Latest Odisha News

BREAKING NEWS

ପୁରସ୍କାର ନୁହେଁ ,ସାଧନାରେ ହିଁ ବିଶ୍ୱାସ : ଡକ୍ଟର ପ୍ରଦୀପ କୁମାର ପଣ୍ଡା

ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସଶ୍ରଦ୍ଧ ଓ ସିଦ୍ଧ ଉଚ୍ଚାରଣ ଡକ୍ଟର ପ୍ରଦୀପ କୁମାର ପଣ୍ଡା। ଆଙ୍ଗିକ ଓ ଆତ୍ମିକ ପରୀକ୍ଷା ସେ ଜାରି କରିଛନ୍ତି କବିତାରେ। ଜୀବନ ଯାହା ନୁହେଁ ଓ ଯାହା ହୋଇ ପାରନ୍ତା , ତାକୁ କବିତାରେ ଅଭିମନ୍ତ୍ରିତ କରିବାର ଆୟୋଜନ ତାଙ୍କୁ ଜଣେ ଦାର୍ଶନିକ କବିର ମାନ୍ୟତା ଦିଏ।

ତାଙ୍କ ଲେଖନୀ ନିଃସୃତ କାକପଦ, ଯଦି ଯିବାକୁ ଚାହଁ ନିହାରିକା, ସମୁଦ୍ର ଫମୁଦ୍ର ସବୁ କିମ୍ବଦନ୍ତୀର କଥା, ଅନ୍ତରିମ ଆରଦୃଶ୍ୟ , ଅନ୍ଧକାରେ ( ଗଜାନନ ମାଧବ ମୁକ୍ତିବୋଧଙ୍କ କବିତାର ଅନୁବାଦ) ଇତ୍ୟାଦି ର ସେ କାଳଜୟୀ ସ୍ରଷ୍ଟା। ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ୨୦୨୦ ମସିହା ପାଇଁ ସେ “ଅଖିଳ କବିତା ସମ୍ମାନ” ପାଇବା ପାଇଁ ବିବେଚିତ ହୋଇଛନ୍ତି।

କବିତା ବ୍ୟତୀତ ଗବେଷଣା ଓ ଗଦ୍ୟ ରଚନାରେ ମଧ୍ୟ ସେ ଦକ୍ଷତା ରଖନ୍ତି। ଫକୀରମୋହନଙ୍କ କଥା ସାହିତ୍ୟକୁ ନେଇ ତାଙ୍କ ସନ୍ଦର୍ଭ ଉଲ୍ଲେଖନୀୟ। କିଛି ଆଞ୍ଚଳିକ ପତ୍ରିକା ଓ ସଙ୍କଳନ ମଧ୍ୟ ସେ
ସମ୍ପାଦନା କରିଛନ୍ତି।

କବି ପ୍ରଦୀପ କୁମାର ପଣ୍ଡାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।

୧ . “କବିତା” ଶବ୍ଦ ର ବର୍ଣ୍ଣନା କିପରି କରିବେ?

ଉତ୍ତର:  ଗୋଟାଏ ଘରହୀନ ବନ୍ଦ କବାଟ ବାହାରେ ବସି ନିର୍ମୋହ ଅନନ୍ତ ପ୍ରତୀକ୍ଷା କବିତା। କାହାକୁ କାହିଁକି କେତେ ଆୟୁଷ ନ ଜାଣିବା କବିତା। ଭୂକମ୍ପ ବିଧ୍ୱସ୍ତ ପୃଥିବୀରେ ଏକ ପଥର ଖଣ୍ଡ ତଳେ ନିଶ୍ଚଳ ନିରୁଦ୍ବିଗ୍ନ ସେଇ ବେଙ୍ଗ , ଯିଏ ସମ୍ଭାଳି ଧରିବାର ନିସ୍ଫଳ ସ୍ପର୍ଦ୍ଧା କରୁଥାଏ ବସୁଧାକୁ, ସେ କବିତା। ମେହେନତୀ ମଣିଷର ସ୍ୱେଦରେ ଉକୁଟି ଆସୁଥିବା ଧାନ ଶିଁଷାରେ ମଧୁର କ୍ଷୀର କବିତା। ମୃତ ଶବ୍ଦମାନଙ୍କର ଜୀବନ୍ତ ନୀରବତା କବିତା। ମଣିଷକୁ, ବସୁଧାକୁ, ଛପ୍ନାକୋଟି ଜୀବଙ୍କୁ ଓ ଖାସ୍ କରି ନିଜକୁ ଭଲ ପାଇବାର ଏକ ଆରତ କବିତା।

୨- ଲେଖା ଲେଖି କେବେ ଆରମ୍ଭ କଲେ ?

