କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସୁଜାତା ଅନ୍ତର୍ମନରେ ପୁଲକି ଉଠିଲା । ଟିଫିନ୍ ଖୋଲି ସରୋଜଙ୍କୁ ଖାଇବାପାଇଁ ଇସାରା କଲା । ଉଭୟେ ସାଙ୍ଗ ହୋଇ ଜଳଖିଆ ଖାଇଲେ । ସରୋଜ ସୁଜାତାର ହାତକୁ ମୁଠେଇ ଧରି କହିଲେ ।
– ଆସନ୍ତା ସତର ତାରିଖରେ ଆମ ବିବାହର ପ୍ରଥମ ବର୍ଷ ପୂରିବ । ଆଉ ତା’ପରେ ପରେ ବୋଉର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଜୀବନଟା ବଡ଼ ନିଷ୍ଠୁର ସୁଜାତା ।
ବୋଉ କେତେ ଆଶା କରିଥିଲା ବୋହୂ ଆସିବ… ନାତି ନାତୁଣୀ ହେବେ… ! ବାପା ଚାଲିଯିବା ପରେ ମୋ ଛଡ଼ା ତା’ର ତ ଆଉ କେହି ନଥିଲେ ନା… ।
ସରୋଜଙ୍କ ଆଖି ସଜଳ ହୋଇଉଠିଲା । ସୁଜାତା ମଧ୍ୟ ଭାବାବେଶରେ ସେଇ ଦିନଟିକୁ ରୋମନ୍ଥନ କଲା । ସେ ବାହା ହୋଇ ଆସିବା ମାତ୍ର ବାରଦିନ ହେଇଥାଏ । ହଠାତ୍ ହୃଦ୍ଯବ କ୍ରିୟା ବନ୍ଦ ହେତୁ ତା’ର ବିଧବା ଶାଶୁ ଆରପାରିକୁ ଚାଲି ଯାଇଥିଲେ । ନବବଧୂ ସୁଜାତ ସ୍ତବ୍ଧ ହୋଇ କାନ୍ଦି ମଧ୍ୟ ପାରି ନଥିଲା ।
ସରୋଜ ସୁଜାତାର ମନକଥା ବୁଝିପାରି କହିଲେ- ମନ ଖରାପ କରନି ଜିତା । ଏଡ଼େ ବଡ଼ ସଂସାରରେ ମଣିଷର ଜୀବନ ପାଣି ଫୋଟକା ଭଳି । ଆମେ ପନ୍ଦର ତାରିଖ ଦିନ ଗାଁକୁ ଯିବା ।
ସେଦିନର ସନ୍ଧ୍ୟା ଆସିଗଲା । କ୍ରମଶଃ ରାତ୍ରିର ଚାଦର ନନ୍ଦିନୀ ଶଯ୍ୟାକୁ ଢାଙ୍କି ଦେଇ ଯାଉଥିଲା । ସରୋଜ ପତ୍ନୀର ହାତଧରି ନିଜ ନିରାଡମ୍ବର ବାସଗୃହ ଅଭିମୁଖେ ଚାଲିଲେ । ଜୀବନ ଚିନ୍ତାର ବାଦଲ ଉଭୟଙ୍କୁ ଢାଙ୍କି ରଖିଥିଲା । ଉଭୟେ ନୀରବ ଥିଲେ ।
ସେଇଦିନ ଆସିଲା । ସରୋଜ ସୁଜାତାକୁ ଧରି ବସ୍ଷ୍ଟାଣ୍ଡ୍ ଆସିଲେ ।
ସାମାନ୍ୟ ବିଳମ୍ବ ହେତୁ ସେଦିନର ବସ୍କୁ ସେମାନେ ପାଇ ନଥିଲେ । ଅଗତ୍ୟା ଉପରବେଳା ବସ୍ରେ ଗାଁକୁ ଯିବାପାଇଁ ମନସ୍ଥ କରି ପୁଣିଥରେ ବସ୍ଷ୍ଟାଣ୍ଡ୍କୁ ଆସିଲେ । ସେଇଠି ତାଙ୍କର ଦେଖାହେଲା ପିଲାଦିନର ଜଣେ ସାଙ୍ଗ ସହ । ସେଇ ଡାକ୍ତର ବନ୍ଧୁ ଜଣକ ଏକାକୀ ତାଙ୍କ ଗାଡ଼ିରେ ଯାଉଥା’ନ୍ତି । ସରୋଜଙ୍କ ଗାଁଠାରୁ ନିକଟବର୍ତ୍ତୀ ଛୋଟ ସହରରେ ଡାକ୍ତରବନ୍ଧୁଙ୍କ ଘର । ବନ୍ଧୁଙ୍କ ଅନୁରୋଧ କ୍ରମେ ସରୋଜ ଓ ସୁଜାତା ଗାଡ଼ିରେ ବସିଲେ ।
କ୍ରମଶଃ
Comments are closed.