କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସେତେବେଳେ ମୋର ପରିଚୟ ହୋଇଥିଲା ଜଣେ କର୍ମଜୀବୀ ମହିଳାଙ୍କ ସହ । ଖାଲି ପରିଚୟ କହିଲେ ଉଚିତ ହେବ ନାହିଁ ; ସେତେବେଳର ଆଧାର ବିହୀନ ମୋର ଦୁଇ ଥରିଲା ପାଦ ପାଇଁ ମହିଳା ଜଣକ ଥିଲେ ଶକ୍ତ ଚଟାଣ ଭଳି । ତାଙ୍କ ଆଶ୍ରୟକୁ ଆସିଲା ବେଳକୁ, କିଛି ଦିନ ପୂର୍ବରୁ ମୁଁ ମୋର ପତ୍ନୀ ସହ ଅଣଚାଳିଶ ବର୍ଷର ଜନ୍ମ ଦିବସ ପାଳନ କରିଥିଲି । କିନ୍ତୁ ମହିଳା ଜଣକୁ ତିରିଶ ବର୍ଷ ବି ହୋଇ ନ ଥାଏ ।
ନିଜଠାରୁ ଏତେ ବର୍ଷରେ ଛୋଟ ଜଣେ କର୍ମଜୀବିନୀ ଆଜି ମୋର ଅଶୀ ବର୍ଷର ଜୀବନ ବୃକ୍ଷରେ ଫୁଲଟିଏ ହୋଇ ଫୁଟି ରହିଛି, ସବୁଠୁ କୋମଳ, ସବୁ ଫୁଲଠୁ ଅଧିକ ସୁରନ୍ଧ ଭରା, ଅଧିକ ସୁନ୍ଦର । ଅଥଚ ଫୁଲର ଆୟୁଷଠାରୁ କାହିଁ କେତେ ଗୁଣରେ ଅଧିକ ଆୟୁଷ ନେଇ । ଆୟୁଷ୍ମତୀ ହୋଇ… ।
ସେ ପଦ୍ମିନୀ…… ।
ଆଜି ଦୁଇ ଅଙ୍ଗୁଳି ମଝିରେ କଲମ ମୁନ ଅଗ୍ରଗାମୀ ହେବାକୁ ଉତ୍ସୁକ ହେଲାବେଳେ ସେଇ ପଦ୍ମିନୀର କଥା ହିଁ ମନକୁ ଆସୁଛି । ମନକୁ ଆସୁଛି, ସେ ରହୁଥିବା ସେଇ ରକ୍ଷଣଶୀଳ ଛୋଟ ସହରଟିର କଥା । ତା’ର କେନ୍ଦ୍ରସ୍ଥଳରେ ଅବସ୍ଥିତ ଗାନ୍ଧୀ କୈଳାସ ପର୍ବତ । ଗୋଟିଏ ପାର୍ଶ୍ୱକୁ ବଳୟିତ କରିଥିବା ଲୋହରାଖଣ୍ଡି ନଈ । ସହର ଉପକଣ୍ଠର ପରିଚିତ ଘାଇ ।
ପଦ୍ମିନୀ ଜୀବନର ସେଇ ଦଶବର୍ଷର ଘଟଣା ଆଜି ଲେଖିବି । ସେଇ ଦଶବର୍ଷ, ସୁନାକୁ ଅଗ୍ନିରେ ଦହନ କରିବାର ସମୟ ଭଳି । ବାତ୍ୟା ବିକ୍ଷୁବ୍ଧ ନଦୀ ବକ୍ଷରେ ଏକାକୀ ନାବିକଟିଏ କାତ ଚଳାଇଲା ଭଳି । ଛିନ୍ନପକ୍ଷ ବଳାକାଟିଏ ନିଜ ଚଞ୍ଚୁରେ ରକ୍ତାକ୍ତ ପକ୍ଷକୁ ଚୁଚୁମି, ସାଉଁଳାଇ ସେଥିରେ ପୁନଃ ଉଡ଼ିବାର ଶକ୍ତି ଭରିଲା ଭଳି ।
ସେଇ ସମୟର କେତୋଟି ଛବି ଆଙ୍କିଦେବି । ସେଇ ସମୟର ଭାରତ ଇନ୍ଦିରା ଗାନ୍ଧୀଙ୍କ ଭାରତ ।
ଭାରତ ଭଳି ଏକ ବିରାଟ ଉପମହାଦେଶର ପ୍ରଥମ ମହିଳା ପ୍ରଧାନ ମବୀ ଭାବେ ସେ ଯେଉଁଠିକୁ ଯାଉଥିଲେ, ବିପୁଳ ଜନତାଙ୍କ ସମାବେଶ ସେ ସ୍ଥାନକୁ କିପରି ଜନାକୀର୍ଣ୍ଣ କରିଦେଉଥିଲା, ସେ କଥା ବି ଲେଖିବି… ।
କ୍ରମଶଃ
Comments are closed.