Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

କୁମାରୀ ଜୀବନରେ ଯାହାଠାରୁ କେତେ ପଦ ମହୁଝରା କଥା ଶୁଣି, ଯାହାକୁ ପ୍ରଥମଥର ଅଳ୍ପ ସମୟ ପାଇଁ ଦେଖି, ତା’ର ମନ ପଦ୍ମତୋଳା ଶୁଣିବା ସାପ ଭଳି ଧୀର, ଶାନ୍ତ ଓ ଅପ୍ରଗଲ୍‌ଭ ହୋଇଯାଇଥିଲା; ଆଜି ତାଙ୍କ ପାଇଁ ଏତେ ଦୂର ଅପମାନଜନକ ପରିସ୍ଥିତିର ସମ୍ମୁଖୀନ  ହୋଇ ସୁଦ୍ଧା ତାଙ୍କ ବିରୁଦ୍ଧରେ ପଦଟିଏ ବି ଉଚ୍ଚାରଣ କରିପାରୁନାହିଁ ।

ଏଣେ ସରୋଜ ମଧ୍ୟ ପଦ୍ମିନୀର ଥମ୍‌ଥମ୍ ମୁହଁ ଓ ଛଳଛଳ ଚାହାଁଣିକୁ ଅନୁମାନ କରି ଅଧିକା କିଛି କହିବା ଉଚିତ ମନେକଲେ ନାହିଁ । ହଠାତ୍ ଭିତର ଘରୁ ଦୌଡ଼ି ଆସି ବିଶ୍ୱାସ ଉଭୟଙ୍କ ମଝିରେ ଛିଡ଼ା ହୋଇପଡ଼ିଲା । ସରୋଜଙ୍କ ହାତ ଧରି ଅନୁରୋଧ କଲା ପାଠ ପଢ଼ାଇ ଦେବାପାଇଁ । ସରୋଜ ବିଶ୍ୱାସକୁ ପାଖରେ ବସାଇ ବହି ଖୋଲିଲେ । ଡ୍ରଇଂରୁମ୍‌ର ପରଦା ଆଡ଼େଇ ପଦ୍ମିନୀ ଭିତର ଘରକୁ ପାଦ ବଢ଼ାଇଲା ।

ପଦ୍ମିନୀ ତକିଆ ଉପରୁ ମୁହଁ ଉଠାଇଲା । ଆଗରେ ଥିବା ଦର୍ପଣର ପ୍ରତିବିମ୍ବରେ ତା’ର ଦୁଇ ଆଖି ଅତି ମାତ୍ରାରେ ଫୁଲି ଉଠିଛି । ଯେଉଁ ଆଖିରେ ଦିନେ ଲୁହର ସ୍ପର୍ଶ ନଥିଲା । ତାହା ଆଜି ଉଜାଣି ହୋଇ ଝରୁଛି । ତା’ର ବିବାହିତ ଜୀବନର ଇତିହାସ କିଏ ଯେମିତି ଲୁହର ତୁଳୀରେ ଲେଖି ଚାଲିଛି ।

ଜୀବନ ଜୁଆରେ ହାରିଯାଇଥିବା ପଦ୍ମିନୀ ଧୀରେ ଉଠିବସିଲା । ଦେଖିଲା, ନବନୀରଦ ମୁଖ ମଣ୍ଡଳରେ କଳାଭ୍ରମର ପରି ଦୁଇ ଆଖି…. ବିକଶିତ ଜବା ଅଧରରେ ମନମୋହକ ହସ…. ଇନ୍ଦୀବର ପାଖୁଡ଼ା ପରି ଦୁଇ ପାପୁଲିରେ ବରାଭୟର ସଂକେତ… ଆପାଦ ଲମ୍ବିତ ଶୁଭ୍ର, ସୁନ୍ଦର ପୁଷ୍ପହାର… କଟୀତଟରେ ପୀତବସନ… ଦିବ୍ୟଜ୍ୟୋତିରେ ଉଲ୍ଲସିତ ହୋଇଉଠୁଛି କୋଠରୀଟିର  ପରିସର ।

ଦୁଇଫୁଟ ଉଚ୍ଚତା ବିଶିଷ୍ଟ ମନସିଜମନମୋହନଙ୍କର ପ୍ରତିମୂର୍ତ୍ତି ଉପରେ ଦୃଷ୍ଟି ଢାଳୁ ଢାଳୁ ପଦ୍ମିନୀ ଅନେକ ବର୍ଷ ପଛକୁ ଫେରିଗଲା । ଏକଦା ତା’ର ଜନ୍ମଦିନରେ ତା’ ବାପା ଏଇ ର୍ମୂିଟିକୁ ଉପହାର ଦେଇ କହିଥିଲେ- ଏ ମୂର୍ତ୍ତିକୁ କେବେ ହସ୍ତାନ୍ତର କରିବୁ ନାହିଁ । ଜଣେ ଶାଶ୍ୱତବନ୍ଧୁ ଭାବି ଯଦି ତୁ ୟା’ ନିକଟରେ ହୃଦୟର ସବୁ କୋଠରୀ ଖୋଲି ଦେଇପାରିବୁ, ତେବେ ତୋ ଜୀବନର ସବୁ ଅବସ୍ଥାରେ ସେ ଅନୁପମ ସହାନୁଭୂତିର ସାଥିଟିଏ ହୋଇ ତତେ ସହାୟ ହେବେ । ଜୀବନର ଦୀର୍ଘ ପଥରେ ଯେତେ ଅନ୍ଧାର, ଯେତେ କା, ଯେତେ ପ୍ରତିବନ୍ଧକ, ଯେତେ ଅସମତଳ ରାସ୍ତା ତୋ ଆଗକୁ ଆସିଲେ ବି, ସେ ଆଲୋକର୍ବିକା ହୋଇ, ତା’ର ବରଦ ହସ୍ତରେ ତତେ ବାଟକଢ଼େଇ ନେବ ।

 

କ୍ରମଶଃ

Leave A Reply

Your email address will not be published.