କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଦୁଇମାଇଲ ଭଞ୍ଜନଗରର ବିରାଟ ଜଳଭଣ୍ଡାର, ପାହାଡ଼ ଉପରୁ ମାନଚିତ୍ରରେ ଥିବା ଛୋଟିଆ ନୀଳଦେଶଟିଏ ପରି ଦିଶୁଛି । ଅତି ନିକଟକୁ ଦେଖାଯାଉଛି ଭଞ୍ଜ ନଗର ଜେଲ୍ର ଅଭ୍ୟନ୍ତର ପରିସର । ବନ୍ଦୀମାନଙ୍କ ମଧ୍ୟରୁ କେହି କେହି ଦଉଡ଼ି ବଳୁଛନ୍ତି… ଆଉ କେହି ବାସନ ଧୋଉଛନ୍ତି । ‘ଭଞ୍ଜ ସାହିତ୍ୟ ପରିଷଦ’ରୁ ଉପେନ୍ଦ୍ର ଭଞ୍ଜଙ୍କ ମନୋଜ୍ଞ ପ୍ରତିର୍ମୂି… ‘ଗଣେଶ ଟକିଜ୍’ର ଟପ୍ ଲାଇଟ୍… ଲୋହରାଖଣ୍ଡି ନଈର ଶୁଷ୍କ
ବାଲୁକା ଶଯ୍ୟା… ୟୁ. ବି ହାଇସ୍କୁଲର ବିସ୍ତୀର୍ଣ୍ଣ ଆକ୍ରାନ୍ତି… ସହର ବାହାରେ ଥିବା କେଦାର ମାଳିନୀ – ପ୍ରତ୍ୟେକ ଉପରେ ଦୃଷ୍ଟି ଘୂରେଇ ଆଣି, ଶେଷରେ ପାହାଡ଼ ଉପରକୁ ଚଢ଼ିବା ପାଇଁ ଉଦ୍ଦିଷ୍ଟ ପାହାଚ ଉପରେ ସେ ନଜର ଢ଼ାଳିଲା ।
ଦୁଇଫୁଟିଆ ରବର କଣ୍ଢେଇଟିଏ ଭଳି ମୀନାକ୍ଷି ପାହାଚ ପରେ ପାହାଚ ଅତିକ୍ରମ କରୁଛି । ତା’ର ଗୋଲାପୀ ଦେହରେ ଗୁଡ଼େଇ ହେଇଥିବା କମଳା ରଙ୍ଗର ଶାଢ଼ୀ କୁଞ୍ଚକୁ ଗୋଟିଏ ହାତରେ ସାମାନ୍ୟ ଉପରକୁ ଉଠାଇ ସେ ପାହାଚ ପରେ ପାହାଚ ଚଢ଼ୁଛି ।
ମୀନାକ୍ଷିକୁ ଦ୍ୱନ୍ଦ୍ୱରେ ପାକଇବା ପାଇଁ ସେ ସେଇ ପଥର ଉପରେ ଲମ୍ବ ହୋଇ ଶୋଇ ପଡ଼ିଲା । ପର୍ବତ ଉପରିସ୍ଥ ବାୟୁର ଶୀତଳ ସ୍ପର୍ଶ ତା’ ଆପାଦ ମସ୍ତକକୁ ପୁଲକିତ କରି ଛୁଇଁ ଛୁଇଁଗଲା । ବାମ ବାହୁକୁ ଆଖି ଉପରେ ରଖି ସେ ପବନର ବେପଥୁମୟ ଆଲିଙ୍ଗନକୁ ଅଙ୍ଗେ ଅଙ୍ଗେ ଅନୁଭବ କରୁଥିଲା । କିଛି ସମୟ ପରେ ତା’ ମୁହଁ ଉପରେ ଉଷ୍ମ ନିଃଶ୍ୱାସକୁ ଅନୁଭବ କରି ଅନୁମାନ ଲଗାଇଲା, ମୀନାକ୍ଷି ଆସି ଗଲାଣି । ଭଲଭାବେ ଆଖିକୁ ବନ୍ଦ କରି ସେ ଶୋଇବାର ଅଭିନୟ କଲା । ଅଳ୍ପ ସମୟ ପରେ ସେ ଯେତେବେଳେ ଅନୁଭବ କଲା, ତା’ର କୋମଳ ଗଣ୍ଡ ଉପରେ ମୀନାକ୍ଷିର କୋମଳ ଅଧରର ସ୍ପର୍ଶ, ବାମ ବାହୁକୁ ଆଖି ଉପରୁ ଉଠାଇ ନେଲା ପଦ୍ମିନୀ ।
ମୀନାକ୍ଷିର ସ୍ନୋବୋଳା ଫୁଟିଲା ଫୁଲ ଭଳି ସୁନ୍ଦର ମୁହଁକୁ ଦି’ ପାପୁଲିରେ ତୋଳିଧରି କହିଲା – କିରେ ମୀନା, ତୁ ? ମୁଁ ତ ଡରି ଯାଇଥିଲି, ଆଉ କିଏ ହେଇଥିବ ବୋଲି । ଆଁଏଁ…. ସତରେ ! ଏ ଭିତରେ ଆଉ କିଏ ଚୁମା ଦେବାବାଲା ତୋ ଜୀବନକୁ ଆସିଗଲାଣି କି ? ହଁ ଅଁ… ମୁଁ ତ ଓଡ଼ିଶା ବାହାରକୁ ଚାଲିଯିବି । ଡାଡିଙ୍କ ବଦଳି ହେଇଯାଇଛି । ମତେ ଆଉ ପଚାରେ କିଏ ? ତୁ ବ୍ରହ୍ମପୁରରୁ ଆସିବା ଖବର ଶୁଣି ମୁଁ ସିନା ତୋ ପାଖକୁ ଦୌଡ଼ି ଆସିଲି … ।
ଏ…ଏ…. ଏ.., ମିଛ କହନା ମୀନା । ମୁଁ ସାନଭାଇ ହାତରେ ତୋ ପାଖକୁ ଖବର ପଠେଇଥିଲି ନା… ? ତତେ ଗୋଟେ କଥା କହିବି ବୋଲି… । ଆଖି ନଚେଇ ପଦ୍ମିନୀ ମୀନାକ୍ଷି ଆଡ଼କୁ ଅପାଙ୍ଗରେ ଚାହିଁ ମୁରୁକି ହସିଲା ।
Comments are closed.