କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଶୋଇବା ଘର ବାରଣ୍ଡାରେ ପାଦ ଦେଉ ଦେଉ ରୋଷେଇ ଘରୁ କିଛିଟା ଶୁଣି ସେ ଭିତରକୁ ଗଲା । ସରୋଜ ଚୁଲି ଉପରେ କିଛି ବସାଇଛନ୍ତି । ପଦପାତ ଶୁଣି ସେ ମୁହଁ ଘୂରାଇଲେ । ସମ୍ପୂର୍ଣ୍ଣ ଶୁଷ୍କ ଏବଂ ମଳିନ ଚେହେରା ।
ପଦ୍ମିନୀ ପ୍ରମାଦ ଗଣିଲା । ଅଳ୍ପ କେତେ ଘାର ରୋଗୀ କେବେ ଏତେ ମଳିନ ଦେଖାଯାଏନା । ପାଖକୁ ଯାଇ ଦେଖିଲା ଚୁଲି ଉପରେ ଗରମ ପାଣି ବସିଛି । ତାକୁ ଦେଖି ସରୋଜ ରୋଷେଇ ଘରୁ ଚାଲିଗଲେ । କିଛି ସମୟ ପରେ ଗରମ ପାଣି ହାତରେ ଧରି ସେ ତାଙ୍କ ପାଖରେ ପହଞ୍ଚିଲା । ସେତେବେଳକୁ ସେ ଚଦର ଢାଙ୍କି ହୋଇ ଶୋଇବା ଅବସ୍ଥାରେ ଥରୁଥାଆନ୍ତି । ତାଙ୍କ ପାଖରେ ବସି ବିଶ୍ୱାସ ମୁଣ୍ଡ ଚିପି ଦେଉଥାଏ । ପଦ୍ମିନୀକୁ ଦେଖି ସେ ଟ୍ୟାବଲେଟ ଫାଇଲ୍ ତା’ ହାତକୁ ବଢ଼ାଇ ଦେଇ କହିଲେ- ଏଥିରୁ ଗୋଟିଏ ଗରମ ପାଣି ସହ ଦେବ ।
ଏକଥା କହିବା ସମୟରେ ତାଙ୍କ ସ୍ୱର ମଧ୍ୟ ତରଙ୍ଗାୟିତ ହୋଇ ଉଠୁଥିଲା । ଏ ପ୍ରକାର ଅପରିକଳ୍ପିତ ପରିସ୍ଥିତି ଭିତରେ ପଦ୍ମିନୀ ବିବ୍ରତ ହୋଇଉଠିଲା । ଥରିଲା ହାତରେ ତାଙ୍କ ପାଟିରେ ଔଷଧ ଦେଇ ଗରମ ପାଣି ପିଆଇଦେଲା । ଖଟ ପାଖ ଟେବୁଲ ଉପରେ ବସି ପଚାରିଲା- ସରୋଜବାବୁ ! ହଠାତ୍ ଆପଣଙ୍କୁ ଏମିତି
କ’ଣ ହେଲା ?
– କିଛି ନୁହେଁ… ବ୍ୟସ୍ତ ହୁଅନି । ବର୍ଷାରେ ଭିଜି ଯାଇଥିବାରୁ ସାମାନ୍ୟ ଜ୍ୱର ଅଛି… ଭଲ ହେଇଯିବ ଯେ… ।
– କିନ୍ତୁ ବର୍ଷା ତ ଏଇ ଅଳ୍ପ କେତେ ଘା ତଳେ ହୋଇଥିଲା । ଏତେ କମ୍ ସମୟ ମଧ୍ୟରେ କେମିତି ଏତେ ଜ୍ୱର ବଢ଼ିଗଲା ? ଥର୍ମୋମିଟର ଆଣୁଛି…. ।
ଉଠୁଥିଲା ପଦ୍ମିନୀ…. ।
– ନାଁ, ଥାଉ । ସେ ବାରଣ କଲେ । ମୁଁ ହସ୍ପିଟାଲରେ ଟେମ୍ପରେଚର୍ ଦେଖାଇ ଆସିଛି । ଶହେ ଦୁଇ ଥିଲା । ଏବେ କିଛିଟା କମିଲା ଭଳି ଲାଗୁଛି ।
– ଏଇ ବର୍ଷା ସମୟରେ ଆପଣ ହସ୍ପିଟାଲ ଯାଇଥିଲେ ? ପଦ୍ମିନୀ ଭୃକୁଞ୍ଚିତ କରି ପଚାରିଲା ।
ଦ୍ୱନ୍ଦ୍ୱରେ ପଡ଼ିଲେ ସରୋଜ- ଦୁଇଦିନ ହେଲା ମତେ ସାମାନ୍ୟ ଜରଜର ଲାଗୁଥିଲା । ଭଲ ହେଇଯିବ ଭାବି ମୁଁ କହିନଥିଲି ।
କ୍ରମଶଃ
Comments are closed.