ଉତ୍ତର: କବିତା ଲେଖୁଛି ବୋଲି ଜାଣିଲା ବେଳକୁ ମୁଁ ପ୍ରାୟ ସାବାଳକ ହୋଇ ସାରିଥାଏ। ମୁଁ ଯାହା ଲେଖୁଛି ତାହା କବିତା ବୋଲି ସ୍ୱୀକୃତି ମିଳିଲା ୧୯୭୪ରେ “ଆସନ୍ତାକାଲି” ନାମକ ସାହିତ୍ୟ ପତ୍ରିକାରେ। ପ୍ରଣମ୍ୟ କବି ସୌଭାଗ୍ୟ କୁମାର ମିଶ୍ରଙ୍କ ଲାଳନରେ “କବି ଆସନ୍ତା କାଲିର” ବିଭାଗରେ ମୋର ପ୍ରଥମ ପ୍ରକାଶିତ ଦୁଇଟି କବିତା ହେଲା ଉଡ଼ନ୍ତା ପତର ଓ ଭୀକ୍ଷାଂଦେହୀ ।

୩- କବିତା ଲେଖିଲା ବେଳେ କେଉଁ ଦିଗ କୁ ଅଧିକ ଧ୍ୟାନ ଦିଅନ୍ତି।

ଉତ୍ତର: ଯେତେବେଳେ ସମସ୍ତ ଦିଗ, ଶିଖାଶିଖ ତଳବିତଳ, କୋଣ ଅନୁକୋଣରୁ ଅପସରି ଯାଏ ଧ୍ୟାନ, ସେତେବେଳେ ହିଁ କବିତାରେ ମୁଁ ବଞ୍ଚେ । କେତେ ପରିମିତ ଓ ନିର୍ବିକଳ୍ପ ଶବ୍ଦକୁ ଆଶ୍ରା କରି ମୁଁ ଉନ୍ମୋଚିତ କରି ପାରିବି ଆପଣାର ଅନୁଭବ, ସେତକ ହିଁ କେବଳ ଧ୍ୟାନ ।

୪- ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?

ଉତ୍ତର:ପ୍ରଥମ କବିତା, ଦ୍ୱିତୀୟ କବିତା, ତା’ ପର ତା’ ପର ସମସ୍ତ କବିତା ଓ ଏଇ କିଛି ଘଡ଼ି ଆଗରୁ ମୁଁ ଲେଖିଥିବା କବିତା ମୋ ପାଇଁ ଶ୍ରେଷ୍ଠ। କବିତାଟିଏ ପାଇଁ ପ୍ରସ୍ତୁତି ବେଳେ ମୁଁ ଭାବୁଥାଏ ଯେମିତି ମୁଁ ଏବେ ଲେଖିବି ଜଗତର ଆଦ୍ୟ ଓ ଅଦ୍ୱିତୀୟ କବିତା ; କିନ୍ତୁ ହାଏ, ସବୁ କେବଳ ଭାବନା।

୫-ପୁରସ୍କାର ଜଣେ କବିଙ୍କୁ କିପରି ପ୍ରୋତ୍ସାହିତ କରେ ?

ଉତ୍ତର : ପ୍ରୋତ୍ସାହନ ? ଟିକିଏ ହସିବାକୁ ଇଚ୍ଛା ହେଉଛି। ମୋ ମତରେ ପୁରସ୍କାର ହେଉଛି କବିକୁ ମାରିବାର ଶ୍ରେଷ୍ଠ ଆୟୁଧ । ପୁରସ୍କାରରୁ ଯେଉଁ ଆନନ୍ଦ ମିଳେ ତାହା କଣ କବିତାର ଆନନ୍ଦ ? କବିତା ସୃଷ୍ଟିର ଇଚ୍ଛା ଓ ସୃଷ୍ଟି ପରର ଆନନ୍ଦ ପରିପୂର୍ଣ୍ଣତା ଲଭେ ଦୀକ୍ଷୀତ ପାଠକୀୟ ଶ୍ରଦ୍ଧାରେ। ପ୍ରୋତ୍ସାହନ ଗୋଟିଏ ଅଦୃଶ୍ୟ ଦରଦୀ ହାତର ପିଠି ଆଉଁସା ।

୬- ଓଡ଼ିଆ ସାହିତ୍ୟରେ କବିତାର ର ପ୍ରଭାବ କେମିତି?

ଉତ୍ତର : କେବଳ ଓଡ଼ିଆ କାହିଁକି, ବିଶ୍ୱର ସମସ୍ତ ଭାଷିକ କଳାର ସାମ୍ରାଜ୍ଞୀ ହେଉଛି କବିତା। ନାଟକ, କଥାସାହିତ୍ୟ, ରଚନା ଆଦି ସମସ୍ତ ପ୍ରବିଧାର ଶ୍ରେଷ୍ଠତା ବା ବହ୍ୱାଦୃତି ନିର୍ଭର କରେ ତା’ର କବିତାୟିତ ଭାବସ୍ପନ୍ଦ ଉପରେ । ଏ ଦିଗରେ ଓଡିଆ ସାହିତ୍ୟ ଯଥେଷ୍ଟ ଶୁଦ୍ଧୀକୃତ ।

୭-ଉପେନ୍ଦ୍ର ଭଞ୍ଜଙ୍କ ସମୟର କବିତା ଓ ଏବେର କବିତା ଭିତରେ କେଉଁ ସାମଞ୍ଜସ୍ୟ ରହିଛି?

