Latest Odisha News

BREAKING NEWS

ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରାମ ସହମତି: ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଇସ୍ରାଏଲ ଏବଂ ଲେବାନନର ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲା ପରସ୍ପର ମଧ୍ୟରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହି ଖବରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

 

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି ଯେ ଉଭୟ ପକ୍ଷ ଯୁଦ୍ଧରୁ ନିବୃତ ରହିବାକୁ ସହମତି ପ୍ରକାଶ କରିଛନ୍ତି। ଏହାସହ ଲେବାନନର ରାଜଧାନୀ ବେରୁତକୁ କୌଣସି ଇସ୍ରାଏଲ ସେନା ପଠାଯିବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଯେଉଁ ସେନା ଆଗକୁ ବଢ଼ୁଥିଲେ ସେମାନେ ମଧ୍ୟ ପଛକୁ ଫେରିଛନ୍ତି।

 

ତେବେ ଟ୍ରମ୍ପଙ୍କ ଏହି ଘୋଷଣା ପରେ ବି ପରିସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ହୋଇନାହିଁ। ଟ୍ରମ୍ପଙ୍କ ଦାବିର କିଛି ସମୟ ପରେ ଉଭୟ ପକ୍ଷ ପୁଣିଥରେ ପରସ୍ପର ଉପରେ ଆକ୍ରମଣ ଜାରି ରଖିଥିବା ଦେଖିବାକୁ ମିଳିଛି। ଇସ୍ରାଏଲ ସେନା ନାବାତିୟେହ ବାହାରେ ବିମାନ ଆକ୍ରମଣ କରିଥିବା ବେଳେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲର କିଛି ସାମରିକ ଠିକଣାକୁ ଟାର୍ଗେଟ କରିଛି। ଏହା ପୂର୍ବରୁ ଇସ୍ରାଏଲ ପକ୍ଷରୁ ବେରୁତ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଯାହା ଫଳରେ ସହରରୁ ବହୁ ସଂଖ୍ୟାରେ ଲୋକ ପଳାୟନ କରିଥିଲେ।

 

ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ହିଜବୁଲ୍ଲା ଆକ୍ରମଣ ବନ୍ଦ ନକରେ ଏବଂ ଚୁକ୍ତିର ଉଲ୍ଲଂଘନ କରେ ତେବେ ବେରୁତରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକ ଉପରେ କଡ଼ା ପ୍ରହାର କରାଯିବ। ଏହି ଯୁଦ୍ଧବିରାମ ସମ୍ପୂର୍ଣ୍ଣ ଲେବାନନ ପାଇଁ ଲାଗୁ ହେବ ନା କେବଳ ବେରୁତ ସହରକୁ ଆକ୍ରମଣରୁ ବାଦ ଦିଆଯିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

 

ଇରାନ ମଧ୍ୟ ଚେତାବନୀ ଦେଇଛି ଯେ ଲେବାନନରେ ଆକ୍ରମଣ ହେଲେ ବୃହତ୍ତର ଶାନ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ମଧ୍ୟସ୍ଥତା ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାରେ କେତେ ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡିବ।

Leave A Reply

Your email address will not be published.