Latest Odisha News

ସନେଟ : ମୋ ଗାଁ

ରବି ପଣ୍ଡା

ଯୋଉଠି ଥାପିଲେ ପାଦ, ପାଦତଳୁ ଓ ‘ ବୋଲି କାହାର ଏ ସ୍ୱର
ଶୁଣାଯାଏ, ଚାପି ହେଇ ରହିଚି ସେ କେଉଁ ଦିନୁ ହଜିଗଲା ପରି।
ଚିହ୍ନା ଚିହ୍ନା ଲାଗେ ଖୁବ୍ ଯେମିତିକି, ମୁଁ ତା’ର ଅତି ଆପଣାର
ମୁଁ ସିନା ଭୁଲିଛି ତାକୁ, ସେ କିନ୍ତୁ ରହିଚି ଏଠି ଯେତେସବୁ ସ୍ମୁତିକୁ ଆବୋରି।

ସେ ମାଟି ଛୁଇଁଲେ ଆଗେ ତୋଟା ମୁଣ୍ଡ, କଚେରୀ ପୋଖରୀ
ବରଗଛ, ଯା’ଡାଳେ ଓହଳି ଓହଳି ଖେଳୁଥିଲି ମୁଁ ଡାଳମାଙ୍କୁଡି।
ପାଞ୍ଚବାକ ସାହି ଭିତରର ରାସ୍ତା, ଲମ୍ବିଥାଏ ସାପଟିଏ ପରି
ସାହି ଶେଷମୁଣ୍ଡ ମନ୍ଦିରରେ ବିଜେଥା’ନ୍ତି କୁଳ-ଇଷ୍ଟ ରାହାସବିହାରୀ।

ରାସ୍ତା ଧାରେ, ଘର ଆଗେ ଲମ୍ବା ବାଡି, ଧାଡ଼ି ଧାଡି ଗୁଆ ତାଳ ନଡିଆ ଖଜୁରି
ତାଙ୍କ ସହ ସନ୍ଧି କଲାପରି ଠିଆ ଥାଏ, ଆମ୍ବ, ଲେମ୍ବୁ ବାତାପି ଓ ପିଜୁଳିର ଗଛ।
ହୁଡାରେ ଜାମୁ ଓ କରଞ୍ଜ, ବକ୍ଷେ ଧରି ଧଳା ନାଲି କଇଁ, ହସୁଥାଏ ମୋ’ ପ୍ରିୟ ପୋଖରୀ
ପୋଖରୀର ଆରପଟେ, କିଆକେତକୀର ବଣ, ବୁଦା ବୁଦା ସୁନାରି ବାଉଁଶ।

ଏହା ମୋର ଚରାଭୂଇଁ, ବିତିଥିବା ଶୈଶବ ଓ କୈଶୋରର ବେଳ
ଏବେ କେବେ ପହଞ୍ଚିଲେ ଶୁଭିଯାଏ ହଜିଲା ମୋ ଅତୀତର ସ୍ୱର।

Comments are closed.