ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା
ବଡବାପା କାଶିଆର ପିଲାପିଲି ନହେବାରୁ ସାନଭାଇ ବିଶିଆ ମଲାପରେ ତା’ର ଏକମାତ୍ର ପୁଅକୁ ପିଲାରୁ ସେ ନିଜପୁଅ ବୋଲି କାଗଜପତ୍ର କରିନେଇଥିଲେ । ପୁଅ ବୁଦ୍ଧିଆ ବନାମ ବୁଦ୍ଧଦେବ, ସମସ୍ତଙ୍କ ସ୍ନେହ ଆଦର ପାଇ ଖୁବ ଯତ୍ନରେ ପଢ଼ାପଢି କରି ଗଲା ମାଟ୍ରିକ ପରୀକ୍ଷାରେ ଶତକଡା ତେୟାନବେ ପରସେଣ୍ଟ ନମ୍ବରରଖି ପାସ କରିବାରୁ ଜନମକଲା ମା ‘ଠୁ ବଡ଼ମା ବଡବାପା ଭାରିଖୁସି ହୋଇଯାଇଥିଲେ । ପୁଅ ବି ଜିଦିକରିଥିଲା ଗାଁ ପାଖରେ କୋଉ ଛୋଟମୋଟ କଲେଜରେ ନପଢି ବଡସହରରେ ଭଲ ସରକାରୀ କଲେଜରେ ପଢିବବୋଲି । ଯୋଗକୁ କଟକ ରେଭେନ୍ସା କଲେଜରୁ ନାଁ ଲେଖେଇବା ପାଇଁ ଡାକରା ଆସିବାରୁ ଯଥା ସମୟରେ ସାଙ୍ଗସହ ଯାଇ ଆଡ଼ମିସନକରି ରହିବାପାଇଁ ପ୍ରାଇଭେଟ ଛାତ୍ରାବାସ ବୁଝିଆସିଥିଲା ।
କଲେଜ ଖୋଲିବା ଆଗରୁ କଟକରେ ରହିବା ଚଳିବାପାଇଁ ଝିଅ ଶାଶୂଘର ଗଲାଭଳିଆ ଯାବତୀୟ ଆବଶ୍ୟକୀୟ ଜିନିଷରେ ଟ୍ରଙ୍କ ବାକ୍ସ ସଜକଲା । ଏମିତିକି ସକାଳ ଜଳଖିଆପାଇଁ ଚୁଡା, ମୁଢି, ଛତୁଆଠାରୁ ନୂଆ ଡ୍ରେସ, ଚାଦର, ବେଡ଼ସିଟ, ନୂଆଜୋତାଯାଏ କିଛି ଛାଡିନଥିଲା । ବଡବାପା ଏସବୁ ଜିନିଷ ସହିତ ଷୋଳହଜାର ଟଙ୍କା ସେଇ ଟ୍ରଙ୍କ ଭିତରେ ରଖି ପୁଅକୁ ନିଜ ବଳଦଗାଡ଼ିରେ ଗାଁ ଠୁ ଛ କିଲୋମିଟର ଦୂର ରେଳଷ୍ଟେସନକୁ ନେଲାବେଳେ ଦୁଇ ମା ଓ ବଡବାପା ଆଖିରୁ ଲୁହଗଡେଇ ଢ଼େରେ କାନ୍ଦିଥିଲେ । ବୁଦ୍ଧିଆ ବି ଲୁହପୋଛି ପୋଛି ଯାଉଥିଲା । ଟିକେଟକରି ପୁଅକୁ ପାସେଞ୍ଜର ଟ୍ରେନରେ ଝରକାପାଖ ସିଟରେ ବସେଇ, ବଡ଼ ଓଜନିଆ ଟ୍ରଙ୍କକୁ ଉପରେଥିବା କାଠ ରୟାକ ଉପରେ ରଖି ଓଲ୍ହାଇଗଲେ । ମାତ୍ର ଗାଡି ଛାଡ଼ିବା ଆଗରୁ ଝରକା ପାଖରେ ଠିଆହୋଇ କେମିତି ଯିବ ସଜାଗକରେଇ ବୁଝାଉଥାନ୍ତି । ତାଗିଦକରି କହୁଥିଲେ… ହେ ପୁଅ! ହୁସିଆରି ଯିବୁ । ଆଜିକାଲି ବେଳାକାଳ ଭଲନାହିଁ l ସହର ବଜାର ଜାଗାରେ ବେଶି ଚୋର । କୋଉ ଗଣ୍ଡଗୋଳରେ ପଶିବୁନି । ମନଦେଇ ପଢ଼ିବୁ । ବେଳାରେ ଖାଇବୁ । ଜଳଖିଆପାଇଁ ମା ମାନେ ଚୁଡା ମୁଢି ବାଦାମ, ବାରମଜା, ଛତୁଆ ଦେଇଛନ୍ତି । ରେ ହଁ.. ଶୁଣ l ମୁଁ ତିନି ତିନିଥର ଗଣିକି କାଗଜରେ ଗୁଡେଇ ପୂରା ଷୋହଳ ହଜାର ଟଙ୍କା ତୋ ଟ୍ରଙ୍କ ଭିତରେ ବାଁ ପଟକୁ ରୁମା ନୂଆ ଟାଉଲିଆ ତଳେ ରଖିଛି । ଡାହାଣପଟକୁ ତୋ ବୋଉ ଦେଇଥିବା ବୋତଲେ ଖରମରl ଗୁଆଘିଅ, ଅମୁଲୁ ପାକିଟି, ଚିନି ଅଛି । ଟଙ୍କା ସରିବl ଆଗରୁ ଖବରଦବୁ । ସେଇ ଷୋହଳ ହଜାର ଟଙ୍କାରୁ ମେସ ଖରଚl, ଘରଭଡା ଦେଇ ବାକି ଟଙ୍କାରେ ଚଳିବୁ । ହଁ ହଁ ମନେପଡ଼ିଲା… ଟ୍ରଙ୍କରେ ତୋ ବୋଉ ବାକ୍ସର ଯୋଉ ତାଲାଟା ପଡିଛି, ସେଇଟା ଖାଲି ଚିପା ହେଇଛି l ତାର ଚାବି ନାହିଁ । ଭିଡିଦେଲେ ଖୋଲିଯାଏ । କଣ ବୁଝିଲୁ ଟି?
ବୁଦ୍ଧିଆ ମନେମନେ ଚିଡି କହିଲା.. ମୁଁ ଜାଣିଛି । ଏତେ ଗପନକରି ତେମେ ଯାଅ । ହେଲେ ବଡବାପା ନଛୋଡବନ୍ଧା । କହିଲେ.. ତେତେ ନବୁଝେଇ କହିଲେ ତୁ ଜାଣିବୁ କେମିତି? ଶୁଣ । ଗୋଟେ ନୂଆତାଲା କଟକରୁ କିଣି ପକେଇବୁ ଟ୍ରଙ୍କରେ । ଟ୍ରଙ୍କ ଭାରି ଓଜନିଆ । କୁଲିକି ଡାକି ଓଲ୍ହେଇ କି ରିକ୍ସାରେ ନେଇକି ଯିବୁ । ବୁଦ୍ଧିଆ କହିଲା.. ତମେ ଏଥର ଯାଅ । ମାତ୍ର ବଡବାପା କହୁଥାନ୍ତି.. ମୁଁ ନବୁଝେଇଲେ ତୁ ଜାଣିବୁ କେମିତି.. ସହର ଜାଗାରେ ନୂଆକରି ଚଳିବୁ କେମିତି? ଚୋରିହେଲେ ହଇରାଣ ହବୁ । ତୋ ହଷ୍ଟେଲରେ ପହଞ୍ଚି ଆମ ପଡ଼ିଶା ନୋକା ଘରକୁ ଫୁନ କରି ଜଣେଇବୁ । ତା ନମ୍ବର ନେଇଛୁ ଟି? ଗାଡି ସଞ୍ଜରେ କଟକରେ ପହଞ୍ଚିବ । ହେଇ ଗାଡି ଛାଡିଲା.. ମୁଁ ଯାଉଛି ।
ବୁଦ୍ଧିଆ ବଡବାପାକୁ ନମସ୍କାର କଲା ।
