୋଟିଏ ମାଲିକ ଅନେକଦିନ ପଞ୍ଜୁରୀରେ ଶୁଆ ରଖି ପୋଷା ମନେଇଁ ହରିନାମ ଘୋଷେଇ ଥିଲେ । ହଠାତ ଦିନେ ତାକୁ ପଞ୍ଜୁରୀ ବନ୍ଧନରୁ ମୁକ୍ତ କରିବାକୁ ଇଚ୍ଛାକରି ତା ଦୁଆର ଖୋଲି ଉଡିଯିବାକୁ କହିଲେ । ସେ ବାହାରି ନଯିବାରୁ ନିଜେ ହାତରେ କାଢିଆଣି ଉଡ଼େଇଲେ । ମାତ୍ର ବହୁ ଦିନର ଅଭ୍ୟାସ , ସଂସ୍କାର ବଶରୁ ବାହାରକୁ ଉଡିନଯାଇ, ଘର ଭିତରେ ଝରକା ଉପରେ ବସି ରହିଲା । କାଳେ ଶୁଆଟି ପୁଣି ଅଭ୍ୟାସ ଦୋଷରୁ ପୁଣି ପଞ୍ଜୁରୀ ଭିତରେ ପଶିଯିବ ଭାବି ମାଲିକ ତା ଆଗରେ ପଞ୍ଜୁରୀକି ଭାଙ୍ଗି ଖଣ୍ଡ ଖଣ୍ଡ କରୁଥିବା ଦେଖି, ଶୁଆଟି ମାଲିକ ଉପରେ ରାଗିଯାଇ ରାଉ ରାଉ ହୋଇ ବଡ଼ ପାଟିରେ ଯେମିତି କଳି କରୁଥିଲା । ଯେପରି ସେ କହୁଥିଲା… ମୋ ଆଶ୍ରୟ ନେଉଥିବା ପଞ୍ଜୁରୀ ଭାଙ୍ଗୁଛ, ଏବେ ମୁଁ କୋଉଠି ରହିବି ! ସେଇ କାମରୁ ତାଙ୍କୁ ନିବୃତ୍ତି କରେଇବାକୁ ଚେଷ୍ଟାକରି ଚାଲିଥାଏ । ଯେଉଁ ମାଲିକ ତା ମଙ୍ଗଳ ପାଇଁ ମୁକ୍ତ କରୁଛନ୍ତି, ତାଙ୍କ ମହତ ଇଚ୍ଛା ସେ ବୁଝି ନପାରି ଓଲଟା ଗାଳି କରୁଥିଲା । ତା’ର ଅସଲ ଘର, ପ୍ରକୃତ ଆନନ୍ଦ ଯେ ମୁକ୍ତ ଆକାଶ… ସବୁଜ ଜଙ୍ଗଲ ବୁଝିପାରୁନଥିଲା ।

ଆମେ ଆଉ ଶୁଆଠାରୁ ଅଧିକ କଣ କି ? ଯେବେ ମାଲିକ ରୂପୀ ଭାଗବାନ୍, ଆମ ଦେହ -ପଞ୍ଜୁରୀରୁ ମୁକ୍ତ କରିବାକୁ ମୃତ୍ୟୁ ରୂପକ ଦ୍ୱାର ଖୋଲି ନିର୍ବିଘ୍ନରେ ଚାଲି ଯିବାକୁ ଆଦେଶ ଦିଅନ୍ତି, ଆମେ ମଧ୍ୟ ଦୀର୍ଘ ଦିନର ଦେହ ସମ୍ପର୍କ -ସଂସ୍କାର ଛାଡ଼ି ଯିବାକୁ ଇଚ୍ଛା କରୁନା । ମୋହ -ମାୟାର ପ୍ରିୟଜନଙ୍କୁ ଚିର ଆପଣାର ଭାବି ଛାଡ଼ିଯିବାକୁ ମନ ଚାହେଁନା । ଭଗବାନଙ୍କ ମଙ୍ଗଳ ଇଚ୍ଛା ନବୁଝି, ବରଂ ତାଙ୍କୁ ଦୋଷାରୋପ କରୁ । କାହିଁକି ମତେ ଏଡେବେଗି ମାରିଦେଉଛ.. ତଡି ଦେଉଛ ଅଭିଯୋଗ କରିଥାଉଁ । ଅଳ୍ପ ଦିନର ଆଶ୍ରୟ ନେଇଥିବା ଶରୀରକୁ ଚିର ଆପଣାର