Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ଚିନ୍ତାର ଉତ୍ତାଳ ସମୁଦ୍ର ମଧ୍ୟରେ ଚନ୍ଦ୍ରଭାନୁ ନିଜକୁ ଏକ ଭଙ୍ଗା ଜାହାଜ ପରି ମନେ କରୁଥିଲେ । ତାଙ୍କ ମନ ଭିତରର ଅନେକ ଆବେଗ, ଉତ୍ତେଜନା, ସୀମାହୀନ ପରିକଳ୍ପନା, ଅଜସ୍ର ସମ୍ଭାବନାର ମୁହୂର୍ତ୍ତ, ସବୁକିଛି ସାଗରର ଅକାତକାତ ଜଳରେ ବୁଡ଼ିଯିବାକୁ ବସିଛି । ବହୁ ଚେଷ୍ଟା ସତ୍ତ୍ୱେ ସେ କିଛି ବି ତା’ ଭିତରୁ ଉଦ୍ଧାର କରିପାରୁ ନାହାନ୍ତି ।

ତାଙ୍କ ନାମ ପଛର ସମ୍ମାନଜନକ ପଦବୀ, ଚତୁଃପାଶ୍ୱର୍ର ସାମାଜିକ ମର୍ଯ୍ୟାଦା, ସୁରମ୍ୟ ଅଟ୍ଟାଳିକାର ମନୋଜ୍ଞ ପରିସର ଏ ସବୁ ସମ୍ମୁଖରେ ସେ ନିଜର କଳଙ୍କିତ ଜୀବନକୁ ଆଉ ଲୁଚାଇ ପାରୁନାହାନ୍ତି । ପଶ୍ଚାତ୍ତାପର ତାଡ଼ନା ଏବଂ ଲୋକଲଜ୍ଜାର ଅଗ୍ନିକଣା ତାଙ୍କର ପରାଜିତ ବ୍ୟକ୍ତିତ୍ୱକୁ ବେଳକୁବେଳ ଅସହାୟ କରିଦେଉଛି । ଚିନ୍ତାର ପରିବେଷ୍ଟନୀ ଭିତରେ ସେ ଲକ୍ଷ୍ୟ କରୁଛନ୍ତି ବହୁ ରଙ୍ଗ ଓ ଗନ୍ଧ ବିଶିଷ୍ଟ ଏକ ଜୀବନ୍ତ ପୁଷ୍ପିତ ଉଦ୍ୟାନ । ଆଉ ତା’ଭିତରେ ଫୁଟିଥିବା ସର୍ବାପେକ୍ଷା ଲୋଭନୀୟ, ଶୋଭନୀୟ ଅନିର୍ବଚନୀୟ ପୁଷ୍ପ… । ଯାହାକୁ ସେ ଆବିଷ୍କାର କରିଥିଲେ ଦିଲ୍ଲୀରନ ଏକ ସୁରମ୍ୟ ଅଟ୍ଟାଳିକା ମଧ୍ୟରୁ ।

ସେ ମୀନାକ୍ଷି… ବିଜୁଳି ଆଲୋକର ବର୍ଣ୍ଣାଢ଼୍ୟ ମୟୁଖ ଭିତରେ, ପରିପାଟୀଭରା ପରିବେଶର ମନୋଜ୍ଞ ବଳୟ ମଧ୍ୟରେ, ଦିନେ ସେ ଏକ ଅପରିକଳ୍ପିତ ମୁହୂର୍ତ୍ତରେ ଭେଟିଥିଲେ ମୀନାକ୍ଷିକୁ । ଚନ୍ଦ୍ରଭାନୁଙ୍କ ଆଖି ଆଗରେ ନାଚି ଉଠିଲା ସେ ଦିନର ଦୃଶ୍ୟା । ଦିଲ୍ଲୀ ଯିବାର କେତେ ମାସ ପରେ କୌଣସି ଏକ ରେଷ୍ଟୁରାଣ୍ଟରେ ତାଙ୍କର ଭେଟ ହୋଇଥିଲା ଅବସରପ୍ରାପ୍ତ ଡି.ଏଫ. ଓ ମୃଣାଳକାନ୍ତି ମିତ୍ରଙ୍କ ସହ । ଚନ୍ଦ୍ରଭାନୁଙ୍କ ଶାରୀରିକ ସୌନ୍ଦର୍ଯ୍ୟ ଏବଂ ବିକଶିତ ବ୍ୟକ୍ତିତ୍ୱକୁ ଦେଖି ସେ ସମ୍ମୋହିତ ହୋଇଥିଲେ । ପରବର୍ତ୍ତୀ ସାକ୍ଷାତ ପାଇଁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିଥିଲେ । ସେଇଠି ତାଙ୍କର ପରିଚୟ ହୋଇଥିଲା ଲାସ୍ୟମୟୀ, ଅଭିଶାପଗ୍ରସ୍ତା ରୂପନ୍ୱିତା କିନ୍ନରୀ ମୀନାକ୍ଷି ସହ । ମିତ୍ର ସାହେବ ନିଜର ରୂପସୀ କନ୍ୟା ସହ ପରିଚୟ କରାଇବା ସମୟରେ ଚନ୍ଦ୍ରଭାନୁ ଭୁଲିଗଲେ ନିଜର ସ୍ୱାମୀତ୍ୱ ଓ ପିତୃତ୍ୱ ।

କ୍ରମଶଃ

Leave A Reply

Your email address will not be published.