Latest Odisha News

BREAKING NEWS

ନେତାନ୍ୟାହୁଙ୍କ ଉପରେ ବର୍ଷିଲେ ଟ୍ରମ୍ପ: ହିଜବୁଲ୍ଲା ସହ ସଂଘର୍ଷକୁ ନେଇ କହିଲେ ପାଗଳ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲେବାନନର ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲା ସହ ଚାଲିଥିବା ସଂଘର୍ଷକୁ ନେଇ ଟ୍ରମ୍ପ ଏହି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ନେତାନ୍ୟାହୁଙ୍କ ଯୁଦ୍ଧ ନୀତିକୁ କଠୋର ସମାଲୋଚନା କରିବା ସହ ଟ୍ରମ୍ପ ତାଙ୍କୁ ପାଗଳ ବୋଲି ଆଖ୍ୟା ଦେଇଛନ୍ତି।

 

ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ଇସ୍ରାଏଲର ଆକ୍ରମଣାତ୍ମକ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଜଟିଳ କରୁଛି। ନେତାନ୍ୟାହୁ କୌଣସି କଥା ନଶୁଣି ହିଜବୁଲ୍ଲା ଉପରେ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ଏହାକୁ ନେଇ ଟ୍ରମ୍ପ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଯୁଦ୍ଧକୁ ଶାନ୍ତ କରିବା ପରିବର୍ତ୍ତେ ଏଭଳି ପଦକ୍ଷେପ ଅଧିକ ବିପଦ ଡାକି ଆଣିବ ବୋଲି ସେ ବିଶ୍ୱବାସୀଙ୍କୁ ଚେତାବନୀ ଦେଇଛନ୍ତି। ଇରାନ ସହ ସିଧାସଳଖ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ଇସ୍ରାଏଲର ଏପରି ପଦକ୍ଷେପ ଆମେରିକାକୁ ଅଡ଼ୁଆରେ ପକାଉଛି।

 

ନିଜର ଏକ ବୟାନରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ନେତାନ୍ୟାହୁଙ୍କ ଏକତରଫା ନିଷ୍ପତ୍ତି ଆମେରିକା ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା ବେଳେ ଇସ୍ରାଏଲର ଏପରି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ। ଯଦି ନେତାନ୍ୟାହୁ ନିଜର ଆକ୍ରମଣାତ୍ମକ ନୀତିରୁ ନ ଓହରନ୍ତି ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ନିଜ ଜିଦରେ ଅଟଳ ରହି ସେ ପୂରା ଅଞ୍ଚଳକୁ ଅଶାନ୍ତ କରୁଛନ୍ତି ବୋଲି କୁହାଯାଇଛି।

 

ଆମେରିକା ସବୁବେଳେ ଇସ୍ରାଏଲ ସପକ୍ଷରେ ରହି ଆସିଛି। କିନ୍ତୁ ବର୍ତ୍ତମାନର ସ୍ଥିତିରେ ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି। ଆଗାମୀ ଦିନରେ ଏହି ବୟାନବାଜି ଆନ୍ତର୍ଜାତିକ ରାଜନୀତିରେ କି ପ୍ରଭାବ ପକାଉଛି ଏବଂ ଯୁଦ୍ଧର ଦିଗ କେଉଁ ଆଡକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.