ଭାବି, ଭଙ୍ଗା ଶରୀର ରୂପକ ପଞ୍ଜୁରୀ ମୋହ ଆମକୁ ଛାଡେନି ଆତ୍ମାର । ଯଦିଓ ଜୀବନ କାଳରେ ସେ ଅନେକଥର ଦେଖିଥାଏ ଯେ, ମରିଥିବା ପ୍ରିୟଜନଙ୍କୁ ତା ନିଜଲୋକ ଭୂତ କହି, ତଡିବାକୁ ଗୁଣିଆ ଡାକନ୍ତି ଓ ତା ସାଇତିଥିବା ଧନକୁ ପିଲାଏ ମନଇଚ୍ଛା ଉଡାଉଛନ୍ତି। ତଥାପି ଏଇ ମୋହର କାରଣ.. ଦୀର୍ଘଦିନ ଦେହ ବନ୍ଧନ -ସଂସ୍କାର ଦୋଷ ।

ସେମିତି ଆଉଗୋଟେ ଘଟଣା ମନେ ପଡୁଛି । ଗୋଟାଏ ଗାଁରେ ଥିବା ଭାଗବତ ଟୁଙ୍ଗୀରେ ସଞ୍ଜ ହେଲେ ଅନେକ ଲୋକ ପୁରାଣ ଆଦି ଶୁଣିବାକୁ ସବୁଦିନ ଯାଆନ୍ତି । ଏକଥା ଦେଖି ଜଣେ ମାଉସୀ, ତା ସ୍ୱାମୀକୁ କହିଲେ,- ହେଇଟି, ତମେ ତ ବୁଢ଼ା ହେଲଣି l କୋଉଦିନ ହରିନାମ କରିଲନି କି ଶୁଣିଲନି । ସମସ୍ତେ ସଞ୍ଜରେ ହରିନାମ କରି ପୁରାଣ ଶୁଣିବାକୁ ଗଲାବେଳେ, ତମେ ଟିକେ ତାଙ୍କ ସାଙ୍ଗରେ ଯାଉନା ! ବାରମ୍ବାର କହିବାପରେ ବିଚରା ମଉସା ବାଧ୍ୟରେ ଦିନେ ଡେରିରେ ଗଲେ । ସେତେବେଳକୁ ଭକ୍ତଗଣ ଟୁଙ୍ଗୀ ଭିତରେ ଭର୍ତ୍ତି ହୋଇଯାଇଥିବା ଦେଖି, ଜାଗା ନପାଇ ବାହାର ବାରଣ୍ଡାରେ ବସି ଶୁଣୁ ଶୁଣୁ ଅଭ୍ୟାସ ଦୋଷରୁ କେତେବେଳୁ ଢୁଲେଇ ଢୁଲେଇ, ଶୋଇକି ଘୁଙ୍ଗୁଡ଼ି ମାରିଲେଣି, ସେ ଜାଣି ନାହାନ୍ତି । ତେଣେ ଭାଗବତ ଟୁଙ୍ଗୀର କାର୍ଯ୍ୟକ୍ରମ.. ପୁରାଣପଠନ ସାରି, ସମସ୍ତେ ଘରକୁ ଫେରିଲା ବେଳକୁ ମଉସାଙ୍କୁ ଡାକିବାରୁ ସେ ଉଠିକି ଆସିଲେ । ରାତି ନ ‘ଟା ବାଜିଲାଣି । ଭୋକ ଲାଗିଲେ ବି ମାଉସୀ ନଖାଇ, ନଶୋଇ ଜଗି ବସିଥାନ୍ତି ଦୁଆରେ । ମଉସାଙ୍କ ଆଗମନ ଦେଖି ଖୁସିରେ ମାଉସୀ ପଚାରିଲେ.. ଆଗରୁ ଯେତେ କହିଲେ ତେମେ ତ ଯାଉ ନଥିଲ । କହିଲ କହିଲ… ଆଜି ପୁରାଣ, ହରିନାମ କେମିତି ଲାଗିଲା ? ମଉସା ରାଗି କହିଲେ.. ମତେ ଆଉ ପଚାରେନା । ଛି ଛି ଛି । ତତେ କିଏସେ କହିଛି.. ପୁରାଣ, ହରିନାମ ମଧୁରିଆ ? ମୁଁ ନିଜେ ତ ଚାଖିଲି ଭାରି ଲୁଣିଆ.. ଅତି ଦୁର୍ଗନ୍ଧିଆ ।