ଟେନ ଭିତରେ ଭାରି ଭିଡ । ପ୍ରବଳ ଗହଳିରେ ସିଟ ନପାଇ ଉପରେ ତା ଟ୍ରଙ୍କ ପାଖରେ ବି ଲୋକ ବସିଗଲେଣି ।
ଆରେ ଇଏ କଣ? ପରଦିନ ଖରାବେଳେ ବୁଦ୍ଧିଆ ତା ଗାଁ ଘରେ ହାଜରହେବା ଦେଖି, ସମସ୍ତେ ଆଶ୍ଚର୍ଯ୍ୟହୋଇ ଧାଇଁଆସିଲେ । ତା ମୁହଁ ଶୁଖିଯାଇଛି । ଖାଲି ଖାଲି ଆସିଛି । ରାତିସାରା ବୋଧେ ଶୋଇନି କି ଖାଇନି । ବଡବାପା ସମସ୍ତଙ୍କୁ ଘରେ ଗାଳିକରି କହିଲେ.. ସିଏ ଗଲାବେଳେ ତେମେ କାହିଁ କାନ୍ଦିଲ? ସେଇଥିପାଇଁ ଛୁଆଟା ରହିପାରିଲାନି । ହଇରେ ବୁଦ୍ଧ ! ତୋର କଣ ଆମକଥା ମନେପଡିଲା ? ଯେବେ ମନେପଡିଲା.. ତୁ ନୋକା ଘରକୁ ଫୁନ କରିକି ଆମକୁ ଡାକିଲୁନି? କଥା ହୋଇଥାନ୍ତୁ । ଏମିତି କାନ୍ଦି ବୋବେଇ ପଳେଇ ଅଇଲୁ କିଆଁ? ତା ଦେହ ମୁଣ୍ଡ ପୋଛି ପଚାରିଲେ.. ଏଡ଼େବଡ଼ ଟ୍ରଙ୍କ ରେକ୍ସା କୁ କେମିତି କଣ ମୁଣ୍ଡେଇକି ନେଲୁ କି?
ବୁଦ୍ଧିଆ ନୀରବରେ ଶୁଣୁଥିଲା । ଏଥର ପାଟିଖୋଲି କହିଲା.. ଟ୍ରଙ୍କକୁ ହଷ୍ଟେଲ କାହିଁ ନେଇଥାନ୍ତି? ସେଇଟାକୁ ଷ୍ଟେସନରେ ଫୋପାଡ଼ି ଭାରି କଷ୍ଟରେ ମୁଁ ଆସିଲି । ବଡବାପା ରାଗିକି କହିଲେ.. କିରେ, ତୋ ମୁଣ୍ଡ କଣ ଖରାପ ହେଇଗଲା କି? ଯେବେ ଟେକିପାରିଲୁନି.. କୁଲିକି ପରା ଦଶ କୋଡିଏ ଟଙ୍କା ଦେଇଥିଲେ, ସିଏ ମୁଣ୍ଡେଇ ନେଇଯାଇଥାନ୍ତା.. । ବୁଦ୍ଧିଆ କହିଲା.. ବଡବାପା ! ସବୁ ତମରି ଦୋଷ । ତମକୁ କିଏ କହୁଥିଲା ଏଡ଼େବଡ ପାଟିରେ ମତେ ବୁଝେଇବାକୁ? ବଡବାପା କହିଲେ.. କିରେ, ତୁ ସିନା ପାଠ ଦି ଅକ୍ଷର ପଢି ମାଟ୍ରିକ ପାସ କଲୁବୋଲି ନିଜକୁ ବଡ ଭାବୁଛୁ । ହେଲେ ଆମ ଆଖିରେ ପରା ତୁ ଛୁଆ । ତୋର କଣ ବୁଦ୍ଧି ଜ୍ଞାନ ହେଲାଣି ଯେ ସଂସାରେ ଚଳିବୁ । ତତେ ସତର୍କ ସଜାଗ ନକରିବି କେମିତି କହିଲୁ ? ତତେ ଚାଲାଖି ଚତୁର କରିବାକୁ ମୁଁ କହି କଣ ଭୁଲ କଲି?