ଉତ୍ତର: ଭଞ୍ଜଙ୍କ ସମୟ ଓ ଆମ ସମୟ ବା ସାହିତ୍ୟର ଯେ କୌଣସି ସମୟର ପାରସ୍ପରିକ ସାମଞ୍ଜସ୍ୟ ହେଉଛି କଳ୍ପନା । କଳ୍ପନା ବିନା କଳା ନାହିଁ । ଅନ୍ୟଥା ଭଞ୍ଜଙ୍କ ସମୟର ଭାବ ସମ୍ପଦ ହେଉଛି ଏକ ବିଳାସୀ ସଂସ୍କୃତିର ଆଡମ୍ବରମୟତା ଓ ତା’ର ପ୍ରତିପକ୍ଷରେ ଆମ ସମୟର ଆନନ୍ଦାନୁଭୂତି ଜୀବନ ଯନ୍ତ୍ରଣାର ନିର୍ଯ୍ୟାସ । ସେମାନେ ଖୋଜୁଥିଲେ ମଧୁ ପୀନପୟୋଧରାର ମୋତିବୃନ୍ତରେ, ଆମେ ଖୋଜୁ କୁଷ୍ଠରୋଗୀର ଘା’ରେ । ଫୁଲ ଆମକୁ ଯେତିକି ସ୍ପଂନ୍ଦିତ କରେ ସେତିକି କରେ ନିଆଁ । ଭବ ସାଗର ପାରି ହେବାକୁ ସେମାନେ ପ୍ରା୍ର୍ଥନା କରନ୍ତି “ଅରି ଦର-କର ବିଭୋ ଅରି-ଦର-କର”, ଆମେ ଶ୍ମସାନ ଘାଟରୁ ଫେରିଲା ବେଳେ ପାସୋରି ଯାଉ କାହାର ଦାହ କରି ଆମେ ଫେରୁଛୁ ; ଆମର ନା ଈଶ୍ୱରଙ୍କର ! ସେମାନଙ୍କ ପ୍ରେୟସୀ ଠିକ ‘ଠ’ ବର୍ତ୍ତୁଳ ଚନ୍ଦ୍ରାନନା, ଆମ ପ୍ରେୟସୀର ମୁହଁ ଭାରତବର୍ଷର ମାନଚିତ୍ର ପରି ଠେସାଚେପା ।

୮- ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର: ପାଠକ ପାଠକ ଭେଦରେ, ଅରଣ୍ୟେ ଅଜଗର ପ୍ରାୟ ନିର୍ବିକାର ଅଥବା ନୀରବତା ଅଥବା ଆତ୍ମ ସମୀକ୍ଷା ।

୯- ଜଣେ ସଫଳ କବି ବା କବିୟତ୍ରୀ କେମିତି ହୋଇ ପାରିବ ?

ଉତ୍ତର: କବି ପ୍ରଥମେ ଭଲ ମଣିଷ ହେଉ, ଦ୍ୱିତୀୟରେ ଭଲ ମଣିଷ ହେଉ, ତୃତୀୟରେ ଓ ଅବ୍ଦ ଅବ୍ଦ ଧରି ଭଲ ମଣିଷ ହେଉ । କବିତା ଫଳଦା ନୁହେଁ ନିଷ୍ଫଳ ବି ନୁହେଁ, କବି ଭୂମି ହେଉ କର୍ଷଣ ସହୁ ।

୧୦- ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର: ଅନର୍ଗଳ ସାହିତ୍ୟ ହେବ, ତହୁଁ ଉଚ୍ଚ ତହୁଁ ଉଚ୍ଚକୋଟିର ସାହିତ୍ୟ ହେବ, ଅବଶ୍ୟ ହେବ । ତେବେ – ସତ୍ ସାହିତ୍ୟ ଓ ଫାଜିଲ୍ ସାହିତ୍ୟ ବାରି ହେବ ନାହିଁ । କଥା ଓ କବିତାର ଫରକ ରହିବନି । ବୌଦ୍ଧିକତା ଉପହସିତ ହେବ । ବହି, ପତ୍ରପତ୍ରିକାଦି ଦର୍ପଣ ସୁନ୍ଦରୀ ହେବେ । ଏକ ଦୀର୍ଘକାୟ ପ୍ରଶ୍ନବାଚୀ ଦିଶିବ ଦିଗନ୍ତରେ- ପଢିବ କିଏ ?

