Latest Odisha News

BREAKING NEWS

ଭଲ ପାଠକଟିଏ ହିଁ ଲେଖକ ହେଇପାରେ : ପୁଷ୍ପାଞ୍ଜଳି ପଣ୍ଡା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ପୁଷ୍ପାଞ୍ଜଳି ପଣ୍ଡା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟ ପ୍ରତି ସମର୍ପିତ ପ୍ରତିଭା ପୁଷ୍ପାଞ୍ଜଳି ପଣ୍ଡାଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ମୁଁ କାହିଁକି ଲେଖେ ,ଏହା ମୋ ପାଇଁ ଏକ ଜଟିଳ ପ୍ରଶ୍ନ । ଏବେକାର ସମୟରେ ଘର ,ବାହାର, ସକାଳ ,ସଞ ଅଣନିଃଶ୍ବାସୀ ହୋଇ ଦୌଡ଼ୁଥିବା ବ୍ୟସ୍ତ ବହୁଳ ଜୀବନରେ ଭାରାକ୍ରାନ୍ତ ମନକୁ ହାଲକା କରିବାକୁ
ମନକୁ ବୋଧ ଦେବାକୁ ମନକୁ ମନେଇବାକୁ ମୁଁ ଲେଖେ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ସାହିତ୍ୟ ସର୍ଜନା ପାଇଁ ଆଗ୍ରହ ସାହିତ୍ୟ କଣ ଜାଣିବା ଆଗରୁ ଆସିଥିଲା। ଯାହାର ବାଟ ଫିଟିଥିଲା ଠାକୁର ଘରୁ, ଅନେକ ପୁରାଣ, ରାମାୟଣ,ଭାଗବତ ପଢ଼ାପଢ଼ିରୁ। ଗୀତ ଗାଇବା, ଗଳ୍ପ କବିତା ପଢ଼ିବା ତଥା ଲୁଚି ଲୁଚି ବାପାଙ୍କର ବଙ୍ଗଳା, ହିନ୍ଦି ,ଓଡିଆ ଉପନ୍ୟାସ ସବୁ ପଢିବା ନିଶା ମତେ ସାହିତ୍ୟ ସର୍ଜନା କରିବାର ଖୋରାକ ଯୋଗାଇଛି। ସ୍ଵପ୍ନ, ସମ୍ପର୍କ, ପ୍ରେମ, ଗାଁ, ବିଲ, ନଦୀ, ମାଟି, ପାଣି, ପବନ, ଜୀବନ, ପ୍ରେମ ହୁଏ, ଦୁଃଖ ଓ ମୋ ଚାରିପାଖର ମଣିଷକୁ ମୁଁ ଭଲପାଏ ଆଉ ଏ ସବୁକୁ କବିତାରେ ଶବ୍ବ ସହିତ ଉତ୍ତାରିବାକୁ ସୁଖ ପାଏ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ପ୍ରଥମ ପ୍ରକାଶିତ ଲେଖା ପ୍ରଥମ ପ୍ରେମ ପରି ଅଭୂଲା।କେନ୍ଦ୍ରାପଡା କଲେଜ ମାଗାଜିନ୍ “ବଳୟ ” ପତ୍ରିକାରେ ପ୍ରକାଶ ପାଇଥିଲା। ବହୁତ ସୁନ୍ଦର ମତାମତ ମିଳିଥିଲା ବନ୍ଧୁ ମାନଙ୍କଠାରୁ ତା ପରଠାରୁ ଗୋଟିଏ କି ଦୁଇଟା ଶିଶୁ କବିତା ଏବଂ କିଛି ମତାମତ ଧରିତ୍ରୀ ରେ ପ୍ରକାଶ ପାଇବା ପରେ ଆଗକୁ ଲେଖିବାକୁ ମନ ବଳାଇ ଥିଲି।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ମୁଁ ଈଶ୍ଵରଙ୍କୁ ବିଶ୍ଵାସ କରେ। କବିତାକୁ ଈଶ୍ଵରଙ୍କ କଥା ବୋଲି ମନେ କରେ। ମାତ୍ର ଏକଥା ସତ ଯେ କବିର କବିତା କବିର ଜୀବନ, ସ୍ଥାନୀୟ ପରିବେଶ ଓ ସେହି ସମୟର ମାନସିକତାକୁ ଅଧିକାଂଶରେ ପ୍ରଭାବିତ କରେ।ମୋ ଲେଖନୀ ମଧ୍ୟ କିଛି କିଛି ଏସବୁରେ ପ୍ରଭାବିତ ଯାହାକୁ ବାଦ ଦେଇ ଲେଖନୀ ଆଗକୁ ବଢେନି। ଅଧିକାଂଶ ଲେଖା ମୋର ପ୍ରେମ,ଜୀବନ ଓ ମୃତ୍ୟୁ କୁ ନେଇ । ଯାହା ଜୀବନର ନିଛକ ସତ ଏବଂ ସମଗ୍ର ଜଗତ ଅବଗତ ସେହି ସବୁ କଥା କବିତା ମାଧ୍ୟମରେ ମୋ ଢଙ୍ଗରେ ଉପସ୍ଥାପନା କରେ। ଜୀବନ ଦେଇଛନ୍ତି ଯିଏ ମୃତ୍ୟୁ ବି ଦେବେ ସିଏ ତେଣୁ ଶରଣାଗତର ଜୀବନକୁ ନେଇ ଚିନ୍ତା କଣ? ଜୀବନ ତା ବାଟରେ ଆଗକୁ ବଢୁ। ଅଦେଖା ଆୟୁଷ ଯାତ୍ରାର ପରିସୀମା ଛୁଇଁବା ପୂର୍ବରୁ ପ୍ରେମରେ ମନଭରି ଜୀଇଁବା। ଏଇ ଡିଜିଟାଲ ଯୁଗରେ ଲେଖନୀ ଚାଳନାରେ ବିମୁଖତା ତଥା ସାହିତ୍ୟ ପ୍ରତି ଅନୁରାଗ କମି ଚାଲିଛି। ଯାହା ଅନେକ ସାହିତ୍ୟ ପ୍ରେମୀଙ୍କୁ ହତୋତ୍ସାହିତ କରୁଛି। ବହୁତ ପଢ଼ିବା ତାପରେ ଲେଖିବା । ଭଲ ପାଠକଟିଏ ହିଁ ଭଲ ଲେଖକ ହେଇପାରେ।

 

Leave A Reply

Your email address will not be published.