Latest Odisha News

BREAKING NEWS

ଓଡ଼ିଆ ନବବର୍ଷରେ ‘ସୃଜନର ସିଂହନାଦ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆଠାରେ ଏକ ମନୋଜ୍ଞ ପ୍ରାକୃତିକ ପରିବେଶରେ ପାକ୍ଷିକ ସମ୍ବାଦପତ୍ର ଭିନ୍ନଦୃଷ୍ଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ “ବିଷୁବାୟନ” (ମୁକ୍ତାକାଶ ବିଷୁବ ମିଳନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ୧୯୯୪ରେ ଚେନ୍ନାଇ ସ୍ଥିତ ଚନ୍ଦାମାମା ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇ ଲୋକପ୍ରିୟତାର ଶୀର୍ଷାରୋହଣ କରିଥିବା “ସଚିତ୍ର ବିଜୟା”ର ଯଶସ୍ବୀ ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ଅଭୟ ସିଂହଙ୍କ ସ୍ଵାତନ୍ତ୍ର୍ୟ ଓ ମାଧୁର୍ଯ୍ୟମୟ ସମ୍ପାଦକୀୟ ଓ ସୁନିର୍ବାଚିତ ଆଲେଖ୍ୟକୁ ନେଇ ସ୍ତମ୍ଭକାର, ଲେଖକ ଓ ଭିନ୍ନଦୃଷ୍ଟିର ସମ୍ପାଦକ ଆଶିଷ ରଞ୍ଜନ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଏବଂ ଅରୋଶ୍ରୀ ପ୍ରକାଶନୀ ଦ୍ବାରା ପ୍ରକାଶିତ ୨୮୦ ପୃଷ୍ଠା ସମ୍ବଳିତ “ସୃଜନର ସିଂହନାଦ” ପୁସ୍ତକକୁ ଲୋକାର୍ପିତ କରିଥିଲେ ସ୍ବର୍ଗତ ସିଂହଙ୍କ ସହପାଠୀ, ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ତଥା ପୌରୁଷ ପତ୍ରିକାର ସମ୍ପାଦକ  ଅସିତ ମହାନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସମାଜସେବୀ, ଜୈବିକ କୃଷିର ଅନ୍ୟତମ ପ୍ରବକ୍ତା ତଥା “ଗାଉଁଲି ବିଚାର”ର ସମ୍ପାଦକ ଜଗଦୀଶ ପ୍ରଧାନ, ସମାଜସେବୀ ବିଜୟ କୁମାର ବଳିଆର ସିଂହ ଏବଂ ସାମ୍ବାଦିକା ପୂଜାରାଣୀ ନାୟକ; ସମ୍ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ଅପହୃତ ହୋଇଚାଲିଥିବା “ଏକତ୍ର ସହାବସ୍ଥାନ”ର ପୁନଃ ପ୍ରତିଷ୍ଠା ଉପରେ ଏକ ସାରଗର୍ଭକ ଆଲୋକପାତ କରିଥିଲେ।

“ସୃଜନର ସିଂହନାଦ” ପୁସ୍ତକର ସମ୍ପାଦନା-ସହଯୋଗୀ ତଥା ଯୁବ-ସାରସ୍ଵତ-ପ୍ରତିଭା ସୁବ୍ରତ କୁମାର ସାହୁ ପୁସ୍ତକର ସମୀକ୍ଷା କରିଥିବାବେଳେ କାର୍ଯ୍ୟକ୍ରମର ସଞ୍ଚାଳକ ଭାବଗ୍ରାହୀ ସର୍ଜନ ସିଂହ ବିଷୁବାୟନର ମହତାକାଂକ୍ଷୀ ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ କୀର୍ତ୍ତି ଚନ୍ଦ୍ର ସୁବୁଦ୍ଧି, ସୋନୁ ଶତପଥୀ, ରବୀନ୍ଦ୍ର କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସୁପ୍ରଭା ପତି ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡ଼ିଶାର ପରମ୍ପରା , ସଂସ୍କୃତି ଓ ଓଡ଼ିଆ ଅସ୍ମିତାକୁ ଭଲ ପାଉଥିବା ପ୍ରତ୍ୟେକ ଓଡ଼ିଆ ଏହି ପୁସ୍ତକଟି ପଢ଼ିବା ଆବଶ୍ୟକ; ଯାହାର ମୂଲ୍ୟ ରହିଛି ୩୦୦ ଟଙ୍କା ମାତ୍ର। ଆଗ୍ରହୀ ପାଠକ”ସୃଜନର ସିଂହନାଦ” ପୁସ୍ତକ ପାଇଁ ପ୍ରକାଶକଙ୍କୁ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.