୧୧- ଏବେ ଇ ପତ୍ରିକା ସବୁ ପ୍ରକାଶିତ ହେଉଛି । ସେ ବିଷୟରେ ଆପଣଙ୍କ ମତ କଣ ?

ଉତ୍ତର: ଶ୍ରୁତି, ପାରାୟଣ ଦେଇ ଲିଖନ ପଠନ ଯାଏଁ ଆସିବାକୁ କେତେ ସହସ୍ରାବ୍ଦୀ ଲାଗିଥିବ ଅକ୍ଷରକୁ, ତା’ର ଇତିହାସ ଅନୁମାନ ମାତ୍ର । କେତେ ପୀଡ଼ା ସହିଛି ଅକ୍ଷର ! ପାହାଡ ଛାତିର ପଥର ଦେହରେ ଖୋଦେଇ ହୋଇଛି, ଶୁଖିଲା ତାଳପତ୍ରରେ ଆଂଚୁଡି ହୋଇଛି । କେତେ ଶହ ବର୍ଷ ହେଲା କଳା ରକତରେ ବିତରି ଆସୁଛି ଜ୍ଞାନ ଓ ପ୍ରେମର ପରମ ପ୍ରାର୍ଥନା । ଆଜି ଯଦି ସେ ମନ କରିଛି ଶୂନ୍ୟରେ ପହଁରିବ ତେବେ ତ ତାହା ଆନନ୍ଦର କଥା । ଆବିଷ୍କାର ପ୍ରମତ୍ତ ମଣିଷ ଜୀବନକୁ କେତେ ନିଠେଇ ନିଠେଇ ଗଢେ ଭାଙ୍ଗେ । ଅପରୂପ ଭାବରେ ଭାଙ୍ଗିବା, ବେଳେବେଳେ ଗଢ଼ିବା ଠାରୁ ବି ସର୍ଜନମୟ । ଇଣ୍ଟରନେଟ ଆମ ଆଗାମୀ ଦିନର ଅବଶ୍ୟମ୍ଭାବୀ ଆବଶ୍ୟକତା । ଇ ସାହିତ୍ୟକୁ ସ୍ୱାଗତ । ବହି ଗନ୍ଧରୁ ମିଳୁଥିବା ନସ୍ଟାଲଜିକ୍ ଆନନ୍ଦ ଭରଚ୍ୟୁଆଲ ପଠନରୁ ପାଇବା ଆମକୁ ଅଭ୍ୟାସ କରିବାକୁ ପଡିବ ।

୧୨- ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ?

ଉତ୍ତର: ବାର୍ତ୍ତା ଦେଲା ଭଳି ଯୋଗ୍ୟତା ମୋର ଅଛି ବୋଲି ମୋର ପ୍ରତ୍ୟୟ ନାହିଁ । ତରୁଣ ହେଉ କି ପ୍ରବୀଣ, କବି କବି ମଧ୍ୟରେ ଭାବ ଦିଆନିଆ ହୁଏ ସ୍ପନ୍ଦରେ । ରାତି ଅଧରେ ନିରୋଳାରେ ମୁଁ କେବେକେବେ ବସେ ବୈଦିକ କବି ଉଷସ୍ତି ବୈଷମ୍ପାୟନ, ଅନୁଜ କବି ଚିନ୍ମୟ ଯୀଶୁକ୍ରୀଷ୍ଣଙ୍କ ସହିତ ଏକା ବେଳରେ । ଆମର ବାର୍ତ୍ତାଳାପ ହୁଏ କବିତାଠୁ ପରମ ଯାଏଁ । ଆମେ କବିତାର ରାଣ ଖାଇଛୁ ଯେ ଆମେ କବିତାରେ ବଞ୍ଚିବୁ, ଜଗତର ଏ ଯାଏଁ ଅନୁଚ୍ଚାରିତ ଶବ୍ଦ ଅଛି ଆମ ଛାତି ମୁଣାରେ ବୋଲି ପରତେ ଯିବୁ। କବିତାର ସର୍ଜନ ପାଇଁ ସଧ କରିଛୁ ଏଇଥି ପାଇଁ ଯେ ଆମର ଦୃଢ ପ୍ରତ୍ୟୟ ଆମେ ହିଁ କବିତା । ପୁରସ୍କାର ନୁହେଁ, ସାଧନାରେ ଆମର ବିଶ୍ୱାସ । ଆମେ ତନ୍ନ ତନ୍ନ କରି ପରଖୁ ଓ ପ୍ରାଣ ଭରି ଭଲ ପାଉ ଆମର ରକ୍ତଭିଜା ସଂସ୍କୃତିକୁ।

Leave A Reply

Your email address will not be published.