ଏତିକିବେଳେ ଟୁଙ୍ଗୀରୁ ଫେରୁଥିଲା ଦିଅର ଲେଖାରେ ସାଧୁଆ । ମାଉସୀ ତାକୁ ଡାକି ପଚାରିଲେ.. ସାଧୁରେ ! ତମକୁ ହରିନାମ ପୁରାଣ କେମିତି ଲାଗିଲା ? ସେ କହିଲା… “ହରିନାମେ କି ରସ ଅଛି , ପାନକଲା ଲୋକ ସିନା ଜାଣିଛି…! ତମେ ଗଲେ ଜାଣିବ । ମାଉସୀ କହିଲେ, – ଆଉ ଇଏ କଣ କହୁଛନ୍ତି.. ଲୁଣିଆ – ଦୁର୍ଗନ୍ଧିଆ ? ସାଧୁଆ କହିଲା.. ଏ ଭାଇନା ତ ବାହାରେ ବସିକି ଢୁଳାଉଥିଲେ । ମୁଁ ବାହାରେ ଆସି ଦେଖିଲା ବେଳକୁ ତାଙ୍କ ବିଡ଼ି ପିଆ.. ଖାଇନି ଖିଆ ପାଟିକୁ ଶୁଙ୍ଘି ଗୋଟାଏ କୁକୁର ତା ପଛ ଗୋଡ଼ଟେ ଟେକି, ତା ଉଦର ଲବଣାକ୍ତ ଜଳକୁ ମୁହଁରେ ଛାଡ଼ିଦେଇ, ପେଟ ଖଲାସ ମନ ଉଲ୍ଲାସରେ ପଳେଇଲା । ସେଇ ନିଦୁଆ ଅବସ୍ଥାରେ ସେ ଯାହା ଚାଖିଲେ, ଲୁଣିଆ ଦୁର୍ଗନ୍ଧିଆ ନକହି, ଆଉ କଣ ମଧୁରିଆ କହିବେ? ବିଚରା ମଉସାଙ୍କ ସଞ୍ଜରୁ ଶୋଇବା ଅଭ୍ୟାସ -ସଂସ୍କାରର ଏଇଟା ଫଳ ।

ଆଉ ଦିନେ ମାଉସୀ ତାଙ୍କର ଗୋଟେ ଦୁଃଖ ଭୁଲିବାକୁ ପୁରାଣ ଶୁଣିବାକୁ ଗଲେ ।।ସେତେବେଳେ ରାମାୟଣ ପଢ଼ା ଚାଲିଥାଏ । କିଛି ସମୟ ପୁରାଣ ପଢ଼ୁଥିବା ବୁଢ଼ା ନନାଙ୍କ ମୁହଁକୁ ଏକାଲକ୍ଷ୍ୟରେ ଅନେଇଲା ପରେ, ଭୋ ଭୋ କାନ୍ଦି, ଲୁହକୁ ପଣତ କାନିରେ ପୋଛୁଥିବା ଦେଖି, ପାଖରେ ବସିଥିବା କେଇଜଣ ଅବାକ୍ ହୋଇ ପଚାରିଲେ… ହେ ମାଉସୀ ! ଆମେ ନିଇତି ପୁରାଣ ଶୁଣୁଛୁ । ରାମ ବନବାସ, ସୀତା-ହରଣ, ଜଟାୟୁ ମରଣ, ଲକ୍ଷ୍ମଣ ଶକ୍ତିଭେଦ କଥା ଶୁଣିକିବି ଆମ ଆଖିରେ ଦିନେ ଲୁହ ଆସୁନି । ତେମେ ଆଜି କୋଉକଥାରେ ଏତେ କାନ୍ଦୁଛ କହିଲ ? ମାଉସୀ କହିଲେ… ମତେ ମରଣ ହଉନି ଯାହା! ପଡିଯାଉ ସେ ପୁରାଣ ଚରଚା ! ହେଲେ ସେଇ ବୁଢ଼ା ପାଚିଲା ଦାଢ଼ି କେରାଏ ରଖି, ପୁରାଣପଢ଼ି ମୁଣ୍ଡକୁ ହଲେଇ ଯେମିତି ବୁଝାଉଛନ୍ତି, ତାଙ୍କରି ଦାଢ଼ି ଦୋହଲିବା