– ବଡବାପା ! ତେମେ ମତେନୁହଁ ବରଂ ଚୋରକୁ ଚତୁରକରେଇ ଆସିଲ । ମୁଁ ଟ୍ରଙ୍କ ଟେକିଲାବେଳକୁ ଦେଖିଲି.. ସେଇଟା ଫୁଲଭଳିଆ ହାଲୁକା ଲାଗିଲା । ତା ପେଟ ପୂରା ଖାଲି ହେଇଯାଇଛି । ତମ ସଜାଗ, ମୋର ସର୍ବନାଶ କରିଛି । ଚୁଡା, ମୁଢି, ଟଙ୍କା, ଜୋତା, ଘିଅ, ଅମୁଲ କୋଉଠି କଣ ରଖିଚ ତ କହିଲ । ଶେଷକୁ ତାଲା ପଡୁନି ଚାବିନାହିଁ, ଚିପାହେଇଛି ବୁଝେଇଦେଲ । ତାଲାକୁ ଭିଡିଲେ ଖୋଲିଯାଏ କହିଲ । ମୁଁ ଖାଲି ଖୋଳ ଟ୍ରଙ୍କ କଣ ପାଇଁ କୋଉଠିକି କାହିଁକି ନେଇଥାନ୍ତି? ଉପାସ ଭୋକରେ ମାରିପଡ଼ି ପଳେଇଆସିଲି ।
ମୁଣ୍ଡରେ ହାତଦେଇ ସମସ୍ତେ ବସିଗଲେ । ବଡବାପା କହିଲେ କି ମୁଁ ଏତେ ବୁଝେଇଲା ପରେ ବି ସବୁ ଚୋରିହେଇଗଲା ? କି ଦୁନିଆଁ ହେଲା ରେ..। ମା ‘ ବଡ ମା ‘ କହିଲେ.. ବାଡ଼ିପଡ଼ା ଚୋରକୁ ମରଣ ହେଲାନି ଯାହା.. । ଟଙ୍କା ପଇସା ସବୁ ଦରବ ନେଲୁ ତ ନେଲୁ, ହେଲେ ମୋ ଛୁଆର ଚୁଡା ମୁଢି ନେଇ, ପିଲାକୁ ମୋର ଉପାସ ଭୋକରେ ରଖିଲୁ । ଛି ଛି.. ଦୟା ଧରମ ଟିକେ ମନରେ ଆସିଲାନି? ମା ତାର କହିଲେ.. କି କାଳ ଅଇଲା ଲୋ ମା.., ମତେ ଲାଗୁଛି ଏ ଚୋର ଦିନ ଦି ପହରେ ଗରଭରୁ ଛୁଆ ଚୋରିକରି ପଳେଇବେ । ଆଜିକାଲି ଭଦ୍ର ବେଶରେ ଢ଼େରେ ଚୋର,.. ତେମେ କାହାକୁ ଧରିବ ଧର ।
ଏସବୁ ଶୁଣି ମୁଁ ଭାବୁଥିଲି.. ଆମ ଶିକ୍ଷିତ ସମାଜରେ ଯୋଉଠି ଲେଖା ଚୋରି, ଫିଲ୍ମି ପାଇଁ ଷ୍ଟୋରୀ ଚୋରି, ସଜାଗ ହେଲା ପରେବି ଜାଗା ଜମି, ଚୋରି, ରୋଗୀର କୀଡୀନି ଚୋରି, ବ୍ୟାଙ୍କଖାତାରୁ ଲକ୍ଷ ଲକ୍ଷ ଟଙ୍କା ଚୋରି, ସାଇବ କହି ସାଇବର ଠକେଇର ଶିକାର ମଣିଷ ହୋଇଯାଉଛନ୍ତି, ସେଇଠି ଇଏ ବା କିବା କଥା ? ଧନ୍ୟରେ ଆମ ରାଇଜ ଦେଶ । ଏ ଚୋରଙ୍କ ମହିମା ବଖାଣିବସିଲେ.. ଗୋଟାଏ ମହାପୁରାଣ ହେଇଯିବସିନା, ତଥାପି ଗୁଣଗାନ ସରିବନି ।
Comments are closed.