ଦେଖି ମୋ ଧୋବାଲା ବୋଦା କଥା ମନେପଡି ଯାଉଛି । ଗଲା ଶୁକରବାରେ ସେ ମରିଗଲା । ତାକୁ ମୁଁ ଯେତେବେଳେ ଡାଳ ପତର ହାତରେ ଧରି ଖାଇବାକୁ ଦିଏ, ସେ କାମୁଡି ଛିଣ୍ଡେଇ ପାକୁଳି କଲାବେଳେ, ତା ମୁଣ୍ଡ ସାଥୀରେ ଯୋଉ ଧୋବଲା ଦାଢ଼ି ହାଲୁଥାଏ, ଅବିକଳ ଏଇ ପୁରାଣପଢ଼ା ବୁଢ଼ାର ଦାଢ଼ି ହଲିବା ଦେଖି, କୋଉଠିଥିଲା ସେ ବାଡ଼ିପଡ଼ା ଦୁଃଖ… ମୋ ଛାତିକି ଫଟେଇ କୋହ ଉଠେଇ ଲୁହହେଇ ଆଖିରୁ ତ ଗଳିପଡୁଛି.. ଆଉ ।

ଆଜ୍ଞା ! ଏ ସବୁ ସେଇ ଛେଳି ସଙ୍ଗେ ବାନ୍ଧିଥିବା ମାୟା ସଂସ୍କାର ମୋହର ଫଳ । ଏଇ ସଂସ୍କାର ଅଭ୍ୟାସ ମୋହଗ୍ରସ୍ତ ମଣିଷ, ମଲାପରେ ବି ମୁକ୍ତ ନହୋଇ ଭୂତହୋଇ ବୁଲିବେ କି ନା.. କହୁନାହାନ୍ତି ! ଯେମିତି ଅଧିକାଂଶ ଚାକିରୀ ସରିବା ପରେ ବି ଅଭ୍ୟାସ ବଶରୁ ଅଫିସିକି ଧାଇଁଯାଆନ୍ତି । କେହି ନେତୃପଦ ହରେଇ ବି ପାର୍ଲାମେଣ୍ଟ କି ଆସେମିଲି ଚାରିପଟେ ଚକ୍କର କାଟି ପୁଣି ପଶିବାକୁ ଅଭିଳାଷ ଜାରି ରଖିଥାନ୍ତି । ଚାକିରୀ କାଳରେ ଛୁଟିନେଇ ବିଶ୍ରାମ ଚାହୁଁଥିବା ମଣିଷ, ସମ୍ପୂର୍ଣ୍ଣ ଦାୟିତ୍ଵ ମୁକ୍ତ ହେଲେ ବି ମୋହଗ୍ରସ୍ତ ହୋଇ ମନ ଦୁଃଖରେ ଭାଙ୍ଗିପଡି କେତେ କିଏ ରୋଗଗ୍ରସ୍ତ ହେଇଯିବାର ନଜିର୍ ଅଛି । ପଦ। ପାୱାର, ଟଙ୍କା -ପଇସା ମୋହରୁ ମୁକ୍ତ ସହଜରେ ହୋଇପାରନ୍ତି ନାହିଁ । କିନ୍ତୁ ବୁଦ୍ଧିମାନ ଜ୍ଞାନୀ, ଜୀବନର ସତ୍ୟ କଣ ବୁଝି, ବୁଦ୍ଧଦେବଙ୍କ ପରି ତ୍ୟାଗ ପଥରେ ଯାଇ ମୁକ୍ତିପଥ ଲଭନ୍ତି । ଯେଉଁମାନେ ସିଦ୍ଧ ସାଧୁ ମହାପୁରୁଷଙ୍କ ଉପଦେଶ ନମାନି ମନ ବଶରେ ପଡନ୍ତି, ସେଇମାନେ ମୋହଗ୍ରସ୍ତହୋଇ ମୁକ୍ତ ନୁହଁ ବରଂ ଭୂତପ୍ରାୟେ ବୁଲନ୍ତି । କଥାରେ ଅଛି.. ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି, ଭବ ସାଗରୁ ତରିଯାନ୍ତି । ବିଚାର… ନିଜ ନିଜର ।

Comments are closed.